ଜିମ୍‌ରେ ଯୌବନ

ଫିଟ୍‌ ଦିଶିବାକୁ କିଏ ବା ନ ଚାହେ। ଏହା କେବଳ ସାମ୍ନା ଲୋକକୁ ସମ୍ମୋହିତ କରେନି ବରଂ ନିରୋଗ ରଖେ। ବୋଧେ ସେଇଥିପାଇଁ ମହାତ୍ମା ଗାନ୍ଧୀ ଦିନେ କହିଥିଲେ, ଜଣେ ସୁସ୍ଥ ମଣିଷ ହିଁ ପ୍ରକୃତ ଧନୀ। ବର୍ତମାନର ଜୀବନ ଶୈଳୀ, କାମର ବୋଝ ଏବଂ ସମୟର ଅଭାବ ଯୋଗୁଁ ମଣିଷ ନିଜ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେଇପାରିନି ସତ; ମାତ୍ର ସହର ଭିତରେ ଗଢ଼ି ଉଠିଥିବା ଜିମ୍‌ (ବ୍ୟାୟାମଶାଳା) ଏହି ଅଭାବବୋଧକୁ ଦୂର କରିବାରେ ଅଗ୍ରଣୀ ଭୂମିକା ନେଇଛି। ବିଶେଷକରି ଯୁବବର୍ଗଙ୍କୁ ଜିମ୍‌ ମାୟା ବେଶି ଘାରିଛି। ମହିଳା ଓ ବୟସ୍କମାନେ ବି ଏଥିରୁ ବାଦ୍‌ ପଡ଼ିନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ସହରରେ ଧୀରେଧୀରେ ଜିମ୍‌ ସଂଖ୍ୟା ବଢ଼ୁଛି। ପୁଣି ନୂଆନୂଆ ମେସିନ୍‌ ସହଜରେ ବ୍ୟାୟାମ କୌଶଳକୁ ଆପଣେଇ ଫିଟ୍‌ ରହିବାକୁ ଆଶା ସଂଚାର କରିଛି।
ଉପସ୍ଥାପନା: ସତ୍ୟ, ଫଟୋ: ଅସିତ୍‌

ଓଜନ କମାଇବ ‘ନ୍ୟୁଫର୍ମ’

ଆପଣ ନିଜର ଓଜନ ବଢ଼ିବା ନେଇ ଚିନ୍ତିତ ଅଛନ୍ତି କି? ବିନା ବ୍ୟାୟାମରେ ଯଦି ନିଜ ମୋଟା ପଣ କମ୍‌ କରିବାକୁ ଚାହୁଛନ୍ତି ତେବେ ‘ନ୍ୟୁଫର୍ମ’ ଆପଣଙ୍କ ଏହି ଅଭିଳାଷକୁ ସାକାର କରିବ। ସହିଦନଗରସ୍ଥିତ ‘ଟକ୍‌ଓ୍ଵାକାର୍‌ସ’ ଜର୍ମାନିରୁ ଏହିଭଳି ଏକ ମେସିନ୍‌କୁ ଆମଦାନୀ କରିଛି। ୩୫ଲକ୍ଷ ଟଙ୍କା ବ୍ୟୟରେ କିଣାଯାଇଥିବା ଏହି ମେସିନ୍‌ରେ ୨୦ ମିନିଟ୍‌ ବ୍ୟାୟାମ କରିବା ପାଇଁ ୧୫ଶହ ଟଙ୍କା ଦର ରହିଛି। କମ୍ପ୍ୟୁଟରୀକୃତ ଏହି ମେସିନ୍‌ ଆସନ୍ତା ସପ୍ତାହେ ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ଟକ୍‌ଓ୍ଵାକାର୍‌ସର ମହାପ୍ରବନ୍ଧକ ବଳରାମ ପାତ୍ର।

ସୁଢ଼ଳ ଶରୀର ପାଇଁ

ଶରୀରର ଓଜନ, ଛାତି ଓ ମାଂସପେଶୀକୁ ଅନୁଧ୍ୟାନ କରି ଜଣଙ୍କୁ ଫିଟ୍‌ ରଖିବା ପାଇଁ ଟ୍ରେନର୍‌ମାନେ ପ୍ରଶିକ୍ଷଣ ଦିଅନ୍ତି। ସୁଢ଼ଳ ମାଂସପେଶୀ ପ୍ରସ୍ତୁତ କରିବା ପାଇଁ ଡିପ୍‌ସ ସମେତ ବେଞ୍ଚ୍‌ ପ୍ରେସ୍‌, କେବୁଲ୍‌ କ୍ରସ୍‌ଓଭର, ଡମ୍ବଲ୍‌ ପ୍ରେସନ୍‌, ଡିକ୍ଲିନ୍‌ ପ୍ରେସ୍‌, ସ୍କ୍ଵାଟ୍‌, ଚିନ୍‌ଅପ୍‌, ପୁସ୍‌ଅପ୍‌ ସହ ଚେଷ୍ଟ୍‍ ମେସିନ୍‌ ପ୍ରେସ ,ଡମ୍ବଲ ଚେଷ୍ଟ୍‍ ପ୍ରେସ୍‌ ଓ ଡେଡ୍‌ ଲିଫ୍‌ କରିବାକୁ ପଡ଼େ। ସେହିଭଳି ବାଇସେପ୍‌ ଓ ଟ୍ରାଇସେପ୍‌କୁ ମଜବୁତ କରିବା ପାଇଁ ଡମ୍ବଲ୍‌ କଲ୍‌, ହାମର କଲ୍‌ ଓ ପିଚର୍‌ କଲ୍‌ ବିନିଯୋଗ ହୁଏ ବୋଲି କହିଛନ୍ତି ଟ୍ରେନର ସୁଶୀଲ କୁମାର ଦାସ।

ପେଟ କମାଇବା ପାଇଁ

ପେଟ ବଢ଼ିବା ଏବେ ଅନେକଙ୍କ ପାଇଁ ଚିନ୍ତାର ବିଷୟ। ତେଣୁ ଏହାକୁ ଦୃଷ୍ଟିରେ ରଖି ଜିମ୍‌ରେ କାର୍ଡିଓ ମେସିନ୍‌, ଟ୍ରେଡ୍‌ ମିଲ୍‌, ସାଇକେଲ ତଥା କ୍ରସ୍‌ ଟ୍ରେନର, ବଡି ଷ୍ଟ୍ରେଚ୍‌ ମେସିନ୍‌ ଖଞ୍ଜା ଯାଇଛି। ସେହିପରି ଷ୍ଟେପ୍‌ଅପ୍‌, ଲେଗ୍‌ରେଜ୍‌ ଓ ପ୍ଲାଙ୍କ୍‌ ଭଳି କୌଶଳମାନ ପେଟ ବଢ଼ିଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ବିନିଯୋଗ କରାଯାଏ।

ଉପଶମ ଦେଉଛି ଷ୍ଟିମ୍‌ ବାଥ୍‌

ସଂପ୍ରତି କିଛି ବଡ଼ବଡ଼ ଜିମ୍‌ରେ ଷ୍ଟିମ୍‌ ବାଥ୍‌ ଆପଣା ଯାଉଛି। କ୍ଳାନ୍ତ ଶରୀରକୁ ଉପଶମ ଦେବା ପାଇଁ ଏହା ଏକ ମସାଜ୍‌ ଭଳି କାମ ଦିଏ। ଗରମ ବାମ୍ଫ ନିର୍ଗତ ହେଉଥିବା ଏକ କୋଠରୀ ମଧ୍ୟରେ ବସି ଏହି ବାମ୍ଫକୁ ଅନୁଭବ କରିହୁଏ। ୧୫ବର୍ଷରୁ ଊର୍ଧ୍ୱ ବୟସର ବ୍ୟକ୍ତି ମାତ୍ର ୫ ମିନିଟ୍‌ ପର୍ଯ୍ୟନ୍ତ ଏହି ବାମ୍ଫ ସ୍ନାନ କରିପାରିବେ। ଖଞ୍ଜା ଯନ୍ତ୍ରଣା କ୍ଷେତ୍ରରେ ଏହା ବେଶ୍‌ ଉପାଦେୟ। ରକ୍ତ ସଂଚାଳନ, ଶରୀରରୁ ବିଷାକ୍ତ ଜିନିଷ ନିର୍ଗତ କରିବା ଭଳି ବହୁବିଧ ରୋଗରୁ ଉପଶମ ଦିଏ। ତେଲିଆ ଶରୀରର ବ୍ୟକ୍ତିବିଶେଷଙ୍କ ପାଇଁ ଏହା ବେଶ୍‌ ଉପଯୋଗୀ।

ସ୍ୱିସ୍‌ ବଲ୍‌ରେ ବ୍ୟାୟାମ

ସ୍ୱିସ୍‌ ବଲ୍‌ରେ ବ୍ୟାୟାମ କରିବା କେବଳ ଶରୀରକୁ ଫିଟ୍‌ ରଖିବାରେ ସହାୟକ ହୁଏନି ବରଂ ମଜାଦାର ଅନୁଭବ ଦିଏ। ମୁଖ୍ୟତଃ ମିକ୍ସ ମାର୍ସିଆଲ୍‌ ଆର୍ଟ୍‌ସ, ଜୁଜୁସୁ, ବକ୍ସର ଓ ରେସ୍‌ଲରମାନେ ଏହି ସ୍ୱିସ୍‌ ବଲ୍‌ ଏହି ବ୍ୟାୟାମ ଉପରେ ନିର୍ଭର କରନ୍ତି। ତେବେ ସାଧାରଣ ବ୍ୟକ୍ତିବିଶେଷ ମଧ୍ୟ ମାଂସପେଶୀକୁ ସକ୍ରିୟ ରଖିବା, ପେଟ ଓ ଅଣ୍ଟାକୁ ମଜବୁତ କରିବା, ଶରୀରରେ ଭାରସାମ୍ୟ ଓ ସ୍ଥିରତା ବଜାୟ ରଖିବା ପାଇଁ ଏହି ବ୍ୟାୟାମକୁ ଆପଣାଇ ଥାଆନ୍ତି ବୋଲି ଉତ୍କଳ କରାଟେ ସ୍କୁଲ୍‌ ଏବଂ କାଟୋସ୍‌ ଜିମ୍‌ର ମୁଖ୍ୟ ହରିପ୍ରସାଦ ପଟ୍ଟନାୟକ କହିଛନ୍ତି।

ଫିଟ୍‌ନେସ୍‌ ମନ୍ତ୍ର :-

କୃତ୍ରିମ କସ୍‌ମେଟିକ୍ସ ବ୍ୟବହାର କରନ୍ତିନି ଭୂମିକା

ନିଜର ରୂପଚର୍ଯ୍ୟା ଓ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅଧିକାଂଶ ଝିଅ ଚଳଚ୍ଚିତ୍ର ଅଭିନେତ୍ରୀଙ୍କୁ ଅନୁସରଣ କରନ୍ତି। ଅଭିନେତ୍ରୀମାନେ କେଉଁ କମ୍ପାନିର କେଉଁ କସ୍‌ମେଟିକ୍ସ ବ୍ୟବହାର କରନ୍ତି, ତାହା ଜାଣିବାକୁ ବ୍ୟଗ୍ରତା ପ୍ରକାଶ କରନ୍ତି। ମାତ୍ର ଏମିତି ବି ଅଭିନେତ୍ରୀ ଅଛନ୍ତି ଯିଏ କି ବଜାରରେ ମିଳୁଥିବା କୌଣସି ପ୍ରକାରର କୃତ୍ରିମ କସ୍‌ମେଟିକ୍ସ ବ୍ୟବହାର କରନ୍ତି ନାହିଁ। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନୂଆ ନୂଆ ପାଦ ଥାପି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା କିଶୋରୀ ନାୟିକା ଭୂମିକା କହନ୍ତି, ବ୍ୟାୟାମ ଓ ନୃତ୍ୟ ମୋ ସୌନ୍ଦର୍ଯ୍ୟର ପ୍ରଥମ ପାହାଚ। ମୁଁ ପ୍ରାକୃତିକ ଉପାୟରେ ହିଁ ମୋ ମୁହଁକୁ ସୁନ୍ଦର ରଖିବା ପାଇଁ ସବୁବେଳେ ଚେଷ୍ଟା କରିଥାଏ। ଶରୀରରୁ ଯେତେ ପରିମାଣରେ ଝାଳ ବାହାରିବ ସେତେ ମୁହଁ ଉଜ୍ଜ୍ୱଳ ଦିଶିବ। ଏହା ସହିତ ପ୍ରତ୍ୟେକ ଦିନ ଦହି ଓ ଲେମ୍ବୁର ପ୍ୟାକ୍‌ ସକାଳୁ ଓ ସଂଧ୍ୟାରେ ମୁହଁରେ ଲଗାଇଥାଏ। ସକାଳୁ ସକାଳୁ ତାଜା ଫଳର ମଧ୍ୟ ଖାଇ ଥାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୁଁ କୌଣସି ପ୍ରକାରର କସ୍‌ମେଟିକ୍ସ ବ୍ୟବହାର କରିନଥାଏ। କାରଣ ବଜାରରେ ବିକ୍ରି ହେଉଥିବା କୃତ୍ରିମ କ୍ରିମ୍‌ ଅଳ୍ପ ବୟସରେ ତ୍ୱଚାରେ ଭାଙ୍ଗ ପକାଇ ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ସେଥିପାଇଁ ମୁଁ ଯଥା ସମ୍ଭବ ଏହାଠାରୁ ଦୂରେଇ ରହିବାକୁ ଚେଷ୍ଟା କରେ।

ସମ୍ବନ୍ଧିତ ଖବର