ଶରୀରର ଓଜନ କମାଇବା, ବଢ଼ାଇବା କିମ୍ବା କାଏମ ରଖିବା ପାଇଁ ଏକ ନିୟନ୍ତ୍ରିତ ଢଙ୍ଗରେ ଖାଦ୍ୟ ଓ ପାନୀୟର ଗ୍ରହଣର ଅଭ୍ୟାସକୁ ଡାଏଟିଂ କୁହାଯାଏ। ମଧୁମେହ, ମୋଟାପଣ, ୟୁରିକ୍‌ ଏସିଡ୍‌ ଓ ପିସିଓଏସ୍‌ ବା ପିସିଓଡି ଭଳି ଜଟିଳ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ପୋଷଣ ବିଶେଷଜ୍ଞ(ନ୍ୟୁଟ୍ରିସନିଷ୍ଟ୍‌)ମାନେ ଡାଏଟିଂ କରିବାକୁ ପରାମର୍ଶ ଦେଇଥା’ନ୍ତି। ସେମାନଙ୍କ କହିବାନୁଯାୟୀ, ପାରମ୍ପରିକ ବା ନିଜ ପସନ୍ଦର ଖାଦ୍ୟକୁ ଏକ ଶୃଙ୍ଖଳିତ ଓ ନିୟନ୍ତ୍ରିତ ଢଙ୍ଗରେ ଖାଇବା ହିଁ ଡାଏଟିଂ। ଡାଏଟିଂକୁ ନେଇ ଏଥରକର ସ୍ବତନ୍ତ୍ର ଉପସ୍ଥାପନା...

ଓଜନ ହ୍ରାସ କରେ ଇଣ୍ଟରମିଟେଣ୍ଟ୍‌ ଫାଷ୍ଟିଂ

Advertisment

publive-image The Indian Express

ନିକଟ ଅତୀତରେ ବଲିଉଡ୍‌ର ହାସ୍ୟ‌ାଭିନେତ୍ରୀ ଭାରତୀ ସିଂହଙ୍କ ଓଜନ ହ୍ରାସର ରହସ୍ୟ ସମସ୍ତଙ୍କ ମନରେ ଉତ୍ସାହ ଭରିଥିଲା। ସେ ଇଣ୍ଟରମିଟେଣ୍ଟ୍‌ ଫାଷ୍ଟିଂ ଅନୁସରଣ କରି ୧୦ ମାସରେ ୧୬ କେଜି ଓଜନ ହ୍ରାସ କରିଥିଲେ। ଯୁବପିଢ଼ି ଏବେ ଏହି ଡାଏଟିଂ ମାୟାରେ ବାୟା। ଇଣ୍ଟରମିଟେଣ୍ଟ୍‌ ଫାଷ୍ଟିଂ (ଆଇଏଫ୍‌) ହେଉଛି ଏକ ଖାଦ୍ୟ ଯୋଜନା, ଯେଉଁଥିରେ ଖାଦ୍ୟ ଗ୍ରହଣ ଓ ଉପବାସ ମଧ୍ୟରେ ଏକ ନିୟନ୍ତ୍ରଣ ରକ୍ଷା‌ କରାଯାଇଥାଏ। ଅର୍ଥାତ୍‌ ସମସ୍ତ ଡାଏଟିଂରେ କ’ଣ ଖାଇବ, ତାହା ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ଏହି ଡାଏଟିଂରେ କେତେବେଳେ ଖାଇବ ତାହା ଉପରେ ଗୁରୁତ୍ବ ଦିଆଯାଏ। ରମ୍‌ଜାନ୍‌ ମାସରେ ଯେଭଳି ମୁସଲ୍‌ମାନ୍‌ ଭାଇଭଉଣୀମାନେ ନିର୍ଦ୍ଦିଷ୍ଟ ସମୟରେ ଖାଇ ଦିନର ବାକିତକ ସମୟ ଉପବାସରେ ରହନ୍ତି, ଏ ଡାଏଟିଂର ନିୟମାବଳୀ ଠିକ୍‌ ସେହିପରି।

ଏ ପ୍ରକାର ଡାଏଟିଂରେ ଅଧିକ ଫଳ, ଡ୍ରାଏ ଫ୍ରୁଟ୍‌ସ୍‌ ଓ ଶରୀରକୁ ଶକ୍ତି ଯୋଗାଉଥିବା‌ ଖାଦ୍ୟ ଖାଇବାକୁ ହୋଇଥାଏ। ୧୬ ଘଣ୍ଟା ଉପବାସର ଅବଧିରେ ଖାଦ୍ୟ ବାରଣ ଥିବା ବେଳେ କ୍ୟାଲୋରିମୁକ୍ତ ଚା’, କଫି, ତରଳ ଖାଦ୍ୟ ଓ ପାଣି ପିଇ ହୁଏ। ୧୦ରୁ ୧୬ଘଣ୍ଟା ଉପବାସ କରିବା ଦ୍ୱାରା ଶରୀର ଚର୍ବି ଭଣ୍ଡାରରୁ ଶକ୍ତି ଗ୍ରହଣ କରିଥାଏ ଓ ଶରୀରର ଓଜନ ହ୍ରାସ ପାଇଥାଏ। ଉଲ୍ଲେଖନୀୟ କଥା ହେଲା, ଡାଏଟିସିଆନ୍‌ କିମ୍ବା ଡାକ୍ତରଙ୍କ ପରାମର୍ଶରେ ଏହି ଡାଏଟ୍‌ କରିବା ଉଚିତ। ନଚେତ ଶରୀରର କ୍ଷତି ହୋଇପାରେ ବୋଲି ନ୍ୟୁଟ୍ରିସନ୍‌ ଓ ଫିଟ୍‌ନେସ୍‌ କନ୍‌ସଲ୍‌ଟାଣ୍ଟ୍‌ ଶୁଚିସ୍ମିତା କହିଛନ୍ତି। ଏ ପ୍ରକାର ଡାଏଟିଂରେ ମାଛ, ଅଣ୍ଡା, ସାମୁଦ୍ରିକ ଖାଦ୍ୟ, କ୍ଷୀର, ଦହି, ଲହୁଣୀ, ଚଣା ଓ ମଞ୍ଜିଜାତୀୟ ଖାଦ୍ୟ, କନ୍ଦମୂଳ, ବିଟ୍‌, ଓଟ୍‌ସ୍‌, କଦଳୀ, ଆମ୍ବ, ବିଭିନ୍ନ ଫଳ ଓ କୋଳି, ଡ୍ରାଏ ଫ୍ରୁଟ୍‌ ଓ ସମସ୍ତ ପନିପରିବା ଖାଇ ହେବ। ଏହି ଡାଏଟିଂରେ ପୁରୁଷମାନେ ଦିନକୁ ୩.୭ ଲିଟର ଓ ମହିଳାମାନେ ୨.୭ ଲିଟର ପାଣି ପିଇବା ଉଚିତ। ଏ ସମୟରେ ସମସ୍ତ ପ୍ରକାର ମିଠାଜାତୀୟ ରନ୍ଧା ଖାଦ୍ୟ ଓ ମଦ୍ୟପାନ ବାରଣ ବୋଲି ସେ କହିଛନ୍ତି।

ପିସିଓଡି ମହିଳାଙ୍କ ପାଇଁ ରାମବାଣ ‘କିଟୋ ଡାଏଟ୍‌’

publive-image Medical News Today

ଅତ୍ୟଧିକ ମୋଟାପଣରୁ ମୁକ୍ତି ପାଇବାକୁ ‘କିଟୋ ଡାଏଟ୍‌’ ରାମବାଣ ସଦୃଶ। କିଟୋ ବା କିଟୋଜେନିକ୍‌ ଡାଏଟ୍‌ ହେଉଛି ଏକ ଲୋ-କାର୍ବ ଡାଏଟ୍‌। ଏଥିରେ ଶ୍ବେତସାରଯୁକ୍ତ ଖାଦ୍ୟ ଖାଇବାକୁ ବାରଣ କରାଯାଏ। ଦିନକୁ ୫୦ ଗ୍ରାମ୍‌ରୁ କମ୍‌ ଶ୍ବେତସାର ଜାତୀୟ ଖାଦ୍ୟ ଖାଇଲେ, ଶରୀରରୁ ରକ୍ତ ଶର୍କରା କମିଯାଏ। ଫଳରେ ଶରୀରରେ ପୂର୍ବରୁ ଗଚ୍ଛିତ ପୃଷ୍ଟିସାର ତଥା ଚର୍ବି ତରଳିବା ଆରମ୍ଭ ହୁଏ। ଶରୀରରେ ଏହି ପ୍ରକ୍ରିୟାକୁ କିଟୋସିସ୍‌ କୁହାଯାଏ। ତେବେ ଏ ପ୍ରକାର ଡାଏଟ୍ ସ୍ୱଳ୍ପକାଳୀନ ଖାଦ୍ୟାଭ୍ୟାସ। ଏହାକୁ ବେଶି ଦିନ ଅନୁସରଣ କରି ହେବ ନାହିଁ। ଡାଏଟ୍‌ ଆରମ୍ଭର ୩ରୁ ୬ମାସ ଭିତରେ ଏହାର ଆଖିଦୃଶିଆ ପ୍ରଭାବ ଦେଖିବାକୁ ମିଳିଥାଏ।

ପିସିଓଏସ୍‌ ବା ପିସିଓଡି ମହିଳା ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ହୋଇଥିବା ବେଳେ ମଧୁମେହ, ରକ୍ତଚାପ, ହୃଦ୍‌ରୋଗ ଓ କର୍କଟ ଆଦି ରୋଗରେ ପୀଡ଼ିତ ରୋଗୀ ଏହି ଡାଏଟ୍‌ରୁ ଦୂରେଇ ରହିବା ଉଚିତ ବୋଲି ନ୍ୟୁଟ୍ରିସନ୍‌ ଓ ଫିଟ୍‌ନେସ୍‌ କନ୍‌ସଲ୍‌ଟାଣ୍ଟ୍‌ ଶୁଚିସ୍ମିତା ମହାରଣା କହିଛନ୍ତି। ଏହି ଡାଏଟ୍‌ରେ ଭାତ, ରୁଟି, ଓଟ୍‌ସ୍‌, ମକା, ମଇଦା, ନମ୍‌କିନ୍‌ ସ୍ନାକ୍‌ସ୍‌, ବ୍ରେଡ୍‌ ଓ ଟୋଷ୍ଟ୍‌ ଆଦି ସମସ୍ତ ଶ୍ବେତସାର ଖାଦ୍ୟ ବର୍ଜନୀୟ। ଏଥିରେ ମାଛ, ମାଂସ, ଅଣ୍ଡା, ଅଲିଭ୍‌ ତେଲ, ନଡ଼ିଆ ତେଲ, ବଟର୍‌, ଲହୁଣୀ ଓ ଆଲ୍‌ମଣ୍ଡ୍‌ ମିଲ୍କ ଆଦି ସମସ୍ତ ପ୍ରକାର ପ୍ରୋଟିନ୍‌ ଜାତୀୟ ଖାଦ୍ୟ ଖାଇ ହେବ।