ଭୁବନେଶ୍ବର: ବିଳମ୍ବିତ ସମୟ ପର୍ଯ୍ୟନ୍ତ ବାର୍‌‌, ହୋଟେଲ, ରେସ୍ତୋରାଁରେ ରାତି ରଙ୍ଗିନ ହେଉଛି। ଅବକାରୀ କଣ୍ଟକୁ ବେଖାତିର ନକରି ଗୀତ ନାଁରେ ବାର୍‌‌ଗାର୍ଲଙ୍କୁ ନଚାଇ ଟଙ୍କା ରୋଜଗାର କରାଯାଉଛି। ଆଇନ କାନୁନ୍‌କୁ ଫୁ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହେଉଥିବାରୁ, ଜରିମାନା ଦେଇ ପୁଣି ସମାନ ଭୁଲ କରୁଛନ୍ତି । ବାରମ୍ବାର ନିୟମ ଉଲ୍ଲଂଘନକାରୀଙ୍କ ଲାଇସେନସ୍ ବାତିଲ ହେବାର ନିୟମ ଥିଲେ ବି ଅବକାରୀ ବିଭାଗ କେବଳ ଜରିମାନା ଗଣ୍ଡାକ ଆଦାୟ କରି  ଚୁପ୍‌ ରହିଯାଉଛି। ୨୦୨୪ ମସିହା ମାର୍ଚ୍ଚ ମାସରୁ ୨୦୨୫ ମାର୍ଚ୍ଚ ମାସ  ଶେଷ ସୁଦ୍ଧା ରାଜଧାନୀର ୯ଟି ଡାନ୍ସ ବାର୍‌ ଓ ୧୮ଟି ରେସ୍ତୋରାଁ ଆଇନ ଉଲ୍ଲଂଘନ କରି ୧୭ ଳକ୍ଷ ଟଙ୍କା ଜରିମାନା ଆକାରରେ ଦେଇଛନ୍ତି। ମାତ୍ର  ଅବକାରୀ ବିଭାଗର ଏହି ପରୋକ୍ଷ ପ୍ରୋତ୍ସାହନ ରାଜଧାନୀରେ ଅପରାଧ ପାଇଁ ପୃଷ୍ଠଭୂମି ଯୋଗାଉଥିବା ଅଭିଯୋଗ ହେଉଛି। ଫଳରେ କେଉଁଠି ଡାନ୍ସ ବାର୍‌‌ରେ ଗୁଳି ଫୁଟିଲାଣି ତ ପୁଣି କେଉଁଠି ଖଣ୍ଡା ବୁଲିଲାଣି। 

Advertisment

ଅବକାରୀ ରୁଲ ୪୪ (୪) ଏବଂ ରୁଲ ୧୬୪ ଅନୁସାରେ ଡାନ୍ସ ବାର୍‌, ହୋଟେଲ ଓ ରେସ୍ତୋରାଁଗୁଡ଼ିକ ଦିନ ୧୨ରୁ ରାତି ୧୨ ପର୍ଯନ୍ତ ଚଳାଇବା ପାଇଁ  ନିୟମ ରହିଛି। ମାତ୍ର ଡାନ୍ସ ବାର୍‌, ଠିପିଖୋଲା ରେସ୍ତୋରାଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲେ, ସେଥିପାଇଁ ସ୍ବତନ୍ତ୍ର ଅନୁମତିର ଆବଶ୍ୟକତା ପଡ଼ିଥାଏ। ରାତି ୧.୩୦ ପର୍ଯ୍ୟନ୍ତ ଚଳାଇବା ପାଇଁ ଜିଲ୍ଲାପାଳଙ୍କଠାରୁ ଅନୁମତି ଆଣିବା ପରେ ଅବକାରୀ ଅଧୀକ୍ଷକ ଏଥିପାଇଁ ଅନୁମତି ଦେଇଥାନ୍ତି। ନିୟମ ଅନୁସାରେ ୭ ଦିନ ଆଗରୁ ଏଥିପାଇଁ ଆବେଦନ କରିବାସହ ୫ହଜାର ଟଙ୍କା ଜମା  କରିବାକୁ ପଡ଼ିଥାଏ। ଏହି ଅନୁମତି ଅତି ସହଜରେ ଅଧିକାଂଶ ଡାନ୍ସ ବାର୍‌ ଓ ଠିପି ଖୋଲା ରେସ୍ତୋରାଁ ପାଇପାରୁଛନ୍ତି। ଆଉ ରାତି ୧.୩୦  ପର୍ଯନ୍ତ କାରବାର କରିବା ନାଁରେ ଅନେକ ସମୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଗୁଡ଼ିକ ଚାଲୁଛି। ଗତ ବର୍ଷକର ତଥ୍ୟ କହୁଛି, ୯ଟି ଡାନ୍ସ ବାର୍‌  ଅବକାରୀ ରୁଲ୍‌ ୪୪ (୪).  ରୁଲ୍‌ ୧୬୪  ଉଲ୍ଲଂଘନ କରି ତଣ୍ଡ ଗଣିଛନ୍ତି।  ଅଧିକାଂଶ ଡାନ୍ସ ବାର୍‌ ୫୦ହଜାର ଟଙ୍କା ଜରିମାନା ଦେଇଛନ୍ତି।  ୯ଟି ଡାନ୍ସ ବାର୍‌ ପ୍ରାୟ ୭ ଲକ୍ଷ ଟଙ୍କା ଓ ୧୮ଟି  ଠିପି ଖାଲା ରେସ୍ତୋରାଁ ନିୟମ ଉଲ୍ଲଂଘନ ଅଭିଯୋଗରେ ୯ ଲକ୍ଷ ଟଙ୍କାର ତଣ୍ଡ ଗଣିଛନ୍ତି। ଅବକାରୀ ବିଭାଗ  କେବଳ ନିକ କାର୍ଯ୍ୟକଳାପ ଜରିମାନା ଆଦାୟ ଭିତରେ ସୀମିତ ରଖିଥିବା ବେଳେ ବିଳମ୍ବିତ ରାତିରେ ସହରର ବିଭିନ୍ନ ବାର୍‌‌ରେ ଅପରାଧିକ ଘଟଣାମାନ ଘଟିଚାଲିଛି। ନିକଟରେ କସ୍‌ମସ୍‌ ବାର୍‌ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବାକୁ ନେଇ ଗୁଲିକାଣ୍ଡ ହୋଇଥିଲା। ବଡଗଡ ଥାନା ଅଞ୍ଚଳରେ ଥିବା ଏକ ବାର୍‌‌ରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ଓ ବାର୍‌ ଭିତରେ ଖଣ୍ଡା ବୁଲିଥିଲା। ଗୋଟିଏ ପରେ ଗୋଟିଏ ଘଟଣା ସାମ୍‌ନାକୁ ଆସିବା ପରେ ପୁଲିସ ଏବେ ଏହାକୁ ଗୁରୁତ୍ବର ସହ ନେଇଛି। ଅବକାରୀ ବିଭାଗ ସହ ମିଶି ଏକ ଠୋସ୍‌ ପଦକ୍ଷେପ ନେବାକୁ ପୁଲିସ କମିସନର ନିଷ୍ପତ୍ତି ନେଇଛନ୍ତି। ଏସମ୍ପର୍କରେ ପୁଲିସ କମିସନର୍‌ ଏସ୍‌ ଦେବଦତ୍ତ ସିଂହ କହିଛନ୍ତି ଯେ  ଆଇନ ଉଲ୍ଲଂଘନ କରି ଯେଉଁ ବାର୍‌, ରେସ୍ତୋରାଁ ବିଳମ୍ବିତ ରାତିରେ ଚାଲୁଛି ଏବଂ ସେଠାରେ ଗଣ୍ଡଗୋଳ ହେଉଛି, ସେଗୁଡ଼ିକୁ ଆମେ ନଜରରେ ରଖିଛୁ। ସେମାନଙ୍କୁ ଦିଆଯାଉଥିବା ଏନ୍‌ଓସି ଉପରେ କଟକଣା ଲଗାଇବାକୁ ଆମେ ଯୋଜନା କରୁଛୁ ବୋଲି କମିସନର ଶ୍ରୀ ସିଂହ କହିଛନ୍ତି।