ମହାଶିବରାତ୍ରି ପାଇଁ କମିସନରେଟ୍ ପୁଲିସ୍‌ର ପ୍ରସ୍ତୁତି: ନିୟୋଜିତ ହେବେ ୩୦ ପ୍ଲାଟୁନ୍ ପୁଲିସ

ଅଭିଜ୍ଞ ପୁଲିସ ଅଧିକାରୀ ରହିବେ, ଦୁର୍ବୃତ୍ତଙ୍କ ଉପରେ ନଜର ରଖିବ ୩୨ଟି ସିସିଟିଭି କ୍ୟାମେରା

ପୁରୁଣା ଭୁବନେଶ୍ୱର: ଆସନ୍ତା ୪ ତାରିଖ ମହାଶିବରାତ୍ରି‌ରେ ଏକାମ୍ର କ୍ଷେତ୍ରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ କମିସନ୍‌ରେଟ୍‌ ପୁଲିସ ପକ୍ଷରୁ ଆଜି ସଂଧ୍ୟାରେ ଶ୍ରୀଲିଙ୍ଗରାଜ ଥାନା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ଓ ଟ୍ରାଫିକ୍‌ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ସଂପର୍କରେ ଏଥିରେ ଆଲୋଚନା କରାଯାଇଥିଲା। ପୁଲିସ୍ କମିସନର୍‌ ସତ୍ୟଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏଥିରେ ଡିସିପି ଅନୁପ କୁମାର ସାହୁ, ଟ୍ରଷ୍ଟ ବୋର୍ଡର ସଭ୍ୟ, ବିଭିନ୍ନ ସେବାୟତ ଓ ଲୋକ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବିଗତ ବର୍ଷରେ ଜାଗର ଯାତ୍ରାରେ ଉପସ୍ଥିତ ଥିବା ପୁଲିସ ଅଧିକାରୀମାନଙ୍କ ଉପରେ ବେଶି ଦାୟିତ୍ୱ ନ୍ୟସ୍ତ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ମହାଶିବରାତ୍ରିରେ ମନ୍ଦିର ପରିସରରେ ଯେପରି ବିଶୃଙ୍ଖଳା ସୃଷ୍ଟି ନହୁଏ, ସେଥିପ୍ରତି ଧ୍ୟାନ ଦିଆଯିବ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ୪ଟି ସିଫ୍ଟରେ ୩୦ ପ୍ଲାଟୁନ୍ ପୁଲିସ୍ ଡ୍ୟୁଟି କରିବେ। ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫ଜଣ ଆଡିସନାଲ୍‌ ଡିସିପି, ୧୧ଜଣ ଏସିପି, ୧୦୦ଜଣ ବରିଷ୍ଠ ଅଫିସର୍‌ ଡ୍ୟୁଟି କରିବେ। ଯାତ୍ରାରେ ଛିନତାଇ ଓ ଦୁର୍ବୃତ୍ତମାନଙ୍କୁ ଉପରେ ନଜର ରଖିବା ପାଇଁ ମନ୍ଦିର ଭିତରେ ଓ ବାହାରେ ଲାଗିଥିବା ୩୨ଟି ସିସି କ୍ୟାମେରା ସହ ବହୁ ସାଦା ପୋଷାକଧାରୀ ଉଭୟ ପୁରୁଷ ଓ ମହିଳା ପୁଲିସ ନିୟୋଜିତ ରହିବେ। ପୂର୍ବ ଦିନ ରାତି ୧ଟାରୁ ମନ୍ଦିର ବାହାରୁ ଓ ଭିତରେ ଭିଡ଼କୁ ନିୟନ୍ତ୍ରଣ କରାଯିବ। ସେହିପରି ବାହାରେ ଟ୍ରାଫିକ୍ ଓ ଆଇନ ଶଙ୍ଖଳା ରକ୍ଷା କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ବିଭିନ୍ନ ଗାଡ଼ିମଟର ରଖିବା ପାଇଁ ବିଏମ୍ ହାଇସ୍କୁଲ, ସୁଭଦ୍ରା ମହତାବ ଉଚ୍ଚ ବିଦ୍ୟାଳୟ ଓ ଗୋସାଗରେଶ୍ୱର ଉପ୍ରା ବିଦ୍ୟାଳୟରେ, ଗଙ୍ଗାଯମୁନା ନିକଟରେ ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଛି। ବୈଠକରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ମନୋଜ ମହାନ୍ତି, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ, ବଡ଼ୁ ନିଯୋଗ ସମ୍ପାଦକ କମଳା ବଡ଼ୁ, ବହୁ ପୂର୍ବତନ କର୍ପୋରେଟର୍‌, ବହୁ ସେବାୟତ ଓ ବହୁ ପୁଲିସ୍ ଅଧିକାରୀମାନେ ଉପସ୍ଥିତ ଥିଲେ।

୫୦ ହଜାର ଟଙ୍କାର ବୋତଲ ପାଣି
ମହାଶିବରାତ୍ରି ପାଇଁ ବିଏମ୍‌ସି ପକ୍ଷରୁ ୫୦ହଜାର ଟଙ୍କାର ପାଣି ବୋତଲ ବଣ୍ଟାଯିବ ବୋଲି କୁହାଯାଇଛି।
ଷଣ୍ଢ ଯିବ କାଞ୍ଜିଆହୁଦା
ବିଏମ୍‌ସି ପକ୍ଷରୁ ରାସ୍ତା ଓ ଡ୍ରେନ୍ ସଫ‌ା କରାଯିବା ସହ ଲାଇଟ୍‌ ବ୍ୟବସ୍ଥା କରାଯିବ। ଏକାମ୍ର କ୍ଷେତ୍ରର ସବୁଠାରୁ ବଡ଼ ସମସ୍ୟା ଷଣ୍ଢଙ୍କୁ ଦୁଇ ଦିନ ପୂର୍ବରୁ ଉଦ୍ଧାର କରି କାଞ୍ଜିଆହୁଦାରେ ଛଡ଼ାଯିବ ବୋଲି କୁହାଯାଇଛି।
ଗଣେଶଙ୍କ ପାଖରେ ଦୀପ
ଯାତ୍ରା ଦିନ ମନ୍ଦିର ଭିତରେ ଦୀପ ଲଗାଇବା ବେଳେ ଭକ୍ତଙ୍କ ଯାତାୟାତ ସହ ବିମାନ ଯିବା ପାଇଁ ସମସ୍ୟା ହେଉଛି। ଏଣୁ ସିଦ୍ଧି ବିନାୟକଙ୍କ ପାଖରେ ଦୀପ ଲଗାଯିବ ବୋଲି କୁହାଯାଇଛି।
ବଦଳିବେ ନାହିଁ କାର୍ଯ୍ୟନିର୍ବାହୀ
ମହାଶିବରାତ୍ରିରେ ତିନି ପ୍ରମୁଖ ନିଯୋଗ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଥିବା ବେଳେ ମନ୍ଦିର କାର୍ଯ୍ୟନିବାର୍ହୀ ଅଧିକାରୀ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବେ। ତେବେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବଦଳି ଏବେ ସମସ୍ୟା କରିବ। ତେଣୁ ତାଙ୍କର ବଦଳି ହେବ ନାହିଁ ବୋଲି ବୈଠକରେ ସୂଚନା ଦିଆଯାଇଛି।
ସେବାୟତଙ୍କୁ ମନେଇବେ ପୁଲିସ ଓ ନେତା
ଲଗାତାର ଦୁଇ ପ୍ରମୁଖ ନିଯୋଗ ବୈଠକରେ ଯୋଗ ଦେଉ ନଥିବା ମନ୍ଦିର ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ସେବାୟତ ଠିକଣା ଭାବେ ନୀତି ସଂପାଦନ କଲେ ଠିକ୍‌ ସମୟରେ ମହାଦୀପ ଉଠିବ। ଏନେଇ ନର୍ଦିଷ୍ଟ ନୀତି ସମ୍ପାଦନା ସମ୍ପର୍କରେ ପୁଣି ଆଲୋଚନା କରାଯିବ। ଆସନ୍ତାକାଲି ୪ ନିଯୋଗ ପ୍ରମୁଖଙ୍କ ସହ ପୁଲିସ କମିସନର୍, ଡିସିପି, ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡା, ଏସିପି ଓ ଆଇଆଇସି ଏଡିଏମ୍‌ଙ୍କ ଉପସ୍ଥିତିରେ ଆଲୋଚନା କରିବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର