ବିପ୍ଳବୀ ଭଗବତୀ ପାଣିଗ୍ରାହୀଙ୍କ ସ୍ମୃତି ସମାରୋହ: ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତି ଐକ୍ୟବଦ୍ଧ ସଂଗ୍ରାମ କରନ୍ତୁ

ଭୁବନେଶ୍ୱର: ବିପ୍ଳବୀ ଭଗବତୀ ଚରଣ ପାଣିଗ୍ରାହୀ ତାଙ୍କର ଦୁଇ ସହଯୋଗୀ ପ୍ରାଣନାଥ ପଟ୍ଟନାୟକ ଓ ଗୁରୁଚରଣ ପଟ୍ଟନାୟକଙ୍କ ସହ ମିଶି ୧୯୩୬ ମସିହାରେ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା କରି ଶ୍ରେଣୀହୀନ ଓ ଶୋଷଣହୀନ ସମାଜ ଗଠନର ଅନ୍ତର୍ଜାତୀୟତାବାଦ ଧାରାକୁ ଓଡ଼ିଶା ମାଟିରେ ପ୍ରବାହିତ କରିଥିଲେ। ଏହି ସାମ୍ୟବାଦୀ ସମାଜ ହିଁ ମାନବ ଜାତିର ଭବିଷ୍ୟତ। ଯେଉଁ ସାମ୍ପ୍ରଦାୟିକତାବାଦୀମାନେ ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ ନକରି ଧର୍ମ ଭିତ୍ତିରେ ଦେଶ ବିଭାଜନ ପାଇଁ ଇଂରେଜ ସରକାରକୁ ସହଯୋଗ କରିଥିଲେ, ସେମାନେ ଆଜି କେନ୍ଦ୍ର କ୍ଷମତାକୁ ଦଖଲ କରିଛନ୍ତି। ଧର୍ମୀୟ ମୌଳବାଦ, ସାମ୍ପ୍ରଦାୟିକତା ଓ ଅସହିଷ୍ଣୁତାର ବିଷ ମଞ୍ଜି ବୁଣି ଭାରତୀୟ ସମାଜର ଏକତା ଓ ଧର୍ମନିରପେକ୍ଷତାକୁ ବିପନ୍ନ କରୁଛନ୍ତି। ସଂସଦୀୟ ନୀତିନିୟମକୁ ପାଦରେ ଦଳି କୃଷି ଓ କୃଷକ ବିରୋଧୀ ଆଇନ ଏବଂ ଶ୍ରମିକ ବିରୋଧୀ ଲେବର କୋଡ୍‌କୁ ସଂସଦରେ ପାରିତ କରାଇଛନ୍ତି। ଏହା ବିରୋଧରେ ସମସ୍ତ ବାମପନ୍ଥୀ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତି ଐକ୍ୟବଦ୍ଧ ସଂଗ୍ରାମ କରନ୍ତୁ। ଓଡ଼ିଶାରେ କମ୍ୟୁନିଷ୍ଟ ଆନ୍ଦୋଳନର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀଙ୍କ ୭୮ତମ ରାଜ୍ୟସ୍ତରୀୟ ସ୍ମୃତି ସମାରୋହରେ ଆଜି ଯୋଗ ଦେଇଥିବା ବିଶିଷ୍ଟ ବକ୍ତାମାନେ ଆଜି ଏପରି ଆହ୍ବାନ ଦେଇଛନ୍ତି।

ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସିପିଆଇ ନେତା ଦିବାକର ନାୟକ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ରାମକୃଷ୍ଣ ପଣ୍ଡା, ସିପିଆଇ(ଏମ୍‌) ନେତା ସୁରେଶ ପାଣିଗ୍ରାହୀ ଓ ସିପିଆଇ (ଏମ୍‌.ଏଲ.) ଲିବରେସନ୍‌ର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ। ରାଜ୍ୟ ସହସମ୍ପାଦକ ପ୍ରଶାନ୍ତ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଭୁବନେଶ୍ୱର ଜୋନ୍ ସମ୍ପାଦକ ସୁର ଜେନା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ‘ନୂଆଦୁନିଆ’ର ଭଗବତୀ ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ‘ନୂଆ ଦୁନିଆ’ର ସମ୍ପାଦକ ରମେଶ ଚନ୍ଦ୍ର ପାଢ଼ୀ, ବିଶ୍ୱ ଶିକ୍ଷକ ସଂଘର ସଭାପତି ଡ. ଅମିୟ ମହାନ୍ତି ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର