କମିସନରେଟ୍‌ ପୁଲିସ ପ୍ରତିଷ୍ଠା ଦିବସ: ଭୁବନେଶ୍ବର ହେଉ ଦୁଇ ପୁଲିସ ଜିଲ୍ଲା: ଡିଜିି

ଭୁବନେଶ୍ବର: ଦ୍ବୈତ ନଗରୀର କଳେବର ବଢ଼ୁଛି। ଉଭୟ ସହରରେ ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏପରି ‌କ୍ଷେତ୍ରରେ ଅପରାଧକୁ ଶତ ପ୍ରତିଶତ ନିୟନ୍ତ୍ରଣ କରିବାକୁ ହେଲେ ଭୁବନେଶ୍ୱରକୁ ଦୁଇଟି ପୁଲିସ ଜିଲ୍ଲାରେ ପରିଣତ କରିବାକୁ ପଡ଼ିବ। ଏପରି ପ୍ରସ୍ତାବ ରଖିଛନ୍ତି ପୁଲସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା। କମିସନରେଟ୍‌ ପୁଲିସର ୧୧ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସପ୍ତମ ବାଟାଲିୟନ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡା. ଶର୍ମା ଏପରି ମତ ରଖିଛନ୍ତି। ସେ କହିଛନ୍ତି, ୨୦୦୮ରୁ ପ୍ରତିଷ୍ଠିତ କମିସନରେଟ୍‌ ପୁଲିସ ବି ପଛରେ ନାହିଁ। ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣକୁ ନେଇ ଅନେକ ମାଇଲଖୁଣ୍ଟ ସ୍ଥାପନ କରିଛି। ତଥାପି ଆହୁରି କାମ କରିବାକୁ ଅଛି। ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପୁଲିସର ଲକ୍ଷ୍ୟ। ଏଥିପାଇଁ ପୁଲିସକୁ ଆହୁରି ପରିଶ୍ରମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। କମିସନରେଟ୍‌ ପୁଲିସ କିଭଳି ସଶକ୍ତ ହୋଇପାରିବ ସେ ସଂପର୍କରେ ମଧ୍ୟ ଡା. ଶର୍ମା ଗୁରୁତ୍ବାରୋପ କରିଛନ୍ତି। ଏହି ଅବସରରେ ଚନ୍ଦ୍ରଶେଖରପୁର ଥାନା ଇନ୍‌ସପେକ୍ଟର ଦୀପକ ମିଶ୍ରଙ୍କୁ ଶ୍ରେଷ୍ଠ ଇନ୍‌ସପେକ୍ଟର ଭାବେ ସମ୍ବର୍ଦ୍ଧିତ କରାଯାଇଛି। ପୁଲିସ ଡିଜି ଡା. ଶର୍ମା ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅନ୍ୟମାନଙ୍କୁ ତାଙ୍କ ଭଳି କର୍ମଠ ହେବା ପାଇଁ ପରାମର୍ଶ ଦେଇଛନ୍ତି। ହକି ବିଶ୍ୱକପ ସମୟରେ ଅଭ୍ୟର୍ଥନା ଓ ପରିଚାଳନା ସହ ଚୋରି ସାମଗ୍ରୀ ଫେରସ୍ତ, ବରିଷ୍ଠ ନାଗରିକଙ୍କ ଜନ୍ମଦିନ ଥାନାରେ ପାଳନ କରିବା ପ୍ରଭୃତି କାର୍ଯ୍ୟକୁ ନେଇ ଶ୍ରୀ ମିଶ୍ର ଚର୍ଚ୍ଚାକୁ ଆସିଥିଲେ। ଜିରୋ ନାଇଟ୍‌ରେ ବହୁ ଚର୍ଚ୍ଚିତ ଗୋଲ୍‌ଡେନ୍‌ ବାବାକୁ ଗିରଫ ଘଟଣା ମଧ୍ୟ ଚର୍ଚ୍ଚାରେ ରହିଥିଲା। ତାଙ୍କ ସହିତ ଟ୍ରାଫିକ କନ୍‌ଷ୍ଟେବଲ୍‌ ରାଜଲକ୍ଷ୍ମୀ ବଳିୟାରସିଂହ ଓ ଓଏସ୍‌ଏପି ୭ମ ବାଟାଲିୟନର ହାବିଳଦାର ବାବୁଲା ସାହୁଙ୍କ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଏଜି ଛକରେ ଡ୍ୟୁଟି କରୁଥିବା ବେଳେ ଜଣେ ଦିବ୍ୟାଙ୍ଗଙ୍କ ପାଇଁ କୌଣସି ଗାଡ଼ି ଅଟକୁ ନଥିବା ବେଳେ ରାଜଲକ୍ଷ୍ମୀ ତାଙ୍କୁ ରାସ୍ତା ପାର କରାଇଥିଲେ। କୁଆଖାଇରେ ଜଣେ ମହିଳାଙ୍କୁ ଉଦ୍ଧାର କରି ବାବୁଲା ଚର୍ଚ୍ଚାକୁ ଆସିଥିଲେ। ପୂର୍ବରୁ ପୁଲିସ କମିସନର ସତ୍ୟଜିତ ମହାନ୍ତି ତାଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଆଜି ଡିଜିପି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଭଳି କାମ ସମସ୍ତେ କରିବା ଦରକାର ବୋଲି ଡିଜି ଆହ୍ବାନ ଦେଇଛନ୍ତି। ପୁଲିସ କମିସନର ସତ୍ୟଜିତ ମହାନ୍ତି ଓ ଡିସିପି ଅନୁପ ସାହୁଙ୍କ ସହ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ମାନେ ଏଥିରେ ସାମିଲ ହୋଇଥିଲେ। ଏହି ଅବସରରେ ସେରିମୋନିଆଲ ପରେଡ ସହ ଗଣଦୌଡ଼ ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର