ଭୁବନେଶ୍ବର: ଦୁଇ ବର୍ଷର କରୋନା ସଂକଟରୁ ମୁକୁଳିଛି ପୂଜା ବଜାର। ତେଣୁ ଚଳିତ ବର୍ଷ ଲୋକେ ବା ଗ୍ରାହକ ଯେତିକି ଖୁସି ପୂଜା ବଜାରର ଭିଡ଼କୁ ନେଇ ତା’ଠୁ ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି ବ୍ୟବସାୟୀ। ନୂତନ ଡିଜାଇନ୍‌ର ପୋଷାକ ଓ ଅଳଙ୍କାରର ପସରା ମେଲିଗଲାଣି ପୂଜା ବଜାରରେ। ଏବେ ବଜାରରେ ଇଣ୍ଡୋ‌ ୱେଷ୍ଟର୍ଣ୍ଣ ପୋଷାକଠାରୁ ଆରମ୍ଭ କରି ଅର୍ଗେଞ୍ଜା ଶାଢ଼ି, ନାଇରା କଟ୍‌ କୁର୍ତି ଓ ପଠାଣି କୁର୍ତା ଭଳି ନୂଆ ନୂଆ ଫ୍ୟାସନ୍‌ ଦେଖିବାକୁ ମିଳୁଛି। ଏଥିସହ ବିଭିନ୍ନ ଅଳଙ୍କାର ଓ ସମ୍ବଲପୁରୀ ଫ୍ୟୁଜନ୍‌ ପୋଷାକ ବି ବଜାରକୁ ଆସିଛି। ପୋଷ‌ାକ ବ୍ୟବସାୟୀଙ୍କ ସହ ତାଳ ଦେଇଛନ୍ତି ହୋଟେଲ ବ୍ୟବସାୟୀ। ନବରାତ୍ରି ପା‌ଇଁ ସ୍ବତନ୍ତ୍ର ଥାଳି ଅନ୍‌ଲାଇନ୍‌ରେ ବରାଦ କରାଯାଉଛି। ଏଥର ପୂଜା ବଜାରର ଫ୍ୟାସନ ଓ ବିଭିନ୍ନ ଟ୍ରେଣ୍ଡ୍‌କୁ ନେଇ ଆମର ଉପସ୍ଥାପନା।

Advertisment

ଅଫ୍‌ ହ୍ବାଇଟ୍‌, କମଳା ଓ ସବୁଜ ରଙ୍ଗ ସହ ବାଉଁଶ ଅଳଙ୍କାର

publive-image GetEthnic.com

ଦୁର୍ଗାପୂଜା ଅବସରରେ ଅଳଙ୍କାର ଓ ପୋଷାକ ଡିଜାଇନର୍‌ମାନେ ସାଧାରଣତଃ ପରୀକ୍ଷାନିରୀକ୍ଷା କରନ୍ତି। ଏଥର ଇଣ୍ଡୋ ୱେ‌ଷ୍ଟର୍ଣ୍ଣ ପୋଷାକକୁ ନେଇ ଅଧିକ ପରୀକ୍ଷା କରାଯାଇଛି। ସରାରା ଡିଜାଇନ୍‌ ପାଲାଜୋ ପ୍ୟାଣ୍ଟ୍‌ ବା ସିମ୍ପଲ୍‌ ଲେହେଙ୍ଗା ସ୍କଟ୍‌ ସହ ଅପ୍‌ ସୋଲ୍‌ଡର୍‌, କୋଲ୍ଡ ସୋଲ୍‌ଡର୍‌, ଆର୍‌ବି କଟ୍‌ ଟପ୍‌, ୱାନ୍‌ ସାଇଡ୍ ଟପ୍‌ ଆଦି ବିଭିନ୍ନ ଷ୍ଟାଇଲ୍‌ର ଇଣ୍ଡୋ ୱେଷ୍ଟର୍ଣ୍ଣ ପୋଷାକ ଏଥର ଟ୍ରେଣ୍ଡ କରୁଛି। ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାସନ୍‌ ଡିଜାଇନିଂର ନିର୍ଦ୍ଦେଶିକା ସଂଧ୍ୟା ପଟ୍ଟନାୟକ କହିଛନ୍ତି, ଆଗରୁ ଯୁବପିଢ଼ି ସମର୍‌ କୁଲ୍‌ ରଙ୍ଗକୁ ଅଧିକ ପ୍ରାଧାନ୍ୟ ଦେଉଥିଲେ। କିନ୍ତୁ ଏବେ ଗାଢ଼ ଓ ବ୍ରାଇଟ୍‌ ରଙ୍ଗକୁ ଗୁରୁତ୍ବ ଦେଉଛନ୍ତି। ଏଣୁ ଏଥର ପୂଜା ବଜାରକୁ ଅଫ୍‌ ହ୍ବାଇଟ୍‌, କମଳା ଓ ସବୁଜ ରଙ୍ଗ ଅଧିକ ଆସିଛି। ଏଥିସହ ଏହିସବୁ ପୋଷାକ ପାଇଁ ରହିଛି ବାଉଁଶ ତିଆରି ଅଳଙ୍କାର। ବାଉଁଶ ତିଆରି ଚେନ୍‌ ସହ ହସ୍ତତନ୍ତ କପଡ଼ା ଓ କଉଡ଼ି ଗୁନ୍ଥା ମାଳି ଏବେ ଟ୍ରେଣ୍ଡ୍‌ କରୁଛି।

ସଜେଇ ହେଇଛି ସମ୍ବଲପୁରୀ ସରାରା ଓ ପଟିଆଲା ସୁଟ୍‌

publive-image IndiaMART

ଏମିତିରେ ସବୁବେଳେ ସମ୍ବଲପୁରୀ ପୋଷାକର ଚାହିଦା ରହିଥାଏ। କିନ୍ତୁ ଏଥର ଡିଜାଇନର୍‌ମାନେ ସମ୍ବଲପୁରୀ କପଡ଼ାରେ ଫ୍ୟୁଜନ୍‌ ପୋଷାକ ଡିଜାଇନ୍‌ କରିଛନ୍ତି। ବହୁ ଦୋକାନରେ ଏମିତି ପୋଷାକ ସଜେଇ ହୋଇରହିଛି। ପୂଜାରେ ଓ ଦା‌ଣ୍ଡିଆ ଉତ୍ସବରେ ସମସ୍ତେ ପାରମ୍ପରିକ ପୋଷାକ ସହ ଝିଲ୍‌ମିଲ୍‌ ପୋଷାକ ପିନ୍ଧିବା ପସନ୍ଦ କରନ୍ତି। ଏହାକୁ ନଜରରେ ରଖି ଡିଜାଇନ୍‌ମାନେ ସମ୍ବଲପୁରୀ କଟନ୍ ଓ ସିଲ୍‌କ କପଡ଼ାକୁ ନେଇ ଲେହେଙ୍ଗା, ପଟିଆଲା ସୁଟ୍‌ ଓ ସରାରା ଆଦି ଷ୍ଟାଇଲ୍‌ର ପୋଷାକ ଉଭୟ ଝିଅ ଓ ମହିଳାମାନଙ୍କ ପାଇଁ ଡିଜାଇନ୍‌ କରିଛନ୍ତି।

ସେହିଭଳି ପୁରୁଷଙ୍କ ଫ୍ୟାସନରେ ରହିଛି କୁର୍ତା, ପାଇଜାମା ବା ‌ୱାନ୍‌ ସାଇଡ୍‌ କଟ୍‌ କୁର୍ତା ସହ ଧୋତି ପ୍ୟାଣ୍ଟ୍‌। ଫ୍ୟାସନ୍‌ ଡିଜାଇନର୍‌ ସୁଜିତ୍‌ ମେହେର କହିଛନ୍ତି ଯେ ସମ୍ବଲପୁରୀ ଦିନକୁ ଦିଅ ଅଧିକ ଜନାଦୃତ ହେଉଥିବାରୁ ଏଥିରେ ଆଉ ଟିକେ ଫ୍ୟୁଜନ୍‌ ଛୁଙ୍କ ଦେଇ ସମ୍ବଲପୁରୀ ସରାରା ଓ ପଟିଆଲା ସୁଟ୍ ତିଆରି ହୋଇଛି। ଯେହେତୁ ସମ୍ବଲପୁରୀ ଲେହେଙ୍ଗାର ଦାମ୍‌ ଆକାଶଛୁଆଁ ରହୁଛି, ଏହି ଦୁଇ ପୋଷାକ ଲୋକଙ୍କ ପକେଟକୁ ସୁହାଇଲା ଭଳି ହେବ। ‌ସମ୍ବଲପୁରୀ ଲେହେଙ୍ଗା, ପଟିଆଲା ସୁଟ୍‌ ଓ ସରାରା ଆଦିରେ ଷ୍ଟୋନ୍‌ ଓ କ୍ରିଷ୍ଟାଲ କାମ ସହ ପଶାପାଲିକୁ ସିଗ୍‌ନେଚର୍‌ ଷ୍ଟାଇଲ୍‌ ଭାବେ ନେଇଛୁ। ସେମିତି ଆଦିବାସୀ ପ୍ରିଣ୍ଟ୍‌, କୁମ୍ଭ, କଳସ, ହାତୀ, ମାଛ ଆଦି ପାରମ୍ପରିକ କାମ ଥିବା କଟନ ଓ ସିଲ୍‌କ କପଡ଼ାକୁ ଡିଜାଇନର୍‌ମାନେ ଫ୍ୟୁଜନ୍‌ ପୋଷାକ ପାଇଁ ବାଛିଛନ୍ତି। ଓଢ଼ଣିଗୁଡ଼ିକରେ ନେଟ୍ ଓ ଜର୍ଜିଟ୍‌ କପଡ଼ା ସହ ପଶାପାଲି ବର୍ଡର ଡିଜାଇନ୍‌ କରାଯାଉଛି। ଏସବୁର ଦାମ୍‌ ୬ ହଜାରରୁ ଆରମ୍ଭ କରି ୨୦ ହଜାର ଯାଏ ରହିଛି।

ନିଆରା ନବରାତ୍ରି ଥାଳି

ଗତ ୨୬ ତାରିଖରୁ ଆରମ୍ଭ ହୋଇଯାଇଛି ନବରାତ୍ରି ବ୍ରତ। ନବରାତ୍ରି ବ୍ରତଧାରୀମାନଙ୍କ ପାଇଁ ଖାଇବାରେ ଅନେକ ବାରଣ ଥିବାରୁ ସେସବୁକୁ ନଜରରେ ରଖି ବିଭିନ୍ନ ହୋଟେଲ ଓ କ୍ଲାଉଡ୍‌ କିଚେନ୍‌ଗୁଡ଼ିକରେ ପ୍ରସ୍ତୁତ ହେଉଛି ନିଆରା ନବରାତ୍ରି ଥାଳି। ମାଣ୍ଡିଆ ପୁରି, ସାଗୁ ଦାନା ବରା, ପୁଦିନା ଚଟଣି, ଫଳ ରାଇତା, ଜିରା ଆଳୁ, ଚଣା ମସଲା, ସାଗୁଦାନା ଖିରି ଆଦି ବିଭିନ୍ନ ବ୍ୟଞ୍ଜନ ଏଥିରେ ଉପଲବ୍ଧ ହେଉଛି। ଏସବୁ ବିନା, ପିଆଜ ରସୁଣରେ ସମ୍ପୂର୍ଣ୍ଣ ସାତ୍ତ୍ବିକ ପ୍ରକ୍ରିୟାରେ ପ୍ରସ୍ତୁତ ହେଉଥିବା ବେଳେ ଏଥିରେ ସାଧାରଣ ଖାଇବା ଲୁଣ ପରିବର୍ତ୍ତେ ବ୍ରତ ଲୁଣ ବା ସେଣ୍ଡା ନମକ ବ୍ୟବହୃତ ହେଉଛି। ‘ରୋଜିସ୍ କିଚେନ୍’ ସ୍ୱତ୍ତାଧିକାରୀ ସରୋଜା ଚୌଧୁରୀ କହିଛନ୍ତି, କର୍ମଜୀବୀ ମହିଳା ବ୍ରତଧାରୀମାନେ ସମୟ ଅଭାବରୁ ଘରେ ସାତ୍ବିକ ଭୋଜନ ରୋଷେଇ କରିବା ସମ୍ଭବ ହେଉନାହିଁ। ପୁଣି ନବରାତ୍ରି ପାଇଁ ଖାଦ୍ୟ ମଧ୍ୟ ସମସ୍ତଙ୍କୁ ପ୍ରସ୍ତୁତ କରି ଆସେନାହିଁ। ଏଣୁ ଆମେ ନବରାତ୍ରି ଥାଳିରେ ଏହି ସବୁ ବ୍ୟଞ୍ଜନ ପ୍ରସ୍ତୁତ କରୁଛୁ। ମିଲ୍‌ ପିଛା ୧୬୦ ଟଙ୍କା ରହିଥିବା ବେଳେ ମାଣ୍ଡିଆ ପୁରି, ସାଗୁ ଦାନା ବରା, ପୁଦିନା ଚଟଣି, ଫଳ ରାଇତା, ଜିରା ଆଳୁ, ଚଣା ମସଲା, ସାଗୁଦାନା ଖିରି ଥାଳି ପିଛା ୩୫୦ ଟଙ୍କା ରହିଛି।

ଝିଅଙ୍କ ପସନ୍ଦ ନାଇରା କଟ୍ କୁର୍ତ୍ତି, ପୁଅଙ୍କର ପଠାଣି କୁର୍ତ୍ତା

publive-image Styles At Life

ରାଜଧାନୀର ପୋଷାକ ବଜାରକୁ ଟ୍ରେଣ୍ଡି ତଥା ମନଲୋଭା ପୋଷାକ ଆସିଛି। ଛୋଟ ଝିଅଙ୍କଠାରୁ ଆରମ୍ଭ କରି ମହିଳାମାନଙ୍କ ପର୍ଯ୍ୟନ୍ତ ଏଥିନିକ୍ କଲେକ୍ସନ୍ ରହିଛି। ଏଥର ନାଇରା କଟ୍ କୁର୍ତ୍ତି, ଏମ୍ବ୍ରୋଡୋରି କୁର୍ତ୍ତା, ଗୋଟା ପଟ୍ଟି କୁର୍ତ୍ତା, ଧୋତି ପ୍ୟାଣ୍ଟ୍, ଅନାର୍‌କଲି, ଅଙ୍ଗରକ୍ଷୀ କୁର୍ତ୍ତା, ସରାରା ସେଟ୍ ସହ ଇଣ୍ଡୋ ୱେଷ୍ଟର୍ଣ୍ଣ କୁର୍ତି ଓ ପ୍ଲାଜୋ ଟ୍ରେଣ୍ଡରେ ରହିଛି। ସେହିଭଳି ଶାଢ଼ି ବଜାରରେ ସମ୍ବଲପୁରୀ, କାଞ୍ଜିବରମ୍, ଇକ୍କତ୍ ସିଲ୍‌କ, ଅର୍ଗେଞ୍ଜା ସହ ଇଣ୍ଡୋ ଫ୍ୟୁଜନ୍ ଧୋତି ଶାଢ଼ି ମଧ୍ୟ ଟ୍ରେଣ୍ଡରେ ରହିଛି ବୋଲି ପନ୍‌ଘଟ ଫ୍ୟାସନ୍‌ର ସତ୍ତ୍ବାଧିକାରୀ ପ୍ରବେଶ ସୁଲ୍‌ତାନିୟା କହିଛନ୍ତି। ପୁରୁଷମାନଙ୍କ ପାଇଁ ରହିଛି ମୋତିଫ୍ ପ୍ରିଣ୍ଟେଡ୍ କୁର୍ତ୍ତା, କୁର୍ତ୍ତା ପାଇଜାମା, ସମ୍ବଲପୁରୀ ପ୍ରିଣ୍ଟେଡ୍ ସଲୱାର୍, ପଠାଣି କୁର୍ତ୍ତା, ଧୋତି ପ୍ୟାଣ୍ଟ୍, କଲମକରି ହ୍ୟାଣ୍ଡପ୍ରିଣ୍ଟ୍ ସହ ମଠା କୁର୍ତ୍ତା। ଛୋଟ ପୁଅପିଲାଙ୍କ ପାଇଁ ଚୁଡ଼ିଦାର୍, ଧୋତି ପ୍ୟାଣ୍ଟ୍ କୁର୍ତ୍ତା ଏବଂ ଛୋଟ ଛୋଟ ଝିଅଙ୍କ ପାଇଁ ଫ୍ଲୋରାଲ୍ ପ୍ରିଣ୍ଟର ଅନାର୍‌କଲି ଓ ଫ୍ରକ୍ ଟ୍ରେଣ୍ଡରେ ରହିଛି।