ବସ୍ତି ପିଲାଙ୍କ ଆଶା ‘ଆଶାୟେଁ’

ଆଜିର ଯୁବପିଢ଼ି ନିଶାରେ ଚୁର୍‌ ହେଉଥିବା ବେଳେ ଆଉ ଦଳେ ଯୁବକ/ଯୁବତୀ ବସ୍ତି ପିଲାଙ୍କଠାରୁ ନିଶା ଛଡ଼ାଇ ବଞ୍ଚିବାର ରାହା ଦେଖାଇଛନ୍ତି। ପାଠ ଛାଡ଼ି ଅୟସପୂର୍ଣ୍ଣ ଜୀବନ ବାଛୁଥିବା ଯୁବପିଢ଼ିଙ୍କଠାରୁ ଏମାନେ ଟିକେ ବ୍ୟତିକ୍ରମ। ବସ୍ତି ଛୁଆଙ୍କ ହାତରୁ ଚିରା ଅଖା, ଫଟା ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଛଡ଼ାଇ ନେଇ ବହିବସ୍ତାନି ଧରାଇ ଦେଇଛନ୍ତି। ବାବୁ ଭିକ ଟିକେ ମିଳୁ…. ବୋଲି କୁନି କଣ୍ଠରୁ ଭାସି ଆସୁଥିବା ସ୍ୱର ଏବେ ଏ ବି ସି ଡି ଡାକ ଗାଉଛି। ଏହିଭଳି ପ୍ରାୟ ୧୩୦ ଜଣ ଅବହେଳିତ ବସ୍ତି ପିଲାଙ୍କୁ ଠିକଣା ଢଙ୍ଗରେ ବଞ୍ଚିବାର ଆଶା ଦେଇଛନ୍ତି ‘ଆଶାୟେଁ’ର ସ୍ୱେଚ୍ଛାସେବୀ।

୧୭ଜଣ ଯୁବକଯୁବତୀଙ୍କୁ ନେଇ ଗଠିତ ‘ଆଶାୟେଁ’ ବସ୍ତିରୁ ରତ୍ନ ଖୋଜିବାରେ ଲାଗିପଡ଼ିଛନ୍ତି। ଆର୍ଥିକ ଓ ସାମାଜିକ ଅନଗ୍ରସର ବସ୍ତି ପିଲାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଇବା ଓ ସେମାନଙ୍କୁ ଜୀବନ ସହ ସାକ୍ଷାତ କରାଇବାରେ ଲାଗିପଡ଼ିଛନ୍ତି ଏମାନେ। ୨୦୧୫ରୁ ଆରମ୍ଭ ହୋଇଥିବା ଏହି ସଂସ୍ଥା ପ୍ରଥମେ ସହରର ରେଡ୍‌ ଲାଇଟ୍‌ ଅଞ୍ଚଳ ମାଳିସାହିରୁ ଆରମ୍ଭ କରିଥିଲା ଅଭିଯାନ। ପାଠ ପଢ଼ିନଥିବା ଅବହେଳିତ ଛାତ୍ରଛାତ୍ରୀଙ୍କୁ ମୁଖ୍ୟସ୍ରୋତରେ ସାମଲ୍‌ କରାଇବା ପାଇଁ ଚେଷ୍ଟା ଏତେଟା ସହଜ ନଥିଲା। ବାଧକ ସାଜିଥିଲା ସେଠାକାର ସାମାଜିକ ବ୍ୟବସ୍ଥା । ସେମାନେ ନା ଏମାନଙ୍କୁ ଗ୍ରହଣ କରିଥିଲେ ନା ସହଯୋଗ କରିଥିଲେ। ଏପରିକି ବସିବାକୁ ବି ସ୍ଥାନ ନଥିଲେ ବୋଲି କହିଛନ୍ତି ‘ଆଶାୟେଁ’ର ପ୍ରତିଷ୍ଠାତା ରତ୍ନାକର ସାହୁ। ବହୁ କଷ୍ଟ ପରେ ସେମାନେ ମାଳିସାହି ଅଞ୍ଚଳରୁ ୭ ଜଣ ପିଲାଙ୍କୁ ପାଇଥିଲେ।

ଏହାପରେ ସେମାନେ ଯାଇଥିଲେ ମାଷ୍ଟର କ୍ୟାଣ୍ଟିନ୍‌ ବୁଦ୍ଧନଗର ବସ୍ତି। ଏଥର ଟାର୍ଗେଟ ଥିଲେ ପକେଟ୍‌ ମାରୁଥିବା, ଭିକ ମାଗୁଥିବା, ଜରି ବୋତଲ ଗୋଟାଉଥିବା ବସ୍ତି ପିଲାମାନେ। ସେମାନଙ୍କ ସହ ମିଶିବା ପରେ ଭୋକ ଦାଉରୁ ରକ୍ଷା ପାଇବା ପାଇଁ ସେମାନେ ‘ଡେନ୍‌ଡ୍ରାଇଟ୍‌’ ନାମକ ଏକ ନିଶା ଗ୍ରହଣ କରୁଥିବା ଆମେ ଜାଣିବାକୁ ପାଇଥିଲୁ ବୋଲି କହିଛନ୍ତି ସଂସ୍ଥାର ଅନ୍ୟତମ ପ୍ରତିଷ୍ଠାତା ସଂଗ୍ରାମ ରାଉତରାୟ। ରୁମାଲ୍‌ରେ ଏହି ଅଠା ଭଳି ନିଶାଜାତୀୟ ଦ୍ରବ୍ୟକୁ ସେମାନେ ଶୁଙ୍ଘୁ ଥିଲେ। ସେମାନଙ୍କୁ ଏଥିରୁ ଦୂରେଇବା ବହୁତ କଷ୍ଟ ଥିଲା। ତଥାପି ସେମାନଙ୍କ ବିଶ୍ୱାସ ଜିତି ନୈତିକ ଶିକ୍ଷା ଦେଇ ନାଚ, ଗୀତ, ଖେଳକୁଦ ଆଡ଼କୁ ଆମେ ସେମାନଙ୍କ ଧ୍ୟାନ ଆକର୍ଷଣ କରିଥିଲୁ। ଧୀରେଧୀରେ ସେମାନେ ଆମ ଉପରେ ବିଶ୍ୱାସ କରିଥିଲେ ଓ ସେମାନଙ୍କ ନିଶା ଛଡ଼ାଇବାକୁ ଆମେ ଚେଷ୍ଟା କରିଥିଲୁ। ସେଠାରୁ ୩୦ ପିଲାଙ୍କୁ ଆମେ ଆମ ସହ ସାମିଲ କରିଥିଲୁ ବୋଲି ସଂଗ୍ରାମ କହିଛନ୍ତି।

ଏହା ପରେ ମାର୍କେଟ ବିଲ୍‌ଡିଂରୁ ଆରମ୍ଭ କରି ସହରର ବିଭିନ୍ନ ବସ୍ତି ଅଞ୍ଚଳରେ ଏହି ଅଭିଯାନ ଗତ ୩ ବର୍ଷ ଧରି ଚାଲୁରହିଛି। ରତ୍ନାକର କହନ୍ତି, ସାରା ଭୁବନେଶ୍ୱରରେ ପାଖାପାଖି ୭ ହଜାର ବସ୍ତି ପିଲା ଭିକ୍ଷାବୃତ୍ତି, ନିଶାସେବନ ଓ ଗରିବ, ଅଶିକ୍ଷା ଆଦି କବଳରେ ପଡ଼ିଥିବାବେଳେ ଆମେ ଏଯାଏଁ ମାତ୍ର ୧୩୦ ପିଲାଙ୍କୁ ହିଁ ଆମ ସହ ସାମିଲ କରିପାରିଛୁ। ସେମାନଙ୍କୁ ବୋତଲ, ଜରି ଓ ପୁରୁଣା କାଗଜ ଆଦିର ପୁନଃବ୍ୟବହାର କରିବା, ଜୀବନ ଶୈଳୀ, ଆଚାର ବ୍ୟବହାର ଆଦି ଶିକ୍ଷା ଦେଉଛୁ। ପୁଣି ପିଲାମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ପାଇଁ ଇ-ଶିକ୍ଷା ଅଭିଯାନ ମଧ୍ୟ ଆରମ୍ଭ କରିଛୁ।

ସମ୍ବନ୍ଧିତ ଖବର