କମ୍ ଟୁ ଓଡ଼ିଶା... ଉଇ ଓ୍ଵିଲ୍ ଟ୍ରିଟ୍ ଲାଇକ୍ ଏ ଷ୍ଟାର୍.... ଗୀତଟି ଏବେ ସୋସିଆଲ୍ ମିଡ଼ିଆରେ ଘୂରିବୁଲୁଛି। ୟୁ-ଟ୍ୟୁବ୍ରେ ଛଡ଼ାଯିବାର ମାତ୍ର ୩ ଦିନ ଭିତରେ ଏହା ସମସ୍ତ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ସହ ଦୁଇ ଦିନରେ ଲକ୍ଷେରୁ ଅଧିକ ଦର୍ଶକ ଏହାକୁ ଦେଖିଥିଲେ। ବର୍ତମାନ ସୁଦ୍ଧା ପ୍ରାୟ ୨ ଲକ୍ଷ ୬୦ ହଜାର ୭୪୯ ଦର୍ଶକ ଏହାକୁ ଦେଖିବା ସହ ସେୟାର ମଧ୍ୟ କଲେଣି। ଓଡ଼ିଶାର ଅଖ୍ୟାତ ପର୍ଯ୍ୟଟନସ୍ଥଳୀଠାରୁ ଆରମ୍ଭ କରି ପାରମ୍ପରିକ ଖାଦ୍ୟ ଓ ଇତିହାସକୁ ନେଇ ତିଆରି ହୋଇଥିବା ଏହି ଚମତ୍କାର ଭିଡିଓ କେବଳ ରାଜ୍ୟରେ ନୁହେଁ ଦେଶ ବାହାରେ ଥିବା ଓଡ଼ିଆମାନଙ୍କୁ ଗର୍ବିତ କରିଛି। ୬ ଜଣ ଯୁବ ହାସ୍ୟକାରଙ୍କୁ ନେଇ ନିର୍ମିତ ‘ଭୁବନେଶ୍ୱର କମେଡିଆନ୍ ଗ୍ରୁପ୍’ ପକ୍ଷରୁ ଏହି ଭିଡିଓଟି ପ୍ରସ୍ତୁତ ହୋଇଛି। ଏପ୍ରିଲ୍ ୧ ଓଡ଼ିଶା ଦିବସକୁ ଆଖି ଆଗରେ ରଖି ତିଆରି ହୋଇଥିବା ଏହି ଭିଡିଓର ନିର୍ମାଣ ପାଇଁ ୬ଦିନ ଲାଗିଥିଲା। ବିଭିନ୍ନ ସୋସିଆଲ୍ ସାଇଟ୍ରୁ ଭିଡିଓର ୨୫-୩୦% କ୍ଲିପିଂ ନିଆଯାଇଥିବା ବେଳେ ଭୁବନେଶ୍ୱର, ଚନ୍ଦ୍ରଭାଗା, ପୁରୀ, ମୁଣ୍ଡୁଳି ବ୍ରିଜ୍ ଓ ଏକାମ୍ର ପଦଯାତ୍ରାରେ ବାକି ଅଂଶ ସୁଟିଂ ହୋଇଛି। ଆଲିସା ଚିନ୍ନାଇଙ୍କ ପ୍ରକୃତ ଭିଡିଓରେ ନିଜ ଗୀତ ପକାଇ ଏହି ଭିଡିଓ ପ୍ରସ୍ତୁତ ହୋଇଛି। ଆକାଶ ବଘାର ଓ ସମର ପ୍ରତାପ ନାୟକଙ୍କ ଦ୍ୱାରା ଗୀତଟି ଲେଖାଯାଇଥିବା ବେଳେ ସୌମ୍ୟରଞ୍ଜନ ଶତପଥୀ ଓ କଳିଙ୍ଗ କେଶରୀ ସାହୁ ଭିଜୁଆଲ୍ ଏଡିଟିଂ କରିଛନ୍ତି।
ଭିଡିଓରେ ଓଡ଼ିଶୀ ନୃତ୍ୟଠାରୁ ଆରମ୍ଭ କରି ଓଡ଼ିଶାର ପାରମ୍ପରିକ ଦହିବରା, ଛେନାପୋଡ଼, ରସଗୋଲା, ଚାଉଳ ବରା, ଆରିସା, କାକରା, ମଣ୍ଡା ସାଙ୍ଗକୁ ପଖାଳ ଓ ହାଣ୍ଡିଆ, ବଡ଼ିି ଚୂରା ଓ ଶାଗ ଭଜା ଆଦି ଚିତ୍ରିତ ହୋଇଛି। ଏଥିସହ ହୀରାକୁଦ, ଦେଉଳଝରି, ଡୁଡୁମା, ଭିତର କନିକା, ହୁମା, ଚାନ୍ଦିପୁର, ସାତକୋଶିଆ, ସାତପଡ଼ା ଓ ଚନ୍ଦକା ଆଦି ପର୍ଯ୍ୟଟନସ୍ଥଳୀ ଆଦିକୁ ସ୍ଥାନିତ କରାଯାଇଛି। ପୁଣି ପ୍ରଥମ ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ୧୯୪୭ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀଙ୍କୁ ବଞ୍ଚାଇଥିବାର ବୀରତ୍ୱ ଗାଥା ବି ଭିଡିଓରେ ଦେଖିବାକୁ ମିଳିଛି।
‘ଭୁବନେଶ୍ୱର କମେଡିଆନ୍ ଗ୍ରୁପ୍’ର ଆକାଶ ବଘାର କହିଛନ୍ତି, ସମସ୍ତଙ୍କ ଧାରଣା ରହିଛି ଯେ, ବର୍ତମାନର ଯୁବପିଢ଼ିଙ୍କ ମନରେ ଦେଶ ତଥା ରାଜ୍ୟ ପାଇଁ ପ୍ରୀତି ନାହିଁ। କିନ୍ତୁ ଏହି ଭିଡିଓ ସମସ୍ତଙ୍କୁ ଭୁଲ୍ ପ୍ରମାଣିତ କରିଛି। ମୋବାଇଲ୍ ବା ଇଣ୍ଟର୍ନେଟ୍ ବ୍ୟବହାର ଯୁବପିଢ଼ିଙ୍କ ମଧ୍ୟରେ ବ୍ୟାପକ ଥିବାରୁ ୨ ଦିନରେ ଲକ୍ଷେ ଦର୍ଶକ ଦେଖିବା ବିସ୍ମିତ କରିଛି। ପୁଣି ଯୁବପିଢ଼ିଙ୍କୁ ଏହି ଭିଡିଓ ଆଡ଼କୁ ଆକର୍ଷିତ କରିବା ପାଇଁ ଆମେ ସେମାନଙ୍କ କଥିତ ଭାଷାରେ ହିଁ ଗୀତଟି ଲେଖିଛୁ। ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରସ୍ତୁତ ଏହି ଗୀତ ଦର୍ଶକଙ୍କୁ ବେଶ୍ ଛୁଇଁ ପାରିଛି ଜାଣି ଖୁସି ଲାଗୁଛି ବୋଲି ସେ କହିଛନ୍ତି।