ଦୁଇଟି ଶରୀର ଗୋଟିଏ ମନ

ପୁଲକ-ଦୀପକଙ୍କ ନିଆରା କାହାଣୀ

ଘରକୁ ମାମୁ ଆସିଥା’ନ୍ତି। ମାମୁଙ୍କ ପାଇଁ ମିଠା ଓ ଜଳଖିଆ ଆଣିବାକୁ ପୁଲକ ଯାଆନ୍ତି ବଡ଼ଗଡ଼ସ୍ଥିତ ଗାଙ୍ଗୁରାମକୁ। ଦୋକାନୀକୁ ବରାଦ ଦେଇ ଠିଆ ହୋଇଥିଲା ବେଳେ ପୁଲକ ଦେଖନ୍ତି ହଠାତ୍‌ ସେଠାରେ ମାର୍‌ପିଟ୍‌ ଆରମ୍ଭ ହୋଇଗଲା। ସାଇକେଲ୍‌ରେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ଜଣେ ବାଇକ୍‌ ଆରୋହୀ ପଛରୁ ଧକ୍କା ମାରିବା ଥିଲା ଝଗଡ଼ାର କାରଣ। ଏସବୁ ଦେଖି ପୁଲକ ଘଟଣାସ୍ଥଳରୁ ଘରକୁ ଫେରନ୍ତି। କିଛି ସମୟ ପରେ ପୁଲକଙ୍କ ଯାଆଁଳା ଭାଇ ଦୀପକ ଘଟଣା ସମ୍ପର୍କରେ ବିସ୍ତାରରେ ପୁଲକଙ୍କୁ କୁହନ୍ତି। ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ ପୁଲକ କୁହନ୍ତି, ମିଠା ଦୋକାନ ତ ମୁଁ ଏକା ଯାଇଥିଲି। ଘଟଣାର ପ୍ରତ୍ୟକ୍ଷଦର୍ଶୀ ମୁଁ। ଏକଥା ମୁଁ କାହାକୁ ବିି ଏଯାଏଁ କହିନି। କିନ୍ତୁ ତୁ ଜାଣିଲୁ କେମିତି? ଦୀପକ କହନ୍ତି, ମୁଁ ଯାଇଥିଲି ମିଠା ଦୋକାନ, ମୁଁ ଏସବୁ ନିଜ ଆଖିରେ ଦେଖିଛି। ଏ ଯାଏଁ ବି ଉଭୟଙ୍କ ମଧ୍ୟରେ ଏହା ରହସ୍ୟ ହୋଇ ରହିଛି, ସେମାନଙ୍କ ମଧ୍ୟରୁ କିଏ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲା ଏବଂ କିଏ ସ୍ୱପ୍ନ ଦେଖିଥିଲା?

ଦୁଇ ଯାଆଁଳା ଭାଇ। ପୁଲକ କୁମାର ଦାଶ ଓ ଦୀପକ କୁମାର ଦାଶ। ଦେଖିବାକୁ ପୂରା ଏକା ଭଳି। ଖାଲି ଦେଖିବାକୁ ନୁହେଁ, ଉଭୟ ଏକାଭଳି ଭାବନ୍ତି, ସେମାନଙ୍କ ଲକ୍ଷ୍ୟ ସମାନ ଓ ପସନ୍ଦ ବି। ଉଭୟ ଗୋଟିଏ ସ୍ୱପ୍ନ ଦେଖନ୍ତି। ଜଣଙ୍କୁ ଆଘାତ ଲାଗିଲେ ଅନ୍ୟ ଜଣଙ୍କୁ କଷ୍ଟ ହୁଏ। ଜଣଙ୍କ ଦେହ ଖରାପ ହେଲେ ଅନ୍ୟ ଜଣେ ବି ଅସୁସ୍ଥ ହୋଇପଡ଼େ। ଶୁଣିବାକୁ ଏସବୁ କୌଣସି ଚଳଚ୍ଚିତ୍ରର କାହାଣୀ ଭଳି ଲାଗୁଛି ସତ। କିନ୍ତୁ କଳ୍ପନା ଯେ ବାସ୍ତବତା ଦ୍ୱାରା ପ୍ରେରିତ ଏହା ଏଠାରେ ସ୍ପଷ୍ଟ।

ପୁଲକ ଓ ଦୀପକଙ୍କ ଜନ୍ମ ଦୁଇ ମିନିଟ୍‌ ଅନ୍ତରରେ। ବୟସ ୨୩। ଘର ବିଜେବି ନଗରରେ। ଉଭୟ ଏବେ ଶ୍ରୀ ହସ୍‌ପିଟାଲ୍‌ରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ। ସେମାନେ କୁହନ୍ତି, ଉଭୟଙ୍କ ଇଚ୍ଛା ଓ ପସନ୍ଦ ଏକାଭଳି। ଏଣୁ ପିଲାଦିନୁ ଉଭୟ କୁମ୍ଫୁ ଶିକ୍ଷା କରିଥିଲେ। ଏପରିକି ଉଭୟଙ୍କର ଗୋଟିଏ ଝିଅ ପ୍ରତି ଦୁର୍ବଳତା ଥିଲା। ଦୁଇ ଭାଇ ଏ ବିଷୟରେ ଜାଣିବା ପରେ ସେଥିରୁ ଦୂରେଇ ରହିଲେ। ପରବର୍ତ୍ତୀ ସମୟରେ ସେମାନେ ପ୍ରଜାପିତା ଦୀକ୍ଷା ଗ୍ରହଣ କରିଛନ୍ତି। ପରେ ପରିବାରର ଇଚ୍ଛା ଅନୁଯାୟୀ ବିବାହ କରିବେ ବୋଲି ସ୍ଥିର କରିଛନ୍ତି।
ପୁଲକ ଓ ଦୀପକଙ୍କ ମା’ ସରୋଜିନୀ କୁହନ୍ତି, ପିଲାଟି ଦିନରୁ ଆମେ ଉଭୟଙ୍କୁ ଦେଖିଆସୁଛୁ। ଉଭୟ କେବେ ଅଲଗା ଭଳି ଲାଗନ୍ତିନି। ଉଭୟଙ୍କ ଏକା ଭଳି ଇଚ୍ଛା, ଭାବନା। ଦୂରରେ ଥାଇ ବି ଉଭୟ ଉଭୟଙ୍କ ମନ କଥା ବୁଝିନେବା ଆମକୁ ଭଗବାନଙ୍କ ଚମତ୍କାର ଭଳି ଅନୁଭୂତ ହୁଏ।

ଭଉଣୀ ଝରଣା ଦାଶ ଦିନକର ଉଦାହରଣ ଦେଇ କହିଛନ୍ତି, ଦିନେ ପୁଲକ କଲେଜରୁ ଫେରିଲା ବେଳକୁ କାର୍‌ ଧକ୍କାରେ ତା’ର ମୁଣ୍ଡ ଫାଟିଯାଇଥାଏ। ଦୀପକ ଘରେ ଥାଇ ଘଟଣା ସମ୍ପର୍କରେ କିଛି ନ ଜାଣି ବି ଭାଇ ଅସୁବିଧାରେ ପଡ଼ିଛି, ତାଙ୍କୁ ଆଘାତ ଲାଗିଛି ବୋଲି ବ୍ୟସ୍ତବିବ୍ରତ ହୋଇପଡ଼ିବା ସହ ଆମକୁ ଜଣାଇଥିଲା। ସେମିତି ପିଲାଦିନୁ ପୁଲକର ଚକ୍ଷୁରେ ସମସ୍ୟା ଥାଏ। ଠିକ୍‌ ଭାବେ ଦେଖାଯାଏନି, ଆଖିରୁ ପାଣି ବୋହେ। କିନ୍ତୁ ଦୀପକର ସବୁ ଠିକ୍‌ ଥାଏ। ଚକ୍ଷୁ ପରୀକ୍ଷା କଲା ବେଳକୁ ଉଭୟଙ୍କର -୨.୨୫ ପାଓ୍ଵାର କମ୍‌ ଥିବାର ଜଣାପଡ଼ିଲା। ଉଭୟ ସମାନ ପାଓ୍ଵାରର ଚଷମା ପିିନ୍ଧିଲେ। ଚଳଚ୍ଚିତ୍ର ‘ଜୁଡ୍‌ଓ୍ଵା’ ହେଉ କି ‘ଗଙ୍ଗା ଯମୁନା’ ବାସ୍ତବତାକୁ ହିଁ ପ୍ରତିଫଳନ କରୁଛି ବୋଲି ମୋ ଦୁଇ ଭାଇଙ୍କୁ ଦେଖି ବିଶ୍ୱାସ ହେଉଛି ବୋଲି ଝରଣା କହିଛନ୍ତି।

ସମ୍ବନ୍ଧିତ ଖବର