ପୁରୁଣା ଭୁବନେଶ୍ବର: ପାଖେଇ ଆସିଲା ଆଲୋକର ପର୍ବ ଦୀପାବଳି। ଘରେ ଘରେ ଜଳିବ ମାଳ ମାଳ ଦୀପ। ଜଳନ୍ତା ଦୀପର ସମାହାରରେ ଦୂରେଇ ଯିବ ଅନ୍ଧକାର। କିନ୍ତୁ ଦୀପ ଗଢ଼ୁଥିବା ଗାଁ କୁମ୍ଭକାରର ଘରୁ ଅନ୍ଧାର ହଟିବ କି ନା, ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଲୋକେ ବଜାରରୁ ଚାଇନା ଲାଇଟ୍ କିଣିବାରେ ବ୍ୟସ୍ତ। ବାହାରୁ ଆମଦାନୀ ହେଉଥିବା ରଙ୍ଗିନ୍ ଦୀପ କିଣିବାରେ ମନ ବଳାଉଛନ୍ତି। ଗାଁ କୁମ୍ଭକାରର ହାତ ଗଢ଼ା ମାଟି ଦୀପ ଆଡ଼କୁ ଗ୍ରାହକଙ୍କ ନଜର ନାହିଁ। ଗରିବ ଓ ସ୍ବଳ୍ପ ରୋଜଗାରିଆ ଗ୍ରାହକଙ୍କୁ ବାଦ୍ ଦେଲେ, ସ୍ବଚ୍ଛଳ ବର୍ଗର ଗ୍ରାହକମାନେ ଅଧିକ ଦାମ୍ରେ ଦେଇ ରଙ୍ଗିନ୍ ଦୀପ ଓ ରଙ୍ଗିନ୍ ଆଲୋକମାଳା କିଣିବାରେ ଲାଗିଛନ୍ତି। ତେଣୁ ଗାଁ କୁମ୍ଭକାରଠାରୁ କିଣି ହାଟରେ ବସିଥିବା ବେପାରୀ ହାତ ବାନ୍ଧି ବସିଛି। ଏ ଭଳି ସ୍ଥିତିରେ ଚଳିତ ବର୍ଷ ଦୀପାବଳିରେ ଗାଁର ଗରିବ କୁମ୍ଭକାର ଘର ଅନ୍ଧାରରେ ରହିବ ବୋଲି ଜଳଜଳ ଦିଶିଲାଣି।
ଗ୍ରାହକଙ୍କ ଏଭଳି ଚିନ୍ତାଧାରା ପରେ ସରକାରୀ କଟକଣା ବି ଗାଁ କୁମ୍ଭକାରମାନଙ୍କୁ କିଛି କମ୍ ଆଘାତ ଦେଇନି। କରୋନା କଟକଣା ଯୋଗୁଁ ଚଳିତ ବର୍ଷ ରାସ୍ତା କଡ଼ରେ ଦୀପ ଦୋକାନ ବସି ପାରିବ ନାହିଁ ବୋଲି ବିଏମ୍ସି ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। କୌଣସି ବ୍ୟକ୍ତି ରାସ୍ତା କଡ଼ରେ ଦୀପ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ଫଳରେ ଗାଁ କୁମ୍ଭକାର ରାଜଧାନୀର ରାଜରାସ୍ତାରେ ବସି ତା ହାତଗଢ଼ା ଦୀପ ବିକିବା ମଉକାରୁ ବଞ୍ଚିତ ହୋଇଛି। ସରକାର ବାଣ ସହ ଦୀପକୁ ତୁଳନା କରିଥିବାରୁ ଦୀପ କାରିଗର ଓ ଦୀପ ବେପାରୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ତେଣୁ ଗତ କିଛି ଦିନ ହେଲା ଗାଁ ଗଣ୍ଡାରେ ଦୀପ ଗଢ଼ୁଥିବା କୁମ୍ଭକାରମାନେ କାମ ବନ୍ଦ କରି ଦେଇଥିବା ଜଣାପଡ଼ିଛି। ଚଳିତ ବର୍ଷ କରୋନା କଟକଣା ପାଇଁ ମନ୍ଦିର ବନ୍ଦ ରହିବା ସହ ବିବାହ ବ୍ରତ ଭଳି ସାମାଜିକ ଅନୁଷ୍ଠାନ ବନ୍ଦ ରହିଲା। ତେଣୁ ଦୀପ ବେପାର ଏକପ୍ରକାର ଠପ୍ ହୋଇ ଯାଇଥିଲା। କୁମ୍ଭକାରମାନେ ବେରୋଜଗାର ହୋଇ ପଡ଼ିଥିଲେ। ଆଶା ଥିଲା ଦୀପାବଳିରେ କିଛି ରୋଜଗାର କରିବେ। ମାତ୍ର ତାହା ବି ଆଶାନୁରୂପ ହେଉନାହିଁ। ତେଣୁ ଦୀପାବଳିର ଆଲୋକ ସେମାନଙ୍କ ଘରର ଅନ୍ଧାର ଦୂରେଇବା ଆଶା ସେମାନେ ଛାଡ଼ି ଦେଇଛନ୍ତି।
ସ୍ଥାନୀୟ କୁମ୍ଭକାର କାଳିଆ ମୁଦୁଲିଙ୍କ କହିବା କଥା ଦୀପ ତିଆରି ତାଙ୍କର କୌଳିକ ବୃତ୍ତି। ମାଟି କିଣିବାକୁ ପଡ଼ୁଥିବାରୁ ଦିନକୁ ଦିନ ଦୀପ ତିଆରି ଖର୍ଚ୍ଚ ବଢ଼ୁଛି, ଅଥଚ ବିକ୍ରି କମୁଛି। ଅଥଚ ବଜାରରେ ବାହାର ରାଜ୍ୟରୁ ଆସୁଥିବା ଦୀପକୁ ଲୋକେ ଚଢ଼ା ଦରରେ କିଣୁଛନ୍ତି। ସେହିଭଳି କୁମ୍ଭାର ସାହିର ଝରଣା ମୁଦୁଲିଙ୍କ କହିବା କଥା କରୋନା ଯୋଗୁଁ ସବୁ ଦରଦାମ୍ ବଢ଼ୁଛି, ମାଟି ଦାମ୍ ମଧ୍ୟ ଅମୂଲମୂଲ ହେଲାଣି। ମାଟି ପାଇଁ ଗାଁ ଗାଁ ଅନେକ ଅଞ୍ଚଳ ବୁଲିବାକୁ ପଡ଼ୁଛି। ପୁଣି ପୋଡ଼ିବା ପାଇଁ ଜାଳେଣି କାଠ ବି କିଣିବାକୁ ପଡ଼ୁଛି। ତେଣୁ ଅଧିକ ସଂଖ୍ୟାରେ ମାଟି ଦୀପ ବିକ୍ରି ନ ହେଲେ, ସେମାନଙ୍କ ପାରିଶ୍ରମିକ ମିଳୁନାହିଁ। ଏଭଳି ସ୍ଥିତିରେ ଲୋକେ ବାହାର ରାଜ୍ୟର ରଙ୍ଗିନ୍ ଦୀପ କିଣଥିବାରୁ ସେମାନଙ୍କ ବେପାର ମାନ୍ଦା ରହୁଛି। ବଢ଼େଇବାଙ୍କ ଛକରେ ମାଟି ଜିନିଷ ବେପାର କରୁଥିବା ସଞ୍ଜୟ ସାହୁଙ୍କ ସୂଚନାନୁସାରେ ଏବେ ଗାଁ କୁମ୍ଭକାରଙ୍କ ହାତ ତିଆରି ଦୀପର ଚାହିଦା କମିଛି। ଗ୍ରାହକମାନେ ରଙ୍ଗିନ୍ ଦୀପ କିଣିବାକୁ ମନ ବଳାଉଛନ୍ତି। ତେଣୁ ସ୍ଥାନୀୟ ଦୀପ ବିକ୍ରି କମିଛି।