ଘଣ୍ଟା... ସମୟ କୁହେ, ହାତର ସୌନ୍ଦର୍ଯ୍ୟ ବଢ଼ାଏ। ଶିକ୍ଷିତର ପ୍ରତୀକ, ସମ୍ଭ୍ରାନ୍ତର ଚିହ୍ନ ଓ ସମୟାନୁବର୍ତ୍ତିର ମାଧ୍ୟମ ଘଣ୍ଟା। ଆଜିକାଲିର ଯୁବପିଢ଼ିଙ୍କ ମଧ୍ୟରୁ କ୍ବଚିତ୍ ଜାଣିଥିବେ, ଦିନ ଥିଲା, ବାହାଘର ବେଳେ ବରକୁ ଯୌତୁକରେ ହାତ ଘଣ୍ଟାଟିଏ ମିଳୁଥିଲା। ଏକଥା ମଧ୍ୟ ଜାଣି ନଥିବେ ଯେ ସେତେବେଳେ ବ୍ୟାଟେରି ବଦଳରେ ହାତର ନାଡ଼ି ଓ ଚାବିରେ ଘଣ୍ଟା ଚାଲୁଥିଲା। ଏବେ ସେଗୁଡ଼ିକ ଖୋଜିଲେ ବି ମିଳିବା କଷ୍ଟକର। ତେବେ ମଝିରେ, ମୋବାଇଲ୍ ଫୋନ୍ର ବହୁଳ ପ୍ରଚଳନ ପରେ ଘଣ୍ଟାର ମୃତ୍ୟୁ ଘଟିବ ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟି ହେଲା। ମୋବାଇଲ୍ ବି ସମୟ କହୁଥିବାରୁ, ଘଣ୍ଟା ବଜାର ମାନ୍ଦା ପଡ଼ିଯିବ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଯୁଗ ସହ ତାଳ ଦେଇ ଘଣ୍ଟା ବି ନିଜକୁ ପରିବର୍ତ୍ତନ କରିଚାଲିଛି। କେବେ ଆକାରରେ ତ କେବେ ଓଜନରେ, ଆଉ ପୁଣି କେବେ ଲୁକ୍ରେ...। ଏବେକାର ସ୍ମାର୍ଟ ଯୁଗର ସ୍ମାର୍ଟ ଯୁବପିଢ଼ିଙ୍କ ପାଇଁ ଘଣ୍ଟା ବି ନିଜକୁ ସ୍ମାର୍ଟ କରିଦେଇଛି। ସମୟ ବତାଇବା ବ୍ୟତୀତ ଢେର୍ ଅଧିକ କାମ କରିପାରୁଛି। ଅମ୍ଲଜାନସ୍ତର, ରକ୍ତଚାପ, ଦିନକୁ କେତେ ବାଟ ଚାଲିଲ, ସେ ବିଷୟରେ ସ୍ପଷ୍ଟ ସୂଚନା ଦେଉଛି। ଖାଲି ସେତିକି ନୁହେଁ, ମୋବାଇଲ୍କୁ କିଏ କଲ୍ କଲା, କି’ ମେସେଜ୍ ଆସିଲା, ଏପରିକି ମ୍ୟୁଜିକ୍ ମଧ୍ୟ କଣ୍ଟ୍ରୋଲ କରିପାରୁଛି। ସ୍ମାର୍ଟ-ୱାଚ୍କୁ ନେଇ ଏଥରକ ଆମର ସ୍ବତନ୍ତ୍ର ଉପସ୍ଥାପନା...
ଝିଅଙ୍କ ପସନ୍ଦ ସ୍କୋୟାର୍ ଓ ପୁଅଙ୍କ ରାଉଣ୍ଡ୍
ସ୍ମାର୍ଟ ୱାଚ୍ ସାଧାରଣତଃ ଦୁଇଟି ଡିଜାଇନ୍ରେ ଉପଲବ୍ଧ। ଗୋଟିଏ ରାଉଣ୍ଡ୍ ସେପ୍ (ଗୋଲାକାର), ଅନ୍ୟଟି ସ୍କୋୟାର୍(ବର୍ଗାକାର)। ପ୍ରଥମେ ପ୍ରଥମେ ସ୍କୋୟାର୍ ସେପ୍ ଘଣ୍ଟାର ବେଶି ଚାହିଦା ଥିଲା। ହେଲେ ଦୀର୍ଘ ଦିନ ଧରି ସ୍କୋୟାର୍ସେପ୍ ବ୍ୟବହାର କରୁଥିବା ଲୋକେ ଏବେ ରାଉଣ୍ଡ ସେପ୍ ପ୍ରତି ବେଶ୍ ଆକୃଷ୍ଟ ହେଉଥିବା ଜଣାପଡ଼ିଛି। ଭୁବନେଶ୍ବର ଟାଇଟନ୍ ସୋ’ ରୁମ୍ର ନୀଲେଶ ପାତ୍ର କହିଛନ୍ତି, ମହିଳାମାନଙ୍କ ପସନ୍ଦ ସ୍କୋୟାର୍ ହୋଇଥିବା ବେଳେ ପୁରୁଷଙ୍କ ପସନ୍ଦରେ ରହିଛି ରାଉଣ୍ଡ୍ ସ୍ମାର୍ଟୱାଚ୍। ଟାଇଟନ୍ର ଘଣ୍ଟା ଉଭୟ ସ୍କୋୟାର୍ ଏବଂ ରାଉଣ୍ଡ ସେପ୍ରେ ଆସୁଛି। ୬ହଜାରରୁ ଆରମ୍ଭ କରି ୨୦ହଜାର ମଧ୍ୟରେ ଏହା ଉପଲବ୍ଧ ଅଛି ବୋଲି ସେ କହିଛନ୍ତି। ତେବେ ରାଜଧାନୀ ବଜାରରେ ଏବେ ୨୪୦୦ ଟଙ୍କାରୁ ଆରମ୍ଭ କରି ଦେଢ଼ ଲକ୍ଷ ଟଙ୍କା ଦାମ୍ ପର୍ଯ୍ୟନ୍ତ ସ୍ମାର୍ଟ ଘଣ୍ଟା ଉପଲବ୍ଧ ରହିଛି। ଘଣ୍ଟାର ବିଶେଷତ୍ବ ହିସାବରେ ଘଣ୍ଟାର ଦାମ୍ ରହୁଛି। ସ୍କୁଲ୍, କଲେଜ୍ ଛାତ୍ରଛାତ୍ରୀ ସୀମିତ ଫିଚର୍ ବିଶିଷ୍ଟ ସ୍ମାର୍ଟୱାଚ୍ କିଣୁଥିବା ବେଳେ ଯୁବପିଢ଼ି ଓ ବୟସ୍କ ଲୋକ ଫିଟ୍ନେସ୍ ୱାଚ୍ କିଣୁଥିବା ଦେଖିବାକୁ ମିଳୁଛି।
ଫିଟ୍ନେସ୍ ପାଇଁ ବେଶି ପସନ୍ଦ
ପୂର୍ବରୁ ଘଣ୍ଟାରେ କେବଳ ସମୟ ଦେଖି ହେଉଥିଲା। ପରେ ପରେ ସେଥିରେ ପରିବର୍ତ୍ତନ କରାଯାଇ ତାରିଖ ଉପଲବ୍ଧ କରାଗଲା। ଏବେ ଏହି ସ୍ମାର୍ଟୱାଚ୍ ଜରିଆରେ ହୃଦ୍ସ୍ପନ୍ଦନ ମାପିବା, ଦିନକୁ ଜଣେ କେତେ ବାଟ ଚାଲୁଛି ତାହାର ଗଣନା, କେତେ ସମୟ ଶୋଉଛନ୍ତି, ଫୋନ୍ କଲ୍ ଉଠାଇବା ଓ କାଟିବା ବିକଳ୍ପ, ଗୀତ ଚୟନ କରିବା ଆଦି ଅନେକଗୁଡ଼ିଏ ଫିଚର୍ ମିଳିପାରୁଛି। ଏହା ଫିଟ୍ନେସ୍ ଉପରେ ଗୁରୁତ୍ବ ଦେଉଥିବା ଲୋକମାନଙ୍କ ପାଇଁ ବେଶ୍ ସହାୟକ ହେଉଛି। ଫିଟ୍ନେସ୍ ପ୍ରିୟ ଯୁବପିଢ଼ି ଓ ବୟସ୍କ ଲୋକଙ୍କ ମଧ୍ୟରେ କେବଳ ଫିଟ୍ନେସ୍ ପାଇଁ ଏହାର ଚାହିଦା ବଢ଼ିଛି। ଏନେଇ ଏସ୍ପ୍ଲାନେଡ୍ ମଲ୍ରେ ଥିବା କମଲ୍ ୱାଚ୍ କୋ’ର ମ୍ୟାନେଜର୍ ଶାନ୍ତନୁ ମହାପାତ୍ର କହିଛନ୍ତି, ସ୍ମାର୍ଟ ୱାଚ୍ ସାଧାରଣତଃ ୪-୫ ପ୍ରକାରର କମ୍ପାନି ଉପଲବ୍ଧ ହେଉଛି। ଏଥିରେ ଫିଟ୍ବିଟ୍, ଆମାଜି ଫିଟ୍, ନଏଜ୍, ବୋଟ୍ ଓ ଫାୟାର୍ ବୋଲ୍ଟ ଆଦି ରହିଛି। ନଏଜ୍, ବୋଟ୍ ଓ ଫାୟାର ବୋଲ୍ଟ ପ୍ରିମିୟମ୍ ରେଞ୍ଜ ଏବଂ ଗ୍ରାହକଙ୍କ ପକେଟ୍କୁ ସୁହାଉଥିବାରୁ ସେଗୁଡ଼ିକ ବେଶି ବିକ୍ରି ହେଉଛି।
୭ ରଙ୍ଗର ସ୍ମାର୍ଟ ବ୍ୟାଣ୍ଡ୍
ସ୍ମାର୍ଟ ୱାଚ୍ର ଫିଚର୍ ସହ ଏହାର ବ୍ୟାଣ୍ଡ୍ର ରଙ୍ଗକୁ ନେଇ ମଧ୍ୟ ଗ୍ରାହକ ଘଣ୍ଟା କିଣୁଥିବା ଦେଖିବାକୁ ମିଳୁଛି। ବଜାରରେ ଏବେ ବେବି ପିଙ୍କ୍ଠାରୁ ଆରମ୍ଭ କରି ଗୋଲ୍ଡେନ୍, ଅଲିଭ୍ ଗ୍ରିନ୍, ପାଉଁସିଆ, ଲାଲ୍, ନୀଳ ଓ କଳା ରଙ୍ଗର ସ୍ମାର୍ଟ ୱାଚ୍ ବ୍ୟାଣ୍ଡ ମିଳୁଛି। ପୁଅମାନେ କଳା ରଙ୍ଗକୁ ଅଧିକ ପସନ୍ଦ କରୁଥିବା ବେଳେ ଝିଅମାନେ ନିଜ ଶରୀରର ରଙ୍ଗ ଓ ନିଜକୁ ଖାପଖାଉଥିବା ବ୍ୟଣ୍ଡ୍ ରଙ୍ଗକୁ ବେଶୀ ପସନ୍ଦ କରୁଛନ୍ତି। ତେବେ ଘଣ୍ଟା ସହ ବ୍ୟାଣ୍ଡ ବଦଳାଇ ପିନ୍ଧିବା ପାଇଁ ଅଲଗା ବ୍ୟାଣ୍ଡର ବିକଳ୍ପ ମଧ୍ୟ ବଜାରରେ ଉପଲବ୍ଧ। ଏଥିସହ ଝିଅମାନେ ବିଭିନ୍ନ ପାର୍ଟି ୱେର୍ ପିନ୍ଧିଲା ବେଳେ ଡ୍ରେସ୍ ଓ ଗହଣାର ରଙ୍ଗକୁ ମ୍ୟାଚ୍ କରି ସ୍ମାର୍ଟ ୱାଚ୍ ପିନ୍ଧୁଥିବା ଜଣାପଡିଛି। ହେଲେ ମଧ୍ୟମ ବୟସ୍କ ବ୍ୟକ୍ତିବିଶେଷ କେବଳ କଳା ରଙ୍ଗକୁ ହିଁ ପ୍ରାଧାନ୍ୟ ଦେଉଛନ୍ତି।