ଭୁବନେଶ୍ୱର: ଚଳିତବର୍ଷ ଶେଷ ସୁଦ୍ଧା ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ନିର୍ବାଚନ ହେବାର ସମ୍ଭାବନା ଥିବାରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଏମ୍ସି କମିସନରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ୍ଵାର୍ଡ ସୀମା ପୁନଃନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଯେଉଁ ଅନୁସାରେ ଓ୍ଵାର୍ଡ ସୀମା ପୁନଃନିର୍ଦ୍ଧାରଣ ହେବ ସେହି ଅନୁଯାୟୀ ଆସନ ସଂରକ୍ଷଣ ହେବାର ସମ୍ଭାବନା ଅଧିକ। ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ୍ ଆକ୍ଟ-୨୦୦୩ ଅନୁଯାୟୀ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବାର ନିୟମ ଥିଲେ ହେଁ ଏହି ନିୟମକୁ କାର୍ଯ୍ୟକାରୀ କରାଯାଉନଥିବା ଅଭିଯୋଗ ହେଲାଣି। ଏପରିକି କେତେକ ରାଜନେତାଙ୍କ ଇଙ୍ଗିତରେ ବିଏମ୍ସି ଅଧିକାରୀମାନେ କାର୍ଯ୍ୟ କରୁଥିବାରୁ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣରେ ଚଞ୍ଚକତା କରାଯାଉଥିବା ଅଭିଯୋଗ ଉଠିଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ ଯେ ଫେବ୍ରୁଆରି ୨୦ସୁଦ୍ଧା ବିଏମ୍ସିର କେତୋଟି ଓ୍ଵାର୍ଡରେ ଆସନ୍ତା ନିର୍ବାଚନ ହେବ, ଓ୍ଵାର୍ଡ ସଂଖ୍ୟା ବଢ଼ିବ କି ନାହିଁ, କେଉଁ ଓ୍ଵାର୍ଡରେ କେଉଁ ଅଞ୍ଚଳ ଯାଉଛି, କେତେ ଭୋଟର ଓ ଜନସଂଖ୍ୟା, କେଉଁ ଓ୍ଵାର୍ଡ କେଉଁ ବର୍ଗ ପାଇଁ ସଂରକ୍ଷିତ ରହିବ ସେନେଇ ସବିଶେଷ ତଥ୍ୟ ଦେବାକୁ ବିଏମ୍ସି କମିସନରଙ୍କୁ କୁହାଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟସୀମା ଶେଷ ହୋଇଥିଲେ ହେଁ ଏହି ତଥ୍ୟ ଦାଖଲ ହୋଇପାରିନି। ଏହି ତଥ୍ୟ ଦାଖଲ କରି ନ ପାରିବାର ମୁଖ୍ୟ କାରଣ ହେଲା ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ବିବାଦ। ଶାସକ ଦଳର କେତେକ ରାଜନେତା କେଉଁ ନିର୍ବାଚନ ମଣ୍ଡଳୀରେ କେଉଁ ଓ୍ଵାର୍ଡ ରହିବ, କେତୋଟି ଓ୍ଵାର୍ଡ ସଂରକ୍ଷିତ ରହିବ ସେନେଇ ଏବେ ଲବି ଆରମ୍ଭ କରିଦେଇଛନ୍ତି। ଏପରିକି ନିଜର କର୍ମୀ ଏବଂ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ନଜରରେ ରଖି ଓ୍ଵାର୍ଡ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଚାପ ପକାଉଛନ୍ତି। ଏହାବାଦ୍ କେତେକ ଟାଣୁଆ କର୍ପୋରେଟର ଯେପରି ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ ସେଥିପାଇଁ ଜୋରସୋର ଲବି ଚଳାଇଛନ୍ତି। ସ୍ଥାନୀୟ ଲୋକ ବି କର୍ପୋରେଟରଙ୍କ କାର୍ଯ୍ୟକଳାପରେ ବ୍ୟତିବ୍ୟସ୍ତ ହୋଇ କିପରି କର୍ପୋରେଟର ପ୍ରାର୍ଥୀ ବଦଳିବେ ସେନେଇ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ କମିସନରଙ୍କ ନିକଟରେ ଅଭିଯୋଗ କଲେଣି। ଯେଉଁଥିପାଇଁ ବିଏମ୍ସି କମିସନର ନିର୍ଦ୍ଧାରିତ ସମୟରେ (ଆଜି ସୁଦ୍ଧା) ଓ୍ଵାର୍ଡ ସୀମା ପୁନଃନିର୍ଦ୍ଧାରଣ ଏବଂ ସଂରକ୍ଷଣ ବ୍ୟବସ୍ଥା ନେଇ ରିପୋର୍ଟ ଦେଇପାରିନାହାନ୍ତି। ଏହିଭଳି ଅଭିଯୋଗ ଓ୍ଵାର୍ଡ-୫୯କୁ ନେଇ ଉଠିଛି। ଗତକାଲି ଏହି ଓ୍ଵାର୍ଡର କେତେକ ବାସିନ୍ଦା ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍ ଏବଂ ବିଏମ୍ସି କମିସନର କ୍ରିଷନ କୁମାରଙ୍କୁ ଭେଟି ସେମାନଙ୍କ ଦାବି ଜଣାଇଛନ୍ତି। କେବଳ ଓ୍ଵାର୍ଡ ୫୯ ନୁହେଁ ଏହିଭଳି ସମସ୍ୟା ବିଏମ୍ସିର ଅଧିକାଂଶ ଓ୍ଵାର୍ଡରେ ଥିବାରୁ କେତେକ ଓ୍ଵାର୍ଡରୁ ଏନେଇ ବିଏମ୍ସି କମିସନରଙ୍କ ନିକଟରେ ପିଟିସନ୍ ପଡ଼ିବା ଆରମ୍ଭ ହେଲାଣି। ବିଏମ୍ସି କର୍ତ୍ତୃପକ୍ଷ କିନ୍ତୁ ଏହିଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ବ୍ୟବସ୍ଥା ନେଇ ଲୋକଙ୍କର ଅଭିଯୋଗ ରହୁଥିବାରୁ ଏଥର ଯେପରି ସ୍ୱଚ୍ଛତା ବଜାୟ ରହିବ ସେଥିପାଇଁ ସବୁ ଓ୍ଵାର୍ଡକୁ ଟିକିନିଖି ଯାଞ୍ଚ କରାଯାଉଛି। ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପରେ ସିଟ୍ ସଂରକ୍ଷଣ ଲାଗୁ ହେବ। ଏଥିରେ ଯେଉଁ ଓ୍ଵାର୍ଡରେ ଯେଉଁ ବର୍ଗର ଅଧିକ ଲୋକ (ଜନସଂଖ୍ୟା) ଥିବେ ସେମାନଙ୍କ ପାଇଁ ସିଟ୍ ସଂରକ୍ଷଣ ରହିବ ନଚେତ୍ ଅଣସଂରକ୍ଷିତ ହେବ। ଜନସଂଖ୍ୟା ମାନେ ମତଦାତା ସଂଖ୍ୟା ନୁହେଁ। କେବଳ ୨୦୧୧ ଜନଗଣନାକୁ ଭିତ୍ତି କରି ସୀମା ପୁନଃ ନିର୍ଦ୍ଧାରଣ ହେବ। ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ବେଳେ କେବଳ ନିକଟବର୍ତ୍ତୀ ଅଞ୍ଚଳକୁ ସାମିଲ୍ କରାଯିବ। ସଂରକ୍ଷଣ ସମୟରେ ଗତ ଥର ଯେଉଁ ବର୍ଗ ପାଇଁ ସଂରକ୍ଷଣ ଥିଲା ସେଥିରେ ପରିବର୍ତ୍ତନ ହେବ। ଯଦି ଓ୍ଵାର୍ଡ ସୀମା ପୁନଃନିର୍ଦ୍ଧାରଣ ବେଳେ ପୂର୍ବ ସଂରକ୍ଷିତ (ଆସନ) ବର୍ଗର ଲୋକ ଅଧିକ ଥିବେ ତେବେ ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟା ବର୍ଗ ପାଇଁ ସିଟ୍ ସଂରକ୍ଷିତ ରହିବ। ଏହା କେତେକ ସ୍ଥାନରେ ଅଣସଂରକ୍ଷିତ ବି ହୋଇପାରେ।
ସବୁ ଓ୍ଵାର୍ଡରେ ଅସନ୍ତୋଷ ବଢ଼ୁଛି
ନଗର ଉନ୍ନୟନ ବିଭାଗକୁ ତଥ୍ୟ ଦେଇପାରିଲେନି
ବିଏମ୍ସିର ନିର୍ବାଚନ ପାଇଁ ଏହିଭଳି ନିୟମ ଥିବାବେଳେ କେତେକ କର୍ପୋରେଟର ଏହା ଠିକ୍ ଭାବେ ଲାଗୁ ହେଉନଥିବା ଅଭିଯୋଗ କଲେଣି। ସେମାନଙ୍କ ଅଭିଯୋଗ ଯେ, ଯେଉଁ ଅଧିକାରୀମାନେ ଓ୍ଵାର୍ଡ ସୀମା ପୁନଃନିର୍ଦ୍ଧାରଣ କରୁଛନ୍ତି ସେମାନେ କେତେକ ପ୍ରାର୍ଥୀଙ୍କୁ ନଜରରେ ରଖି ଓ୍ଵାର୍ଡରେ ବିଭିନ୍ନ ଅଞ୍ଚଳକୁ ମିଶାଉଛନ୍ତି ବା ବାଦ୍ ଦେଉଛନ୍ତି। ଅଧିକାଂଶ ଓ୍ଵାର୍ଡରେ ଅନୁସୂଚିତ ଜନଜାତି ଲୋକ ନ ଥିବାରୁ ବାକି ତିନିଟି ସଂରକ୍ଷଣ ଅନୁସୂଚିତ ଜାତି, ପଛୁଆ ବର୍ଗ, ମହିଳା ପାଇଁ ସଂରକ୍ଷଣ ମଧ୍ୟରୁ ଗୋଟିଏ ଲାଗୁ ହେବା କଥା। କିନ୍ତୁ ଓ୍ଵାର୍ଡ ସୀମା ପୁନଃନିର୍ଦ୍ଧାରଣବେଳେ ଯେଉଁ ଅଞ୍ଚଳରେ ଅଧିକ ଅନୁସୂଚିତ ଜାତି/ପଛୁଆ ବର୍ଗ ରହୁଛନ୍ତି ତାକୁ ବାଦ୍ ଦେଉଛନ୍ତି। ବିଏମ୍ସିର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ବେଳେ ପାଖ ଓ୍ଵାର୍ଡର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକ ମିଶିବ। କିନ୍ତୁ କେଉଁ ଦିଗରେ ମିଶିବ, କେଉଁ ଦିଗରୁ ବାଦ୍ ପଡ଼ିବ ତାହା ବିଏମ୍ସି କମିସନରଙ୍କ ଉପରେ ନିର୍ଭର କରୁଛି। କମିସନର ଯେପରି ଚାହିଁବେ ସେହି ଅନୁଯାୟୀ ଓ୍ଵାର୍ଡ ସୀମା ପୁନଃନିର୍ଦ୍ଧାରଣ କରିବେ। ଚଳିତମାସ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରି ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦିଆଯିବ।
ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୧୨ତାରିଖରେ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ କରିବା ସହ ସଂରକ୍ଷିତ, ଅଣସଂରକ୍ଷିତ ସିଟ୍ ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୨୧ସୁଦ୍ଧା ଲୋକଙ୍କ ଅଭିଯୋଗ/ପ୍ରସ୍ତାବ ଗ୍ରହଣ କରାଯିବ। ଏପ୍ରିଲ୍ ୩୦ ତାରିଖରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ।