ଭୁବନେଶ୍ବର: କଂସା ବାସନରେ ଖାଦ୍ୟ ରାନ୍ଧିଲେ ଓ ଖାଇଲେ, ସ୍ବାସ୍ଥ୍ୟ ପକ୍ଷେ ହିତକର। ଏ ଉକ୍ତିଟିର ସେପରି କୌଣସି ବିଜ୍ଞାନସମ୍ମତ କାରଣ ନଥିଲେ ବି କାହିଁ କେଉଁ କାଳରୁ ସାଧାରଣରେ ଏପରି ଏକ ବିଶ୍ବାସ ରହି ଆସିଛି। ଏପରିକି, କିଛି ଆୟୁର୍ବେଦିକ ଡାକ୍ତର ବି ଏ ଯୁକ୍ତି ସହ ସହମତ ପ୍ରକାଶ କରନ୍ତି। ଏଇଥିପାଇଁ ଅତୀତରେ କଂସା ବାସନର ବହୁଳ ବ୍ୟବହାର ହେଉଥିଲା। କେବଳ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏହା ଅପହଞ୍ଚ ଥିଲା। ତେବେ ନବେ ଦଶକର ଶେଷ ଆଡ଼କୁ ବଜାରକୁ ଷ୍ଟିଲ୍ ବାସନ ଆସିବା ପରେ କଂସା ବାସନର ବିକ୍ରିବଟା ହଠାତ୍ କମିଗଲା। କେବଳ ବାହାପୁଆଣିରେ ଝିଅଙ୍କୁ ଭେଟି ହିସାବରେ ଦିଆଯାଉଥିଲା। କିନ୍ତୁ ଗତ କିଛି ବର୍ଷ ହେବ, ହଠାତ୍ ଏଥିରେ ଏକ ବିରାଟ ପରିବର୍ତ୍ତନ ପରିଲକ୍ଷିତ ହେଉଛି; ବଜାରରେ ପୁଣିଥରେ କଂସାବାସନର ଚାହିଦା ବଢ଼ି ଯାଇଛି। ଘରଠାରୁ ଆରମ୍ଭ କରି ହୋଟେଲ୍ ପର୍ଯ୍ୟନ୍ତ, ଏବେ ଏହାର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ଏମିତିକି ରାଜ୍ୟ ସରକାର ମଧ୍ୟ କଂସା-ପିତ୍ତଳ ହସ୍ତଶିଳ୍ପ ସାମଗ୍ରୀକୁ ଜିଆଇ ମାନ୍ୟତା ଦେବା ପାଇଁ ଆବେଦନ କରିଛନ୍ତି। ଖାଲି ଯେ କଂସାବାସନ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଛି, ତା’ ନୁହେଁ, ଷ୍ଟିଲ୍ ବାସନକୁସନ ବ୍ୟବହାରରୁ ଦୂରେଇ ରହିବା ପାଇଁ ମାଟି ନିର୍ମିତ ପାତ୍ର, କଦଳୀ-ଶାଳପତ୍ର ଓ କାଠ ତିଆରି ଖାଦ୍ୟ ପାତ୍ରର ବ୍ୟବହାର ବଢ଼ିଛି। ଏଥର ଏମିତି କିଛି ପାରମ୍ପରିକ ଖାଦ୍ୟ ପାତ୍ରକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା...
ଫେରିଛି କଂସା ଥାଳି
/sambad/media/post_attachments/wp-content/uploads/2022/10/32-3.jpg)
ଏଇ ୩/୪ ବର୍ଷ ହେବ, ବଜାରକୁ ପୁଣିଥରେ କଂସା ବାସନର ଚାହିଦା ଫେରିଛି। ବିଶେଷକରି ଓଡ଼ିଆ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ରାଜଧାନୀ ଓ ରାଜ୍ୟର ଅନ୍ୟ କିଛି ସହରରେ ଥିବା ଛୋଟବଡ଼ ହୋଟେଲଗୁଡ଼ିକ କଂସା-ପିତ୍ତଳ ବାସନରେ ଲୋକଙ୍କୁ ଖାଦ୍ୟ ପରଷିବା ଆରମ୍ଭ କରିବା ପରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଆଗ୍ରହ ବଢ଼ିଛି। ହୋଟେଲରେ କଂସା ବାସନରେ ଭାତ, ଡାଲିଠାରୁ ଆରମ୍ଭ କରି ମାଛ, ମାଂସ ଆଦି ସୁନ୍ଦର ଭାବେ ପରଷାଯିବା ଲୋକଙ୍କ ମନକୁ ପାଇଲା। ତେଣୁ ବହୁ ସଂଖ୍ୟାରେ ଲୋକେ ଏବେ ତାହାକୁ ଦୈନନ୍ଦିନ ଜୀବନରେ ଆଦରି ନେଲେଣି। ୧ ନମ୍ବର ମାର୍କେଟ୍ରେ ବ୍ୟବସାୟ କରୁଥିବା ମା’ ଭଗବତୀ ବ୍ରାସ୍ ଷ୍ଟୋର୍ର ମାଲିକ ଅନନ୍ତ ସାହୁଙ୍କ କହିବାନୁସାରେ, ୨୦୧୨-୧୩ ପର୍ଯ୍ୟନ୍ତ କଂସା ବାସନ ଅଳ୍ପ ବହୁତେ ବିକ୍ରି ହେଉଥିଲା। କିନ୍ତୁ ପରେ ବେପାର ପୂରା ମାନ୍ଦା ହୋଇଯାଇଥିଲା। ଏଇ କରୋନା ପରେ ବିକ୍ରିବଟା ପୁଣି ବଢ଼ିଛି। କିନ୍ତୁ କଂସା କେଜି ପିଛା ଦାମ୍ ଅଧିକ ଥିବାରୁ ଇଚ୍ଛା ଥିଲେ ବି ବହୁ ଲୋକ କିଣି ପାରୁନାହାନ୍ତି। କଂସା କେଜି ଏବେ ୧୫୦୦ ଟଙ୍କା ରହିଛି। କଂସା ଥାଳି, ଗିନା, ଛୋଟ ପ୍ଲେଟ୍ ଓ ଗ୍ଲାସ୍ ଥିବା ଗୋଟିଏ ସେଟ୍ କିଣିବା ପାଇଁ ଅନ୍ୟୁନ ୫ ହଜାର ଟଙ୍କା ପଡ଼ୁଛି। ଏବେ ଅଧିକ କଂସା ତିଆରି ବୋତଲ, ଜଗ୍ ଓ ଗ୍ଲାସ୍ ବିକ୍ରି ହେଉଛି ବୋଲି ସେ କହିଛନ୍ତି।
ପରିବେଶ ଅନୁକୂଳ ଥାଳି, ଚାମଚ
/sambad/media/post_attachments/wp-content/uploads/2022/10/33-4.jpg)
ପୂରା ବିଶ୍ବ ପ୍ଲାଷ୍ଟିକ୍ ବ୍ୟବହାରରୁ ଦୂରେଇ ରହିବା ପାଇଁ ଚେଷ୍ଟା ଚଳାଇଛି। ପରିବେଶ ଓ ଜୀବଜଗତ ପ୍ରତି ଏହାର କୁ-ପ୍ରଭାବ ଥିବାରୁ ବିଭିନ୍ନ ଦେଶର ସରକାର ପ୍ଲାଷ୍ଟିକ୍ର ଯଥାସମ୍ଭବ କମ୍ ବ୍ୟବହାର ଉପରେ ଗୁରୁତ୍ବ ଦେଇ ନୀତିନିୟମରେ ବ୍ୟାପକ ପରିବର୍ତ୍ତନ ଆଣୁଛନ୍ତି। ଏହାର ଫଳସ୍ବରୂପ ବଜାରରେ ପ୍ଲାଷ୍ଟିକ୍ ଥାଳି, ଗିନା, ଚାମଚର ବ୍ୟବହାର ହ୍ରାସ ପାଉଛି। ତେବେ କାଗଜ, ଶାଳପତ୍ର ଓ ବାଉଁଶ ପାତିଆରେ ତିଆରି କାଠ ପ୍ଲେଟ୍ ଓ ଚାମଚ ଆଦି ଏହାର ବିକଳ୍ପ ଭାବେ ଉଭା ହୋଇଛି। ୧ ନମ୍ବର ମାର୍କେଟ୍ର ହୋଲସେଲ୍ ଦୋକାନୀ ରମେଶ ବେହେରା କହନ୍ତି, ଏବେ ଭୋଜିରେ ଲୋକେ କାଗଜ (ପେପର୍) ଓ କାଠରେ ତିଆରି ଥାଳି, ଦନା ଓ ଚାମଚ ଆଦିକୁ ବେଶି ଖୋଜୁଛନ୍ତି। ପୂର୍ବାପେକ୍ଷା ଏ ସବୁର ବେପାର ଦୁଇ ଗୁଣ ବଢ଼ିଛି। ଏଥିଯୋଗୁଁ ଗ୍ରାମାଞ୍ଚଳ ଉଦ୍ୟୋଗୀମାନେ ମଧ୍ୟ ଲାଭବାନ ହେଉଛନ୍ତି। ଏଗୁଡ଼ିକ ଦଶପଲ୍ଲା ଅଞ୍ଚଳରୁ ରାଜଧାନୀ ବଜାରକୁ ଆସୁଛି ବୋଲି ସେ କହିଛନ୍ତି।
ହୋଟେଲ ଥାଳିରେ ପରମ୍ପରାର ଝଲକ୍
/sambad/media/post_attachments/wp-content/uploads/2022/10/34-4.jpg)
ରାଜଧାନୀରେ ବିଭିନ୍ନ ହୋଟେଲରେ ଏବେ ମାଟିପାତ୍ର, କଂସା ବାସନ, କଦଳୀପତ୍ର, ଶାଳପତ୍ର ଆଦିରେ ଖାଦ୍ୟ ପରଷା ଯାଉଥିବା ଦେଖିବାକୁ ମିଳୁଛି। ଏହାର ଗ୍ରହଣୀୟତା ବେଶ୍ ବଢ଼ିଥିବା ବେଳେ ଏହା ସ୍ବାସ୍ଥ୍ୟ ପ୍ରତି ହିତକର ବୋଲି ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ହେଲାଣି। ବରମୁଣ୍ଡା ସୌଭାଗ୍ୟନଗରରେ ଥିବା ‘ଶାଳପତ୍ର’ ହୋଟେଲରେ ଲୋକମାନଙ୍କୁ ଶାଳପତ୍ରରେ ଖାଦ୍ୟ ପରଷା ଯାଉଛି। ‘ଶାଳପତ୍ର’ର ମାଲିକ ଚିନ୍ମୟ ସାହୁ କହନ୍ତି, ପ୍ରତିଦିନ ଆମେ ବସ୍ ମାଧ୍ୟମରେ କେନ୍ଦୁଝର ଅଞ୍ଚଳରୁ ସବୁଜ ପତ୍ର ଆଣୁଛୁ। ପ୍ରତ୍ୟେକ ଦିନ ୩ଶହରୁ ଊର୍ଦ୍ଧ୍ବ ପତ୍ର ବ୍ୟବହାର କରୁଥିବା ସେ କହିଛନ୍ତି। ଏହା ଲୋକଙ୍କୁ ଏକ ଭିନ୍ନ ଅନୁଭୂତି ଦେଉଛି।
ମାଟି ପାତ୍ରରେ ସହରିଆଙ୍କ ମନ
/sambad/media/post_attachments/wp-content/uploads/2022/10/35-4.jpg)
ଗାଁ ଗହଳିରେ ଏବେ ବି ମାଟି ହାଣ୍ଡିରେ ରୋଷେଇ ହେବାର ଝଲକ୍ ଦେଖିବାକୁ ମିଳେ। ମାଟି ହାଣ୍ଡିରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥର ସ୍ବାଦ ଅଲଗା ଓ ସ୍ପଷ୍ଟ ବାରି ହୋଇପଡ଼େ ବୋଲି କୁହାଯାଏ। ଏବେ ସହରରେ ବି ମାଟିପାତ୍ରର ଚାହିଦା ଦେଖାଦେଇଛି। ରାଜଧାନୀରେ ମାଟି ନିର୍ମିତ ହାଣ୍ଡି, କଡ଼େଇ, ତାୱା, ଖଡ଼ିକା, ଥାଳି, ଗିନା, କପ୍, ଗ୍ଲାସ୍ ଏପରିକି ମାଟି ବୋତଲ, ଫିଲ୍ଟର୍ ଆଦିର ବିକ୍ରି ଦେଖିବାକୁ ମିଳୁଛି। ରାଜଧାନୀର କିଛି ହୋଟେଲରେ ମାଟି ଥାଳି, ଗିନାରେ ବି ଖାଇବାକୁ ଦିଆଯାଉଛି। କିଛି ଚା’ଦୋକାନରେ ମାଟି କପ୍ରେ ଚା’ ପରଷା ଯାଉଛି। ଦୀପାବଳି ପୂର୍ବରୁ ରାଜଧାନୀରେ ପଡ଼ୁଥିବା ‘ମୂର୍ତ୍ତିକା’ ପ୍ରଦର୍ଶନୀରେ ଏହି ସବୁ ଜିନିଷ ଗତ ୫ବର୍ଷ ହେଲା ଅଧିକ ବିକ୍ରି ହେଉଛି। ମାଟି ପାତ୍ରରେ ଥିବା ପାଣି ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ ହୋଇଥିବାରୁ ଲୋକେ ମାଟି ବୋତଲ ଓ ଫିଲ୍ଟର୍ ଅଧିକ କିଣୁଥିବା ଦେଖିବାକୁ ମିଳେ।