‌କମିସନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍‌ ସଚେତନତା କାର୍ଯ୍ୟକ୍ରମ: ବାଣ୍ଟିଲେ ଗୋଲାପ, ଚକ୍‌ଲେଟ୍‌

ଭୁବନେଶ୍ବର: ଆଜି ଏଜି ଛକରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଇ ନ ଥିଲା। ସେମାନଙ୍କୁ ଟ୍ରାଫିକ୍‌ ନିୟମ ଲେଖାଥିବା କାର୍ଡ ପ୍ରଦାନ କରାଯାଇ ହେଲ୍‌ମେଟ ଓ ସିଟ୍‌ବେଲ୍ଟ୍‌ ପିନ୍ଧିବା ପାଇଁ କୁହାଯାଉଥିଲା। ହେଲେ ଟ୍ରାଫିକ୍ ନିୟମ ମାନୁଥିବା ସଚେତନ ନାଗରିକଙ୍କୁ ଅଭିନେତ୍ରୀ ଓ ଅଭିନେତାମାନେ ଗୋଲାପ ଫୁଲ ଓ ଚକ୍‌ଲେଟ୍‌ ପ୍ରଦାନ କରିଥିଲେ। କମିସନରେଟ୍‌ ପୁଲିସର ୧୧ତମ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଆଜି ଏଜି ଛକଠାରେ ଏଭଳି ନିଆରା ଢଙ୍ଗରେ ସଚେତନତା କରାଯାଇଥିଲା। କେବଳ ଏଜି ଛକ ନୁହେଁ ବରଂ ସହରର ବିଭିନ୍ନ ଟ୍ରାଫିକ ଛକରେ ନିୟୋଜିତ ଟ୍ରାଫିକ୍‌ ପୁଲିସ ହେଲ୍‌ମେଟ୍‌ ପିନ୍ଧି ନ ଥିବା ବାଇକ୍‌ ଆରୋହୀ ଏବଂ ସିଟ୍‌ ବେଲ୍ଟ ବାନ୍ଧି ନ ଥିବା କାର୍‌ ଚାଳକମାନଙ୍କୁ ଅଟକାଇ ଟ୍ରାଫିକ୍‌ ନିୟମ ବିଷୟରେ ଅବଗତ କରାଇଥିଲେ। ଏଭଳି ସଚେତନତା ମାଧ୍ୟମରେ ଟ୍ରାଫିକ୍‌ ନିୟମ ମାନିବା ପାଇଁ ଗାଡ଼ି ଚାଳକମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରାଯାଇପାରିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି। କାର୍ଯ୍ୟକ୍ରମରେ ଡିସିପି ଅନୁପ ସାହୁ, ଟ୍ରାଫିକ୍‌ ଏସିପି ଅନୁପ୍‌ କାନୁନ୍‌ଗୋ, ଆଇଆଇସି ସୁରେନ୍ଦ୍ର ବଳ, ପ୍ରମୋଦ ପଟ୍ଟନାୟକ, ଅଭିନେତ୍ରୀ ଅନୁଭା ସୌରୢା, ପୁନମ୍‌ ମିଶ୍ର, ନୀହାରିକା ଦାସ, ଅଭିନେତା ସମ୍ବିତ ଆଚାର୍ଯ୍ୟ, ଜ୍ୟୋତି ନାୟକ, ହାସ୍ୟ ଅଭିନେତା ହରି ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଇଥିଲେ।

ସମ୍ବନ୍ଧିତ ଖବର