ବଦଳି ଗଲାଣି ରାଜଧାନୀର ଯୁବପିଢ଼ିଙ୍କ ଜୀବନ ଜିଇଁବାର ଶୈଳୀ। ତାଙ୍କ ପାଇଁ ଏକ୍ସରସାଇଜ୍ର ଅର୍ଥ ଏରୋବିକ୍। ଡ୍ୟାନ୍ସର ପରିଭାଷା ସାଲ୍ସା, କନ୍ଟେମ୍ପରାରି, ହିପ୍ହପ୍, ପପିଂ ଆଣ୍ଡ୍ ଲକିଂ ନଚେତ୍ ଜାଜ୍। ରକିଂ ମ୍ୟୁଜିକ୍ର ତାଳେ ତାଳେ ପ୍ରଶିକ୍ଷକଙ୍କୁ ଅନୁକରଣ କରି ନିଜ ଭାବନାକୁ ପରିପ୍ରକାଶ କରୁଛନ୍ତି ସେମାନେ। ଓ୍ଵାନ୍, ଟୁ, ଥ୍ରି, ଫୋର୍.... ଫାଇଭ୍, ସିକ୍ସ, ସେଭେନ୍, ଏଇଟ୍.... ସକାଳ ସଂଜରେ ଏଇଭଳି ସଂଖ୍ୟାର ତାଳରେ ପାଦ ଉଠୁଛି ପଡ଼ୁଛି। ଧୁମଧଡ଼କା ନୃତ୍ୟରେ ଉଛୁଳୁଛି ନୃତ୍ୟ ଆଖଡ଼ା। ସମୟ ବଦଳିବା ସହ ପାଶ୍ଚାତ୍ୟ ତଥା ଆଧୁନିକ ନୃତ୍ୟଭଙ୍ଗୀ ଧୀରେଧୀରେ ଏମିତି ଆଚ୍ଛନ୍ନ କରିଛି ଯେ ସେମାନେ ନୃତ୍ୟକୁ ନିଶା ସହ ପେସା କରିବାକୁ ବି ଆଗେଇ ଆସୁଛନ୍ତି। ରାଜଧାନୀର ଏମିତି ନୃତ୍ୟମନସ୍କ କିଛି ପ୍ରତିଭାଙ୍କୁ ନେଇ ସସ୍ମିତା ସାହୁଙ୍କ ସ୍ୱତନ୍ତ୍ର ଉପସ୍ଥାପନା।
ଫଟୋ: ବିଭୂତି
ପ୍ରଥମ ପସନ୍ଦ ପପିଂ ଆଣ୍ଡ୍ ଲକିଂ
ଆଜିକାଲିି ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଛି ପପିଂ ଆଣ୍ଡ୍ ଲକିଂ ନୃତ୍ୟ। ବିଶେଷ କରି ‘ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ୍’ ରିଅଲିଟି ସୋ’ରେ ଓଡ଼ିଶାର ହରିହର ଦାଶଙ୍କ ପପିଂ ଆଣ୍ଡ୍ ଲକିଂ ପରେ ଏହା ଓଡ଼ିଶାରେ ବେଶ୍ ଆଦୃତି ଲାଭ କରିଛି। ମାଇକେଲ୍ ଜ୍ୟାକ୍ସନ୍ଙ୍କ ନୃତ୍ୟରୁ ଏହି ନୃତ୍ୟଶୈଳୀକୁ ଉଦ୍ଧାର କରାଯାଇଥିବା ବେଳେ ପପିଂ ଓ ଲକିଂ ଉଭୟ ଅଲଗା ନୃତ୍ୟ ଶୈଳୀ। ପପିଂ ରୋବୋଟିକ୍ ହୋଇଥିବା ବେଳେ ଲକିଂ ହେଉଛି ଦୁର୍ଘଟଣାବଶତଃ ଆସିଥିବା ଏକ ନୃତ୍ୟ। ପ୍ରସିଦ୍ଧ ଡ୍ୟାନ୍ସର୍ ଡନ୍ କ୍ୟାମ୍ପବେଲ୍ ଶିଖିଥିବା ନୃତ୍ୟ ଭୁଲିଯାଇ ଯେଉଁ ନୃତ୍ୟ କରିଥିଲେ ସେଥିରୁ ଲକିଂର ଜନ୍ମ। ଏହାକୁ ବହୁତ୍ ଫାଷ୍ଟ୍ କରାଯାଇଥାଏ ବୋଲି କହିଛନ୍ତି ଶ୍ରୀ ଦାଶ। ଆମେରିକାର ଏହା ଏକ ଷ୍ଟ୍ରିଟ୍-ଡ୍ୟାନ୍୍ସ। ୭୦ଦଶକର ଶେଷ ଆଡ଼କୁ ଏହା ଆନ୍ତର୍ଜାତିକ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ୨୦୦୬ରେ ଭାରତ ତଥା ଓଡ଼ିଶାକୁ ଆସିଥିଲା। ବର୍ତ୍ତମାନ ଓଡ଼ିଶା ତଥା ବ୍ରହ୍ମପୁରରେ ଶହ ଶହ ପପର୍ ଅଛନ୍ତି ବୋଲି କହନ୍ତି ହରିହର।
ଶରୀର-ମନର ସମନ୍ଵୟ ‘କନ୍ଟେମ୍ପରାରି’
ଜାଜ୍ ନୃତ୍ୟର ଉପରସ୍ତରର ନୃତ୍ୟ ହେଉଛି କନ୍ଟେମ୍ପୋରାରି ନୃତ୍ୟ। ଶରୀରର ନମନୀୟତା ଏଥିପାଇଁ ଅଧିକ ଜରୁରୀ। ଏଣୁ କନ୍ଟେମ୍ପରାରି ନୃତ୍ୟଶିଳ୍ପୀମାନଙ୍କୁ ସ୍ୱତନ୍ତ୍ର ବ୍ୟାୟାମ କରିବାକୁ ପଡ଼େ। ଶରୀର ଓ ମସ୍ତିଷ୍କର ସମନ୍ଵୟ ଏହି ନୃତ୍ୟଶୈଳୀ ପାଇଁ ନିତାନ୍ତ ଜରୁରୀ। ଭାବକୁ ବ୍ୟକ୍ତ କରିବାର ଏହା ଏକ ବଳିଷ୍ଠ ମାଧ୍ୟମ। ଏଥିରେ ଅଧିକ ମୁଭ୍ମେଣ୍ଟ୍ ଓ ଫ୍ଲିପ୍ସ୍ ରହିଥିବାରୁ ଶରୀର ଓ ଗୋଡ଼ ଉପରେ ନିୟନ୍ତ୍ରଣ ରଖିପାରିଲେ ଏହି ନୃତ୍ୟ ବେଶ୍ ଆକର୍ଷଣୀୟ ହୋଇଥାଏ ବୋଲି ଶ୍ରୀ ପାତ୍ର କହିଛନ୍ତି।
ହିପ୍- ହପ୍ରେ ରିସ୍କ୍ ବେଶି
ଗତ ୪ ବର୍ଷ ହେଲା ମୁଁ ହିପ୍-ହପ୍ କରୁଛି। ଏହି ଭିତରେ ୩ ଥର ହାତ ଭାଙ୍ଗିଲାଣି। ଏହା ହେଉଛି ଏକ ଷ୍ଟ୍ରିଟ୍ ନୃତ୍ୟଶୈଳୀ। ଦ୍ରୁତ ଗତି ସହ ଏଥିରେ ଅଧିକ ଫ୍ଲିପ୍ ଓ ଟର୍ଣ୍ଣ ରହୁଥିବାରୁ ରିସ୍କ୍ ବେଶି ଥାଏ। କିନ୍ତୁ ଏଥିପ୍ରତି ମୋ’ର ପିଲାବେଳୁ ପାଗଳାମି ରହିଛି ବୋଲି କହନ୍ତି ନୃତ୍ୟଶିଳ୍ପୀ ପି ସୀମାଞ୍ଚଳ ରାଓ ।ପ୍ରଥମେ ସେ ୟୁଟ୍ୟୁବ୍ ଦେଖି ନୃତ୍ୟ କରୁଥିବା ବେଳେ ପରେ କଟକର ଓଏସ୍ବିଡି ଡ୍ୟାନ୍ସ ଗ୍ରୁପ୍ରେ କିଛି ଦିନ ଯୋଗ ଦେଇଥିଲେ। ପରେ ତାଙ୍କ ଆଗ୍ରହ ଦେଖି ଅମିତ୍ ସାର୍ ତାଙ୍କୁ ମାଗଣା ଶିକ୍ଷା ଦେଉଛନ୍ତି। ୧୮ ବର୍ଷୀୟ ସୀମାଞ୍ଚଳଙ୍କ ଭଳି ଏବେ ଅନେକଙ୍କୁ ଘାରିଛି ଏହି ହିପ୍-ହପ୍ ନିଶା। ଏଥିପାଇଁ ଅଧିକ ସମୟ ପରିଶ୍ରମ କରିବାକୁ ପଡ଼ିଥାଏ। ତେବେ ବି ଏହି ରୋଚକ ଶୈଳୀର ମାୟା ଅନେକଙ୍କୁ ବାନ୍ଧି ରଖିଛି।
ଯୁବତୀଙ୍କ ପସନ୍ଦ ଜାଜ୍
ଏହି ଆଫ୍ରିକାନ୍-ଆମେରିକାନ୍ ନୃତ୍ୟଶୈଳୀ ପ୍ରତି ବିଶେଷ କରି ଝିଅମାନଙ୍କ ବେଶି ଆଗ୍ରହ ଦେଖିବାକୁ ମିଳିଛି। ୬୦ ଦଶକର ଶେଷ ଆଡ଼କୁ ଏହା ଜନ୍ମ ନେଇଥିବା ବେଳେ ୨୦୦୮ରୁ ଏହା ଓଡ଼ିଶାରେ କାୟା ମେଲାଇଛି। ଜାଜ୍ ଏକ ଥିଓରିଟିକାଲ୍ ନୃତ୍ୟଶୈଳୀ। ଏହା ବହୁ ଦ୍ରୁତଗତିରେ କରାଯାଉଥିବା ବେଳେ ଏଥିରେ ପୂରା ଶରୀରର ଅଙ୍ଗଭଙ୍ଗୀ ଓ ମୁଖଭଙ୍ଗୀ ଆକର୍ଷଣ ସାଜିଥାଏ। ତରୁଣୀଙ୍କ ଠାଣି ସଂଶ୍ଳିଷ୍ଟ ରହୁଥିବାରୁ ପୂର୍ବରୁ ଏହା ଅଧିକରୁ ଅଧିକ ଝିଅମାନେ ହିଁ କରୁଥିଲେ। କିନ୍ତୁ ବର୍ତ୍ତମାନ ପୁଅମାନେ ବି ଏହି ନୃତ୍ୟ ପାଇଁ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି। ୪ ବର୍ଷରୁ ଊର୍ଧ୍ୱ ବୟସର ପିଲାମାନେ ଏହି ନୃତ୍ୟ ଶିଖିପାରିବେ। ତେବେ ଯୁବତୀମାନେ ହିଁ ଏହି ନୃତ୍ୟ ସହ ବେଶି ଯୋଡ଼ି ହେଉଛନ୍ତି ବୋଲି ଲା’ ଫିଟ୍ ଅଫ୍ ଓଣ୍ଡର୍ର କୋରିଓଗ୍ରାଫର୍ ଅମିତ୍ କୁମାର ପାତ୍ର କହିଛନ୍ତି।