ଫେରୁଛି ନନ୍ଦନକାନନ ସୌନ୍ଦର୍ଯ୍ୟ

ଭୁବନେଶ୍ବର: ମାସେ ତଳେ ଆଘାତ ଦେଇ ‘ଫନି’ ତା’ ବାଟରେ ଚାଲିଗଲା। ଏସିଆ ମହାଦେଶର ସବୁଠାରୁ ବଡ଼ ଚିଡ଼ିଆଖାନା ‘ନନ୍ଦନକାନନ’ ବି ଏଥିରୁ ବର୍ତିନଥିଲା। ‘ଫନି’ ମାଡ଼ରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା। କେଉଁଠି ବିଶାଳ ଗଛ ମୂଳରୁ ଉପୁଡ଼ି ପଡ଼ିଥିଲା ତ କେଉଁଠି ଅଧାରୁ ଭାଙ୍ଗି ଯାଇଥିବା ଗଛର ଥୁଣ୍ଟା ଅଂଶ ଉପରକୁ ମୁଣ୍ଡ ଟେକି ଦୁର୍ଦଶା ଦର୍ଶାଉଥିଲା। ଯେଉଁ ଜୀବଜନ୍ତୁ ପ୍ରାକୃତିକ ଜଙ୍ଗଲର ଦୁଃଖକୁ ଭୁଲି ଏହି ଚିଡ଼ିଆଖାନାକୁ ଆଦରି ନେଇଥିଲେ ସେମାନଙ୍କ ବିକଳ ଅବସ୍ଥା ଆଖିରେ ଲୁହ ଆଣି ଦେଉଥିଲା। ତେବେ ସ୍ଥିତି ବଦଳିଛି। ମାସକ ମଧ୍ୟରେ ଅନେକ ପରିବର୍ତ୍ତନ ଘଟିଛି। ନନ୍ଦନକାନନ ତା’ର ସବୁଜିମା ଓ ସୌନ୍ଦର୍ଯ୍ୟକୁ ଫେରାଇ ଆଣିବାକୁ ପ୍ରୟାସ କରୁଛି। ଥୁଣ୍ଟା ଗଛରେ କଅଁଳିଆ ସବୁଜପତ୍ର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି। ପ୍ରାୟତଃ ସବୁ ଖୁଆଡ଼ରେ ପୂର୍ବ ପରି ପଶୁ ପକ୍ଷୀଙ୍କୁ ଦେଖିବାକୁ ମିଳିଛି।

ଅସଜଡ଼ା ବାଘ ଓ ସିଂହ ଖୁଆଡ଼
ଫନି ଯୋଗୁଁ ବାଘ ଖୁଆଡ଼ଠାରୁ ଆରମ୍ଭ କରି ସିଂହ, ଭାଲୁ, ହାତୀ, ତୃଣ‌ଭୋଜି ଖୁଆଡ଼ ଜାଲି ଭାଙ୍ଗି ଯାଇଥିଲା। ଖୁଆଡ଼ର ବାହାର ଓ ଭିତର ଗଛଗୁଡ଼ିକ ଭାଙ୍ଗି ଜାଲି ଉପରେ ଲଦି ହୋଇପଡ଼ିଥିଲା। କେତେକ ସ୍ଥାନରେ ଗଛ ପଡ଼ିବା ଯୋଗୁଁ ଜାଲି ମଧ୍ୟ ଭାଙ୍ଗି ଯାଇଥିଲା। ଯଦିଓ ଜାଲିଗୁଡ଼ିକୁ ସଜଡ଼ା ଯାଇଛି, ମାତ୍ର ଏବେ ବି ଅଧିକାଂଶ ଖୁଆଡ଼ ଅସଜଡ଼ା ଅବସ୍ଥାରେ ରହିଛି। ପୂର୍ବ ପରି ଅନେକ ଗଛ ଭାଙ୍ଗି ଝୁଲି ରହିଛି।

ସାଢ଼େ ୪ କୋଟିର କ୍ଷତି
ଫନି ଯୋଗୁଁ ୯୦୦ ଏକର ପରିମିତ ଜମିରେ ଥିବା ୪୦ ବର୍ଷର ଏହି ଉଦ୍ୟାନ ମାତ୍ର କେଇ ଘଣ୍ଟାରେ ଛାରଖାର ହୋଇଯାଇଥିଲା। ହଜାର ହଜାର ବଡ଼ ଗଛ ମୂଳରୁ ଉପୁଡ଼ି ଥିବା ବେଳେ ଅନେକ ଗଛ ଅଧାରୁ ଭାଙ୍ଗି ଯାଇଥିଲା। ଗଛ ପଡ଼ି ପଶୁପକ୍ଷୀଙ୍କ ଅନେକ ଖୁଆଡ଼ ନଷ୍ଟ ହୋଇଯାଇଥିଲା। ବିଦ୍ୟୁତ ଖୁଣ୍ଟ ଓ ତାର ଛିଣ୍ଡି ଯାଇଥିଲା। ପାଖାପାଖି ସାଢ଼େ ୪ କୋଟି ଟଙ୍କାର କ୍ଷତି ହୋଇଥିବା ନନ୍ଦନକାନନ କର୍ତୃପକ୍ଷ ଆକଳନ କରିଛନ୍ତି।

ଜମିଲାଣି ପର୍ଯ୍ୟଟକଙ୍କ ଭିଡ଼
ଦୀର୍ଘ ୧୫ ଦିନ ଧରି ପରିବେଶ ଓ ପଶୁପକ୍ଷୀ ପ୍ରେମୀଙ୍କୁ ଦୂରେଇ ରଖିଥିବା ନନ୍ଦନକାନନରେ ପୁଣି ହଜାର ହଜାର ପର୍ଯ୍ୟଟଙ୍କକୁ ଦେଖିବାକୁ ମଳିଛି। ଗତ ୨୧ ତାରିଖରେ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନକୁ ଖୋଲା ଯାଇଥିଲା। ୨୧ରୁ ଆଜି ପର୍ଯ୍ୟନ୍ତ ୩୮ ହଜାର ୪ଶହ ୪୬ଜଣ ପର୍ଯ୍ୟଟକ ଆସିଲେଣି। ପାଖାପାଖି ସାଢ଼େ ୨୨ଲକ୍ଷ ଟଙ୍କାର ରାଜସ୍ବ ମିଳି ପାରିଛି।

ଅଧା ଉପୁଡ଼ା ଗଛ ବିପଦ
ଏବେ ବି ନନ୍ଦନକାନନରେ ବହୁ ଭଙ୍ଗା ଓ ଅଧା ଉପୁଡ଼ା ଗଛ ପଡ଼ି ରହିଛି। ଯଦିଓ ଯୁଦ୍ଧକାଳୀନ ଭିତ୍ତିରେ ୭୦ ପ୍ରତିଶତ ଗଛ ଉଠାଇ ଦିଆଯାଇଛି, ହେଲେ ଖୁଆଡ଼ ୮୭ରେ ଥିବା ଜେବ୍ରା ଫିଞ୍ଚ ପକ୍ଷୀଘର, ମାଛଘର ଭଳି କେତେକ ଖୁଆଡ଼ ଉପରେ ଗଛଗୁଡ଼ିକ ଅଧା ଉପୁଡ଼ି ଲାଖି ରହିଛି। ଏହା ପ୍ରତି ଧ୍ୟାନ ନ ଦିଆଗଲେ ଘରଗୁଡ଼ିକ ଭାଙ୍ଗି ଯିବାର ଆଶଙ୍କା ରହିଛି। ଶିଶୁ ଉଦ୍ୟାନ ପଟୁ ଏକ ଅଧା ଉପୁଡ଼ା ଗଛ ମାଛ ଘର ଉପରେ ଶୋଇ ରହିଛି। ଏହା ତଳ ଦେଇ ପର୍ଯ୍ୟଟକ ଯିବା ଆସିବା କରୁଛନ୍ତି। କୌଣସି ମୁହୂର୍ତ୍ତରେ ଏହା ପଡ଼ିଗଲେ ବଡ଼ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇନପାରେ।

ସୁଧୁରିଲା ଶିଶୁ ଉଦ୍ୟାନ
ଫନି ପ୍ରଭାବରେ ଛାରଖାର ହୋଇପଡ଼ିଥିବା ଶିଶୁ ଉଦ୍ୟାନ ସୁଧୁରିଛି। ସେଠାରେ ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକୁ ଉଠାଇ ଦିଆଯାଇଛି। ସମସ୍ତ ଦୋଳିକୁ ପୂର୍ବ ପରି ପ୍ରସ୍ତୁତ କରାଯାଇଛି। ଯଦିଓ ଗଛଗୁଡ଼ିକ ଉପୁଡ଼ି ଯିବା ଯୋଗୁଁ ଆଉ ସେ ଛାଇ ନାହିଁ, ହେଲେ ପିଲାଙ୍କ ବ୍ୟବହାର ଉପେଯାଗୀ ହୋଇପାରିଛି।

ଖରା ଓ ବର୍ଷାରୁ ତ୍ରାହି ପାଇଲା ବିହଙ୍ଗ ସରଣୀ
ପବନ ମାଡ଼‌ରେ ବିହଙ୍ଗ ସରଣୀରେ ରହିଥିବା ହଳଦୀପିଠିଆ ଶୁଆ, ଫିଜାଣ୍ଟ, ପାଉଁଶିଆ ଆମେରିକୀୟ ଶୁଆ, ପ୍ରେମ ପକ୍ଷୀ, କକାଟୋ, କଳା ହିମ ଶାଗୁଣା, ମକାଓ, ମୟୂର, ଟୁ‌ରାକୋ ପ୍ରଭୃତି ଘର ଉପରୁ ବାଉଁଶ ଛପର ଉଡ଼ି ଯାଇଥିଲା। ଖରା ଓ ବର୍ଷା ବେଳେ ସାହା ହେଉଥିବା ଛପର ଉଡ଼ିଯିବା ଫଳରେ ପକ୍ଷୀଗୁଡ଼ିକ ଟାଇଁ ଟାଇଁ ଖରାରେ ଡହଳ ବିକଳ ହେଉଥିଲେ। ଏବେ ଛପର ସମ୍ପୂର୍ଣ୍ଣ ହୋଇଛି।

ସରୀସୃପ ଉଦ୍ୟାନରେ ଜମୁଛି ଭିଡ଼
ସରୀସୃପ ଉଦ୍ୟାନ ଉପରେ ବିରାଟ ଅଶ୍ବତ୍‌ଥ ବୃକ୍ଷ ଉପୁଡ଼ି ପଡ଼ିବା ପରେ ଏକପ୍ରକାର ଧ୍ବସ୍ତ ବିଧ୍ବସ୍ତ ହୋଇ ପଡ଼ିଥିଲା। ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ପୂର୍ବାବସ୍ଥାକୁ ଫେରାଇ ଅଣାଯାଇଛି। ସେଠାରେ ଥିବା ପାଣି ଗୋଧି ଘରଠାରୁ ଆରମ୍ଭ କରି ଅଜଗର, ବିଭିନ୍ନ ପ୍ରଜାତିର କୁମ୍ଭୀର, କଇଁଛ, ସାପ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିବା ଆରମ୍ଭ ହେଲାଣି।

ନିରାଶ କରୁଛି ବିନି ଖୁଆଡ଼
ପର୍ଯ୍ୟଟକଙ୍କୁ ନିରାଶ କରୁଛି ବିନି ଖୁଆଡ଼। ଅନେକ ପର୍ଯ୍ୟଟକ ବିନିର ମୃତ୍ୟୁ ଖବର ଜାଣି ନାହାଁନ୍ତି। ତେଣୁ ତାକୁ ଉତ୍କଣ୍ଠାର ସହ ଦେଖିବା ପାଇଁ ଆସୁଥିବା ‌ବେଳେ ତାର ମୃତ୍ୟୁ ଖବର ପାଇ ନିରାଶ ହେଉଛନ୍ତି।

ସମ୍ବନ୍ଧିତ ଖବର