ବାଣ କଟକଣା ମାନିବେ ତ ଚୋରା ବେପାରୀ? କମିସନରେଟ୍ ପୁଲିସ ସଜାଗ

ନଜରରେ ରେଳଷ୍ଟେସନ୍, ବସ୍‌ଷ୍ଟାଣ୍ଡ ଓ ମାଲ୍‌ବାହୀ ଟ୍ରକ୍‌, ଜଟଣୀରେ ଚଢ଼ାଉ କରିବ ସ୍ବତନ୍ତ୍ର ଟିମ୍

ଭୁବନେଶ୍ବର: ଗତବର୍ଷ ଭଳି ଏଥର ମଧ୍ୟ ନିରାଡ଼ମ୍ବର ପାର୍ବଣ ଆୟୋଜନ ପାଇଁ ବିଏମ୍‌ସି ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଦଶହରାଠୁ ଆରମ୍ଭ କରି କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ବିନା ଆଲୋକମାଳା, ବାଜା, ବାଣରେ ପୂଜା ହେବ ଏବଂ ଭସାଣି ମଧ୍ୟ କରାଯିବ। ମହାମାରୀ କରୋନା ଜଣଙ୍କ ଠାରୁ ଅନ୍ୟଜଣଙ୍କ ପାଖକୁ ସଂକ୍ରମିତ ହୋଇଥିବା ବେଳେ ବିଶେଷ କରି ଶ୍ବାସକ୍ରିୟା ଜନିତ ଅର୍ଥାତ୍ ଫୁସ୍‌ଫୁସ୍ ଆଦି ଅଚଳ କରୁଥିବାରୁ ଏହିଭଳି କଟକଣା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ସଜବାଜ ଆରମ୍ଭ ହେଲାଣି। ଦୀପାବଳିରେ ବେଆଇନ୍ ବାଣ କାରବାରକୁ ରୋକିବା ପାଇଁ ପୁଲିସ ପକ୍ଷରୁ ମୁଖ୍ୟତଃ ୩ଟି ଜାଗା ରେଳଷ୍ଟେସନ୍, ବସ୍‌ଷ୍ଟାଣ୍ଡ୍ ଓ ରାଜ୍ୟ ବାହାରୁ ଜିନିଷ ନେଇ ଆସୁଥିବା ମାଲ୍‌ବାହୀ ଟ୍ରକ୍‌ଗୁଡ଼ିକ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ଏଥିପାଇଁ ସ୍ଥାନୀୟ ପୁଲିସକୁ ସତର୍କ କରାଯାଇଥିବା ବେଳେ ବିଭିନ୍ନ ଛକରେ ଚେକିଂ ଓ ବ୍ଲକିଂ ମଧ୍ୟ ଆରମ୍ଭ ହୋଇଛି।

ପୂର୍ବରୁ ବାଣ ବେପାରୀମାନେ ଶିବକାଶୀରୁ ଟ୍ରକ୍‌ ଯୋଗେ ବାଣ ମଗାଉଥିଲେ। ମାତ୍ର ବର୍ତ୍ତମାନ ବାଣ ବ୍ୟବହାର ଉପରେ ରୋକ୍ ଲାଗିଥିବାରୁ ମାଲ୍‌ବାହୀ ଟ୍ରକ୍‌ଗୁଡ଼ିକୁ ଢାଲ କରି ଆଣୁଛନ୍ତି। ଭୁବନେଶ୍ବର ଉପକଣ୍ଠରେ ଲାଇସେନ୍ସପ୍ରାପ୍ତ ଅନେକ ବେପାରୀ ଚୋରାରେ ବାଣ ଆଣିବା ପରେ ସେମାନଙ୍କ ଫାର୍ମ ହାଉସ, ପଡ଼ିଆ ନଚେତ୍ ଅନେକ ପରିତ୍ୟକ୍ତ ଗୃହରେ ଗଚ୍ଛିତ ରଖୁଛନ୍ତି। ପୁଲିସର ନଜର କେବଳ ବନ୍ଦ ଗୋଦାମ ଓ ସେମାନଙ୍କ ଘର, ଦୋକାନ ଉପରେ ରହୁଥିବାରୁ ଚୋରା ବାଣ ବାବଦରେ ଟେର୍ ପାଉନାହିଁ। ସ୍ଥାନୀୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଶିବକାଶୀରୁ ବାଣ ଆଣିବା ବ୍ୟୟବହୁଳ ଓ ଧରା ପଡ଼ିଯିବାର ଭୟ ଥିବାରୁ ଅନେକ ବ୍ୟବସାୟୀ ସ୍ଥାନୀୟ ବଜାର ଉପରେ ନିର୍ଭର କରୁଛନ୍ତି। ସେଥିପାଇଁ ଅନେକ ବସ୍‌ ଓ ଟ୍ରେନ୍ ଯୋଗେ ଆଣୁଛନ୍ତି। ବିଶେଷ କରି ଭୁବନେଶ୍ବର ଉପକଣ୍ଠ କନ୍ତିଆ, କୁଦିଆରୀ, ରଥିପୁର, କୁସୁମାଟି, ହରିରାଜପୁର, ବାଛେରା-ପାତ୍ରପଡ଼ା ଆଦି ଅଞ୍ଚଳରେ ଏହି ବେଆଇନ୍ ବାଣ ସବୁ ଗଚ୍ଛିତ ହୋଇ ରହିଛି। ଅନେକ ପାର୍ବଣ ପୂର୍ବରୁ ବାଣ ଆଣି ଗଚ୍ଛିତ ରଖିଥିବା ସୂଚନା ମିଳିଛି।

ଏ ନେଇ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ପୂର୍ବଭଳି ଏଥର ମଧ୍ୟ ଭୁବନେଶ୍ବର ପୁଲିସ ସଜାଗ ରହିଛି। ବାଣ ଆସିବାକୁ ଥିବା ସ୍ଥାନୀୟ ପୁଲିସ ଷ୍ଟେସନ୍‌ଗୁଡ଼ିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଭୁବନେଶ୍ବର ରେଳବାଇ ପୁଲିସ ପକ୍ଷରୁ କୁହାଯାଇଛି, ସବୁଦିନ ଗୋଟିଏ ସେକ୍ସନ ଫୋର୍ସ ରେଳଷ୍ଟେସନ୍‌ର ବାହାରେ ଓ ଭିତରେ ପଇଁତରା ମାରୁଛନ୍ତି। ସାମାନ୍ୟ ସନ୍ଦେହ ଉପୁଜିଲେ ତଥା ବାଣ ଚୋରା କାରବାର ହେଉଥିବା ଖବର ମିଳିଲେ ଚଢ଼ଉ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ସେଭଳି କୌଣସି ଦୃଷ୍ଟାନ୍ତ ନଥିବା କୁହାଯାଇଛି। ଅପରପକ୍ଷରେ ଓଡ଼ିଶା ବସ୍‌ ଓନର୍ ଆସୋସିଏସନ୍‌ର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି, ପୂର୍ବରୁ ମାଲିକମାନଙ୍କ ଅଗୋଚରରେ କିଛି କର୍ମଚାରୀ ଲୁଚାଛପାରେ ବସ୍‌ରେ ବାଣ ଆଣୁଥିଲେ। ଏହା ଉପରେ ଆମେ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଛୁ ଏବଂ ଏଥର ମଧ୍ୟ କଡ଼ାକଡ଼ି ଭାବେ ସମସ୍ତଙ୍କୁ ଏହି ନିୟମ ପାଳନ କରିବା ପାଇଁ ସୂଚନା ଦେଇଛୁ।

ଅପରପକ୍ଷରେ ପୂର୍ବତଟ ରେଳପଥର ଜନସଂପର୍କ ଅଧିକାରୀ ନିହାର ରଂଜନ ମହାନ୍ତି କହିଛନ୍ତି, ଏନେଇ ବିଭାଗୀୟ ମାର୍ଗଦର୍ଶିକା ଜାରି ହୋଇନଥିଲେ ବି ରେଳବାଇ ପୁଲିସ ସବୁ ଷ୍ଟେସନ୍‌ରେ କଡ଼ାକଡ଼ି ଭାବେ ଯାତ୍ରୀଙ୍କ ଲଗେଜ୍ ଯାଞ୍ଚ କରୁଛନ୍ତି। ପ୍ରତି ଟ୍ରେନ୍‌ରେ ରେଳବାଇ ପୁଲିସ ସ୍ବତନ୍ତ୍ର ଭାବେ ଉପସ୍ଥିତ ରହି ନିରାପତ୍ତା ବ୍ୟବସ୍ଥାକୁ ନିଶ୍ଚିତ କରୁଛନ୍ତି। ଆସନ୍ତା କିଛିଦିନ ମଧ୍ୟରେ ଏନେଇ ବିସ୍ତୃତ ମାର୍ଗଦର୍ଶିକା ଜାରି ହେବ।

ସମ୍ବନ୍ଧିତ ଖବର