ଭୁବନେଶ୍ୱର: ଆସୁଛି ରାକ୍ଷୀପୂର୍ଣ୍ଣିମା। ଭାଇ ଭଉଣୀଙ୍କ ସମ୍ପର୍କର ମହତ୍ତ୍ୱକୁ ସ୍ମରଣ କରିବାର ଏକ ନିଆରା ଅବକାଶ ହୋଇଥିବାରୁ ଏହି ଦିନଟିକୁ ଚାହିଁ ବସିଛନ୍ତିି ଭାଇ ଓ ଭଉଣୀମାନେ। ତେବେ ଏଥର କେବଳ ଭାଇମାନଙ୍କ ହାତରେ ରାକ୍ଷୀ ସୀମିତ ରହିବ ନାହିଁ। ଭାଉଜମାନଙ୍କୁ ବି ରାକ୍ଷୀ ବାନ୍ଧିବେ ନଣନ୍ଦମାନେ। ନୂଆକରି ଭାଉଜମାନଙ୍କୁ ରାକ୍ଷୀ ପିନ୍ଧେଇବାକୁ ବଜାରକୁ ଆସିଛି ଲୁମ୍ବା ରାକ୍ଷୀ। ଝୁମ୍କା ସଦୃଶ ଏହି ନୂଆ ରାକ୍ଷୀ ଫେସନ୍ ଭାବେ ସାମିଲ୍ ହୋଇଛି। ଏହାକୁ ନଣନ୍ଦମାନେ ପୂଜା କରି ଭାଉଜମାନଙ୍କ ହାତରେ ପିନ୍ଧାଇବେ। ମୁଖ୍ୟତଃ ଗୁଜୁରାଟ ଓ ରାଜସ୍ଥାନରେ ଏହା ଏକ ପରମ୍ପରା ହୋଇଥିବା ବେଳେ ଓଡ଼ିଶାର ରାକ୍ଷୀ ବଜାରରେ ଏହା ସାମିଲ୍ ହୋଇଛି। ଭାଉଜଙ୍କ ଉଦ୍ଦେଶ୍ୟରେ ଆସିଥିବା ଲୁମ୍ବା ରାକ୍ଷୀର ଦାମ୍ ୫୦ ଟଙ୍କା ଥିବା ବେଳେ ଭୈୟା ଭାବି ରାକ୍ଷୀର ଦାମ୍ ୨୮୦ ଟଙ୍କା ରହିଛି। ରାଜଧାନୀ ଭୁବନେଶ୍ୱରରେ ବି ରାକ୍ଷୀକୁ ନେଇ ବେଶ୍ ଉତ୍କଣ୍ଠା। ସହରର ଛକ ବଜାର ଓ ଗଳିକନ୍ଦିରେ ଖୋଲିଛି ରାକ୍ଷୀ ଦୋକାନ। ଆଜିର ଡିଜିଟାଲ୍ ଯୁଗକୁ ବି ରାକ୍ଷୀରେ ଚିତ୍ରିତ କରାଯାଇଛି। ଫେସ୍ବୁକ୍ଠୁ ନେଇ ଇନ୍ଷ୍ଟାଗ୍ରାମ, ସବୁକିଛି ରାକ୍ଷୀରେ ଦେଖିବାକୁ ମିଳୁଛି। ବଜାରରେ ଏବେ ପାରମ୍ପରିକ ରାକ୍ଷୀଠାରୁ ଆରମ୍ଭ କରି ଫ୍ୟାନ୍ସି ରାକ୍ଷୀ, ବ୍ରେସ୍ଲେଟ୍ ରାକ୍ଷୀ, ଗୋଲ୍ଡେନ୍ ରାକ୍ଷୀ, ଲାଇଟ୍ ରାକ୍ଷୀ, ଡୋରେମନ୍, ବେନ୍ଟେନ୍, ଛୋଟା ଭିମ୍, ମୟୂର ପୁଚ୍ଛ, କପଡ଼ାରେ ପ୍ରସ୍ତୁତ ରାକ୍ଷୀ, ଜଗନ୍ନାଥ ରାକ୍ଷୀଠାରୁ ଆରମ୍ଭ କରି ବଭିନ୍ନ ଠାକୁରଙ୍କ ରାକ୍ଷୀ ମଧ୍ୟ ଉପଲବ୍ଧ ହେଉଛି। ଦାମ୍ ୧୦ଟଙ୍କାରୁ ଆରମ୍ଭ କରି ୧୨୦ଟଙ୍କା ପର୍ଯ୍ୟନ୍ତ ରହିଛି। ତେବେ ଷ୍ଟୋନ୍ ରାକ୍ଷୀର ଚାହିଦା ବେଶି। ଏହାର ଦାମ୍ ୧୦୦ ଟଙ୍କାରୁ ନେଇ ୩୫୦ ଟଙ୍କା ଥିବା ବେଳେ ଥାଳି ରାକ୍ଷୀର ଦର ୪୫୦ ଟଙ୍କା ରହିଛି। ରାକ୍ଷୀଗୁଡ଼ିକ କୋଲକାତା, ରାଜସ୍ଥାନ, ଦିଲ୍ଲୀ, ଜୟପୁର ଓ ଗୁଜୁରାଟରୁ ଓଡ଼ିଶାକୁ ଆସିଛି ବୋଲି ସିଆର୍ପିସ୍ଥିିତ ବ୍ୟବସାୟୀ ଘନଶ୍ୟାମ ସାହୁ କହିଛନ୍ତି।
ଆସୁଛି ରାକ୍ଷୀପୂର୍ଣ୍ଣିମା: ଏଥର ଭାଉଜଙ୍କ ହାତରେ ଲୁମ୍ବା ରାକ୍ଷୀ
/sambad/media/post_attachments/wp-content/uploads/2018/08/lunba-rakhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)