ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୮୫ତମ ଜୟନ୍ତୀ ଉତ୍ସବ, ‘ଭାରତ ବିଶ୍ବର ବୃହତ୍‌ ଅର୍ଥନୀତି ହେବାକୁ ଯାଉଛି’

ଭୁବନେଶ୍ବର: ଭାରତ ଏବେ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତି ଏବଂ ଆଗାମୀ ଦିନରେ ବିଶ୍ବ ଅର୍ଥନୀତିର ନେତୃତ୍ବ ନେବାକୁ ଯାଉଛି। ଦେଶର ମୁଣ୍ଡପିଛା ହାର ବୃଦ୍ଧି ପାଇଛି। ଦେଶରେ ଅର୍ଥନୈତିକ ବାତାବରଣ ଅନୁକୂଳ ରହିଛି। ବର୍ତ୍ତମାନ ଦେଶର ଶତକଡ଼ା ୯୯ ଭାଗ ପରିବାରରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଭାରତୀୟ ଅର୍ଥନୀତି ପାଇଁ ଶୁଭ ଲକ୍ଷଣ ବୋଲି ବିଶିଷ୍ଟ ଅର୍ଥନୀତି ବିଶାରଦ ତଥା ‘ପ୍ରଧାନମନ୍ତ୍ରୀ ଅର୍ଥନୀତି ଉପଦେଷ୍ଟା ପରିଷଦ’ର ଅଧ୍ୟକ୍ଷ ପଦ୍ମଶ୍ରୀ ବିବେକ ଦେବରୟ କହିଛନ୍ତି। ଆଜି ଭଞ୍ଜକଳା ମଣ୍ଡପଠାରେ ବିଶିଷ୍ଟ ଜନନେତା ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୮୫ତମ ଜୟନ୍ତୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ଦେବରୟ କ୍ରମବର୍ଦ୍ଧିଷ୍ଣୁ ଭାରତୀୟ ଅର୍ଥନୀତିର ବ୍ୟାଖ୍ୟା କରିଥିଲେ। ‘ସରକାର’ ଓ ‘ଶାସନ ନୀତି’ ମଧ୍ୟରେ ଉତ୍ତମ ସମନ୍ବୟ ରହିପାରିଲେ ଅର୍ଥନୀତି ଉପରେ ଏହାର ସୁପ୍ରଭାବ ପଡ଼ିଥାଏ। ଓଡ଼ିଶାର ସୁପୁତ୍ର ହରିଶ୍ଚନ୍ଦ୍ର ବକ୍ସିପାତ୍ର ସାଧାରଣ ଲୋକଙ୍କ ନେତା ଥିଲେ ଏବଂ ତାଙ୍କ ଦ୍ବାରା ପ୍ରତିଷ୍ଠିତ ପାକ୍ଷିକ ସମ୍ବାଦପତ୍ର ‘ଲୋକନୀତି’ ସାଧାରଣ ଜନତାଙ୍କ ପାଇଁ କେଉଁଭଳି ଶାସନ ନୀତି ପ୍ରତିଷ୍ଠା କରାଯାଇପାରିବ, ତାହା ବୟାନ କରିଥାଏ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ପ୍ରଦୀପ କୁମାର ଅମାତ ଯୋଗଦେଇ ଶିମିଳିପାଳ ଓ ଭିତରକନିକାକୁ ଜୈବମଣ୍ଡଳ ଘୋଷଣା କରିବାରେ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଅବଦାନ ଉଲ୍ଲେଖନୀୟ ଥିଲା ବୋଲି କହିଥିଲେ। ତାଙ୍କର ବଳିଷ୍ଠ ଉଦ୍ୟମରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଗଠନ କରାଯାଇଥିଲା। ଗୋପାଳପୁର ବନ୍ଦର ନବୀକରଣରେ ମଧ୍ୟ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ଛାତ୍ର‌ନେତା ଭାବେ ତାଙ୍କର ସୁଖ୍ୟାତି ଥିଲା। ଖୁବ୍‌ କମ୍‌ ବୟସରୁ ସେ ଛାତ୍ର ନେତା ଭାବେ ବିଭିନ୍ନ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଷଢ଼େଇକଳା, ଖରସୁଆଁ ସୀମା ଆନ୍ଦୋଳନର ସେ ନେତୃତ୍ବ ନେଇଥିଲେ ବୋଲି ବାଚସ୍ପତି ଶ୍ରୀ ଅମାତ କହିଥିଲେ।  ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଯୋଗଦେଇ ହରିଶ୍ଚନ୍ଦ୍ର ବକ୍ସିପାତ୍ର ଏବଂ ତାଙ୍କ ଜେଜେବାପା ଆର୍‌.ଏନ୍‌.ସିଂଦେଓଙ୍କ ମଧ୍ୟରେ ଉତ୍ତମ ସଂପର୍କ ଥିଲା ବୋଲି କହିଥିଲେ। ସ୍ବର୍ଗତ ବକ୍ସିପାତ୍ର ଜଣେ ନିଷ୍ଠାପର ଏବଂ ଆଦର୍ଶ ନେତା ଥିଲେ। ଯୁବବର୍ଗ ତାଙ୍କୁ ଅନୁସରଣ କରିବାକୁ ଶ୍ରୀ ସିଂଦେଓ ଆହ୍ବାନ ଜଣାଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗଦେଇ ହରିଶ୍ଚନ୍ଦ୍ରଙ୍କୁ ଜଣେ ବିପ୍ଳବୀ ଓ ବାଗ୍ମୀ ନେତା ଭାବେ ବର୍ଣ୍ଣନା କରିଥିଲେ। ଓଡ଼ିଶାର ବିପ୍ଳବୀ ନେତା ହରିଶ୍ଚନ୍ଦ୍ର ବକ୍ସିପାତ୍ର କୌଣସି ପରିସ୍ଥିତିରେ ମୁଣ୍ଡ ନୁଆଁଇବା ଶିଖି ନଥିଲେ, ଯେଉଁଥିପାଇଁ ତାଙ୍କୁ ଅନେକ ମୂଲ୍ୟ ଦେବାକୁ ପଡ଼ିଥିଲା। ରାଜନୀତି କ୍ଷେତ୍ରରେ ତାଙ୍କୁ ଅବେହେଳା କରାଯାଇଥିଲା ବୋଲି ପୂର୍ବତନ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ବିପିନ୍‌ ବିହାରୀ ମିଶ୍ର କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି କହିଥିଲେ। ‘ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି କମିଟି’ର ସାଧାରଣ ସଂପାଦିକା ଡ. ଲୋପାମୁଦ୍ରା ବକ୍ସିପା‌ତ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁବ୍ରତ କୁମାର ନନ୍ଦ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁବାସ ଚନ୍ଦ୍ର ବେହେରା ଏବଂ ସାମ୍ବାଦିକତା ପାଇଁ ଦୈନିକ ‘ସମାଜ’ର ସଂପାଦକ ବାମାପଦ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ। ସଭା ଆରମ୍ଭରେ ସ୍ବର୍ଗତ ବକ୍ସିପାତ୍ରଙ୍କ ଦ୍ବାରା ପ୍ରତିଷ୍ଠିତ ପାକ୍ଷିକ ସମ୍ବାଦପତ୍ର ‘ଲୋକନୀତି’କୁ ଅତିଥିମାନେ ଲୋକାର୍ପିତ କରିଥିଲେ।

ସମ୍ବନ୍ଧିତ ଖବର