ଭୁବନେଶ୍ବର: ସହରରେ ହେଉଥିବା ଛିନ୍‌ତାଇକୁ ପୂରାପୂରି ରୋକିବା ଏକ ଦୁରୁହ ବ୍ୟାପାର। ଯେତେ ଛିନ୍‌ତାଇ ମାମଲା ହେଉଛି, ସେଥିରୁ ୯୦ ପ୍ରତିଶତ ଅଭିଯୁକ୍ତ ବସ୍ତିବାସିନ୍ଦା ଓ ବସ୍ତିରେ ଭଡ଼ା‌ରେ ରହୁଥିବା ଯୁବକ। ତେଣୁ ନୂଆବର୍ଷରେ କମିସନରେଟ୍‌ ପୁଲିସ ନୂଆ ସଂକଳ୍ପ ନେଇଛି। ଏଥର ବସ୍ତି ଉପରେ ସ୍ବତନ୍ତ୍ର ଫୋକସ୍‌ କରିବାକୁ ସ୍ଥିର ହୋଇଛି। ପୁଲିସ କମିସନର୍‌ କାର୍ଯ୍ୟାଳୟ ସଭାଗୃହରେ ନୂଆବର୍ଷ ଉପଲକ୍ଷେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ଅବସରରେ କମିସନର୍‌ ସତ୍ୟଜିତ୍‌ ମହାନ୍ତି ଆଜି ଏପରି କହିଛନ୍ତି। ସେ କହିଛନ୍ତି, ସହର ଜନସଂଖ୍ୟାର ୪୦ ପ୍ରତିଶତ ଲୋକ ବସ୍ତିରେ ବାସ କରୁଛନ୍ତି। ଏଠାରେ ଅପରାଧୀ ଆଶ୍ରୟ ନେଉଥିଲେ ହେଁ ପୁଲିସ ଖବର ପାଉନାହିଁ। ସାଧାରଣତଃ ବସ୍ତିର ଯୁବକମାନେ ନିଶାଗ୍ରସ୍ତ ହେବା ସହ ବିଭିନ୍ନ ଅପରାଧରେ ଲିପ୍ତ ରହୁଛନ୍ତି। ତେଣୁ ସେମାନଙ୍କୁ ଚିହ୍ନଟ କରାଯିବା ପାଇଁ ଯୋଜନା ହୋଇଛି। ଯେଉଁମାନେ ବିଭିନ୍ନ ସମୟରେ ଅପରାଧରେ ଲିପ୍ତ ରହୁଛନ୍ତି ବା ଅପରାଧରେ ଲିପ୍ତ ହେବା ଆଶଙ୍କା ରହିଛି, ସେମାନଙ୍କୁ ବିଭିନ୍ନ କ୍ରୀଡ଼ା ତଥା ଅନ୍ୟାନ୍ୟ କାର୍ଯ୍ୟରେ ଲଗାଯିବାକୁ ଯୋଜନା ହୋଇଛି। ଏହାସହ ସେମାନଙ୍କୁ ସୂଚନାର ଆଧାର ଭାବେ ବ୍ୟବହାର କରାଯିବ। ଫଳରେ ବସ୍ତି ଭିତରେ ଅପରାଧ ସଂଘଟିତ ହେଲେ ବା ସେପରି କୌଣସି ଯୋଜନା ହେଲେ, ସେ ସମ୍ବନ୍ଧରେ ପୁଲିସକୁ ତୁରନ୍ତ ଖବର ମିଳି ପାରିବ।

Advertisment

ଅପରପକ୍ଷେ ଚଳିତବର୍ଷ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହା ପୁଲିସ ପାଇଁ ବଡ଼ ଆହ୍ବାନ। ଉଭୟ ନେତା ଓ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ସେହିପରି ଏଭଳି ବଡ଼ ବଡ଼ ଘଟଣା‌ରେ ପୁଲିସ ବ୍ୟସ୍ତ ରହୁଥିବା ବେଳେ ଏହାର ଫାଇଦା ନେଇ ଅପରାଧୀମାନେ ସହର ଭିତରେ ବିଭିନ୍ନ ଅପରାଧ ଘଟାଇବାର ପୂର୍ବନଜିର ରହିଛି। ତେଣୁ ସେଥିପ୍ରତି ମଧ୍ୟ ପୁଲିସକୁ ଦୃଷ୍ଟି ଦେବାକୁ ହେବ ବୋଲି କମିସନର୍‌ ଶ୍ରୀ ମହାନ୍ତି କହିଥିଲେ। ଚଳିତ ବର୍ଷ ସ୍ପେସା‌ଲ ସ୍କ୍ବାଡ୍‌କୁ ଆହୁରି ମଜଭୁତ୍‌ କରିବା ପାଇଁ ଯୋଜନା ରହିଛି। ଅପରପକ୍ଷେ ମାତ୍ର ଗୋଟିଏ ବର୍ଷରେ ସାଇବର ଅପରାଧ ହାର ୨୦ ପ୍ରତିଶତରୁ ବୃଦ୍ଧି ପାଇ ୫୦ପ୍ରତିଶତରେ ପହଞ୍ଚି ଥିବାରୁ ଏହା ଉପରେ ମଧ୍ୟ ଦୃଷ୍ଟି ଦେବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ। ସମସ୍ତ ଥାନା ଅଧିକାରୀଙ୍କୁ ସାଇବର ଅପରାଧ ରୋକିବା ଦିଗରେ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ସ୍ଥିର କରାଯାଇଛି। ତା’ ଛଡ଼ା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ମହିଳା ଓ ଶିଶୁ ଡେସ୍କ ସଫଳତାର ସହ ଚାଲିଛି। ଏଥିରେ ୯ ହଜାର ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଡେସ୍କରେ ୧୮ ହଜାର ଅଭିଯୋଗ ପଞ୍ଜୀକୃତ ହୋଇଛି। ଅଭ୍ୟର୍ଥନା କକ୍ଷ ମଧ୍ୟ ସଫଳତା ପାଇଛି। ଗତବର୍ଷ ହକି ବିଶ୍ୱକପ୍‌ ସହ ମେକ୍‌-ଇନ୍‌-ଓଡ଼ିଶା ଭଳି ବଡ଼ ବଡ଼ କାର୍ଯ୍ୟକ୍ରମକୁ ପୁଲିସ ସଫଳତାର ସହ ପରିଚାଳନା କରିଛି। ତେଣୁ ଆଗକୁ ସମସ୍ତ ଆହ୍ବାନ ସଫଳତାର ସହ ପରିଚାଳିତ ହେବ ବୋଲି ସେ ଆଶାବାଦୀ ଅଛନ୍ତି ବୋଲି ଶ୍ରୀ ମହାନ୍ତି କହିଥିଲେ।