ଗାଦି ମାଡ଼ି ବସିଥିବା ଏସିିପି ହଟିବେ ନା ରହିବେ!

୪୭ ଜଣ ଇନ୍ସପେକ୍ଟରଙ୍କ ଅଦଳବଦଳ ପରେ...

କମିସନରେଟ୍‌ ପୁଲିସରେ ହେବ ବ୍ୟାପକ ଅଦଳବଦଳ

ଭୁବନେଶ୍ବର: ଓଡ଼ିଶା ପୁଲିସରେ ଇନ୍ସ‌େପକ୍ଟରସ୍ତରରେ ବଡ଼ଧରଣର ଅଦଳବଦଳ ପ‌େର କମିସନରେଟ ପୁଲିସରେ ମଧ୍ୟ ଏକ ବଡ଼ ଧରଣର ଅଦଳ ବଦଳ ହେବା ନେଇ ଚର୍ଚା ଆରମ୍ଭ ହୋଇଛି। ପ୍ରଥମ ପଦକ୍ଷେପ ସ୍ବରୂପ ଦୀର୍ଘ ଦିନ ଧରି ଗାଦି ମାଡ଼ି ବସିଥିବା ଏସିପିମାନଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି କରାଯିବ ନେଇ ଚର୍ଚା ହେଉଛି। ବିଶେଷକରି ଯେଉଁମାନେ କମିସନରେଟ୍‌ରେ ଇନ୍ସପେକ୍ଟର ଭାବେ ଯୋଗ ଦେଇ ଏବେ ପଦୋନ୍ନତି ପାଇ ଏସିପି ହୋଇଛନ୍ତି, ସେମାନଙ୍କୁ କମିସନରେଟ୍‌ ପୁଲିସ ଅଞ୍ଚଳରୁ ସାଧାରଣ ନିର୍ବାଚନ ପୂର୍ବରୁ ହଟାଇ ଦିଆଯିବ। ଦୀର୍ଘ ଦିନ ଧରି ଏଠାରେ ଆସ୍ଥାନ ଜମାଇ ଥିବାରୁ ଅନ୍ୟ ପୁଲିସ ଅଧିକାରୀଙ୍କ ମନରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଉଛି। ଏହାର ଫାଇଦା ଉଠାଉଛନ୍ତି କେତେକ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି। ଅପରାଧୀମାନେ ମଧ୍ୟ ଉପରମୁହାଁ ହୋଇଯାଇଛନ୍ତି। ଫଳରେ କମିସନରେଟ ପୁଲିସକୁ ଠିକ ଢଙ୍ଗରେ ଚଳାଇବା କଷ୍ଟକର ବ୍ୟାପାର ହୋଇ ପଡ଼ୁଛି। ଏଥିପାଇଁ ଏବେ ପୁଣି ଥ‌ରେ ଯେଉଁମାନଙ୍କର କମିସନରେଟ ପୁଲିସରେ କାମ କରିବାର ଅଭିଜ୍ଞତା ରହିଛି ସେମାନଙ୍କୁ କମିସନରେଟ୍‌ ପୁଲିସକୁ ଅଣାଯାଉଛି।

ପ୍ରକାଶଥାଉକି ଗତ ବର୍ଷ ଡିସେମ୍ବରରେ ୧୪ଜଣ ଇନ୍ସପେକ୍ଟରଙ୍କୁ ଏସିପି ରୢାଙ୍କକୁ ପଦୋନ୍ନତି ମିଳିଥିଲା। ସେମାନଙ୍କ ମଧ୍ୟରୁ ପ୍ରଥମେ ଶୁଭେନ୍ଦୁ ସିହ୍ନା ଓ ସେକ୍ ସରିଫୁଦ୍ଧିନଙ୍କୁ ପଦୋନ୍ନତି ମିଳିଥିଲା। ଦୁହିଁଙ୍କୁ କଟକ ବଦଳି କରାଯାଇଥିଲା। ଅନ୍ୟମାନେ କିନ୍ତୁ ଇନ୍‌ଚାର୍ଜ ହୋଇ ରହିଲେ। ପରେ ପ‌େର କିଶୋର ମୁଣ୍ଡଙ୍କୁ ଜୋନ୍ -୫ ଏସିପି ଓ ଅନୁପ କାନୁନଗୋଙ୍କୁ ଟ୍ରାଫିକ୍ ଏସିପି ଭାବେ ନିଯୁକ୍ତି ମିଳିଲା। ଅନ୍ୟମାନେ ଏବେ ସେହିଭଳି ଭାବେ ଇନଚାର୍ଜ ଏସିପି ହୋଇ ଡ୍ୟୁଟି କରୁଛନ୍ତି। ଏଭଳି ସମୟରେ ଗତ କିଛି ଦିନ ତଳେ କମିସନରେଟ ପୁଲିସର ଏସିପି ତଥା ପିଆର୍ଓ ସୂର୍ଯ୍ୟମଣି ପ୍ରଧାନ, ଏସିପି ଫଗୁଆ ସିଂହ, ଏସିପି ଅତନୁ କୁମାର ରାଉତ, ଏସିପି ଦେବୀ ଶଙ୍କର ପ୍ରତାପଙ୍କୁ ଜିଲ୍ଲା ବାହାରକୁ ବଦଳି କରାଯାଇଛି। ପୁଲିସ ବିଭାଗରେ ଏଭଳି ବଦଳି ନୀତିକୁ ଅନେକ ପୁଲିସ ଅଧିକାରୀ ନାପସନ୍ଦ କରିଛନ୍ତି। ଯାହାକୁ ନେଇ ସେମାନଙ୍କ ମନରେ ଅସନ୍ତୋଷ ଦେଖା ଦେବା ଆରମ୍ଭ କଲାଣି। ବଦଳି ହୋଇଥିବା ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ଏଠାରେ କିଛି ଅଫିସର ଇନ୍ସପେକ୍ଟର୍‌ରୁ ଏସିପି ହେଲେଣି କିନ୍ତୁ ସେମାନଙ୍କୁ ବଦଳି କରାଯାଉନାହିଁ। ଆଉ କିଛି ଇନ୍ସପେକ୍ଟର ଓ ଏସିପି ମାତ୍ର ୬/୭ମାସ କମିସନରେଟ ପୁଲିସରେ ଯୋଗ ଦେବା ପରେ ପୁଣି ଥରେ ସେମାନଙ୍କୁ ଜିଲ୍ଲାକୁ ବଦଳି କରାଯାଉଛି। ଗୋଟିଏ ଥାନାରେ ଅତି ବେଶିରେ ୩ ବର୍ଷ ଓ ପୁଲିସ ଜିଲ୍ଲାରେ ୬ ବର୍ଷ ରହିବା ନିୟମ ଥିବା ବେଳେ କମିସନରେଟ ପୁଲିସର ଏହି ନିୟମ କେତେକ ଅଫିସରଙ୍କ ପାଇଁ କାମରେ ଆସୁନାହିଁ। କମିସନରେଟ ପୁଲିସ ଅଧୀନରେ ଥିବା କେତେକ ଏସିପି, ଇନ୍ସପେକ୍ଟର, ଏସ୍ଆଇ ଓ ଏଏସଆଇ ନିଜ ନିଜର ଏକ ଦଳ ଗଠନ କରି ନିଜ ହିସାବରେ କାମ କରୁଛନ୍ତି। ଉପରିସ୍ଥ ଅଧିକାରୀଙ୍କୁ ବଶ କରି ସେମାନେ ରାଜଧାନୀରେ ଆସ୍ଥାନ ଜମାଇ ରଖିଛନ୍ତି ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି। ତେବେ ନୂଆ କରି ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି କମିସନେରଟ ପୁଲିସରେ ଯୋଗ ଦେବା ପରେ ଏବେ ସେ ପୁରୁଣା ଅଫିସରଙ୍କୁ ଧୀରେ ଧୀରେ ବିଦା କରିବାକୁ ଯୋଜନା କରିଛନ୍ତି। ପ୍ରଥମ ପଦକ୍ଷେପ ସ୍ବରୂପ ଗୁଇନ୍ଦା ବିଭାଗରେ ଥିବା ଡିଏସ୍‌ପି ସତ୍ୟଜିତ ମିଶ୍ରଙ୍କୁ କମିସନ‌େରଟ ପୁଲିସକୁ ଆଣିଛନ୍ତି। ସେ ଦୁଇ ଦିନ ତ‌ଳୁ କମିସନରେଟ ପୁଲିସରେ ଯୋଗ ଦେଇ ସାରିଲେଣି। ସେ ଜୋନ-୧ ଏସିପି ଭାବେ ଦାୟିତ୍ବ ନେଇ ପାରନ୍ତି। ସେହିପରି ଏନକାଉଣ୍ଟର ସ୍ପେସାଲିଷ୍ଟ ଭାବେ ସାରା ରାଜ୍ୟରେ ଜଣାଶୁଣା ଆଲୋକ ଜେନାଙ୍କୁ ଗଞ୍ଜାମରୁ ଭୁବ‌େନଶ୍ବର ଅଣାଯାଉଛି। ସେ କମିସନରେଟ ପୁଲିସର ସ୍ପେସାଲ ସ୍କ୍ବାଡ୍‌ଠାରୁ ଆରମ୍ଭ କରି ଖାରବେଳନଗର, ଲକ୍ଷ୍ମୀସାଗର, ବାଲିପାଟଣା, ସହିଦନଗର ଭଳି ଥାନାରେ କାର୍ଯ୍ୟ କରିଛନ୍ତି। ଆଲୋକ ଜେନାଙ୍କୁ ସ୍ପେସାଲ୍ ସ୍କ୍ବାଡ୍ ଇନ୍ସପେକ୍ଟର ଭାବେ ଦାୟିତ୍ବ ମିଳିବ ବୋଲି ପୁଲିସ ମହଲରେ ଚର୍ଚା। ସେହିପରି ପୂର୍ବରୁ କ୍ୟାପିଟାଲ ଥାନାର ଏସ୍ଆଇ ଭାବେ କାମ କରିଥିବା ଅମିତାଭ ମହାପାତ୍ରଙ୍କୁ ମଧ୍ୟ ଭୁବନେଶ୍ବର ଅଣାଯାଉଛି। ଇନ୍ସପେକ୍ଟର ଅମିତାଭ ମହାପାତ୍ର କ୍ୟାପିଟାଲ ଥାନା ଇନ୍ସପେକ୍ଟର ଭାବେ ଯୋଗ ଦେବେ।

ଏଠାରେ ପ୍ରକାଶଥାଉକି, ଗତକାଲି ଇନ୍ସପେକ୍ଟରସ୍ତରରେ ଯେଉଁ ଅଦଳବଦଳ ହୋଇଛି, ସେଥିରେ ଗଞ୍ଜାମରୁ ଆଲୋକ ଜେନା, ଯାଜପୁରରୁ ଅମିତାଭ ମହାପାତ୍ର ଓ ବିଶ୍ବରଂଜନ ସେନାପତି, ମୟୂରଭଞ୍ଜରୁ ସତ୍ୟଜିତ ଦାସ ପ୍ରମୁଖଙ୍କ ବଦଳି କମିସନରେଟ ପୁଲିସକୁ ହୋଇଛି। ଖୁବ୍ ଶୀଘ୍ର ସେମାନେ କମିସନରେଟ ପୁଲିସରେ ଯୋଗ ଦେବେ।

ସମ୍ବନ୍ଧିତ ଖବର