ଭୁବନେଶ୍ବର: ସମୃଦ୍ଧ ଭାରତୀୟ ସଂସ୍କୃତିରେ ରହିଛି ବାର ମାସରେ ତେର ପର୍ବ। ପ୍ରାୟ ସବୁ ପର୍ବରେ ଘରେଘରେ ପିଠାପଣା ଓ ମିଠାର ସମାରୋହ ହୋଇଥାଏ। ତେବେ ଆଲୋକର ପର୍ବ ଦୀପାବଳି ହେଉଛି ସ୍ବତନ୍ତ୍ର। ଯେଉଁ ପର୍ବର ଅବସରରେ ପାଟିରୁ ବାହାରି ଆସେ ‘କୁଛ୍ ମିଠା ହୋ ଜାୟେ...’। ଦୀପାବଳିରେ ଆଲୋକର ପ୍ରତୀକ ଦୀପ, ରଙ୍ଗୋଲି ଓ ବାଣ ଯେତିକି ଜରୁରି, ମିଠା ବି ସେତିକି ଲୋଡ଼ା। ନିଜେ ଖାଇବା ପାଇଁ ମିଠା ଯେତିକି ଲୋଡ଼ା ପଡ଼େନି, ପ୍ରିୟଜନଙ୍କୁ ଉପହାର ଦେବାକୁ ଏବଂ ଅତିଥି ଅଭ୍ୟାଗତଙ୍କୁ ଆପ୍ୟାୟିତ କରିବା ପାଇଁ ଦୀପାବଳିରେ ଖୋଜାପଡ଼େ ଭଳିକି ଭଳି ମିଠା। ଏଥିପାଇଁ ଏବେଠାରୁ ଚଳଚଞ୍ଚଳ ହୋଇପଡ଼ିଛି ରାଜଧାନୀର ମିଠା ବଜାର। କରୋନା ସଂକଟର ଦୁଇବର୍ଷ ପରେ ଏଥର ବେଶ୍ ଜାକଜମକରେ ଦୀପାବଳି ପାଳନ ହେବାକୁ ଯାଉଥିବା ବେଳେ ସମ୍ଭାବ୍ୟ ବାତ୍ୟାଜନିତ ବର୍ଷା ଯୋଗୁଁ ଲୋକେ ଆଶଙ୍କାରେ ଥିଲେ ବି ମିଠା ବଜାର ଭିଡ଼ କିଛି ବି ପ୍ରଭାବିତ ହୋଇନାହିଁ। ଗ୍ରାହକମାନଙ୍କ ଚାହିଦାକୁ ନଜରରେ ରଖି ମିଠା କାରିଗରମାନେ ତିଆରି କରିଚାଲିଛନ୍ତି ଭିନ୍ନଭିନ୍ନ ରକମର ମିଠା। ମିଠା ବ୍ୟବସାୟୀମାନେ ପସରା ମେଲି ବସି ସାରିଲେଣି। ଦୀପାବଳି ଅବସରରେ ରାଜଧାନୀରେ ମିଠା, ଚକୋଲେଟ୍, ଫଳ ଓ ଡ୍ରାଏ ଫ୍ରୁଟ୍ସ ବେପାରକୁ ନେଇ ଏଥରର ଉପସ୍ଥାପନା...
କାଜୁ ରିମ୍ଝିମ୍, କାଜୁ ରୋଲ୍ରେ ଗ୍ରାହକଙ୍କ ମନ
ଦୀପାବଳିରେ ସାଧାରଣତଃ ପ୍ୟାକେଟ କରି ବନ୍ଧୁବାନ୍ଧବ ବା ପରିଜନଙ୍କୁ ମିଠା ଉପହାର ସ୍ବରୂପ ଦିଆଯାଏ। ଅଧିକ ଦିନ ରହିବା ଓ ପ୍ୟାକେଜିଂ ସୁବିଧା ପାଇଁ ଶୁଖିଲା ମିଠାର ଚାହିଦା ଅଧିକ ରହିଥାଏ। ଏଣୁ ଏବେ ଛେନା ଅପେକ୍ଷା କାଜୁ ତିଆରି ମିଠାର ଚାହିଦା ଅଧିକ ରହିଛି। ନିମାପଡ଼ା ସ୍ବିଟ୍ସ୍ ସ୍ବତ୍ବାଧିକାରୀ ଦିବାକର ସାହୁ କହିଛନ୍ତି ଯେ ଏବେ ଦୀପାବଳିକୁ ନଜରରେ ରଖି କାଜୁ କେଟ୍ଲି, କାଜୁ ରିମ୍ଝିମ୍, କାଜୁ ରୋଲ୍ ଓ କାଜୁ ବର୍ଫି ଆସିଛି ଏବଂ ଏହାର ଚାହିଦା ଖୁବ୍ ଅଧିକ ରହିଛି। ଏସବୁ ମିଠାର ଦାମ୍ କେଜି ପିଛା ୪୦୦ରୁ ୬୦୦ ଟଙ୍କାର ମଧ୍ୟରେ ରହିଛି। ତେବେ ବଡ଼ବଡ଼ୁଆ ଟେକିବା ସମୟରେ ବା ଘରେ ଖାଇବା ପାଇଁ ଛେନା ମିଠାର ଚାହିଦା ସବୁବେଳେ ରହିଥାଏ। ଚମ୍ଚମ୍, ଛେନା ମୁଡ୍କି, ଛେନା ଗଜା, ଛେନାପୋଡ଼, ଛେନା ରୋଲ୍ ଆଦି ଛେନା ତିଆରି ଶୁଖିଲା ମିଠା ସବୁବେଳେ ମିଠାପ୍ରେମୀଙ୍କ ଚାହିଦାରେ ରହିଛି। ଏବେ ମଧୁମେହ ରୋଗୀଙ୍କ ପାଇଁ ରହିଛି ସୁଗାର୍ ଫ୍ରି’ ଛେନାପୋଡ଼, ସନ୍ଦେଶ, ମିଲ୍କ କେକ୍ ଓ କାଲାଜାମୁନ୍ ଭଳି ମିଠା।
ଲାଳ ଗଡ଼ାଉଛି ଲଡ଼ୁ
/sambad/media/post_attachments/wp-content/uploads/2022/10/45-11.jpg)
ଭାରତୀୟ ମିଠା ସାମ୍ରାଜ୍ୟର ମଉଡ଼ମଣି ହେଉଛି ଲଡ଼ୁ। ଏହାର ଆଦର ସବୁବେଳେ ରହିଛି। ଏଥର ରାଜଧାନୀର ପ୍ରସିଦ୍ଧ ନରୁଲା ସ୍ବିଟ୍ସ୍ ଦୀପାବଳି ବଜାରକୁ ନେଇଆସିଛି ୬ କିସମର ଲଡ଼ୁ। ପାଟିରୁ ଲାଳ ଗଡ଼ାଇବା ଭଳି ଏସବୁ ଲଡ଼ୁ ଚଳିତ ବର୍ଷ ବେଶି ବିକ୍ରି ହେଉଛି। କାନ୍ପୁରୀ ଲଡ଼ୁ, ସାହି ଲଡ଼ୁ, ଦେଶୀ ଘିଅ ଲଡ଼ୁ, କେଶର ଲଡ଼ୁ, ଗୋନ୍ଦ ଲଡ଼ୁ ଓ ସାଧାରଣ ବେସନ ଲଡ଼ୁ ବଜାରରେ ଉପଲବ୍ଧ ହେଉଛି। ମଧୁମେହ ରୋଗୀଙ୍କ ପାଇଁ ସୁଗାର ଫ୍ରି ଲଡ଼ୁ ମଧ୍ୟ ଆସିଛି। ବଡ଼ କଥା ହେଉଛି ଏହ କିସମର ମିଠା ଅଧିକ ଦିନ ରଖି ହେଉଥିବାରୁ ଉପହାର ଦେବା ପାଇଁ ଏହାକୁ ଶ୍ରେଷ୍ଠ ବିକଳ୍ପ ଭାବେ ଗ୍ରହଣ କରାଯାଏ। ନରୁଲା ସୁଇଟ୍ସ୍ର ମ୍ୟାନେଜର ସୁରେଶ କୁମାରଙ୍କ କହିବା କଥା, ଏଥର ବି କାଜୁଯୁକ୍ତ ଲଡ଼ୁ ପ୍ରସ୍ତୁତ କରାଯାଇଛି। ଖୋୟା ଫ୍ୟାନ୍ସିଂ, କାଜୁ ଚକୋ ଚିପ୍ସ୍, କାଜୁ କଟୋରି, ଖଜୁର୍ ଡ୍ରାଏ ଫ୍ରୁଟ୍ସ୍ ଲଡ଼ୁ, ସ୍ପେସାଲ୍ ଡ୍ରାଏଫ୍ରୁଟ୍ସ ଲଡ଼ୁ ଓ କାଜୁ ଭୁଜିଆ ଭଲ ବ୍ୟବସାୟ କରୁଛି। ତେବେ ଦୀପାବଳିରେ ଚକୋଲେଟ୍ ଉପହାର ଅଧିକ ଦିଆଯାଉଥିବାରୁ ଏବେ କାଜୁ ଚକୋଲେଟ୍ ରୋଲ୍, କାଜୁ ଚକୋ ଚିପ୍ସ୍, କାଜୁ ମେୟୋ ବାଇଡ୍ ଚକୋଲେଟ୍ ଆଦି ଅଧିକ ବିକ୍ରି ହେଉଛି।
ଆକର୍ଷଣୀୟ ପ୍ୟାକେଜିଂ ଝୁଡ଼ି ଓ ବକ୍ସ ପ୍ୟାକିଂ
/sambad/media/post_attachments/wp-content/uploads/2022/10/46-10.jpg)
ଦୀପାବଳିରେ ଉପହାର ଦେବା ବେଳେ ପ୍ୟାକେଟ୍ ଅଧିକ ଆକର୍ଷଣୀୟ ହେବା ଜରୁରୀ ହୋଇଥାଏ। ମିଠା ହେଉ ବା ଚକୋଲେଟ୍, କିମ୍ବା କୁକିଜ୍, ସବୁ କିଛିକୁ ନିଆରା ପ୍ୟାକେଜିଂ କରିବାକୁ ଚାହାନ୍ତି ଗ୍ରାହକମାନେ। ଏଣୁ ବ୍ୟବସାୟୀମାନେ ବି ନୂଆନୂଆ ମନଲୋଭା ପ୍ୟାକେଜିଂ ପ୍ରସ୍ତୁତ କରିଛନ୍ତି। ନିଆରା ମିଠା ଡବା ଓ ବାସ୍କେଟ ଏବେ ମିଠା ଦୋକାନର ଶୋଭା ବଢ଼ାଉଛି। କାଠ ଓ ଲେଦର ତିଆରି ବାକ୍ସ ବା ଡବାରେ ବିଭିନ୍ନ ରାଜକୀୟ ଶୈଳୀର ଚିତ୍ରକଳା ସାଙ୍ଗକୁ କଳସ, ହାତୀ, ଘୋଡ଼ା ଭଳି ପାରମ୍ପରିକ ଖୋଦେଇ ଗ୍ରାହକଙ୍କୁ ବେଶ୍ ଆକର୍ଷିତ କରୁଛି। ପୁଣି ରହିଛି ମୋଟା ସୂତା ତିଆରି ବାସ୍କେଟ୍, ହାତ ତିଆରି ବକ୍ସ ଓ ହ୍ୟାମ୍ପ୍ରସ୍ ଇତ୍ୟାଦି। ତେବେ ଏବେ ମାର୍କେଟରେ ଝୁଡ଼ି ଓ ବାସ୍କ ପ୍ୟାକିଂ ଅଧିକ ପସନ୍ଦର ହୋଇପାରିଛି। ଚକୋଲେଟ୍ ସହ କାଜୁ, କିସ୍ମିସ୍ ଓ ପିସ୍ତା ବାଦାମ୍ ମିଠା ସହ ସୁନ୍ଦର ସୁନ୍ଦର ମିଠା ବକ୍ସ ପ୍ରାୟ ୩୫୦ ଟଙ୍କାରୁ ଆରମ୍ଭ କରି ୨୨୫୦ ଟଙ୍କା ପର୍ଯ୍ୟନ୍ତ ରହିଛି।