କଠୋର ହେଲା କମିସନରେଟ୍‌ ପୁଲିସ: ସପିଂ ମଲ ବନ୍ଦ ନ କଲେ କାର୍ଯ୍ୟାନୁଷ୍ଠାନ, ଅତ୍ୟାବଶ୍ୟକ ସାମଗ୍ରୀ ବିକିବାକୁ ବାଧ୍ୟ

ପୁଲିସ ଯେକୌଣସି ସମୟରେ ଚଢ଼ଉ କରିବ

ଭୁବନେଶ୍ୱର: ରାଜଧାନୀରେ ଜଣେ ବିଦେଶ ଫେରନ୍ତା ଯୁବକ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ଆତଙ୍କ ସୃଷ୍ଟି ହୋଇଛି। କିଭଳି ଏହି ମହାମାରୀ ଉପରେ କାବୁ ପାଇ ହେବ, ସେ ନେଇ ସରକାରୀସ୍ତରରେ ମାନସମନ୍ଥନ ଚାଲିଛି। ଏହି ପରିପ୍ରେକ୍ଷୀରେ ଆଜି କମିସନରେଟ୍‌ ପୁଲିସ ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଲୋକଙ୍କ ମଧ୍ୟରେ ସର୍ବନିମ୍ନ ଦୂରତା ରକ୍ଷା କରିବା ପାଇଁ କୁହାଯାଇଛି। ଆଜି ଏ ନେଇ ଏକ ଆଦେଶନାମା ଜାରି କରାଯାଇଛି। ଗତକାଲି ସମସ୍ତ ସପିଂ ମଲ୍‌ ବନ୍ଦ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲେ ମଧ୍ୟ କେତେକ ମଲ୍‌ ଆଜି ନିର୍ଦ୍ଦେଶ ନ ମାନି ଖୋଲିଥିବା ଦେଖାଯାଇଛି। ଏଣୁ କୌଣସି ପରିସ୍ଥିତିରେ ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ ଅଞ୍ଚଳ‌ରେ ଥିବା ମଲ୍‌ଗୁଡ଼ିକ ଖୋଲି ପାରିବ ନାହିଁ ବୋଲି ଆଜି ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ। ତେବେ ଗ୍ରୋସରି, ପରିବା, ଫଳ, କ୍ଷୀର, ଔଷଧ ପ୍ରଭୃତି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଖୋଲା ରହିବ। ଧାର୍ଯ୍ୟ ଦରଠାରୁ ଅଧିକ ମୂଲ୍ୟ ନେବା ବା ବେଆଇନ ଭାବରେ ଗଚ୍ଛିତ ରଖିବା ଅପରାଧ ଭାବରେ ଗ୍ରହଣ କରାଯିବ। ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନ, ସରକାରୀ ଅନୁଷ୍ଠାନକୁ ଆସୁଥିବା ଲୋକଙ୍କ ସଂଖ୍ୟା ସୀମିତ କରିବେ। ଦୋକାନୀ, ଗ୍ରାହକ, କର୍ମଚାରୀ ପରସ୍ପର ମଧ୍ୟରେ ଅତି କମ୍‌ରେ ୬ ଫୁଟ୍‌ର ବ୍ୟବଧାନ ରଖି‌ବେ। କୌଣସି ପ୍ରକାରର ବିଜ୍ଞାପନଭିତ୍ତିକ କାର୍ଯ୍ୟକ୍ରମ କରାଯିବ ନାହିଁ। ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକମାନେ କର୍ମଚାରୀମାନଙ୍କୁ ମାସ୍କ ଓ ହାଣ୍ଡୱାସ୍‌ ପ୍ରଦାନ କରିବେ। ଟେବୁଲ, ଲାଇଟ୍‌ ସୁଇଚ୍‌, ଫୋନ୍‌, କି ବୋର୍ଡ, ଟଏଲେଟ୍‌ ସଫା ରଖି‌ବେ। ଥଣ୍ଡା, କାଶ, ଜ୍ବର ହୋଇଥିବା‌ କର୍ମଚାରୀଙ୍କୁ କୌଣସି ପରିସ୍ଥିତିରେ କାମ କରିବାକୁ ଦିଆଯିବ ନାହିଁ ବୋଲି ମାଲିକମାନେ ନିଶ୍ଚିତ କରାଇବେ। ଏନେଇ ବିମ୍‌ସି କର୍ତ୍ତୃପକ୍ଷଙ୍କ ସହ କମିସନରେଟ୍‌ ପୁଲିସ ଆଲୋଚନା କରିଛି। ଆଜିଠାରୁ ଏହି ଆଦେଶନାମା କଡ଼ାକଡ଼ି ହୋଇଛି। ଏଥିରେ ବ୍ୟତିକ୍ରମ କରି ଧରାପଡ଼ିଲେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହୋଇପାରେ। ଗିରଫ ବି ହୋଇପାରନ୍ତି ଏବଂ ମୋଟାଅଙ୍କର ଜରିମାନା ଦେଇପାରନ୍ତି। ଏଏସ୍‌ଆଇ ରୢାଙ୍କ୍‌ଠାରୁ ଉପର ଅଫିସର ଯେ କୌଣସି ସମୟରେ ଏଭଳି ପ୍ରତିଷ୍ଠାନ‌ରେ ଚଢ଼ଉ କରି ଆଇନ ଅନୂଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଦେଶନାମାରେ କୁହାଯାଇଛି।

ହୋଲ୍‌ଡିଂ ଟିକସ ଖିଲାପକାରୀଙ୍କ ନାଁରେ ହେବ ଗିରଫ ପରୱାନା, ୧୮ଜଣଙ୍କ ଉପରେ ୧୩କୋଟି ୬୭ଲକ୍ଷ ବାକି
ଭୁବନେଶ୍ବର: ବିଏମ୍‌ସିକୁ ଦୀର୍ଘ ବର୍ଷ ହେଲା ହୋଲଡିଂ ଟିକସ ଦେଉ ନ ଥିବା ୧୮ଜଣଙ୍କ ନାମରେ ବିଏମ୍‌ସି ଗିରଫ ପରୱାନା ଜାରି କରିବ। ବିଏମ୍‌ସିର ଉତ୍ତର ଜୋନ୍ ଡେପୁଟି କମିସନର୍‌ ତଥା ସ୍ବତନ୍ତ୍ର ସାର୍ଟିଫିକେଟ୍‌ ଅଫିସର୍‌ ପ୍ରମୋଦ ପୃଷ୍ଟି ଆଜି ଉତ୍ତର ଜୋନ୍‌ର ୧୮ଜଣ ଟିକସ ଖିଲାପକାରୀଙ୍କୁ ଏନେଇ ସ୍ବତନ୍ତ୍ର ନୋଟିସ୍ ଜାରି କରିଛନ୍ତି। ଏହି ନୋଟିସ୍ ମ୍ୟୁନିସିପାଲ୍ ଆଇନ ଭାଗ-୩୭ର ୧ ଏବଂ ୨ ଆଧାରରେ କରାଯାଇଛି। ଆସନ୍ତା ୪ଦିନ ଭିତରେ ଅର୍ଥାତ୍ ଫେବ୍ରୁଆରି ୨୦ ତାରିଖ ସୁଦ୍ଧା ବକେୟା ହୋଲଡିଂ ଟିକସ ନ ଦେଲେ ସେମାନଙ୍କ ନାମରେ ଗିରଫ ପରୱାନା ନୋଟିସ୍‌ ଜାରି ହେବ।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଉତ୍ତର ଜୋନ୍‌ର ୧୮ଜଣଙ୍କ ଉପରେ ୧୩କୋଟି ୬୭ଲକ୍ଷ ୪ହଜାର ୧୧ଟଙ୍କାର ହୋଲଡିଂ ଟିକସ ବାକି ଅଛି। ଏହି ଲୋକମାନଙ୍କୁ ବାରମ୍ବାର ନୋଟିସ୍‌ କରିବା ସତ୍ତ୍ବେ ବି ସେମାନେ ଟିକସ ଦେଉ ନାହାନ୍ତି। ପ୍ରତିବର୍ଷ ନୋଟିସ୍ ହେଉଛି ଏବଂ ସେମାନେ ଫାଙ୍କି ଚାଲିଛନ୍ତି। ତେଣୁ ଏଥର ସେମାନଙ୍କ ନାମରେ ସା‌ର୍ଟିଫିକେଟ୍‌ କେସ୍ କରାଯାଇ ସମ୍ପତ୍ତି ଜବତ କରାଯିବ। ଏହାସହ ଗିରଫ କରିବାକୁ ପଦକ୍ଷେପ ଦିଆଯିବ। ବିଏମ୍‌ସିର ସୂଚନା ଅନୁଯାୟୀ, ଯେଉଁମାନଙ୍କ ଉପରେ ଏହି ବଡ଼ଧରଣର ଟିକସ ବାକି ରହିଛି, ସେମାନଙ୍କ ମଧ୍ୟରେ ୱାର୍ଡ-୪ର ହିମାଂଶୁ ବିଶ୍ୱାଳ, ୱାର୍ଡ-୬ର ବଳରାମ ସାହୁ ଏବଂ ଅନନ୍ତ ସାହୁ, ଜ୍ୟୋତିନାରାୟଣ ମହାପାତ୍ର, ୱାର୍ଡ-୮ର ଜେ.କେ ରଥ, ଧନେଶ୍ୱର ଜେନା, ୱାର୍ଡ ୪ର ପୃଥୀରାଜ ରାଏ, ସ୍ୱର୍ଣ୍ଣମଞ୍ଜରୀ ଦେବୀ, ସାଧୁ ବେହେରା, ଓମ୍ ପ୍ରକାଶ ଦିଦ୍ୱାନିଆ ଏବଂ ଅନିତା ଦିଦ୍ୱାନିଆ, ବୀରେନ୍ଦ୍ର କୁମାର ଧାୱନ୍, ଯଯାତି କେଶରୀ ସେନ୍ ପଟ୍ଟନାୟକ, ଆପେକ୍ସ ବି-ଟେକ୍ କଲେଜ୍ ଏସ୍ ଜେ ଚାରିଟେବୁଲ୍ ଟ୍ରଷ୍ଟ୍, ସୋନାଲି ମହାପାତ୍ର, ଅଶୋକ କୁମାର ମହାପାତ୍ର, ରଞ୍ଜିତ୍ ସିଂହ ଜେନ୍, ଫ୍ୟାମିଲି ପ୍ଲାନିଂ ଆସୋସିଏସନ୍‌, ୱାର୍ଡ ୮ର ଧରଣୀଧର ପାତ୍ର ପ୍ରମୁଖ ରହିଛନ୍ତି।

ସମ୍ବନ୍ଧିତ ଖବର