ଜୀବନ ରଙ୍ଗ: ଫେରିଛି ପିଠା ରାଜୁତି

ପିଠା…। ଓଡ଼ିଆ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ରଜକୁ ପୋଡ଼ପିଠା, ସାତପୁରୀ ଅମାବାସ୍ୟାରେ କାକରା, ମାଣବସାକୁ ମଣ୍ଡା…। ଜନ୍ମ ଦିନ, ଜ୍ବାଇଁ ଡାକରାରେ ମଣ୍ଡା, ଗଇଁଠା, ଆରିଷା, କାକରା, କରଞ୍ଜି ଆଦି ଭଳିକି ଭଳି ପିଠା ସଜା ହୁଏ। ପିଠା ଖାଇବାକୁ ଓଡ଼ିଆଙ୍କୁ କୌଣସି ବାହାନାର ଆବଶ୍ୟକ ପଡ଼େ ନାହିଁ। ପ୍ରତିଟି ଖୁସିର ମୁହୂର୍ତକୁ ପିଠା ଆଉ ଟିକେ ସ୍ବତନ୍ତ୍ର କରିଦିଏ। କିଛି ବର୍ଷ ତଳେ ଫାଷ୍ଟଫୁଡ୍‌ର ଚାକଚକ୍ୟ‌ରେ ପିଠା ସାମୟିକ ସମୟ ପାଇଁ ଚମକ ହରାଇଥିଲା। କିନ୍ତୁ ସମୟ ବଦଳିବା ସହ ପିଠା ନିଜ ଅସ୍ତିତ୍ବକୁ ପୁଣିଥରେ ଜାହିର୍‌ କରିବାରେ ସକ୍ଷମ ହୋଇପାରିଛି। ଏବେ ସହରରେ ପଡ଼ୁଥିବା ବିଭିନ୍ନ ମେଳା ମହୋତ୍ସବ‌ରେ ପିଠା ଷ୍ଟଲ ପାଖେ ଅସମ୍ଭାଳ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି।

ଛୁଆଙ୍କ ପାଇଁ ଚକୋଲେଟ୍‌ ମଣ୍ଡା

ଆଗକୁ ଆସୁଛି ଓଡ଼ିଆଙ୍କ ବଡ଼ ପର୍ବ ‘ରଜ’। ଏବେଠାରୁ ଗ୍ରାହକଙ୍କୁ ରଜ ପିଠା ପରଶିବାକୁ ବ୍ୟବସାୟୀ ସଜବାଜ ହେଲେଣି। କିଛି ସ୍ବୟଂସହାୟକ ଗୋଷ୍ଠୀ ଏକାଠି ହୋଇ ପିଠା ବିକ୍ରି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ‌ବେଳେ ହୋଟେଲ, ରେସ୍ତୋରାଁ ଓ ପାନ୍ଥନିବାସରେ ମଧ୍ୟ ପ୍ରସ୍ତୁତି ଜୋର୍‌ ଧରିଛି। ରଜକୁ ଲକ୍ଷ୍ୟ କରି ୧୦୦ଜଣ ମହିଳା ଏକାଠି ହୋଇ ଆରମ୍ଭ କରିଛନ୍ତି ‘ପିଠା ଘର’। କିଛି ଯୁବତୀଙ୍କ ସହ ୪ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ପ୍ରସ୍ତୁତ ଏହି ‘ପିଠା ଘର’ ପୋଡ଼ ପିଠାଠାରୁ ଆରମ୍ଭ କରି କାକରା, ଆରିଷା, କରଞ୍ଜି ଓ ୩ ପ୍ରକାରର ମଣ୍ଡା ପିଠା ପ୍ରସ୍ତୁତ କରୁଛନ୍ତି। ପିଠା ଘରର ସହପ୍ରତିଷ୍ଠାତ୍ରୀ ସୁଶ୍ରୀ ଶୈଲନି ସୁମନ କହିଛନ୍ତି, ଆମ ପାରମ୍ପରିକ ପିଠାର ସ୍ବାଦ କୌଣସି ବିଦେଶୀ ଖାଦ୍ୟ ଦେଇପାରିବେ ନାହିଁ। ଆମ ଯୁବପିଢ଼ି ଓ ଛୋଟ‌ ଛୁଆଙ୍କୁ ପିଠା ଆଡ଼କୁ ଆକର୍ଷିତ କରିବାକୁ ପ୍ରସ୍ତୁତି ଚଳାଇଛୁ। ଛୋଟ ପିଲାମାନେ ମୋମୋ ଆଡ଼କୁ ଅଧିକ ଆକର୍ଷିତ ହେଉଥିବାରୁ ଏଥରକ ସେମାନଙ୍କୁ ଚକୋଲେଟ୍‌ ମଣ୍ଡା ପରଷିବାକୁ ଯୋଜନା କରିଛୁ। ଏଥିରେ ନଡ଼ିଆ ବା ମୁଗ ପୂର ବଦଳରେ ଚକୋଲେଟ୍‌ର ପୂର ଦିଆଯାଇଥାଏ ଓ ଏହା ଛୁଆମାନଙ୍କୁ ବେଶ୍‌ ଆକର୍ଷିତ କରିବ ବୋଲି ଭାବୁଛି। ଏହାଛଡ଼‌ା ନଡ଼ିଆ ଓ ମୁଗ ପୂର ଦିଆ ମଣ୍ଡାର ଚାହିଦା ମଧ୍ୟ ଗ୍ରାହକଙ୍କ ମଧ୍ୟରେ ବେଶ୍ ରହିଥିବା ସେ କହିଛନ୍ତି।

ପିଠାରେ ରାଜା ଗୁଡ଼ ପୋଡ଼ପିଠା

ପୋଡ଼ ପିଠା ଖାଇବାର ମଜା ସବୁଠୁ ନିଆରା। କିନ୍ତୁ ପ୍ରସ୍ତୁତି ପ୍ରକ୍ରିୟା ବେଶ୍‌ ଜଟିଳ। ରାଜଧାନୀର ବ୍ୟସ୍ତବହୁଳ ଜୀବନଶୈଳୀ ଓ ଅଧିକ ସଂଖ୍ୟକ ହଷ୍ଟେଲ ପିଲାଙ୍କ ଯୋଗୁଁ ଏଠାରେ ପୋଡ଼ପିଠା ବେପାର ଜୋରସୋର୍‌ରେ ଚାଲେ। ଖାଲି ରଜ ନୁହେଁ, ଅନ୍ୟ ମେଳା, ମହୋତ୍ସବରେ ମଧ୍ୟ ପୋଡ଼ ପିଠାର ଭାରି ଚାହିଦା ରହିଥାଏ। ସୁମନ କହିଛନ୍ତି, ରଜ ପାଇଁ ଏବେଠୁ ଆମ ପାଖକୁ ପିଠା ବରାଦ ଆରମ୍ଭ ହେଲାଣି। ବିଶେଷକରି ପୋଡ଼ ପିଠା ବରାଦ ଅଧିକ ଆସୁଛି। ରାଜଧାନୀବାସୀ ଚିନି ଅପେକ୍ଷା ଅଧିକ ଗୁଡ଼ ପୋଡ଼ ପିଠାକୁ ପସନ୍ଦ କରୁଛନ୍ତି। ଏହାର ଦାମ୍‌ ୨୫୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିଭଳି ନଡ଼ିଆ ଓ ଛେନା ପୂର ଦିଆ କାକରା, ମଣ୍ଡାର ଚାହିଦା ବି ବେଶ୍‌ ଅଧିକ ବୋଲି ସେ କହିଛନ୍ତି। ତେବେ ରଜକୁ ସେ ୨୯୯ଟଙ୍କାରୁ ଆରମ୍ଭ କରି ୧୪୯୯ ଟଙ୍କା ପର୍ଯ୍ୟନ୍ତ ୪ଟି ପ୍ୟାକେଜ୍‌ରେ ସମସ୍ତ ପିଠା କଟକ, ଭୁବନେଶ୍ବର ଓ ଖୋର୍ଧା ଲୋକଙ୍କୁ ଯୋଗାଇଦେବେ ବୋଲି କହିଛନ୍ତି। ପିଠା ସହ ରଜ ପାନର ବି ମଜା ଏହି ପ୍ୟାକେଜ୍‌ରେ ମିଳିବ ବୋଲି ସୁମନ କହିଛନ୍ତି।

ଇନ୍‌ଷ୍ଟାରେ ବି ଓଡ଼ିଆ ପିଠା ବ୍ଲଗିଂ

ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ସଫ୍ଟୱେୟାର ଇଂଜିନିୟର୍‌ ପ୍ରୀତିଶା ଦାଶ ଇନ୍‌ଷ୍ଟାରେ ବ୍ଲଗ୍‌ ଲେଖୁଛନ୍ତି। ଓଡ଼ିଶାର ପାରମ୍ପରିକ ପିଠା ଯଥା କ୍ଷୀର ପୋଡ଼ପିଠା, ବିଭିନ୍ନ ପ୍ରକାର ଚାଉଳ, ବିରି, ଗୁଡ଼ ଚିନି ଆଦିରେ ପ୍ରସ୍ତୁତ ପୋଡ଼ପିଠା, ମଣ୍ଡା, କାକରା, ଆରିଷା, କରଞ୍ଜି, ଚନ୍ଦ୍ରକାନ୍ତି, ଚକୁଳି, ପୁଳି, ଆଦିବାସୀ ଦ୍ବାରାଙ୍କ ପ୍ରସ୍ତୁତ ବିଭିନ୍ନ ସିଝା ପିଠା ଆଦିର ଇତିହାସ, ପ୍ରସ୍ତୁତି ପ୍ରଣାଳୀ, କେଉଁ ପର୍ବରେ କେଉଁ ପିଠା ପ୍ରସ୍ତୁତ ହୁଏ; ଏହାର ରୀତିନୀତି, ମାହତ୍ମ୍ୟ ଆଦି ସମ୍ପର୍କରେ ଲେଖି ଏହାର ସୁନ୍ଦର ଫଟୋ ସହ ‘ଦ ଆର୍ଟ ଅଫ୍‌ କମ୍ଫର୍ଟ ଇଟିଂ’ ଶୀର୍ଷକ ଇନ୍‌ଷ୍ଟ୍ରାଗ୍ରାମ୍‌ ସାଇଟ୍‌ରେ ଅପ୍‌ଲୋଡ୍‌ କରୁଛନ୍ତି। ସେ କୁହନ୍ତି, ଏହା ଦ୍ବାରା ଆଜିର ଯୁବପିଢ଼ିଙ୍କ ସମେତ ରାଜ୍ୟ ବାହାର ଲୋକମାନେ ଓଡ଼ିଶାର ବାର ମାସର ତେର ପର୍ବ ଓ ଏହାସହ ଜଡ଼ିତ ପିଠା ପରମ୍ପରା ଉପରେ କିଛି ଜାଣିବାର ସୁଯୋଗ ପାଉଛନ୍ତି।

ପଛରେ ପଡ଼ିନି ମାଣ୍ଡିଆ

cookpad.com

୩/୪ ବର୍ଷ ହେଲା ରାଜଧାନୀରେ ହଠାତ୍‌ ମାଣ୍ଡିଆ ପ୍ରସ୍ତୁତ ପିଠାର ଚାହିଦା ବଢ଼ିଯାଇଛି। ମାଣ୍ଡିଆ ପୋଡ଼ ପିଠା, ମାଣ୍ଡିଆ ମଣ୍ଡା, କାକରା, ଆରିଷା, ମା‌ଣ୍ଡିଆ ଗଜା, ରୋଜ୍‌କେକ୍‌, ଖେଚୁଡ଼ି, କରଞ୍ଜି ଓ ଲଡୁ ଆଦି ମାଣ୍ଡିଆ ତିଆରି ମିଠା, ପିଠାର ଚାହିଦା ବଢ଼ିଛି। ଆଦିବାସୀ ମେଳା, ତୋଷାଳି, ଶିଶିର ସରସ, ବିଭିନ୍ନ ବାଣିଜ୍ୟ ମେଳା ଆଦିରେ ମିଲେଟ୍‌ କାଫେଷ୍ଟଲ ଲୋକଙ୍କୁ ଆକର୍ଷିତ କରେ। ପେଟ ଥଣ୍ଡା ସହ ଏହି ପାରମ୍ପରିକ ପିଠା ସହରିଆଙ୍କୁ ଗାଁ ଅନୁଭୂତି ଦିଏ। ମାଣ୍ଡିଆ ମଣ୍ଡାରେ ମୁଗ, ବୁଟ ଓ ନଡ଼ିଆ ପୂର ଦିଆଯାଉଥିବା ବେଳେ ଏହି ପିଠାର ଚାହିଦା ଲୋକଙ୍କ ମଧ୍ୟରେ ରହିଛି। ସମସ୍ତ ପିଠା ଗୋଟା ୨୦ଟଙ୍କା ହୋଇଥିବା ବେଳେ ମାଣ୍ଡିଆ ପୋଡ଼ପିଠା ଦାମ୍‌ ୨୦୦ରୁ ୨୫୦ ଟଙ୍କା ମଧ୍ୟରେ ରହିଛି ବୋଲି ଶକ୍ତିମୟୀ ମହିଳା ମହାସଂଘର ସଭାପତି ପଦ୍ମାଳୟା ମହାନ୍ତି କହିଛନ୍ତି। କୃଷିଭବନଠାରେ ଥିବା ଆଉଡ୍‌ଲେଟ୍‌ରେ ୪୦ରୁ ଅଧିକ ମାଣ୍ଡିଆ ପ୍ରସ୍ତୁତ ପିଠା ଓ ଖାଦ୍ୟ ସାମଗ୍ରୀ ମିଳେ। ସେଥିମଧ୍ୟରୁ ପିଠାର ଚାହିଦା ଅଧିକ।

ସମ୍ବନ୍ଧିତ ଖବର