ଭୁବନେଶ୍ବର: ‘ଆସ କିଏ ଖାଇବ ହୋ, ଆମ ରାଜା ବାବୁଘର ଖାନା..’ ଅକ୍ଷି ତୃତୀୟା ସିନେମାର ଏହି ଗୀତରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଥିବା ଓଡ଼ିଆ ଖାଦ୍ୟର ତାଲିକାଟିଏ ଥିଲା। ୧୯୮୧ ମସିହାର ଏହି ସିନେମାରେ ଯେଉଁ ସବୁ ଖାଦ୍ୟର ନାଁ କୁହାଯାଇଛି, ସେ ଖାଦ୍ୟର ଏବେ ବି ଚାହିଦା ରହିଛି, ଜିଓ ଟ୍ୟାଗିଂ ପାଇଁ ଉଦ୍ୟମ ହେଉଛି। ହେଲେ ସହରର ଯୁବ ପିଢ଼ି ଧୀରେ ଧୀରେ ସେମାନଙ୍କ ପସନ୍ଦ ବଦଳାଇବାରେ ଲାଗିଛନ୍ତି। ଆଉ ରାଜଧାନୀର ଯୁବପିଢ଼ିଙ୍କ ପସନ୍ଦ ଓ ଆଗ୍ରହକୁ ପୂରଣ କରିବାକୁ ସହରରେ ଗଢ଼ିଉଠିଛି ଫାଷ୍ଟ୍ଫୁଡ୍ର ସମ୍ଭାର ଧରି ‘ଖାଓଗଳି’। କମ୍ ଟଙ୍କାରେ ପେଟ ଫୁଲ୍। ଖାଇବା ପାଇଁ ଧନୀଠୁ ଗରିବ ସଭିଏଁ ଗୋଟିଏ ଜାଗାରେ ଏକାଠି। ସନ୍ଧ୍ୟାହେଲେ ପସରା ଖୋଲୁଛି। ରାତି ୧୦ ବେଳକୁ ସବୁ ଶେଷ। ଶନିବାର ଓ ରବିବାର ହୋଇଗଲେ ତ କଥା ସରିଲା। ପଛକୁ ପଛ ଗାଡ଼ି ଠିଆ ହୋଇରହୁଛି। ‘ଭାଇନା ମୋର ଟିକେ ଆଗ ଦେଇଦିଅ’ ବିଭିନ୍ନ ଦୋକାନ ଆଗରୁ ଶୁଣିବାକୁ ମିଳୁଛି। ଏ ହେଉଛି ରାଜଧାନୀରେ ଥିବା ବିଭିନ୍ନ ଖାଓଗଳିର ଦୃଶ୍ୟ। ରାଜଧାନୀରେ ବହୁ ବଡ଼ ବଡ଼ ରେସ୍ତୋଁରା, ହୋଟେଲ ରହିଥିଲେ ମଧ୍ୟ ଖାଓଗଳିର ଚାହିଦା ଅତୁଟ ରହିଛି। ପକେଟ୍କୁ ବାଧୁନଥିବା ବେଳେ ମନ ମୁତାବକ ଖାଦ୍ୟ ପାଇ ଗ୍ରାହକ ବି ଖୁସ୍।
ପକେଟ୍କୁ ବାଧୁନି, ପେଟ ବି ପୂରୁଛି
ଛୋଟପିଲା ଓ ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ
ଭୁବନେଶ୍ବରରେ ଯୁବପିଢ଼ିଙ୍କ ଲାଗି ବର୍ତ୍ତମାନ ‘ଖାଓଗଳି କନ୍ସେପ୍ଟ’ ଏକ ଟ୍ରେଣ୍ଡ୍ ପାଲଟିଛି। ଷ୍ଟ୍ରିଟ୍ଫୁଡ୍, ଷ୍ଟାର୍ଟର୍ଠୁ ଆରମ୍ଭ କରି ମେନ୍କୋର୍ସ ସବୁ ଏଠାରେ ମିଳୁଛି। ଲୋକମାନେ ବି ନିରିଖେଇ ସାରିଲେଣି କେଉଁ ଖାଓଗଳିରେ କ’ଣ ସବୁ ଆଇଟମ୍ ଭଲ ମିଳୁଛି। ସନ୍ଧ୍ୟାବେଳିଆ ପ୍ରେମୀଯୁଗଳ ହୁଅନ୍ତୁ କି ଦମ୍ପତି, ଅଫିସ୍ କର୍ମଚାରୀ ହୁଅନ୍ତୁ କି ଛାତ୍ରଛାତ୍ରୀ ପହଞ୍ଚି ଯାଉଛନ୍ତି ଖାଓଗଳିରେ। କଥାବାର୍ତ୍ତା ହୋଇ ମିଳିମିଶି ଖାଇବାର ମଜା ଉଠାଉଛନ୍ତି। ଅନୁରୂପ ଭାବେ ୧୦ ବର୍ଷ ତଳେ ଗୁପ୍ଚୁପ୍, ଚାଟ୍, ଚିକେନ୍ ପକୋଡ଼ା, ମୋମୋ, ରୋଲ୍, ଚାଓମିନ୍କୁ ଛାଡ଼ିଦେଲେ ଷ୍ଟ୍ରିଟ୍ଫୁଡ୍ରେ କୌଣସି ଭେରାଇଟି ମିଳୁ ନଥିଲା। ବର୍ତ୍ତମାନ ଖାଓଗଳିରେ ମୋଗ୍ଲାଇ, ଚାଇନିଜ୍, କଣ୍ଟିନେଣ୍ଟାଲ୍, ଜାପାନିଜ୍, ଆଫ୍ଗାନୀ ଖାଦ୍ୟର ଭଳିକି ଭଳି ସମ୍ଭାର ଦେଖିବାକୁ ମିଳୁଛି। ସୁପ୍ରେ ବି ବିଭିନ୍ନ ଭେରାଇଟି ରହୁଛି। ଆମିଷ ଓ ନିରାମିଷରେ ଏତେ ପ୍ରକାର ଖାଦ୍ୟ ଦେଖି ଗ୍ରାହକମାନେ ମଧ୍ୟ ଘରେ ରୋଷେଇ ଛାଡ଼ି ଖାଓଗଳିରେ ହାଜର ହେଉଛନ୍ତି।
ଯୁଗ ବଦଳିବା ସହିତ ଲୋକମାନେ ନିଜକୁ ବଦଳାଇ ଏହି ଟ୍ରେଣ୍ଡରେ ସାମିଲ୍ ହେଉଛନ୍ତି। ବିଶେଷ କରି ଛୋଟପିଲା ଓ ଯୁବପିଢ଼ିଙ୍କୁ ଖାଓଗଳି ନିଜ ଆଡ଼କୁ ଆକୃଷ୍ଟ କରୁଛି। ରାମମନ୍ଦିର ପଛ ପାର୍ଶ୍ବ, ଜାଗମରା, ପଟିଆ, ବଡ଼ଗଡ଼ ବ୍ରିଟ୍, ଘାଟିକିଆ କଲୋନି ଆଦି ଅଞ୍ଚଳରେ ଖୋଲିଥିବା ଫୁଡ୍କୋର୍ଟ ବା ଖାଓଗଳିରେ କଫି, ବୋବା ଟି, ମୋଇତୋ, ସୁପ୍ ଆଦି ପାନୀୟ ସହିତ ସୁସି, ପାସ୍ତା, ସୋୟାଚାପ୍, କବାବ୍, ଚିକେନ୍ ସୋରମା, ସିଜଲିଂ ବ୍ରାଉନି, ସିଜଲିଂ ଚାଓମିନ୍, ଚିଜ୍କେକ୍, ବର୍ଗର୍, ସ୍ୟାଣ୍ଡୱିଚ୍, ଚିଜ୍ବଲ୍ ଓ ପିଜାର ବିଭିନ୍ନ ଭେରାଇଟି ଗ୍ରାହକ ପାଉଛନ୍ତି। ମେନ୍କୋର୍ସରେ ଚିକେନ୍ ଓ ମଟନ୍ ବିରିୟାନି, ଫ୍ରାଏଡ୍ ରାଇସ୍ କିମିଆ କରୁଛି। ଅନ୍ୟପକ୍ଷରେ ଓଡ଼ିଶାର ପାରମ୍ପରିକ ଜଳଖିଆ ବରା, ଚପ୍, ସିଙ୍ଗଡ଼ା, ପିଆଜି ଓ ଘୁଗୁନିକୁ ଟକ୍କର୍ ଦେବା ଆରମ୍ଭ କରିଛି ଏହି ନୂଆ ଆଇଟମ୍।