ଭୁବନେଶ୍ବର: ପାନ...। ଭାରତୀୟ ପରମ୍ପରା ସହ କାହିଁ କେଉଁ କାଳରୁ ଜଡ଼ିତ। କେବେ ପୂଜା ଥାଳିରେ, ପୁଣି କେବେ ବନ୍ଧୁ ନିମନ୍ତ୍ରଣରେ; ପାନର ସ୍ଥାନ ସ୍ବତନ୍ତ୍ର। ରାଜାରାଜୁଡ଼ାଙ୍କ ସମୟରେ ପାନ ମାଉଥ୍ ଫ୍ରେସନର୍ ରୂପେ କାମ କରି ଆସିଥିବା ବେଳେ ରାଣୀଙ୍କ ପାଇଁ ପାରମ୍ପରିକ ଲିପ୍ଷ୍ଟିକ୍ର ଭୂମିକା ନିଭାଉଥିଲା ଏଣୁ ପାନକୁ ବିଶ୍ବର ପ୍ରଥମ ଅଣରସାୟନ ଲିପ୍ଷ୍ଟିକ ଭାବେ ବିବେଚନା କରାଯାଏ। ମୋଗଲ ବେଗମ୍ମାନେ ଓଠକୁ ଲାଲ୍ କରିବା ପାଇଁ ପାନର ବ୍ୟବହାର କରୁଥିଲେ ବୋଲି ଇତିହାସ ରହିଛି। ସେହିପରି ବାତ୍ସାୟନ ମଧ୍ୟ ନାରୀର ଷୋହଳ ଶୃଙ୍ଗାରରେ ପାନର ବର୍ଣ୍ଣନା କରିଛନ୍ତି। ଏବେ ହୁଏ ତ ପାନ ନାରୀ ଶୃଙ୍ଗାରର ଅଂଶ ନୁହେଁ, କିନ୍ତୁ ରାଜଧାନୀରେ ପଡ଼ୁଥିବା ପ୍ରତି ମେଳା, ମହୋତ୍ସବ, ବିବାହ, ଜନ୍ମଦିନ, ବ୍ରତଘର ପାର୍ଟି ହେଉ ବା ହୋଟେଲର ଡେଜର୍ଟ ମେନ୍ୟୁରେ ପାନ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଏଥିପାଇଁ ପାନ ବ୍ୟବସାୟୀମାନେ ରକମରକମ ପାନ ଗ୍ରାହକଙ୍କୁ ପରଷି ଦେଉଛନ୍ତି। ଏମିତି ଦେଖିବାକୁ ଗଲେ, ଏବେ ୧୦୦ରୁ ଅଧିକ ରକମର ପାନ ରାଜଧାନୀବାସୀଙ୍କ ମନ ଜିଣୁଛି।
୧୦୦ରୁ ଅଧିକ ରକମର ପାନ
ମିଠା ପାନର ଆଦର ଅଧିକ। ନଡ଼ିଆ କୋରା, ଟୁଟିଫୁଟି, କ୍ୟାଣ୍ଡିଡ୍ ଫ୍ରୁଟ୍, ଗୁଲ୍କନ୍ଦ, ଗୁଜରାତି, ଗୁଆ ଓ ଲବଙ୍ଗ ଆଦିକୁ ସୁନ୍ଦର ଭାବେ ପାନପତ୍ରରେ ଭାଙ୍ଗି ମଧ୍ୟାହ୍ନ ବା ରାତ୍ରିଭୋଜନ ପରେ ପରଷା ଯାଏ। ଏହା ପାଟିକୁ ସତେଜ ଅନୁଭବ ଦେବା ସହ ଖାଦ୍ୟ ହଜମରେ ସାହାଯ୍ୟ କରେ। ଏବେ ସେ ମିଠା ପାନର ଭିନ୍ନଭିନ୍ନ ରକମ ବଜାରରେ ଉପଲବ୍ଧ ହେଉଛି। ମହାରାଜା ପାନ, ସିଲ୍କ ପାନ, ଦିଲ୍ୱାଲା ପାନ, ରାଜଭୋଗ ପାନ, ଦିଲ୍ଖୁସ୍ ପାନ, ପାନ କୁଲ୍ଫି, ଲଡ୍ଡୁପାନ, ଥଣ୍ଡା ଓ ଗରମ ଅନୁଭୂତି ପାଇଁ ଆଇସ୍ ଓ ଫାୟାର୍ ପାନ, ଛୁଆଙ୍କ ପାଇଁ ଡାର୍କ ଚକୋଲେଟ୍ ପାନ, ଆଲ୍ଫୋନ୍ସୋ ମ୍ୟାଙ୍ଗୋ ପାନ, ଷ୍ଟବେର ପାନ, ୱାଇଟ୍ କୋକୋ ପାନ, ବାସୁମତୀ ପାନ, ବିଭିନ୍ନ ଫଳ ଫ୍ଲେବର୍ ପାନ ଓ ସ୍ବାସ୍ଥ୍ୟ ସଚେତନ ସହରିଆଙ୍କ ପାଇଁ ରହିଛି ଡାଏଟ୍ ସାଧା ପାନ। ରାଜଧାନୀରେ ପ୍ରାୟ ୧୦୦ରୁ ଅଧିକ ରକମର ପାନ ଏବେ ଉପଲବ୍ଧ ହେଉଛି।
ଚାହିଦାରେ ଛେପ ଢୋକା ପାନ
କରୋନା ସମୟରେ ପାନୁଆଙ୍କୁ ପ୍ରବଳ ବିରୋଧ ହେଲା। ବାହାରେ ପାନଛେପ ପକାଇ ଜରିମାନା ବି ଗଣିଲେ। ପାନୁଆ ଚିନ୍ତାଗ୍ରସ୍ତ ହେଲେ। କିନ୍ତୁ ସେହି ଚିନ୍ତାରୁ ମୁକ୍ତ କରିବାକୁ ରାଜଧାନୀକୁ ଆସିଛି ତମାଖୁମୁକ୍ତ ପାନ। ବିଭିନ୍ନ ଗୁଣକାରୀ ମସଲା, ଡ୍ରାଏ ଫ୍ରୁଟ୍ ଓ ଖାଦ୍ୟ ହଜମକାରୀ ପୋଷକରେ ପରିପୂର୍ଣ୍ଣ। ବଡ଼ କଥା, ଏହି ପାନ ଖାଇ ଛେପ ପକାଇବାକୁ ପଡ଼ିବ ନାହିଁ। ଫଳରେ ସହର, ରାସ୍ତାଘାଟ କିମ୍ବା ଅଫିସ୍ କାନ୍ଥ ପାନଛେପରେ ଲାଲ୍ ହେବାର ବି ଅବକାଶ ନାହିଁ। ଏମିତିଆ ପାନ ଏବେ ରାଜଧାନୀର ପ୍ରତି ହୋଟେଲ ଓ ଭୋଜିର ଡେଜର୍ଟରେ ସ୍ଥାନ ପାଉଛି। ଏଣୁ କୌଣସି ଭୋଜିକୁ କ୍ୟାଟରିଂ ସଂସ୍ଥା ପାନ ନେଇ ଯିବାକୁ ଭୁଲନ୍ତି ନାହିଁ। ତମାଖୁମୁକ୍ତ ଏହି ପାନର ବହୁ ଔଷଧୀୟ ଗୁଣ ତଥା ଭିଟାମିନ୍-ସି, ଥାୟାମାଇନ୍, ନିଆସିନ୍, ରାବୋଫ୍ଲାବିନ୍ ତଥା କାରୋଟିନ୍ ଓ କ୍ୟାଲ୍ସିୟମ୍ରେ ଭର୍ତ୍ତି ଥିବାରୁ କେହି ମୁହଁ ମୋଡ଼ନ୍ତି ନାହିଁ।
ପିଲାଙ୍କ ପାଇଁ ଚକୋଲେଟ୍, ଫ୍ରୁଟ୍ ଫ୍ଲେବର୍
ଖାଲି ବଡ଼ ଲୋକଙ୍କ ପାଇଁ ନୁହେଁ, ଛୁଆଙ୍କ ପାଇଁ ବି ରକମ ରକମର ପାନ ବଜାରରେ ଉପଲବ୍ଧ ହେଉଛି। ବିଭିନ୍ନ ଚକୋଲେଟ୍ ଫ୍ଲେବର ସହ ଫଳ ଫ୍ଲେବର ଛୁଆଙ୍କୁ ଆକର୍ଷିତ କରିପାରୁଛି। ଚକୋଲେଟ୍ ସିରପ୍ ବା ଚକୋଲେଟ୍ ଚିପ୍ସ୍ରେ ତିଆରି ଚକୋଲେଟ୍ ପାନ ଉଭୟ ଛୁଆ ଓ ଯୁବତୀଙ୍କ ମଧ୍ୟରେ ବେଶ୍ ଚାହିଦାରେ ରହିଛି। ଏଥିସହ କୋକୋ ପାନ୍, କିଟ୍କାଟ୍ ପାନ, ଚୁସ୍କି ପାନ, ପାନ ସଟ୍ସ୍, ପାନ ସେକ୍, ପାନ ଲସି, ରସ୍ମଲାଇ ପାନ, ରାବିଡ୍ ପାନ ସହ ଷ୍ଟେବେରି, ପାଇନାପୁଲ୍, ବଟରସ୍କ୍ରଚ୍ ଓ ସାଣ୍ଡାଲ୍ଉଡ୍ ଆଦି ପାନର ସ୍ବତନ୍ତ୍ର ଗ୍ରାହକ ଅଛନ୍ତି। ଖଣ୍ଡଗିରିସ୍ଥିତ ବନାରସି ପାନ ଭଣ୍ଡାରର ସ୍ବତ୍ବାଧିକାରୀ ରମାକାନ୍ତ ସେନାପତି କହନ୍ତି, ରଜ, ଦୀପାବଳି ହେଉ ବା କାହାକୁ ଉପହାର ଦେବା ସମୟରେ, ଏସବୁ ପାନର ଝୁଡ଼ି ବା ବାସ୍କେଟ୍ ବେଶି ବିକ୍ରି ହୋଇଥାଏ। ୫ବର୍ଷ ହେଲା ରାଜଧାନୀରେ ଧୀରେଧୀରେ ଫ୍ଲେବର୍ ପାନର ଆଦର ବଢ଼ୁଥିବାର ଆମେ ୧୦୦ରୁ ଅଧିକ ତମାଖୁମୁକ୍ତ ପାନ ପ୍ରସ୍ତୁତ କରିପାରିଛୁ। ବିକ୍ରି ମଧ୍ୟ ଭଲ ଚାଲିଛି। ବିଶେଷକରି ପାନ ଏବେ ସମ୍ଭ୍ରାନ୍ତ ଶ୍ରେଣୀର ଏକ ଅଂଶ ହୋଇଯାଇଛି। ତେବେ ଏସବୁ ପାନ ୧୫ରୁ ୪୦ଟଙ୍କା ମଧ୍ୟରେ ରହିଥିବା ବେଳେ ଦିଲ୍ଖୁସ୍ ପାନ ଗୋଟା ୨୦୦ ଟଙ୍କା ଓ ଦିଲ୍ବାହାର ପାନ ୧୦୦ ଟଙ୍କା ଲେଖାଏଁ ରହିଛି।
ସ୍ବାସ୍ଥ୍ୟ ସଚେତନଙ୍କ ପାଇଁ ଡାଏଟ୍ ପାନ
ସ୍ବାସ୍ଥ୍ୟ ସଚେତନ ଲୋକଙ୍କୁ ଲକ୍ଷ୍ୟ ରଖି ଏବେ ବଜାରରେ ସୁଗାର ଫ୍ରି, ଡ୍ରାଏ ଫ୍ରୁଟ୍ ଓ ଫଳ ଫ୍ଲେବର ପାନ ଉପଲବ୍ଧ ହେଉଛି। ଆମ୍ବ, ସପୁରି, କାଜୁ, ପେସ୍ତାବାଦାମ, କିସ୍ମିସ୍ ଆଦି ବହୁ ଫଳ ଓ ଡ୍ରାଏ ଫ୍ରୁଟ୍ ପକାଇ ପ୍ରସ୍ତୁତ ହେଉଛି ଡାଏଟ୍ ସାଧା ପାନ। ଯୁବପିଢ଼ିଙ୍କଠାରୁ ମଧୁମେହ ରୋଗୀଙ୍କ ମଧ୍ୟରେ ଏହା ପସନ୍ଦର ସର୍ବାଗ୍ରେ ରହିଥିବା ଶ୍ରୀ ସେନାପତି କହିଛନ୍ତି।