ବିଦେଶୀ କୁକୁର ସଉକ

‘କୁକୁର ପ୍ରତି ସାବଧାନ’। ରାଜଧାନୀର ଅଧିକାଂଶ ଘର ସମ୍ମୁଖ ଫାଟକରେ ଏମିତି ସାଇନ୍‌ବୋଡ଼ ଲଗା ହୋଇଥିବା ଆଖିରେ ପଡ଼େ। ଖାଲି ସେତିକି ନୁହେଁ, ମର୍ଣ୍ଣିଂଓ୍ଵାକ୍‌ରେ ଯାଉଥିବା ଅନେକ ସମ୍ଭ୍ରାନ୍ତ ଲୋକଙ୍କୁ ବେଲ୍‌ରେ ବନ୍ଧା ବିଦେଶୀ କୁକୁରଟିଏ ବି ନିରବରେ ଅନୁସରଣ କରୁଥାଏ। ରାଜଧାନୀବାସୀଙ୍କ ମଧ୍ୟରେ କୁକୁରମାନଙ୍କ ପ୍ରତି କେତେ ଆଦର ଏଥିରୁ ସ୍ପଷ୍ଟ ଅନୁମେୟ। ଆଗରୁ ଘର ଜଗିବାକୁ ଓ ଘରେ ଚୋର ନ ପଶିବା ପାଇଁ କୁକୁର ପୋଷା ଯାଉଥିଲା। କିନ୍ତୁ ଏବେ କେହିକେହି ଅବସର ବିନୋଦନ ପାଇଁ ତ ପୁଣି କିଏ ନିଜକୁ ସମ୍ଭ୍ରାନ୍ତ ବୋଲି ସୂଚେଇବା ପାଇଁ ଘରେ କୁକୁର ପୋଷୁଛନ୍ତି। ଅନେକ ଘରେ ଏକାଧିକ କୁକୁର ପାଳିବାର ବି ନଜିର ରହିଛି। ଲାବ୍ରାଡର, ଜର୍ମାନ ସେଫାର୍ଡ, ଡୋବରମ୍ୟାନ୍‌, ପମେରିଆନ୍‌, ସ୍ପିଞ୍ଜ୍‌, ପଗ୍‌, ଗ୍ରେଡେନ୍‌ ଓ ବକ୍ସର ଆଦି ଭିନ୍ନ ଭିନ୍ନ ପ୍ରଜାତିର ବିଦେଶୀ କୁକୁର ଏବେ ଅତି ପରିଚିତ ନାଁ। କିଛି ବର୍ଷ ହେଲା ଏହା ରାଜଧାନୀର ନୂଆ ଟ୍ରେଣ୍ଡ୍‌ରେ ପରିଣତ ହୋଇଥିବାବେଳେ ରାଜଧାନୀବାସୀଙ୍କ ଏହି ବିଦେଶୀ କୁକୁର ପାଳିବା ସଉକକୁ ନେଇ ସସ୍ମିତା ସାହୁଙ୍କ ସ୍ୱତନ୍ତ୍ର ଉପସ୍ଥାପନା।

ପ୍ରଥମ ପସନ୍ଦ ଲାବ୍ରାଡର

ଧଳା ଫର୍‌ଫର୍‌ ଲାବ୍ରାଡର କୁକୁର ରାଜଧାନୀବାସୀଙ୍କ ପ୍ରଥମ ପସନ୍ଦ ପାଲଟିଛି। ଏହାର ଦାମ୍‌ ୪ ହଜାରରୁ ଆରମ୍ଭ କରି ୭,୫୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ତେବେ ଚକ୍‌ଲେଟ୍‌ ଓ କଳା ରଙ୍ଗର ଲାବ୍ରାଡରର ବି ଭଲ ଚାହିଦା ରହିଛି। ଚକୋଲେଟ୍‌ ରଙ୍ଗ ଲାବ୍ରାଡର୍‌ ଦେଖିବାକୁ ଖୁବ ସୁନ୍ଦର ହୋଇଥିବା ବେଳେ ଏହା କ୍ୱଚିତ୍‌ ମିଳୁଥିବାରୁ ଏହାର ଦାମ୍‌ ୧୫,୦୦୦ ଟଙ୍କା ରହିଛି। ଏମାନେ ଅତି ଆକର୍ଷଣୀୟ ଓ ଶାନ୍ତ ସ୍ୱଭାବର ହୋଇଥିବାରୁ ଘରେ ଘରେ ଏହା ଦେଖିବାକୁ ମିଳେ। ଅଶୋକା ମାର୍କେଟର କୁକୁର ବ୍ୟବସାୟୀ ନିକୁଞ୍ଜ ମହାପାତ୍ର କୁହନ୍ତି, ପେଟ୍‌ କ୍ୱାଲିଟି ସାଧାରଣ ବଜେଟ୍‌ରେ ଆସୁଥିବା ବେଳେ ସୋ’ କ୍ୱାଲିଟି (ଯେଉଁ କୁକୁରମାନଙ୍କ ଅଭିଭାବକ କୁକୁର ପ୍ରଦର୍ଶନୀରେ ଭାଗ ନେଇଥିବେ) ତାହାର ଦର ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ।

ସୁରକ୍ଷା ଦାୟିତ୍ୱରେ ଡୋବରମ୍ୟାନ୍‌

ଅପରାଧକୁ ନଜରରେ ରଖି ଏବେ ଅନେକ ଧନୀକ ଶ୍ରେଣୀର ଲୋକେ ଡୋବର୍‌ମ୍ୟାନ୍‌ ପୋଷୁଛନ୍ତି। ଏମାନେ ଦେଖିବାକୁ ଯେତିକି ଭୟଙ୍କର ସେତିକି ଆକ୍ରମଣାତ୍ମକ ମଧ୍ୟ। ଚକୋଲେଟ୍‌ ଓ କଳା ରଙ୍ଗର ଏହି କୁକୁରର ଦାମ୍‌ ୮ ହଜାରରୁ ଆରମ୍ଭ। ବିଶେଷ କରି ଘରର ନିରାପତ୍ତା ଓ ଚୋର ଜଗିବାରେ ମୁଖ୍ୟ ଭୂମିକା ନେଇଥାନ୍ତି। କୋଲ୍‌କାତା ଓ ବେଙ୍ଗାଲୁୁରୁରୁ ଏହି ସବୁ କୁକୁର ରାଜଧାନୀକୁ ଆମଦାନି କରାଯାଉଛି ଏବଂ ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଏହି କୁକୁର ପଠାଯାଉଛି ବୋଲି କହିଛନ୍ତି ବ୍ୟବସାୟୀ ମହେଶ୍ୱର ବେହେରା।

ଘର ଜଗୁଛି ଜର୍ମାନ ସେଫର୍ଡ

ଦେଖିବାକୁ କଳା କିମ୍ବା ଧୂସର ରଙ୍ଗର ଏହି ପ୍ରଜାତିର କୁକୁରର ଉଚ୍ଚତା ଅଢ଼େଇ ଫୁଟ ହେବ। ଅଜଣା ବ୍ୟକ୍ତିକୁ ଦେଖିଲେ ଏହା ବାଘ ଭଳି ଝାମ୍ପିପଡ଼େ। ଏ ଦୃଷ୍ଟିରୁ ଜର୍ମାନ ସେଫାର୍ଡ ଆଗରେ। ସ୍ୱଭାବରେ ଭାରି ରାଗି। ଏଭଳି ସ୍ୱଭାବ ଯୋଗୁଁ ଘର ଜଗିବା ପାଇଁ ଏହା ରାଜଧାନୀବାସୀଙ୍କ ପସନ୍ଦର ସର୍ବାଗ୍ରେ ରହିଛି। ଏହାର ଦାମ୍‌ ୧୦ ହଜାରରୁ ଆରମ୍ଭ ହୋଇ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଧଳା ରଙ୍ଗର ଏହି କୁକୁର ଖୁବ୍‌ କମ୍‌ ଦେଖିବାକୁ ମିଳନ୍ତି।

ଜୀଅନ୍ତା କଣ୍ଢେଇ ‘ସ୍ପିଞ୍ଜ୍‌’

ଦେଖିବାକୁ କଣ୍ଢେଇ ଭଳି। ଭାରି ଗେହ୍ଲା ବି ହୁଏ। ଶାନ୍ତ ସ୍ୱଭାବର ହୋଇଥିବା ବେଳେ ଘରର ଛୁଆଙ୍କଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ସହ ଖେଳରେ ମାତିଯାଏ। ଏହି କୁକୁରର ରଙ୍ଗ କଳା ଧଳା ସ୍ପଟେଡ୍‌ ବା ଧଳା ବ୍ରାଉନ୍‌ ସ୍ପଟେଡ୍‌। କୌତୁକିଆ ହୋଇଥିିବାରୁ ଭୁବନେଶ୍ୱରିଆଙ୍କ ପସନ୍ଦରେ ରହିଛି ‘ସ୍ପିଞ୍ଜ୍‌’। ଏହାର ଉଚ୍ଚତା ୧୫ ଇଞ୍ଚ। ଏମାନେ କୌଣସି ଅଜଣା ଆଗନ୍ତକକୁ ବି କ୍ୱଚିତ କ୍ଷତି ପହଞ୍ଚାନ୍ତି। ଏହାର ଦାମ୍‌ ୪,୫୦୦ ଟଙ୍କା ରହିଛି।

ସମ୍ବନ୍ଧିତ ଖବର