କ୍ରୁଟ୍‌ ଏମ୍‌ଡି ଅରୁଣ ବୋଥ୍ରାଙ୍କ ଟ୍ବିଟ୍‌କୁ ନେଇ ଚର୍ଚା ‘ମୋ ବସ୍‌’ରେ ବୁଲିବେ କମେଡିଆନ୍ କୁନାଲ କାମରା!

ଭୁବନେଶ୍ବର: ଇଣ୍ଡିଗୋ ବିମାନରେ ଟିଭି ଆଙ୍କର ଅର୍ଣ୍ଣବ ଗୋସ୍ବାମୀଙ୍କୁ ‌ଟ୍ରୋଲ କରିଥିବା କମେଡିଆନ୍ କୁନାଲ କାମରାଙ୍କୁ ନେଇ ଦେଶବ୍ୟାପୀ ଚର୍ଚା। ବିମାନ ଭିତରେ ଜଣେ ଯାତ୍ରୀଙ୍କୁ ଏଭଳି ବ୍ୟବହାର ଦେଖାଇବାକୁ ନେଇ ପ୍ରଥମେ ଇଣ୍ଡିଗୋ ବିମାନ କୁନାଲଙ୍କୁ ଆସନ୍ତା ୬ ମାସ ବିମାନରେ ଉଡ଼ିବା ନେଇ ପ୍ରତିବନ୍ଧ ଲଗାଇଥିବା ବେଳେ ପରେ ଏୟାର ଇଣ୍ଡିଆ ଓ ଆଜି ସ୍ପାଇସ୍‌-ଜେଟ୍ ମଧ୍ୟ କୁନାଲଙ୍କ ଉପରେ ଏଭଳି ପ୍ରତିବନ୍ଧ ଲଗାଇଛି। ଆଗକୁ ଅନ୍ୟ ବିମାନ କମ୍ପାନି ମଧ୍ୟ ଏଭଳି ପ୍ରତିବନ୍ଧକ ଲଗାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି। ତେବେ କୁନାଲ ଭୁବନେଶ୍ବରରେ ‘ମୋ ବସ୍‌’ରେ ଯାତ୍ରା କରିପାରିବେ ବୋଲି କ୍ରୁଟ୍‌ ଏମ୍‌ଡି ଅରୁଣ ବୋଥ୍ରା ଟ୍ବିଟରରେ ମତ‌ ଦେଇଛନ୍ତି। ସେ ଏ ସଂପର୍କରେ ଟ୍ବିଟ୍ କରିବା ପରେ ଏହାକୁ ନେଇ ଜୋରଦାର ଚର୍ଚା ଆରମ୍ଭ ହୋଇଯାଇଛି। କିଛି ଲୋକ ଅରୁଣଙ୍କ ଏହି ଟ୍ବିଟ୍‌କୁ ପସନ୍ଦ କରିଥିବା ବେଳେ ଅନେକ ଏହାକୁ ନାପସନ୍ଦ ବି କରିଛନ୍ତି। ଯେଉଁଥିପାଇଁ ଅନେକଙ୍କ ସହିତ ଅରୁଣଙ୍କ କଥା କଟାକଟି ହୋଇଛି।

ନିଜ ଟ୍ବିଟ୍‌ରରେ ଅରୁଣ ଲେଖିଛନ୍ତି ଯେ, ଆଗକୁ ଭୁବନେଶ୍ବର ଆସିବା ସମୟରେ କୁନାଲ ‘ମୋ ବସ୍‌’ରେ ଯାତ୍ରା କରିପାରିବେ। ଜଣେ ସହଯାତ୍ରୀଙ୍କ ପ୍ରତି କୁନାଲଙ୍କ ଏଭଳି ବ୍ୟବହାରକୁ ବ୍ୟକ୍ତିଗତ ଭାବେ ମୁଁ ପସନ୍ଦ କରେ ନାହିଁ। ତେବେ କ୍ରୁଟ୍‌ର ଏମ୍‌ଡି ଭାବେ ମୁଁ ତାଙ୍କୁ ସ୍ବାଗତ କରିଛି। ‘ମୋ ବସ୍‌’ର ଏକ ବିରାଟ ହୃଦୟ ଅଛି। ଅରୁଣଙ୍କ ଏହି ଟ୍ବିଟ୍‌ ପରେ ଅନେକ ଲୋକ ଏହାକୁ ରିଟ୍ବିଟ୍‌ କରିଥିଲେ। ଜଣେ ବ୍ୟକ୍ତି ଅରୁଣଙ୍କୁ ପଚାରିଥିଲେ ଯେ କୁନାଲ ଯଦି ‘ମୋ ବସ୍‌’ରେ ଏଭଳି ବ୍ୟବହାର କରନ୍ତି? ଏହାର ଉତ୍ତରରେ ଅରୁଣ ଲେଖିଛନ୍ତି, ଏହା ବିମାନ ନୁହେଁ, ଏକ ବସ୍। ଏହା ଯେ କୌଣସି ଜାଗାରେ ଅଟକି ପାରିବ। ଜଣେ ମଧ୍ୟ ସହାୟତା ପାଇଁ ୧୦୦ ଡାଏଲ କରିପାରିବ। ବିମାନର କ୍ର୍ୟୁ-ସଦସ୍ୟଙ୍କ ଭଳିଆ ଆମ ବସ୍‌ର କ୍ର୍ୟୁ ସଦସ୍ୟମାନେ ନୁହନ୍ତି। ଏଭଳି ପରିସ୍ଥିତିର କିଭଳି ମୁକାବିଲା କରିହେବ ତାହା ସେମାନେ ଜାଣିଛନ୍ତି। ଏ ପର୍ଯ୍ୟନ୍ତ ଅରୁଣଙ୍କ ଏହି ଟ୍ବିଟ୍‌କୁ ୫୭୯ଜଣ ଲାଇକ୍ ବା ପସନ୍ଦ କରିଥିବା ବେଳେ ୬୮ଜଣ ରିଟ୍ବିଟ୍‌ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ଇଣ୍ଡିଗୋ ବିମାନରେ ଆସୁଥିବା ସମୟରେ ଅର୍ଣ୍ଣବଙ୍କ ସାମ୍ବାଦିକତାକୁ ନେଇ କୁନାଲ ପ୍ରଶ୍ନ ଉଠାଇବା ସହିତ ଏହାର ଜବାବ ଦେବା ପାଇଁ କହିଥିଲେ। ୨/୩ ମିନିଟ୍‌ର ଏହି ଭିଡିଓକୁ କୁନାଲ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଥିଲେ। ଯାହା ପରବର୍ତୀ ସମୟରେ ଭାଇରାଲ ହୋଇଥିଲା।

ସମ୍ବନ୍ଧିତ ଖବର