ଗଞ୍ଜାମ ଛତ୍ରପୁରରେ ଏକ ସ୍କୁଲରେ ମୁଁ ପାଠ ପଢୁଥିଲି। ପିଲାବେଳେ ସ୍କୁଲ ଯିବାକୁ ଭୟ କରୁଥିଲି। ପ୍ରତିଦିନ ସ୍କୁଲ ଯିବା ସମୟ ହେଲେ ମୁଁ ଏଠି ,ସେଠି ଲୁଚୁଥିଲି। ସେଥିପାଇଁ ବାପା ବି ଖୁବ୍ ବ୍ୟସ୍ତ ହେଉଥିଲେ। ଅନେକ ସମୟରେ ଦୁଇ ଜଣ ପିଅନ ଆସି ମତେ ଦଉଡ଼ିରେ ବାନ୍ଧି ଝୁଲେଇ ଝୁଲେଇ ସ୍କୁଲକୁ ନେଉଥିଲେ। ପ୍ରବଳ ଚଗଲା ଥିଲି। ଚାଲିଗଲା ଶଗଡ଼ରେ ହାତ ମାରି ଦେଉଥିଲି। ସ୍କୁଲ ନଯିବା ପାଇଁ ସବୁ ଫନ୍ଦିଫିକର ବାହାର କରିଥିଲି। ଅନେକ ସମୟରେ ଘର ନିକଟରେ ଥିବା ବଣକୁ ମଧ୍ୟ ଲୁଚିବାକୁ ପଳାଉଥିଲି। ବାପା ଏହା ଦେଖି କହୁଥିଲେ , ତୁ ସ୍କୁଲ ନ ଯା ପଛେ ବଣକୁ ଏକା ଯାଆନି। ସମ୍ବଲପୁରରେ ରହୁଥିବା ବେଳେ ଥରେ ଗଧ ନାତ ଖାଇଥିଲି। ଗଧ ନାତ ମାରେ ବୋଲି ମତେ ଜଣାନଥିଲା। ତେବେ ତା ଲାଞ୍ଜକୁ ମୁଁ ଟଣାଟଣି କରିବାରୁ ଏମିତି ଅବସ୍ଥା ଭୋଗିଥିଲି। ଏସବୁ ସତ୍ତ୍ୱେ ଗୁଡାଏ ପାଠ ପଢିଲି। କିନ୍ତୁ ନାଟୁଆ ହେଇଗଲି। ପିଲାବେଳେର ସ୍ମୃତି ମନେ ପଡ଼ିଲେ ହସ ମାଡ଼େ।
ଆସ କିଏ ଖାଇବ ହୋ... : କୃଷ୍ଣଙ୍କ ଚକୁଳି
ସକାଳୁ ସକାଳୁ କୃଷ୍ଣଙ୍କ ଗରମ ଗରମ ଚକୁଳି ସାଙ୍ଗକୁ ଘୁଗୁନି ଥରେ ଯିଏ ଖାଇଛି, ସିଏ ନିଇତି ତାଙ୍କ ଦୋକାନକୁ ଧାଇଁଛି। ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଫିସ୍ କର୍ମଚାରୀ ସମସ୍ତଙ୍କ ନିକଟରେ କୃଷ୍ଣଙ୍କ ଚକୁଳି, ପକୁଡ଼ି, ବାଇଗଣିର ଢେର୍ ଚାହିଦା। କୃଷ୍ଣଚନ୍ଦ୍ର ପ୍ରଧାନ ଓରଫ୍ କୃଷ୍ଣ ସ୍ଥାନୀୟ ଖାରବେଳନଗର ଲେବର କଲୋନି, ଶ୍ରୀରାମ ମନସୁନ ଆପାର୍ଟମେଣ୍ଟ ନିକଟରେ ଦୀର୍ଘ ୧୦ ବର୍ଷ ହେଲାଣି ଜଳଖିଆ ଦୋକାନ କରିଛନ୍ତି। କୃଷ୍ଣ କହିଛନ୍ତି ନଗଦ ଆଣ ସହ ବିରି ପରିମାଣ ଅଧିକ ଦେଇ ଚକୁଳି ପ୍ରସ୍ତୁତି କରୁଥିବାର ଏହା ବେଶ୍ ସ୍ୱାଦିଷ୍ଟ ହେଉଛି। ଯେଉଁଥିପାଇଁ ମୋ ଦୋକାନରେ ଗ୍ରାହକଙ୍କ ଭିଡ଼ ଜମିଥାଏ। ସକାଳ ଓ ସଞ୍ଜରେ ଦୁଇ ଓଳି କୃଷ୍ଣଙ୍କ ଦୋକାନ ଖୋଲାରୁହେ। ସନ୍ଧ୍ୟାବେଳେ ପକୁଡ଼ି ସହ ବାଇଗଣୀ , ଚପ୍ ଏଠାରେ ମିଳେ। ଏସବୁ ମଧ୍ୟରେ କୃଷ୍ଣଙ୍କ ପକୁଡ଼ିର ଡିମାଣ୍ଡ ଗ୍ରାହକଙ୍କ ମଧ୍ୟରେ ସବୁଠୁ ଅଧିକ। ଅନ୍ୟମାନେ ପିଆଜଦେଇ ପକୁଡ଼ି ପ୍ରସ୍ତୁତ କରୁଥିବା ବେଳେ କୃଷ୍ଣ ଆଳୁରେ ସ୍ୱତନ୍ତ୍ର ପକୁଡ଼ି ପ୍ରସ୍ତୁତି କରନ୍ତି।