କମିସନରେଟ ପୁଲିସରେ ନୂଆ ମୁହଁ: ଆଇନ୍‌ଶୃଙ୍ଖଳା, ଟ୍ରାଫିକ ପରିଚାଳନା ବଡ଼ ଚ୍ୟାଲେଞ୍ଜ

ଅଦଳ ବଦଳ ପରେ

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସାରା ରାଜ୍ୟରେ ପୁଲିସ ବିଭାଗରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। କମିସନରେଟ ପୁଲିସ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ତେବେ କମିସନରେଟ ପୁଲିସରେ ଯେଉଁ ଅଦଳ ବଦଳ ହୋଇଛି, ତାକୁ ନେଇ ଏବେ ପୁଲିସ ମହଲରେ ଚର୍ଚା। କମିସନେରଟ ପୁଲିସ ଏବେ ସଂପୂର୍ଣ୍ଣ ଭାବେ ନୂଆ ମୁହଁକୁ ନେଇ ଚାଲିବ। ଏଡିସିପି ରୢାଙ୍କର ଅଧିକାରୀଙ୍କଠାରୁ ଆରମ୍ଭ କରି ଏସିପି, ଇନ୍ସପେକ୍ଟର ଓ ଏସ୍ଆଇ ସମସ୍ତେ ନୂଆ। ଅଧିକାଂଶଙ୍କର ପୂର୍ବରୁ ରାଜଧାନୀରେ କାମ କରିବାର ଅଭିଜ୍ଞତା ମଧ୍ୟ ନାହିଁ। ଫଳରେ ଏବେ କମିସନରେଟ ପୁଲିସ ପାଇଁ ଆଇନଶୃଙ୍ଖଳା ପରିସ୍ଥିତିର ସମ୍ମୁଖୀନ କରିବାଠାରୁ ଆରମ୍ଭ କରି ଟ୍ରାଫିକ ପରିଚାଳନା ଓ ଅପରାଧ ରୋକିବା ଏବେ ଚ୍ୟାଲେଞ୍ଜ ହୋଇ ପଡ଼ିବ। କେବଳ ସମସ୍ୟା ଏତିକିରେ ସୀମିତି ନାହିଁ, ଅନେକ ହତ୍ୟା, ଡକାୟତି, ଠକେଇ ଓ ଲୁଟ୍‌ପାଟ୍‌ ଭଳି ଘଟଣାର ଏଯାଏ ପର୍ଦାଫାସ ହୋଇ ପାରିନାହିଁ। ନୂଆ ଅଫିସରଙ୍କ ପାଇଁ ଏହା ଆଉ ଏକ ସମସ୍ୟା ଭାବେ ମୁଣ୍ଡ ଟେକିବ।ଚଳିତ ମାସ ୧୪ ତାରିଖରେ କମିସନରେଟ ପୁଲିସରେ ବଡ଼ ଧରଣର ଅଦଳ ହୋ‌ଇଥିଲା। ଏଥିରେ ୫୩ ଜଣ ଏଡିସିପି, ଏସିପି ଓ ଇନ୍ସପେକ୍ଟର ଓ ୬୭ ଜଣ ଏସଆଇଙ୍କ ବଦଳି ହୋଇଥିଲା। ବିଶେଷକରି ଏହି ବଦଳିରେ କଟକ ଓ ଭୁବନେଶ୍ବର ମଧ୍ୟରେ ହୋଇଥିଲା। କିନ୍ତୁ କେତେକ ନିର୍ଦିଷ୍ଟ ଏସିପି ଓ ଇନ୍ସପେକ୍ଟର୍‌ମାନଙ୍କର ସହର ମଧ୍ୟରେ ହୋଇଥିଲା। ସେମାନେ କମିସନରେଟ ପୁଲିସ ପାଇଁ ଆବଶ୍ୟକ ମନେ କରାଯାଇ ବଦଳି କରାଯାଇ ନ ଥିଲା ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଥିଲେ। କିନ୍ତୁ ଏ ନେଇ ସଂପୃକ୍ତ କେତେକ ଅଫିସରଙ୍କ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୁଣି ଥରେ କମିସନରେଟ ପୁଲିସରେ ଅଦଳ ବଦଳ ହୋଇଥିଲା। ଯେଉଁଥିରେ କେତେକ ଏସିପି ଓ ଇନ୍ସପେକ୍ଟରଙ୍କ କମିସନରେଟ ପୁଲିସ ବାହାର ଅଞ୍ଚଳକୁ ବଦଳି କରାଯାଇଛି। ଏହି ବଦଳି‌ରେ ଗୁଇନ୍ଦା, ସ୍ପେସାଲ ସ୍କ୍ବାଡ୍ ଓ ଟ୍ରାଫିକରେ ମଧ୍ୟ ପରିବର୍ତନ କରାଯାଇଛି। ଯାହା ଆଗାମୀ ଦିନରେ ସମସ୍ୟା ସୃଷ୍ଟି କରିବ। ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ ଏହି ସମୟରେ ଭୁବନେଶ୍ବର ଓ କଟକରୁ ସମସ୍ତ ଇନ୍ସପେକ୍ଟର, ଏସିପି ଓ ଏଡିସିପିମାନଙ୍କୁ ହଟାଇ କାମ କରିବା ବରିଷ୍ଠ ପୁଲିସ ଅଧିକାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ କହିଛନ୍ତି। ସେହିପରି ଏସ୍‌ଆଇମାନଙ୍କ ପରିବର୍ତନ ମଧ୍ୟ ଏକ ବଡ଼ ଘଟଣା। କମିସନରେଟ ପୁଲିସରେ କାମ କରୁଥିବା ସମସ୍ତ ଏସଆଇଙ୍କର ଏକାବେଳକେ ବଦଳି ମଧ୍ୟ ପ୍ରଥମ ଥର ହୋଇଛି। ଯାହାର ପ୍ରଭାବ ସିଧା ସଳଖ କମିସନରେଟ ପୁଲିସର କାର୍ଯ୍ୟରେ ପଡ଼ିବ। ଯାହାର ଫାଇଦା କେତେକ ତଳିଆ କର୍ମଚାରୀମାନେ ନେବାର ମଧ୍ୟ ଆଶଙ୍କା ରହିଛି।

ଏ ସମ୍ପର୍କରେ ପୁଲିସ କମିସନର ସତ୍ୟଜିତ ମହାନ୍ତି କୁହନ୍ତି ଅବଶ୍ୟ ଏଭଳି ପରିବର୍ତନ ମୋ ପାଇଁ ଚ୍ୟା‌ଲେଞ୍ଜ ହୋଇ ପଡ଼ିବ। କିନ୍ତୁ ଯେଉଁ ଏସିପି ଓ ଇନ୍ସପେକ୍ଟରମାନଙ୍କୁ କମିସନରେଟ ପୁଲିସକୁ ଅଣାଯାଇଛି ସେମାନଙ୍କ କାର୍ଯ୍ୟ ଦକ୍ଷତା ଓ ଅଭିଜ୍ଞତାକୁ ନେଇ ବିଭିନ୍ନ ସ୍ଥାନରେ ଅବସ୍ଥାପିତ କରାଯାଉଛି। କିଛି ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ଆପେ ଆପେ ହୋଇ ଯିବ।

ସମ୍ବନ୍ଧିତ ଖବର