ପିଲାବେଳୁ ମତେ ଗୀତ ଆଉ କବିତା ଶୁଣିବାକୁ ଭଲ ଲାଗୁଥିଲା। ସେଥିପାଇଁ ଆମ ଗାଁର ରାମଚନ୍ଦ୍ର ଷଣ୍ଢଙ୍କ ପଛରେ ମୁଁ ନିଇତି ଧାଉଁଥିଲି। ରାମ ଭାଇ ଦଣ୍ଡ ନାଚ ପାଇଁ ଗୀତ ଲେଖିବା ସହ ଚମତ୍କାର ଆଶୁ କବିତା ରଚନା କରନ୍ତି। ଏପରିକି ଦିନ ସାରା ତାଙ୍କ ସହ ରହି ବେଳେ ବେଳେ ମୁଁ ସ୍କୁଲ ମଧ୍ୟ ଯାଉ ନଥିଲି। ଥରେ ଷଷ୍ଠ କି ସପ୍ତମ ରେ ପଢୁଥିବା ବେଳେ ଆମ ଗାଁ ପାଖରେ ଗୋଟିଏ ସଂଭ୍ରାନ୍ତ ପରିବାରର ଲୋକ ବାର୍ହା ଭାବି ଗୋଟିଏ ଘୁଷୁରୀ ମାରି ଦେଇଥିଲେ। ଏଇ ଘଟଣା କେତେ ସତ, ରାମ ଭାଇଙ୍କୁ ପଚାରିବାରୁ ସେ ତା’ର ଉତ୍ତର ଅତ୍ୟନ୍ତ ଚମତ୍କାର ଢଙ୍ଗରେ କବିତା ମାଧ୍ୟମରେ କହିଥିଲେ। ଯାହା ମତେ ବେଶ୍ ପ୍ରଭାବିତ କରିଥିଲା। ରାମ ଭାଇଙ୍କ ନିକଟରୁ କବିତା ସବୁ ଉତାରି ଆଣିବା ପାଇଁ ସଞ୍ଚୟ କରିଥିବା ତିନି ଚାରି ଟଙ୍କାରେ ମୁଁ ଖାତା, କଲମ କିଣି ତାଙ୍କୁ ଦେଇଥିଲି। ଯେଉଁଥିପାଇଁ ମୁଁ ଘରେ ପ୍ରବଳ ମାଡ଼ ଗାଳି ଖାଇଥିଲି। ଆଜି ସେ କଥା ଭାବିଲେ କେମିତି କେମିତି ଲାଗେ। ଯେଉଁଥିପାଇଁ ଦିନେ ଘର ଲୋକଙ୍କ ପାଖରୁ ମତେ ଗାଳିମାଡ଼ ମିଳୁଥିଲା, ଆଜି ସେଇଇଥି ପାଇଁ ଶ୍ର୍ରୋତାଙ୍କଠାରୁ ତାଳି ମାଡ଼ ମିଳୁଛି।
ପିଲାବେଳେ ଗାଳିମାଡ଼, ଏବେ ତାଳିମାଡ଼: ଜ୍ଞାନ ହୋତା
ଅଭୁଲା ଚଗଲା ଦିନ