ବାଉଁଶ ପୋଡ଼ା ଚିକେନ୍‌

Advertisment

ବାଉଁଶ ନଳୀରେ ଚିକେନ୍‌ ପୋଡ଼ା। ବିନା ତେଲରେ ବାଉଁଶ ପୋଡ଼ା ଚିକେନ୍‌ର ମଜା ଯେତିକି ସ୍ୱାଦିଷ୍ଟ, ସେତିକି ନିଆରା। ଚିକେନ୍‌ ସାଙ୍ଗକୁ ଦହି, ଜିରା, ଧନିଆ, ଚିଲି ପାଉଡର, ଚିକେନ୍‌ ମସଲା, ଅଦା ରସୁଣ ପେଷ୍ଟ୍‍, ପୋଦିନା ଓ ଧନିଆ ପତ୍ରକୁ ନେଇ ବାଉଁଶ ନଳୀରେ ଏହାକୁ ୪୫ ମିନିଟ୍‌ ପୋଡ଼ି ପରସାଯାଏ। ତେଲ ପଡ଼ୁନଥିଲେ ହେଁ ବାଉଁଶ ନଳୀରୁ ବାହାରୁଥିବା ପାଣିରେ ଏହା ସିଝିବା ପରେ ମାଂସ ସାଙ୍ଗକୁ ବାଉଁଶର ମିଠା ବାସ୍ନା ସ୍ୱାଦକୁ ଦ୍ୱିଗୁଣିତ କରିଦିଏ। ସଂପ୍ରତି ରାଜଧାନୀରେ ଗ୍ରିନ୍‌ ଚିଲିଜ୍‌ର ୯ଟି ଷ୍ଟୋର୍‌ରେ ଏହା ଉପଲବ୍ଧ ହେଉଥିବା ବେଳେ ଆହୁରି କିଛି ରେଷ୍ଟୁରାଣ୍ଟ୍‌ ବି ଏହି ବାମ୍ବୋ ଚିକେନ୍‌ର ସ୍ୱାଦ ଦେଉଛନ୍ତି। ଗ୍ରିନ୍‌ ଚିଲିଜ୍‌ରେ ଏହାର ଦର ୪୦୦ ଗ୍ରାମ ପ୍ରତି ୨୦୦ ଟଙ୍କା ରହିଛି। ଗୋଟିଏ ନଳୀରେ ୪୦୦ ଗ୍ରାମ ହିଁ ପ୍ରସ୍ତୁତ ହୋଇପାରୁଥିବା ବେଳେ ୩ ବର୍ଷ ହେବ ଏହାର ଢେର୍‌ ଡିମାଣ୍ଡ୍‌ ବୋଲି କହିଛନ୍ତି ମାଷ୍ଟରକ୍ୟାଣ୍ଟିନ୍‌ ଷ୍ଟୋର୍‌ର ପରିଚାଳକ ପପୁ ମଲ୍ଲିକ। ବାମ୍ବୋ ଚିକେନ୍‌ ପ୍ଲେଟ୍‌ରେ ସଜଡ଼ା ଯିବା ପରେ ପିଆଜ, ଲେମ୍ବୁ ଓ ପୋଦିନା ଚଟଣୀ ସହ ଏହାକୁ ଦେଖିବା ମାତ୍ରେ ହିଁ ପାଟିରେ ପାଣି ଆସିଯାଏ। ଓବରେଇ ମେସିନ୍‌ ଜରିଆରେ ପ୍ରତ୍ୟେକ ଥର ୪୫ ମିନିଟ୍‌ରେ ୨କେଜି ବାମ୍ବୋ ଚିକେନ୍‌ ପ୍ରସ୍ତୁତ ହେଉଥିବା ବେଳେ ପ୍ରତ୍ୟେକ ଦିନ ୫ରୁ ୬କେଜି ବିକ୍ରି ହୁଏ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ଆପଣ ଯଦି ଚିକେନ୍‌ ପ୍ରିୟ ତେବେ ବାମ୍ବୋ ଚିକେନ୍‌ର ମଜା ତ ଆପଣଙ୍କୁ ନିଶ୍ଚେ ନେବାକୁ ପଡ଼ିବ..

ଯୁବା : ଫେସ୍‌ବୁକ୍‌ରେ ଜେକେଆରଙ୍କ କମେଡି ଛୁଙ୍କ

publive-imageଫେସ୍‌ବୁକ୍‌, ୟୁଟ୍ୟୁବ୍‌ରେ ଛାଇଗଲେଣି ଜୟନ୍ତ କୁମାର ରାଉତ ଓରଫ୍‌ ଜେକେଆର। ପେସାରେ ଇଞ୍ଜିନିୟର ଜେକେଆର ପଟିଆସ୍ଥିତ ଏକ୍ସିଲାଣ୍ଟ୍‌ ଟେକ୍‌ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ରେ ପ୍ରୋଗ୍ରାମ ଆନାଲିଷ୍ଟ ଭାବେ କାର୍ଯ୍ୟରତ। କିନ୍ତୁ ନିଶା ଲୋକଙ୍କୁ ହସେଇବା । ହସେଇ ହସେଇ ସମାଜକୁ କିଛି ବାର୍ତା ଦେବା। ଅତି ସାଧାରଣ କଥାକୁ ସେ ବେଶ ଚମତ୍କାର ଭାବେ ହାସ୍ୟରସର ଛୁଙ୍କ ଦେଇ ବର୍ଣ୍ଣନା କରନ୍ତି ଜେକେଆର୍‌। ତାଙ୍କର ଅଧିକାଂଶ କମେଡି ଭିଡଓରେ ସେ ଏକା ହିଁ ସମସ୍ତ ଚରତ୍ର ନିଭାଇଥା’ନ୍ତି। ପ୍ରାୟ ଏକ ବର୍ଷ ହେବ ସେ ଏପରି ଭିଡିଓ ପ୍ରସ୍ତୁତ କରି ନିଜ ଫେସ୍‌ବୁକ୍‌ ପୃଷ୍ଠା ‘ହଟା ସାଓ୍ଵନ କି ଘଟା’ ଜରିଆରେ ଛାଡ଼ୁଛନ୍ତି। ଯାହାକୁ ବିପୁଳ ମାତ୍ରାରେ ଲୋକ ପସନ୍ଦ କରିଛନ୍ତି। ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ନିକଟରେ ଜେକେଆର ଜଣେ ପରିଚିତ ଚେହେରା। ଏ ପର୍ଯ୍ୟନ୍ତ ସେ ପଚାଶରୁ ଅଧିକ ଭିଡିଓ ପ୍ରସ୍ତୁତ କରିସାରିଲେଣି। ବାଲେଶ୍ୱରରେ ଜନ୍ମିତ ଜେକେଆର କଳିଙ୍ଗ ପଲିଟେକ୍‌ନିକ୍‌ରୁ ଡିପ୍ଲୋମା ଓ ଆଇଟିଇଆରରୁ ବିଟେକ୍‌ ଶିକ୍ଷା ସମାପ୍ତ କରିଛନ୍ତି। ଏ କ୍ଷେତ୍ରରେ ବାପା ବସନ୍ତ କୁମାର ରାଉତ ତାଙ୍କର ପ୍ରେରଣା ବୋଲି କୁହନ୍ତି ଜେକେଆର୍‌।

ଅଭୁଲା ଚଗଲା ଦିନ : ଅକ୍ଷୟ ଭାଇଙ୍କର ମୁଁ ଥିଲି ଗେଜେଟେଡ୍‌ ଚାମ୍‌ଚା

publive-imageକିଶୁ ପାନଦୋକାନ ଆଗରେ ଅକ୍ଷୟ ଭାଇ ଗୋଟେ ସୌରମଣ୍ଡଳ ତିଆରି କରିଥିଲେ। ସେ ଥିଲେ ସୂର୍ଯ୍ୟ। ତାଙ୍କ ଆଖପାଖରେ ଆମେ ଥିଲୁ ଗ୍ରହ ଉପଗ୍ରହ। ତା ଭିତରେ ମୁଁ ବି ଥିଲି। ଆମମାନଙ୍କୁ କେହିକେହି କହୁଥିଲେ ଇଏ ସବୁ ଅକ୍ଷୟର ଚାମ୍‌ଚା। ତେବେ ମୁଁ ପ୍ରଶାସକ ଥିଲି ବୋଲି ଅକ୍ଷୟ ଭାଇ ମତେ କହୁଥିଲେ, ତୁ ମୋ’ର ଗେଜେଟେଡ୍‌ ଚାମ୍‌ଚା। ସତ କିହଲେ, ଅକ୍ଷୟ ମହାନ୍ତିଙ୍କ ଏ କଥାରେ ମୁଁ ଭାରି ଗର୍ବ ଅନୁଭବ କରିଥିଲି ବୋଲି କହନ୍ତି ବିଶିଷ୍ଟ ଗୀତିକାର ତଥା ପୂର୍ବତନ କୁଳପତି ଦେବଦାସ ଛୋଟରାୟ। ତେବେ ଅକ୍ଷୟ ଭାଇଙ୍କ ଝିଅ ବାହାଘର ବେଳେ ଡାଲି ସରିଯିବା ପରେ ବାହାଘର ସ୍ଥଳ ଛାଡ଼ି ଆମେ କଟକରେ ରିକ୍ସାରେ ବୁଲିବୁଲି ସୁରାପାନ କରିଥିଲୁ। ସେସବୁ ଦିନ ଭୁଲି ହବନି।

ପାକିସ୍ତାନକୁ ପାନେ ପାଇବନି, ଆହୁରି ଦରକାର

publive-imageସବୁଦିନ ଭଳି ଗୁରୁବାର ସନ୍ଧ୍ୟାରେ ବି କଳିଙ୍ଗବିହାର ସନ୍ତୋଷ ପାନ ଦୋକାନ ଆଗରେ ଜମିଥିଲା ଖଟି। ଦୀର୍ଘ ଚାକିରି ଜୀବନ ପରେ ଅବସର ନେଇ ସାରିଥିବା ଏହି ବରିଷ୍ଠ ନାଗରିକମାନଙ୍କ ସାନ୍ଧ୍ୟ ଆସରରେ ପଡ଼େ ଢିଙ୍କିଶାଳରୁ ଢେଙ୍କାନାଳ ଯାଏଁ କଥା। ରାଜନୀତିରୁ ଆରମ୍ଭ କରି ସମାଜର ଯୁବନୀତି ଯାଏଁ ହୁଏ ଆଲୋଚନା। ବଡ଼ ମଜାଦାର୍‌ ଏହି ଖଟି। ଏଥିରେ ଅଛନ୍ତି ବ୍ୟଙ୍ଗକବି ଭାବେ ଜଣାଶୁଣା ଅନନ୍ତ ବାବୁ ଓ ସୁନ୍ଦର ଭଜନ ଗାଉଥିବା ରାଜକିଶୋର ବାବୁ। ସେହିଭଳି ସବୁ ବରିଷ୍ଠ ନାଗରିକମାନଙ୍କ ଭିତରେ ନିଜକୁ ସାମିଲ୍‌ କରିଛନ୍ତି ଜଣେ ଯୁବ ବ୍ୟବସାୟୀ ରମାକାନ୍ତ। ତେଣୁ ବୟସ୍କ ଓ ଯୁବକ ମିଶା ଏହି ଖଟି ବେଶ୍‌ ଜମିଯାଏ ପ୍ରାୟ ଘଣ୍ଟେ ଦେଢ଼ ଘଣ୍ଟା ଧରି।

ଗୁରୁବାର ସନ୍ଧ୍ୟାରେ ପ୍ରଥମେ ଆରମ୍ଭ ହୋଇଥିଲା ମହାନଦୀ ପ୍ରସଙ୍ଗକୁ ନେଇ ଆଲୋଚନା। ମହାନଦୀରେ ଓଡ଼ିଶା ସରକାର ଆଉ କେତୋଟି ବ୍ୟାରେଜ୍‌ ନିର୍ମାଣ କଥା କହୁଥିଲେ ଜ୍ଞାନାନନ୍ଦବାବୁ। ତେବେ ଏତିକିବେଳେ ଉଠିଲା ପାକିସ୍ତାନ ପ୍ରସଙ୍ଗ। କୁଳଭୂଷଣଙ୍କ ମା’ ଓ ପତ୍ନୀଙ୍କୁ ପାକିସ୍ତାନର ଅପମାନସୂଚକ ବ୍ୟବହାର ଉପରେ ଚାଲିଲା ଆଲୋଚନା। ରାମଚନ୍ଦ୍ରବାବୁ ଓ ରମାକାନ୍ତବାବୁ ଘୋର ନିନ୍ଦା କଲେ ପାକିସ୍ତାନକୁ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମରିକ ସହାୟତା ବନ୍ଦ ଉପରେ ଭବାନୀଶଙ୍କର ବାବୁ କହିଲେ, ‘ଏଭଳି ପଦକ୍ଷେପ ଆହୁରି ଆଗରୁ ନେବାର ଥିଲା। ତେବେ ଯା’ ହେଉ ଭାରତର ଅଭିଯୋଗକୁ ଏବେ ଆମେରିକା ହୃଦୟଙ୍ଗମ କଲା ଓ ପାକିସ୍ତାନକୁ ସାମରିକ ସହାୟତା ବନ୍ଦ କଲା, ବେଶ୍‌ ବଡ଼ କଥା’।

ବ୍ୟଙ୍ଗ କବିତାରେ ଅନନ୍ତବାବୁ ପାକିସ୍ତାନକୁ ପାନେ ନୁହେଁ, କଡ଼ା ପାନ ଦରକାର ବୋଲି କହି ପ୍ରସଙ୍ଗକୁ ଜମେଇ ଦେଇଥିଲେ। ଇଲାବନ୍ତବାବୁ ମଝିରେ କଥା ଛଡ଼େଇ କହିଲେ,‘ଏଇ ତ ଆରମ୍ଭ! ଦେଖନ୍ତୁ ଆଗକୁ କ’ଣ ହେଉଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ପଦକ୍ଷେପ ପାକିସ୍ତାନର ମେରୁଦଣ୍ଡ ଭାଙ୍ଗିଦେବ। ସାବାଡ୍‌ ହେଇଯିବ।’ ଟିକିଏ ସଂଶୟ ପ୍ରକାଶ ରାମଚନ୍ଦ୍ର ବାବୁ କହିଲେ, ‘ଆମେରିକା ତ ନିଜେ ଦୁଧ ଦେଇ ସାପକୁ ପୋଷିଥିଲା। ଏବେ ଚେତୁଛି! ସତରେ ଏଥିରେ ପାକିସ୍ତାନ କ’ଣ ସାବାଡ୍‌ ହେବ? ହଉ ଆଗକୁ ଦେଖିବା କ’ଣ ହେଉଛି!’ ଏମିତିରେ କଥା ଚାଲିଥିବା ବେଳେ ରାତି ବଢ଼ୁଥିଲା ଓ ଶୀତ ବି ବଢ଼ୁଥିଲା। ତେଣୁ ପ୍ରଥମରୁ ଚୁପ୍‌ଚାପ ବସି କଥା ଶୁଣୁଥିବା ରାଜକିଶୋର ବାବୁ ଖଟି ସାରିବାକୁ ଅନୁମତି ମାଗିଲେ। ସମସ୍ତେ ତାଙ୍କ କଥାରେ ସମ୍ମତି ଦେବା ମାତ୍ରେ ସବୁଦିନ ଭଳି ରାଜକିଶୋର ବାବୁ ଏକ ଭଜନ ଗାଇଲେ, କୌନ୍‌ କେହେତା ହୈ, ଭଗବାନ୍‌ ଖାତେ ନେହିଁ, ଶବରୀ ଜୈସେ...’