ବଜାରକୁ ଫେରିଛି ପୁରାତନ ଯୁଗର ସେଇ କାଠ, କଉଡ଼ି, କାଇଁଚ, ଶଙ୍ଖ, ଶାମୁକା ଓ ମାଟି ଆଦି ପାରମ୍ପରିକ ସାମଗ୍ରୀରୁ ତିଆରି ଅଳଙ୍କାର। ଚାହିଦା ବି କାହିଁରେ କେତେ...। ଫରକ୍ କେବଳ ଏତିକି ଯେ ସେତେବେଳେ ଲୋକଙ୍କ ପାଖରେ ଧନର ଅଭାବ ଯୋଗୁଁ ସେମାନେ ସୁନା, ରୁପା, ହୀରା ଓ ପ୍ଲାଟିନମ୍ ଆଦିର ଗହଣା ବ୍ୟବହାର କରିପାରୁ ନଥିଲେ; ଏବେ ଏହା ଫ୍ୟାସନ୍ର ଏକ ନୂଆ ପରିଭାଷା। ଖୁବ୍ କମ୍ ସମୟ ମଧ୍ୟରେ, ସଂଭ୍ରାନ୍ତଙ୍କଠାରୁ ଆରମ୍ଭ କରି ମଧ୍ୟବିତ୍ତ ବର୍ଗର ମହିଳା, କଲେଜ ପଢ଼ୁଆ ଛାତ୍ରୀଙ୍କ ମଧ୍ୟରେ ଏହି ଅଳଙ୍କାର ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ମହିଳା ଓ ଯୁବତୀମାନେ ପୋଷାକ ସହ ଖାପଖୁଆଇ ଏହି ଅଳଙ୍କାର ପିନ୍ଧିବାକୁ ପସନ୍ଦ କରୁଛନ୍ତି। ଚୋରିର ଭୟ ନରହିବା ଓ ପକେଟ୍କୁ ସୁହାଇବା ଭଳି ଦରରେ ବଜାରରେ ଉପଲବ୍ଧ ହେବା ବି ଏହାର ଅନ୍ୟ ଏକ ବିଶେଷତ୍ବ। ବର୍ତ୍ତମାନ ଯୁବପିଢ଼ି ଓ ଆଧୁନିକ ମହିଳାମାନଙ୍କ ମଧ୍ୟରେ ଟ୍ରେଣ୍ଡରେ ଥିବା ଏହି ପ୍ରକାରର କିଛି ଅଳଙ୍କାରକୁ ନେଇ ଏଥରର ସ୍ବତନ୍ତ୍ର ଉପସ୍ଥାପନା...
ରିପୋର୍ଟ: ହରପ୍ରିୟା ପୃଷ୍ଟି
ପସନ୍ଦରେ ମୟୂରପୁଚ୍ଛ କାନଫୁଲ, ମୁଦି
/sambad/media/post_attachments/wp-content/uploads/2022/08/55-3.jpg)
ବିଭିନ୍ନ ପକ୍ଷୀଙ୍କ ‘ପର’କୁ ଗୁନ୍ଥି ତାକୁ ଗହଣା ଭାବେ ବ୍ୟବହାର କରିବା ପରମ୍ପରା ଓଡ଼ିଶାରେ ବହୁ ଆଗରୁ ରହିଆସିଛି। ମାଲକାନଗିରି, ସମ୍ବଲପୁର ସମେତ ଓଡ଼ିଶାରେ ବସବାସ କରୁଥିବା ଆଦିବାସୀମାନେ ଏହି ‘ପର’ ତିଆରି ଗହଣା ପିନ୍ଧିଥା’ନ୍ତି। ଘୁମୁରା ଓ ସମ୍ବଲପୁରୀ ନୃତ୍ୟ ଭଳି ଲୋକନୃତ୍ୟରେ ଦେହରେ ‘ପର’ ଲଗାଇ ନୃତ୍ୟ କରାଯାଇଥାଏ। ହେଲେ ଏବେ ଏହା ଆଦିବାସୀ କିମ୍ବା ଲୋକନୃତ୍ୟରେ ବ୍ୟବହାର ହେଉଥିବା ଗହଣାରେ ସୀମିତ ହୋଇ ରହିନାହିଁ। ‘ପର’ରେ ତିଆରି କାନଫୁଲ, ମୁଦି, ବେକର ଚୋକର୍ ଏବେ ଝିଅମାନଙ୍କ ପ୍ରଥମ ପସନ୍ଦ ପାଲଟିଛି। ବିଭିନ୍ନ ରଙ୍ଗ ଓ ଆକାରର ‘ପର’କୁ ପଥରରେ ଖଞ୍ଜି ତିଆରି ହୋଇଥିବା କାନଫୁଲ ସବୁରକମର ଓ ରଙ୍ଗର ପୋଷାକ ସହିତ ଖାପ ଖାଉଥିବାରୁ କଲେଜ ପଢ଼ୁଆ ଝିଅମାନେ ଏହାକୁ ଅଧିକ କିଣୁଛନ୍ତି। ମୟୂର ପୁଚ୍ଛରେ ତିଆରି କାନଫୁଲର ମଧ୍ୟ ଚାହିଦା ଅଲଗାପ୍ରକାରର। ଏହା ଅପେକ୍ଷାକୃତ ଅଧିକ ସୁନ୍ଦର ଓ ଆକର୍ଷଣୀୟ। ତେଣୁ ଏହାର ଚାହିଦା ଓ ବିକ୍ରି ବି ବେଶି। ମୟୂର ପୁଚ୍ଛ କାନଫୁଲ ପାରମ୍ପରିକ ପରିପାଟ୍ଟୀରେ ଭିନ୍ନ ଲୁକ୍ ଦେଉଥିବା ବେଳେ ଜିନ୍ସ, ଜେଗିନ୍ସ, ୱାନ୍-ପିସ୍ ଓ ଫ୍ରକ୍ ଭଳି ଡ୍ରେସ୍ ସହ ଖାପ ଖାଇଥାଏ। ‘ପର’ରେ ତିଆରି କାନଫୁଲର ଦାମ୍ ୫୦ଟଙ୍କା ରହିଥିବା ବେଳେ ବେକରେ ଓ ହାତରେ ପିନ୍ଧୁଥିବା ଗହଣାର କାମ ଦେଖି ଦାମ୍ ୧୫୦ ଟଙ୍କାରୁ ୧୨ଶହ ପର୍ଯ୍ୟନ୍ତ ରହିଛି।
କାଠ ଚୁଡ଼ିର ଚାହିଦା ସର୍ବାଗ୍ରେ
/sambad/media/post_attachments/wp-content/uploads/2022/08/56-2.jpg)
କାଠ ତିଆରି ଗହଣା ପିନ୍ଧିବା ଏବେ ଏକ ଟ୍ରେଣ୍ଡ ପାଲଟିଛି। ହାଲୁକା କାଠରେ ତିଆରି ହେଉଥିବା ଏହି ଗହଣାଗୁଡ଼ିକ ପିନ୍ଧିବା ପାଇଁ ସହଜ। ଏହା ଏକ ସଂଭ୍ରାନ୍ତ ଲୁକ୍ ହେଉଥିବା ବେଳେ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ଏହା ବିଭିନ୍ନ ଡିଜାଇନ୍ରେ ଉପଲବ୍ଧ। ତେବେ କାଠରେ ତିଆରି ଚୁଡ଼ିକୁ କଲେଜ ପଢ଼ୁଆ ଝିଅ ଓ କର୍ମଜୀବୀ ମହିଳାମାନେ ଅଧିକ ପସନ୍ଦ କରୁଛନ୍ତି। ଏହା ଦେଖିବାକୁ ବେଶ୍ ଆକର୍ଷଣୀୟ। ଏହି ଗହଣା ଅଫିସିଆଲ୍ ଲୁକ୍ ପାଇଁ ବେଶ୍ ଉପଯୁକ୍ତ। ଚୁଡ଼ିଗୁଡ଼ିକ ବିଭିନ୍ନ ଆକାରର ଓ ରଙ୍ଗର ହୋଇଥିବାରୁ ଏହାକୁ ଗୋଟିଏ କିମ୍ବା ଏକାଧିକ ପିନ୍ଧି ହେଉଛି। ଖାଲି ଚୁଡ଼ି ନୁହେଁ, କାଠତିଆରି କାନଫୁଲ, ହାରର ମଧ୍ୟ ଚାହିଦା ରହିଛି। ରାଜଧାନୀରେ ପଡ଼ୁଥିବା ଶିଶିର ଶରସ, ଆଦିବାସୀ ମେଳା, ତୋଷାଳୀ, ହସ୍ତତନ୍ତ ଭଳି ମେଳା ବ୍ୟତୀତ ଫାବ୍-ଇଣ୍ଡିଆ ଷ୍ଟୋର୍ ଓ କିଛି ହସ୍ତଶିଳ୍ପ ଷ୍ଟୋର୍ରେ ଏସବୁ ଉପଲବ୍ଧ। ଅନ୍ଲାଇନ୍ରେ ବି ଏସବୁ ପକେଟ୍କୁ ସୁହାଇବା ଭଳି ଦରରେ ମିଳି ଯାଉଛି। ସେହିପରି ବାଉଁଶରେ ତିଆରି ଗହଣାର ମଧ୍ୟ ଚାହିଦା ଢେର୍ ଅଧିକ।
ମାର୍କେଟ ବିଲ୍ଡିଂର ଇୟରିଂ ପଏଣ୍ଟ୍ର ବ୍ୟବସାୟୀ ଗୌରବ ନାୟକ କହିଛନ୍ତି, ବିଭିନ୍ନ ସମୟରେ ଭିନ୍ନଭିନ୍ନ ରକମର ପାରମ୍ପରିକ ଗହଣା ଏବେ ମାର୍କେଟକୁ ଆସୁଛି। ହେଲେ କାନଫୁଲର ଚାହିଦା ବର୍ଷତମାମ୍ ରହୁଛି। ଆଗକୁ ଖୁଦୁରୁକୁଣୀ ଓ ଗଣେଶ ପୂଜା ଆସୁଥିବାରୁ ପର ଓ କାଠ ତିଆରି କାନଫୁଲର ଚାହିଦା ଅଧିକ ରହିବ। ତେବେ ଚାଇନା ତିଆରି ପର ଓ କାଠ କାନଫୁଲ ଭଲ ଦାମ୍ରେ ଓ ଅଧିକ ଡିଜାଇନ୍ର ମିଳୁଥିବାରୁ, ସେ ସବୁର ଚାହିଦା ଅଧିକ ରହିଥିବା ସେ କହିଛନ୍ତି।
ଇକ୍କତ ଶାଢ଼ିକୁ କଉଡ଼ି ହାର
/sambad/media/post_attachments/wp-content/uploads/2022/08/58-1.jpg)
ଘରେ ଘରେ କଉଡ଼ି ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହାର କରାଯାଏ। ଛୋଟ ଛୁଆଙ୍କ ଅଣ୍ଟାରେ କଉଡ଼ି ବାନ୍ଧିବା ଦ୍ବାରା ସେମାନଙ୍କୁ ଖରାପ ନଜରରୁ ସୁରକ୍ଷା ମିଳିଥାଏ ବୋଲି ବି ସାଧାରଣରେ ବିଶ୍ବାସ ରହିଛି। ହେଲେ ଏହାକୁ ହାର ଆକାରରେ ପିନ୍ଧିବା ପାଇଁ ମହିଳାମାନେ ବେଶି ପସନ୍ଦ କରୁଛନ୍ତି। ଶାଢ଼ି ବା ଡ୍ରେସ୍ ସହ ଛୋଟ କଉଡ଼ି କାନଫୁଲ ଓ ତା’ ସହ ବଡ଼ କଉଡ଼ି ହାର ଏବେ ବିଭିନ୍ନ କାର୍ଯ୍ୟକ୍ରମରେ ମହିଳାମାନେ ପିନ୍ଧୁଥିବାର ଦେଖିବାକୁ ମିଳୁଛି। ସୁନ୍ଦର ଭାବେ ବିଭିନ୍ନ ଡିଜାଇନରେ ଗୁନ୍ଥା ଯାଇଥିବା କଉଡ଼ି ହାର ସମ୍ବଲପୁରୀ, ଇକ୍କତ, ପଶାପାଲି, ଖଣ୍ଡୁଆ ଓ ବାନ୍ଧ ଆଦି ହସ୍ତତନ୍ତ ଶାଢ଼ି, ସାଲ୍ୱାର୍ ଓ ଡିଜାଇନର୍ ବସ୍ତ୍ର ସହ ଏକ ଏଲିଗେଣ୍ଟ୍ ଲୁକ୍ ଦିଏ। ପାରମ୍ପରିକ ପୋଷାକ ହେଉ ବା ଗାଉନ୍ ବା ୱାନ୍ପିସ୍ରେ ଅତ୍ୟାଧୁନିକ ଲୁକ୍ ହେଉ ବା ଫ୍ୟୁଜନ୍ ବସ୍ତ୍ର; ସବୁଥିରେ କଉଡ଼ି କାନଫୁଲ ଓ ହାର ବେଶ୍ ମାନେ। ଏହାକୁ ଏବେ ବିଭିନ୍ନ ପାର୍ଟି ଓ ପୂଜାରେ ବହୁଳ ଭାବରେ ପିନ୍ଧା ଯାଉଛି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏହାକୁ ଅଧିକ ମାତ୍ରାରେ ମହିଳାମାନେ କିଣିବେ ବୋଲି ବ୍ୟବସାୟୀମାନେ କହିଛନ୍ତି। କଉଡ଼ିରେ ତିଆରି ଜିନିଷ ମହିଳାଙ୍କୁ ପସନ୍ଦ ଆସୁଥିବା ବେଳେ ଶାମୁକାରେ ତିଆରି କାନଫୁଲ ଯୁବତୀଙ୍କୁ ଓ ବ୍ରେସଲେଟ ଛୋଟପିଲାଙ୍କୁ ଭଲ ଲାଗୁଛି।
ମାଟିରେ ତିଆରି ଗହଣା
ମାଟିରେ ତିଆରି ଗହଣା ଓ ଟେରାକୋଟା ଡିଜାଇନ୍ର ଦେବଦେବୀ, ବିଭିନ୍ନ ଥିମ୍ ଓ ଚିତ୍ରର ଗହଣା ସବୁ ଏବେ ସବୁ ବର୍ଗର ମହିଳାଙ୍କ ପସନ୍ଦ ପାଲଟିଛି। ତେବେ ବଜାରରେ ଏହା ଏତେ ଅଧିକ ବିକ୍ରି ହେଉ ନଥିବା ବେଳେ ରାଜ୍ୟ ସଂଗ୍ରହାଳୟ, ଏକାମ୍ର ହାଟ, ରାଜଧାନୀ ହେଉଥିବା ମୂର୍ତ୍ତିକା ଭଳି ବିଭିନ୍ନ ମେଳା ଓ ଅନ୍ଲାଇନରେ ଏହାର ଚାହିଦା ରହିଛି। ପୂଜା ପର୍ବରେ ଶାଢ଼ି ଓ ପାରମ୍ପରିକ ଡ୍ରେସ୍ ସହିତ ଏହାକୁ ପିନ୍ଧିବା ପାଇଁ ମହିଳାମାନେ ଅଧିକ ପସନ୍ଦ କରୁଛନ୍ତି। ରାଧାକୃଷ୍ଣ, ଦୁର୍ଗା, ବିଭିନ୍ନ ବାଦ୍ୟଯନ୍ତ୍ର, ପକ୍ଷୀ ଓ ଦେବଦେବୀ ଆଦି ଚିତ୍ର ଓ ଆକାର ଥିବା ମାଟି ଗହଣାର ଚାହିଦା ରହିଥିବା ଜଣାପଡ଼ିଛି।