ଜୀବନ ରଙ୍ଗ: ୟେ ରେଶ୍‌ମି ଜୁଲ୍‌ଫେଁ…

ନାରୀ ସୌନ୍ଦର୍ଯ୍ୟର ଅନ୍ୟତମ ପ୍ରତୀକ କେଶ। ବ୍ୟକ୍ତିତ୍ବର ଅନ୍ୟ ଏକ ମାପକାଠି ବି। ସୁନ୍ଦର କେଶସଜା ମଣିଷର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ। କିନ୍ତୁ ବର୍ତ୍ତମାନର ପ୍ରଦୂଷିତ ପରିବେଶ, ଅପମିଶ୍ରିତ ଖାଦ୍ୟ ଓ ଅସନ୍ତୁଳିତ ଜୀବନ‌ଶୈଳୀ କେଶ ପାଇଁ ବଇରି ସାଜିଛି। ଏହାଦ୍ବାରା ଚୁଟି ଝଡ଼ିବା, ଫାଟିବା, ଶୁଷ୍କ ହୋଇଯିବା ଭଳି ଅନେକ ସମସ୍ୟା ଦେଖାଦେଉଛି। ସମୟ ଥାଉ ଥାଉ ଉପଯୁକ୍ତ ଯତ୍ନ ନ ନେଲେ, କିଛି ଲୋକ ଚନ୍ଦା ହୋଇଯାଉଛନ୍ତି। ତେଣୁ ଶରୀରର ଯତ୍ନ ନେବା ଭଳି ଆଜିକା ଯୁଗରେ କେଶର ଯତ୍ନ ବି ଜରୁରୀ ହୋଇଗଲାଣି। ଏବେ ସହରର ପ୍ରାୟ ଅଧିକାଂଶ ପାର୍ଲରରେ କେଶ ଚିକିତ୍ସାକୁ ଅଧିକ ଗୁରୁତ୍ବ ଦିଆଯାଉଛି। ରାଜଧାନୀ ପାର୍ଲରଗୁଡ଼ିକରେ ଭିନ୍ନ ଭିନ୍ନ ହେୟାର ଟ୍ରିଟମେଣ୍ଟ୍‌ ଉପଲବ୍ଧ ହେଲାଣି। ଫଳରେ କେଶସଜାଠାରୁ ଆରମ୍ଭ କରି କେଶର ଯତ୍ନ ନେବା ସହରିଆଙ୍କ ପାଇଁ ବେଶ୍‌ ସହଜ ହୋଇଗଲାଣି। ଏହି ଆଧୁନିକ ହେୟାର ଟ୍ରିଟ୍‌ମେଣ୍ଟ ସବୁକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା…

କେଶର ପ୍ଲାଷ୍ଟିକ ସର୍ଜରି ‘ନାନୋପ୍ଲାସ୍ତିଆ

GlobalGiving

କେଶରେ ଅଧିକ ରସାୟନ ପ୍ରୟୋଗକୁ ମହିଳାମା‌ନେ ଆଉ ପସନ୍ଦ କରୁନାହାନ୍ତି। କିନ୍ତୁ ଆଜିକା ଫ୍ୟାସନେବୁଲ୍‌ ଦୁନିଆରେ ନିଜ ପ୍ରାକୃତିକ ତେଲିଆ, କୁଞ୍ଚ, ଝାମ୍ପୁରା ଓ ଶୁଖିଲା କେଶକୁ ନେଇ ବି ସନ୍ତୁଷ୍ଟ ନୁହନ୍ତି। ଏହି ସମସ୍ୟାର ସମାଧାନ ସ୍ବରୂପ ମାସେ ହେଲା ରାଜଧାନୀକୁ ଆସିଛି ‘ନାନୋପ୍ଲାସ୍ତିଆ ହେୟାର ଟ୍ରିଟ୍‌ମେଣ୍ଟ’। ଏହାକୁ କେଶର ପ୍ଲାଷ୍ଟିକ୍‌ ସର୍ଜରି ଓ ୨-ଜି ଟ୍ରିଟ୍‌ମେଣ୍ଟ୍‌ ବୋଲି ମଧ୍ୟ କୁହାଯାଉଛି। ଏହି ଟ୍ରିଟ୍‌ମେଣ୍ଟ୍‌ ପରେ କେଶ ଷ୍ଟ୍ରେଟ୍‌, ସାଇନିଂ ଓ ଫ୍ରିଜ୍‌-ଫ୍ରି ହୋଇଯାଏ। ତେବେ ଏହା ଷ୍ଟ୍ରେଟ୍‌ନିଂ ନୁହେଁ। ଷ୍ଟ୍ରେଟ୍‌ନିଂରେ ୨/୩ ପ୍ରକାର ରସାୟନ ପ୍ରୟୋଗ କରି କେଶକୁ ସିଧା କରାଯାଏ। କିନ୍ତୁ ନାନୋପ୍ଲାସ୍ତିଆ ଟ୍ରିଟ୍‌ମେଣ୍ଟରେ କେଶରେ କୌଣସି ରସାୟନର ବ୍ୟବହାର ହୁଏ ନାହିଁ। ଏହା ଦୋମୁହାଁ, ଶୁଷ୍କ ଓ କୁଞ୍ଚ କେଶକୁ ଏକ ସୁସ୍ଥ ରଖିବା ସହ ଆକର୍ଷଣୀୟ କରିଥାଏ। ତେବେ ଏହି ଟ୍ରିଟ୍‌ମେଣ୍ଟ୍‌ କେବଳ ୬ମାସ ପର୍ଯ୍ୟନ୍ତ କାମ କରେ। ୬ ମାସ ପରେ କେଶ ପୂର୍ବାବସ୍ଥାକୁ ଫେରିଯାଏ। କେଶର ଲମ୍ବ ଅନୁସାରେ ପାର୍ଲରରେ ଏହି ଟ୍ରିଟ୍‌ମେଣ୍ଟର ଦାମ୍‌ ନିର୍ଧାରଣ ହୋଇଥାଏ। କାନ୍ଧ ଯାଏ କେଶ ଥିଲେ ୬ହଜାର ଟଙ୍କା ଓ ମେରୁଦଣ୍ଡ ଅଧା ଯାଏ କେଶ ପାଇଁ ୭ହଜାର ଓ ତା’ଠାରୁ ଅଧିକ ଲମ୍ବା କେଶ ପାଇଁ ୯ହଜାର ଟଙ୍କା ଦେବାକୁ ପଡ଼ିଥାଏ ବୋଲି ପଟିଆସ୍ଥିତ ଏସ୍‌ଏସ୍‌-୧୬ ୟୁନିସେକ୍ସ ସେଲୁନ୍‌ ଓ ସ୍ପା’ର ହେୟାର୍‌ ଷ୍ଟାଇଲିସ୍‌ ଦିନେଶ କୁମାର କହିଛନ୍ତି। ତେବେ ଏହି ଟ୍ରିଟ୍‌ମେଣ୍ଟ୍‌ ପରେ କେଶର ସ୍ବତନ୍ତ୍ର ଯତ୍ନ ନେବାକୁ ପଡ଼େ। ସଲ୍‌ଫେଟ୍‌ ଫ୍ରି ସାମ୍ପୋ ବ୍ୟବହାର କଲେ କେଶ ଖରାପ ହେବାର ଭୟ ନଥାଏ।

ପୋଷଣ ପାଇଁ ‘କେରାଟିନ୍‌’

ଆମ ଚର୍ମ, କେଶ ଓ ନଖରେ ଥିବା ଏକ ପ୍ରାକୃତିକ ପ୍ରୋଟିନ୍‌ ହେଉଛି କେରାଟିନ୍‌। ଏହା କେଶକୁ ଏକ କୋମଳ, ସାଇନିଂ ଓ ଫ୍ରିଜ୍‌-ଫ୍ରି ଲୁକ୍‌ ଦେବା ସହ ପୋଷଣ ମଧ୍ୟ ଯୋଗାଇଥାଏ। ଏହି ଟ୍ରିଟ୍‌ମେଣ୍ଟ୍‌ରେ କେଶ ୭୦% ପର୍ଯ୍ୟନ୍ତ ସିଧା ହୋଇଯାଏ। ଏହି ପ୍ରକ୍ରିୟାରେ କେଶରେ କେରାଟିନ୍‌ କ୍ରିମ୍‌ ଲଗାଯାଏ, ଏହାକୁ ଡ୍ରାୟର୍‌‌ରେ ଶୁଖାଇ, କ୍ରିମ୍‌କୁ ଆଇରନିଂ କରି ସିଲ୍‌ କରିଦିଆଯାଏ। ଫଳରେ କେରାଟିନ୍‌ର ଏକ ଆସ୍ତରଣ କେଶରେ ରହିଯାଏ। ଏହା କେଶକୁ ଘନ ମଧ୍ୟ କରେ। ଏହି ଟ୍ରିଟ୍‌ମେଣ୍ଟ୍‌ ପରେ କେଶର ବିଶେଷ ଯତ୍ନ ନିଆଯାଏ। ସୋଡିୟମ୍‌-ସଲ୍‌ଫେଟ୍‌-ଫ୍ରି ସାମ୍ପୋରେ କେଶ ସଫା କରିବାକୁ ହୁଏ। କେରାଟିନ୍‌ର ଏହି ଆସ୍ତରଣ କେଶରେ ୩ରୁ ୪ମାସ ପର୍ଯ୍ୟନ୍ତ ରୁହେ। କେଶର ଲମ୍ବ ଅନୁସାରେ ଏହି ଟ୍ରିଟ୍‌ମେଣ୍ଟର ଦାମ୍‌ ୪ ହଜାରରୁ ଆରମ୍ଭ କରି ୭ହଜାର ଟଙ୍କା ମଧ୍ୟରେ ସ୍ଥିର ହୁଏ।

କୁଞ୍ଚ କରୁଛି ‘ପମିଂ’

Good Housekeeping

ରାଜଧାନୀର କଲେଜ ପଢ଼ୁଆ ଝିଅଙ୍କ ମଧ୍ୟରେ ଏବେ ବି ‘ହେୟାର ପମିଂ’ର ଆଦର ରହିଛି। ପତଳା କେଶକୁ ଏକ ଘନ ଲୁକ୍‌ ଦେବାକୁ ଏହି ପମିଂ ଷ୍ଟାଇଲ ୯୦ ଦଶ‌କରେ ଅଧିକ ଲୋକପ୍ରିୟତାରେ ଥିଲା। କିନ୍ତୁ ଏବେ ଅଭିନେତ୍ରୀ କଙ୍ଗନା ରଣାୱତ୍‌ଙ୍କ ଲୁକ୍‌କୁ ଦେଖି କଲେଜ ପଢ଼ୁଆ ଝିଅମାନେ ଏହି କୁଞ୍ଚ କେଶ ମାୟାରେ ବାୟା ହୋଇଛନ୍ତି ବୋଲି ରସୁଲଗଡ଼ ହେୟାର ହ୍ୟାକର୍‌ ସେଲୁନ୍‌ର ସ୍ବତ୍ବାଧିକାରୀ ଜିତେନ୍ଦ୍ର ଠାକୁର କହିଛନ୍ତି। ଷ୍ଟ୍ରେଟ୍‌ନିଂ ଭଳି ଏହି ଟ୍ରିଟ୍‌ମେଣ୍ଟ୍‌‌ରେ ମଧ୍ୟ କୁଞ୍ଚ କରାଯାଇଥିବା କେଶ ସବୁ ଦିନ ପାଇଁ କୁଞ୍ଚ ରୁହେ। ସମୟ ସହ ମୂଳରୁ ଉଠୁଥିବା ନୂଆ କେଶ ନିଜ ପ୍ରାକୃତିକ କେଶ ଭଳି ଉଠିଥାଏ। ଏଣୁ ୧ ବର୍ଷ ପରେ ମୂଳରୁ ଉଠିଥିବା କେଶକୁ ଟଚ୍‌-ଅପ୍‌ ଦେବାକୁ ପଡ଼େ। କେଶକୁ ପମିଂ କରିସାରିବା ପରେ ଏହାର ଅଧିକ ଯତ୍ନ ନେବାକୁ ପଡ଼େ। ଉପଯୁକ୍ତ ଯତ୍ନ ନ ନେଲେ, କେଶ ଅଧିକ ନଷ୍ଟ ହୋଇଯିବାର ଭୟ ଥିବାରୁ କର୍ମଜୀବୀ ମହିଳାମାନେ ହେୟାର ପମିଂ ପସନ୍ଦ କରନ୍ତି ନାହିଁ ବୋଲି ଶ୍ରୀ ଠାକୁର କହିଛନ୍ତି। ତେବେ ପମିଂର ଦାମ୍‌ ୪ ହଜାରରୁ ଆରମ୍ଭ କରି ୮ ହଜାର ଯାଏ ରହିଛି।

ଶ୍ରୀହୀନ କେଶ‌‌କୁ ସୁନ୍ଦର କରୁଛି ‘ବୋଟକ୍ସ’

କେଶ ଖରାପ ହୋଇ ପତଳା ହୋଇଯାଇଥିଲେ, କୁଞ୍ଚ କେଶ ଶୁଷ୍କ ହୋଇଯାଇଥିଲେ କିମ୍ବା ଦୋମୁହାଁ କେଶ ହଇରାଣ କରୁଥିଲେ; ଏସବୁ ସମସ୍ୟା ସହ ଲଢ଼ିବାକୁ ଓ କେଶକୁ ଡିପ୍‌ କଣ୍ଡିସନିଂ କରିବା ପାଇଁ ବୋଟକ୍ସ ହେଉଛି ଏକ ଭଲ ଉପକାରୀ ଟ୍ରିଟ୍‌ମେଣ୍ଟ୍‌। ଏହା କେଶ ଉପରେ ଏକ ଆବରଣ ଭଳି କାମ କରେ। ଏଥିରେ କେଶ ତନ୍ତ୍ରିକାଗୁଡ଼ିକୁ ଫିଲର୍‌ ଦେଇ ଭର୍ତି କରାଯାଏ। ଅର୍ଥାତ କେଶର ପତଳା ହୋଇଯାଇଥିବା ବା ଦୋମୁହାଁ ଅଂଶରେ ଆସ୍ତରଣ ଭର୍ତି ହୋଇ ଏହା ସୁସ୍ଥ ଓ ମୋଟା ଦେଖାଯାଏ। ଫଳରେ ମୁଣ୍ଡର କେଶ ଘନ ଓ ସୁନ୍ଦର ଲାଗେ। କିନ୍ତୁ ଏଥିରେ କେଶ ସିଧା ହୋଇନଥାଏ। କେଶ ନିଜର ପ୍ରାକୃତିକ ଆକାର ବଜାୟ ରଖେ। ଏହାଦ୍ବାରା କେଶ ଝଡ଼ିବାର ସମ୍ଭାବନା ମଧ୍ୟ ନଥାଏ। ଏହି ଟ୍ରିଟ୍‌ମେଣ୍ଟ୍‌ ଦ୍ବାରା କେଶକୁ ପୋଷଣ ଯୋଗାଇ ଦିଆଯାଏ। ଫଳରେ କେଶ ହୃଷ୍ଟପୁଷ୍ଟ ଦେଖାଯାଏ। ଏହି ଟ୍ରିଟ୍‌ମେଣ୍ଟ୍‌‌‌ରେ କେଶ ଉପରେ ଏକ ଆବରଣ ଦିଆଯାଉଥିବା ବେଳେ ବାରମ୍ବାର କେଶ ଧୋଇବା ଦ୍ବାରା ତାହା ଛାଡ଼ି ଛାଡ଼ି ଯାଏ। ତେଣୁ ଏହି ଟ୍ରିଟ୍‌ମେଣ୍ଟ୍‌ ୪ମାସ ଯାଏ କେଶରେ ରୁହେ। ଏହା କରିବାକୁ ୩ ହଜାରରୁ ଆରମ୍ଭ କରି ୬ ହଜାର ଟଙ୍କା ପର୍ଯ୍ୟନ୍ତ କେଶର ଲମ୍ବ ଅନୁସାରେ ମୂଲ୍ୟ ଦେବାକୁ ପଡ଼ିଥାଏ।

ସମ୍ବନ୍ଧିତ ଖବର