ଭୁବନେଶ୍ବରରେ କମେଡି କିଙ୍ଗ୍‌ କପିଲ ଶର୍ମା

ଚନ୍ଦ୍ରଶେଖରପୁର: କମେଡି କିଙ୍ଗ୍‌ କପିଲ ଶର୍ମା ଭୁବନେଶ୍ବରରେ। ନିଜର ଆଗାମୀ ଚଳଚ୍ଚିତ୍ର ସୁଟିଂ ପାଇଁ ବେଶ୍‌ କିଛି ଦିନ ହେଲା ରାଜଧାନୀର ବିଭିନ୍ନ ସ୍ଥାନରେ କପିଲଙ୍କୁ ଦେଖିବାକୁ ମିଳୁଛି। ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଡେଲିଭର୍‌ ବଏ’ ସୁଟିଂ ଅବସରରେ କପିଲ ଭୁବନେଶ୍ବର ଆସିଥିବା ଜଣାପଡ଼ିଛି। ଫେବ୍ରୁଆରି ଶେଷ ସପ୍ତାହରୁ କପିଲ ରାଜଧାନୀରେ ଥିବା ବେଳେ ଖଣ୍ଡଗିରି ଅଞ୍ଚଳରେ ଚଳଚ୍ଚିତ୍ରର ସୁଟିଂ ଚାଲିଥିଲା। ବର୍ତ୍ତମାନ କିଟ୍ ଛକ ନିକଟରେ ଥିବା ଏକ ଫୁଡ଼୍ ପ୍ଲାଜାରେ ଏହି ଚଳଚ୍ଚିତ୍ରର ସୁଟିଂ ଚାଲିଛି।

କିଛି ଦିନ ହେବ କପିଲ କିଟ୍ ପରିସରରେ ଥିବା ଏକ ଗେଷ୍ଟହାଉସ୍‌ରେ ରହୁଛନ୍ତି। କିଛି ଦିନ ମଧ୍ୟରେ ଚଳଚ୍ଚିତ୍ର ସୁଟିଂ ଶେଷ ହେବ। କପିଲ ଚଳଚ୍ଚିତ୍ରର ସୁଟିଂ ଶେଷ କରିବା ପରେ ଭୁବନେଶ୍ବର ଲିଙ୍ଗରାଜ ଓ ପୁରୀ ଶ୍ରୀମନ୍ଦିର ଦର୍ଶନ କରିବା ନେଇ ଯୋଜନା ରହିଛି। ‘ଡେଲିଭର୍‌ ବଏ’ ଚଳଚ୍ଚିତ୍ର ଏକ ନିଚ୍ଛକ ଓଡ଼ିଆ କାହାଣୀ ଉପରେ ଆଧାରିତ। କପିଲ କିଟ୍ ଗେଷ୍ଟହାଉସରେ ରହଣୀ ସମୟରେ କିଟ୍‌ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସ୍ବାଗତ କରିଛନ୍ତି।

ସମ୍ବନ୍ଧିତ ଖବର