ଭୁବନେଶ୍ୱର: ଗଣେଶଙ୍କ ଆରାଧନା ପରେ ଆରମ୍ଭ ହୋଇଛି ପାର୍ବଣ ଋତୁ। ପରକୁ ପର ବିଶ୍ୱକର୍ମା ପୂଜା, ଗଜଲକ୍ଷ୍ମୀ ପୂଜା, ଦୁର୍ଗା ପୂଜା, କାଳୀ ପୂଜା। ଏଥିସହ ଫେବ୍ରୁଆରି ମାସରେ ମା’ ସରସ୍ୱତୀଙ୍କ ପୂଜାର୍ଚ୍ଚନା କରାଯିବ। ତାହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଉପକଣ୍ଠରେ ଥିବା ନଦୀଗୁଡ଼ିକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଏଥର ଆଗୁଆ ପଦକ୍ଷେପ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ। ଅସ୍ଥାୟୀ ବଦଳରେ ୬ ମାସ ପାଇଁ ନଦୀ ଭିତରେ ପୋଖରୀ ଖୋଲିବାକୁ ଏଥର ନିଷ୍ପତ୍ତି ନେଇଛି ବିଏମ୍ସି। ପ୍ରତିବର୍ଷ ଦୁର୍ଗା ପୂଜା ସମୟରେ ମୂର୍ତ୍ତି ବିସର୍ଜନ ପାଇଁ ବିଏମ୍ସି ପକ୍ଷରୁ କୁଆଖାଇ ଓ ଦୟା ନଦୀରେ ୩ଟି ଅସ୍ଥାୟୀ ପୋଖରୀ କରାଯାଉଥିଲା। ଏଥର କିନ୍ତୁ ପରିବର୍ତନ କରାଯାଇଛି। ନଦୀକୁ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ କରିବା ପାଇଁ ଗଣେଶ ପୂଜାଠାରୁ ଅସ୍ଥାୟୀ ପୋଖରୀ ଖନନ ହୋଇଛି। ସେପ୍ଟେମ୍ବର ମାସରେ ଖୋଲା ଯାଇଥିବା ଏହି ପୋଖରୀ ୨୦୧୯ ଫେବ୍ରୁଆରି ପର୍ଯ୍ୟନ୍ତ ରହିବ। ସରସ୍ୱତୀ ପୂଜା ପରେ ପୋଖରୀକୁ ପୋତାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
ବିଏମ୍ସି ଡିଭିଜନ୍-୧ ପକ୍ଷରୁ ପାଣ୍ଡରା ନିକଟ କୁଆଖାଇ ନଦୀରେ ଗୋଟିଏ ପୋଖରୀ ହୋଇଥିବା ବେଳେ ଡିଭିଜନ୍-୨ ପକ୍ଷରୁ କୁଆଖାଇ ଟଙ୍କପାଣି ରୋଡ ପୋଲ ନିକଟ ଓ ଦୟା ନଦୀର ଲିଙ୍ଗିପୁରଠାରେ ଆଉ ଗୋଟିଏ ପୋଖରୀ ହୋଇଛି। ପୂଜା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷମାନେ ସମ୍ପୃକ୍ତ ଅସ୍ଥାୟୀ ପୋଖରୀରେ ମୂର୍ତ୍ତିଗୁଡ଼ିକ ବିସର୍ଜନ କରିବାକୁ ଲୋକଙ୍କୁ ସଚେତନ କରାଯାଉଛି। ମୂର୍ତ୍ତି ବସର୍ଜନ ପରେ ସଙ୍ଗେ ସଙ୍ଗେ ତାହାକୁ ସଫେଇ କରିବା ପାଇଁ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଥିବା ବିଏମ୍ସି ପକ୍ଷରୁ କୁହାଯାଇଛି। ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ରଙ୍କ କହିବାନୁଯାୟୀ ଆବଶ୍ୟକତା ଅନୁଯାୟୀ ଅସ୍ଥାୟୀ ପୋଖରୀର ଆକାର ହୋଇଛି। ବର୍ତମାନ ଗଣେଶ ପୂଜାକୁ ଦୃଷ୍ଟିରେ ରଖି ପୋଖରୀଗୁଡ଼ିକ ଛୋଟ ହୋଇଛି। ପରବର୍ତୀ ସମୟରେ ସହରର ଶତାଧିକ ମଣ୍ଡପରେ ଦୁର୍ଗା ପୂଜା ଅନୁଷ୍ଠିତ ହେବ। ତେଣୁ ଦୁର୍ଗା ପୂଜା ବେଳକୁ ପୋଖରୀର ଆକାର ବଢ଼ିବ। ନଦୀକୁ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ କରିବା ଲକ୍ଷ୍ୟରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପରିବେଶବିିତ୍ଙ୍କ କହିବା କଥା ହେଲା ଯେ ମୂର୍ତ୍ତିଗୁଡ଼ିକରେ ରସାୟନିକ ରଙ୍ଗ ବ୍ୟବହାର ହେଉଛି। ନଦୀ ଜଳ ଦୂଷିତ କରିବାରେ ଏହା ସହାୟକ ହେଉଛି। ବିସର୍ଜନ ପୁଷ୍କରଣୀ ନିର୍ମାଣ ନିର୍ଦେଶାବଳୀ ଅନୁଯାୟୀ ଏହାର ଶଯ୍ୟାରେ ଏକ ସଂକ୍ରମଣ ରହିତ ଆବରଣ ରହିବା ଦରକାର। ଫଳରେ ବିଷକ୍ରିୟାଯୁକ୍ତ ଜଳ ମାଟି ଭିତରକୁ ଯିବ ନାହିଁ। ବିସର୍ଜନ କାର୍ଯ୍ୟ ପରେ ଏହି ପୁଷ୍କରିଣୀ ଜଳକୁ ବ୍ଲିଚିଂ ମାଧ୍ୟମରେ ଉପଚାର କରାଯାଇ ପମ୍ପରେ ବାହାରକୁ ଛାଡ଼ି ଦିଆଯିବ। ଫଳରେ ନଦୀ ଜଳରେ ତାହା ମିଶି ନ ଥାଏ। ସଂକ୍ରମଣର ବି ଭୟ ରହେ ନାହିଁ।
ଆସିଲା ପାର୍ବଣ ଋତୁ: ନଦୀ ଭିତରେ ୬ ମାସିଆ ପୋଖରୀ
କୁଆଖାଇ ଓ ଦୟାରେ ମୂର୍ତ୍ତି ବିସର୍ଜର୍ନ ପାଇଁ ୩ ପୋଖରୀ. ଗଣେଶ ପୂଜାରୁ ସରସ୍ୱତୀ ପୂଜା ପର୍ଯ୍ୟନ୍ତ ରହିବ
/sambad/media/post_attachments/wp-content/uploads/2018/09/kesab-pond.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)