ଅନ୍‌ଲାଇନ୍‌ରେ ଏ-ଟୁ-ଜେଡ୍‌

ଚଳଚଞ୍ଚଳ ଦୁନିଆରେ ମଣିଷକୁ ଆଜିକାଲି ସମୟ ନିଅଣ୍ଟ ପଡ଼ିଲାଣି। ବଜାର ଯାଇ ଗୋଡ଼ଭାଙ୍ଗି ଛିଡ଼ା ହେବାକୁ ଯେମିତି ଫୁର୍‌ସତ ନାହିଁ। ଏଭଳି ସ୍ଥଳେ ମନ ବୁଝି ସୃଷ୍ଟି ହୋଇଛି ଇ-ବଜାର। ଘରେ ବସି ସବୁକୁ ହାତ ପାହାନ୍ତାରେ ପାଇବା ପାଇଁ ସାମଗ୍ରୀ ଓ ସେବାର ସମ୍ଭାର ଖୋଲି ଦେଇଛନ୍ତି କିଛି ଯୁବବର୍ଗ। ଜନ୍ମଠୁ ମୃତ୍ୟୁ ଯାଏଁ ସବୁକିଛି ସାମଗ୍ରୀ ଏବେ ଅନ୍‌ଲାଇନ୍‌ରେ ବରାଦ ଦେବାମାତ୍ରେ ଘରେ ପହଞ୍ଚିଯାଉଛି। ରାଜଧାନୀର କିଛି ଯୁବକ ଅନ୍‌ଲାଇନ୍‌ ସେବାର ଏମିତି ନୂଆ ଟ୍ରେଣ୍ଡ୍‌ ଆରମ୍ଭ କରିଛନ୍ତି। ଗୋଟେ କ୍ଲିକ୍‌ରେ ହାତ ପାହାନ୍ତାରେ ସେବା ଓ ସାମଗ୍ରୀ ପହଞ୍ଚାଉଛନ୍ତି। ଏଭଳି କିଛି ସେବାକୁ ନେଇ ରିତେନ୍ଦ୍ର ଛାଟୋଇଙ୍କ ଉପସ୍ଥାପନା।

ଆମିଷ ଆଣି ଦେଉଛି ଇମିଟ୍‌.ଇନ୍‌

ଆମିଷ ବଜାରର ଲମ୍ବା ଧାଡ଼ିରେ ଅପରିଷ୍କାର ଓ ପୁତିଗନ୍ଧମୟ ପରିବେଶ ମଧ୍ୟରେ ଠିଆ ହେବାକୁ ଅଡ଼ୁଆ ଅନୁଭବ କରୁଥିବା ବ୍ୟକ୍ତବିଶେଷଙ୍କୁ emeat.in ଭେଟି ଦେଉଛି ଆମିଷ ଦ୍ରବ୍ୟ। ଅନ୍‌ଲାଇନ୍‌ ଅର୍ଡର କରିବାର କିଛି ଘଣ୍ଟା ଭିତରେ ପସନ୍ଦ ମୁତାବକ ଚିକେନ୍‌, ମଟନ୍‌, ମାଛ, ଅଣ୍ଡା ଘରେ ପହଞ୍ଚିଯାଉଛି। ଦର୍ଶନ ବରାଳ ଓ ସୌମ୍ୟରଞ୍ଜନ ପଣ୍ଡା ନାମକ ଦୁଇ ଜଣ ଯୁବକଙ୍କ ଉଦ୍ୟମରେ ସୃଷ୍ଟି ହୋଇଥିବା ଏହି ଅନ୍‌ଲାଇନ୍‌ ବଜାରରେ ପନିର୍‌, ଛତୁ, ଗ୍ରିନ୍‌ ମଟର, ବେବି କର୍ଣ୍ଣ , ସୁଇଟ୍‌ କର୍ଣ୍ଣ ମଧ୍ୟ ଅର୍ଡର କରି ହେଉଛି। ସେହିଭଳି ଇଲିସି, ଖଇଙ୍ଗା, ଚିଙ୍ଗୁଡ଼ି ପରି ଦଶ ପ୍ରକାରର ଶୁଖୁଆ ବି ଉପଲବ୍ଧ ହେଉଛି। ସୌମ୍ୟରଞ୍ଜନ କହିଛନ୍ତି, ମାତ୍ର ବର୍ଷେ ହେଲା ଏହି ଓ୍ଵବସାଇଟ୍‌ ଆରମ୍ଭ ହୋଇଛି। ପ୍ରଥମ ବର୍ଷ ୩୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଛି। ଖୁବ୍‌ ଶୀଘ୍ର ବିଶାଖାପାଟଣା, ଦିଲ୍ଲୀ ଓ ହାଇଦ୍ରାବାଦରେ ଏହି ସେବା ଆରମ୍ଭ ହେବାକୁ ଯାଉଛି।

ଡ୍ରେସ୍‌ ସିଲେଇ ପାଇଁ ଷ୍ଟିଚ୍‌ମେନ୍‌.ଇନ୍‌

ପ୍ୟାଣ୍ଟ୍‌, ସାର୍ଟ ତିଆରି କରିବା ନେଇ ଆପଣଙ୍କୁ ଯଦି ଟେଲର ଦୋକାନ ଖୋଜିବାକୁ ଭିଡ଼ ପଡ଼ୁଛି ତେବେ ଟେଲର ଆପଣଙ୍କ ଘରଯାଏଁ ପହଞ୍ଚିବାର ସୁବିଧା ଦେଉଛି www.stitchmen.in ସଂସ୍ଥା। ଅର୍ଡର ପାଇବା ମାତ୍ରେ ପ୍ରଦତ୍ତ ଠିକଣାରେ ଷ୍ଟିଚ୍‌ମେନ୍‌ର କର୍ମକର୍ତା ପହଞ୍ଚି ମାପ ନେଇ ୭ ଦିନ ମଧ୍ୟରେ ପୋଷାକ ସିଲେଇ କରି ଘରେ ଆଣି ପହଞ୍ଚାଇ ଦେଉଛନ୍ତି। ଏହାର ପ୍ରତିଷ୍ଠାତା ଅରୁଣ କୁମାର ତ୍ରିପାଠୀ କୁହନ୍ତି, ୨୦୧୭ ଜାନୁଆରି ମାସରେ ଏହି ସେବା ଆରମ୍ଭ କରିଥିଲି। ଏହା ଦ୍ୱାରା ବେଶ୍‌ ଭଲ ବେପାର ହେଉଛି। ବର୍ତମାନ କେବଳ ପୁରୁଷଙ୍କ ପୋଷାକର ସିଲେଇ ଅର୍ଡର ଗ୍ରହଣ କରୁଥିବା ବେଳେ ଆଗକୁ ମହିଳାଙ୍କ ପୋଷାକ ପାଇଁ ମଧ୍ୟ ଅର୍ଡର ଗ୍ରହଣ କରାଯିବ।

ଶୁଦ୍ଧିକ୍ରିୟାର ଦାୟିତ୍ୱ ନେଉଛି ସ୍ୱର୍ଗଦ୍ୱାର ଡଟ୍‌ କମ୍‌

କେହି ପ୍ରିୟ ପରିଜନଙ୍କ ପରଲୋକ ହୋଇଗଲେ ଆପଣଙ୍କୁ ଅନ୍ତ୍ୟେଷ୍ଟିକ୍ରିୟାର ବିଭିନ୍ନ କାର୍ଯ୍ୟ ପାଇଁ ଭିିନ୍ନଭିନ୍ନ ଜାଗାକୁ ନଯାଇ ବି ଜିନିଷ ମଗାଇ ହେବ। ଗୋଟିଏ କ୍ଲିକ୍‌ରେ ଶବଦାହଠାରୁ ଆରମ୍ଭ କରି ଶୁଦ୍ଧିକ୍ରିୟା ସମସ୍ତ କାର୍ଯ୍ୟର ବନ୍ଦୋବସ୍ତ କରିଦେଉଛି swargadwara.com । ପ୍ଲାବନ ମହାପାତ୍ର ୨୦୧୬ରେ ଏହି ଓ୍ଵବସାଇଟ୍‌ ସେବା ଆରମ୍ଭ କରିଛନ୍ତି। ଆଉ ବେଶ ସୁଲଭ ଦରରେ ମଧ୍ୟ ସେବା ଯୋଗାଉଛନ୍ତି। ଶବକୁ ସ୍ୱର୍ଗଦ୍ୱାରକୁ ନେବାଠୁ ଆରମ୍ଭ କରି ବ୍ରାହ୍ମଣ, ବାରିକ, ଧୋବା, ଲୁଗାପଟାଠାରୁ ଆରମ୍ଭ କରି ଅବଢ଼ା ବନ୍ଦୋବସ୍ତ ମଧ୍ୟ କରି ଦେଉଛନ୍ତି। ଆବଶ୍ୟକ ସ୍ଥଳେ ପ୍ରିୟ ପରିଜନ ଆସିବା ପର୍ଯ୍ୟନ୍ତ ଶବକୁ ସାଇତି ରଖିବାର ବ୍ୟବସ୍ଥା ମଧ୍ୟ ସ୍ୱର୍ଗଦ୍ୱାର ଡଟ୍‌କମ୍‌ରେ ଉପଲବ୍ଧ। ବର୍ତମାନ ଭୁବନେଶ୍ୱର,କଟକ,ପୁରୀ ଓ ବ୍ରହ୍ମପୁରରେ ସେବା ପ୍ରଦାନ କରାଯାଉଥିବା ବେଳେ ଆଗାମୀ ଦିନରେ ଦିଲ୍ଲୀ, ମୁମ୍ବାଇ ଭଳି ମେଟ୍ରୋ ସିଟିରେ ସେବା ପ୍ରଦାନ କରାଯିବା ନେଇ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ପୋଷାକ ସଫା କରୁଛି କୁଇକ୍‌ ସର୍ଭିସ୍‌ ଡଟ୍‌ କମ

ପୋଷାକପତ୍ର ସଫା କରି ପରିଶ୍ରମ ବ୍ୟୟ କରିବାକୁ ଚାହୁଁନଥିବା ପରିବାର ପାଇଁ କୁଇକ୍‌ ସର୍ଭିସ୍‌ ଡଟ୍‌କମ୍‌ ସାହା ହୋଇଛି। www.myquickservice.comରେ ଗୋଟିଏ କ୍ଲିକ୍‌ କିମ୍ବା ୯୪୩୮୩୩୭୪୮୭ରେ କଲ୍‌ ଯୋଗେ ଅନୁଷ୍ଠାନର କର୍ମଚାରୀ ଆପଣଙ୍କ ଘରୁ ଆସି ସଫା କରିବା ପାଇଁ ପୋଷାକପତ୍ର ନେଇ ଇସ୍ତ୍ରି କରି କରି ଫେରାଇବା ଭଳି ସେବା ଉପଲବ୍ଧ କରାଇଛନ୍ତି ପ୍ରତିଷ୍ଠାତା ମନୋରଞ୍ଜନ ଚୌଧୁରୀ। ତାଙ୍କର କହିବା ମୁତାବକ, ଧୀରେଧୀରେ ରାଜଧାନୀ ସ୍ମାର୍ଟ ହେଉଛି। ସମସ୍ତେ ସ୍ମାର୍ଟ ଢଙ୍ଗରେ କାମ କରିବାକୁ ଚାହୁଁଛନ୍ତି। ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍‌ ବି ରହିଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଆମେ ଏହି ଅଭିନବ ସେବା ଯୋଗାଇ ଦେଉଛୁ।

ସମ୍ବନ୍ଧିତ ଖବର