ଦୀପାବଳି ପାଇଁ କମିସନରେଟ୍‌ ପୁଲିସର କଡ଼ା ସୁରକ୍ଷା, ରାତି ୧୦ ପରେ ବାଣ ଫୁଟିବନି

୧୨୫ ଡେସିବଲ୍‌ରୁ ଅଧିକ ଶବ୍ଦର ବାଣ ଫୁଟି ପାରିବନି

ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳିକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବାକୁ କମିସନରେଟ୍‌ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ବିଶେଷ କରି ପରିବେଶ ପ୍ରଦୂଷଣ ରୋକିବା ପାଇଁ ଗୁରୁତ୍ବ ଦିଆଯାଇଛି। ଦୀପାବଳି ସମୟରେ ‌କେଉଁ ବାଣ ବ୍ୟବାହର କରିବେ, କେତେ ଡେସିବଲ୍‌ ଶବ୍ଦର ବାଣ ଫୁଟାଇବେ, କେଉଁ ସ୍ଥାନରେ ବାଣ ଫୁଟାଇବେ ସେଥିପାଇଁ ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ କଡ଼ାକଡ଼ି ଭାବେ ‌ଲାଗୁ କରିବା ପାଇଁ କମିସନରେଟ୍‌ ପୁଲିସ ଯୋଜନା କରିଛି।

ହସ୍ପିଟାଲ,କୋର୍ଟ ଓ ଶିକ୍ଷାନୁଷ୍ଠାନ ନିକଟରେ କଟକଣା
ଇ-କମର୍ସ ସଂସ୍ଥା ଉପରେ ଲଗାମ୍‌

ଦୀପାବଳି ସମୟରେ କେବଳ ରାତି ୮ଟାରୁ ୧୦ଟାରୁ ଦୁଇଘଣ୍ଟା ବାଣଫୁଟାଇବା ପାଇଁ ନିର୍ଦେଶ ଦିଆଯାଇଛି। ତେବେ ହସ୍ପିଟାଲ, କୋର୍ଟ କିମ୍ବା ଶିକ୍ଷାନୁଷ୍ଠାନ ନିକଟ‌ରେ ବାଣ ନଫୁଟାଇବା ନେଇ କଟକଣା ଜାରି କରାଯାଇଛି। ତେବେ ଏଭଳି ସ୍ଥାନଗୁଡ଼ିକଠାରୁ ଅତିକମ୍‌ରେ ଶହେ ମିଟର ଦୂରରେ ବାଣ ଫୁଟାଇବା ପାଇଁ କୁହାଯାଇଛି। ସେହିପରି ପ୍ରତି ଅଞ୍ଚଳରେ ବାଣଫୁଟାଇବା ପାଇଁ ଏକ ନିର୍ଦିଷ୍ଟ ସ୍ଥାନ ସ୍ଥିର କରିବା ପାଇଁ କୁହାଯାଇଛି। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରାକର ବ୍ୟାପକ ସଚେତନ କାର୍ଯ୍ୟକ୍ରମ ହାତକୁ ନେବେ। କିଭଳି ପ୍ରଦୂଷଣକୁ ରୋକାଯାଇ ପାରିବ ସେଥିପାଇଁ‌ ଲୋକଙ୍କୁ ସଚେତନ କରାଇବେ। ଯେଉଁବାଣଗୁଡ଼ିକୁ ବ୍ୟବହାର କରିବେ ତାହା ୧୨୫ ଡେସିବଲ୍‌ ଶବ୍ଦ ଭିତରେ ହୋଇଥିବା ଆବଶ୍ୟକ। ବାଣଗୁଡ଼ିକ କମ୍ ପ୍ରଦୂଷଣ ବା ସବୁଜ ବାଣ ହେଇଥିବା ଆବଶ୍ୟକ। ବାଣରେ ବେରିୟମ ସଲ୍ଟ ବ୍ୟବହାର ଉପରେ କଟକଣା ଲଗାଯାଇଛି। ସେହିପରି ଅଧିକ ଶବ୍ଦ,ଏକାଧିକ ସଂଯୁକ୍ତ ବାଣ(ଲରିଜ୍) ଓ ପ୍ରଦୂଷଣଯୁକ୍ତ ବାଣକୁ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।‌ ବାଣ ତିଆରି କାରଖାନାଗୁଡ଼ିକ ପେସୋ ପକ୍ଷରୁ ଅନୁମତି ମିଳିଥିବା ରାସାୟନିକ ଦ୍ରବ୍ୟ ବ୍ୟବାହର କରିବେ। ଲାଇସେନ୍ସପ୍ରାପ୍ତ ସଂସ୍ଥଗୁଡ଼ିକ ବାଣ ତିଆରି କରିବେ। ଏଥିପାଇଁ ବାଣ ତିଆରି କାରଖାନା ଉପରେ ମଧ୍ୟ କଟକଣା ଲଗାଯାଇଛି। କୌଣସି ଇ-କମର୍ସ ସଂସ୍ଥା ବା ଅନ୍ ଲାଇନ୍ ସଂସ୍ଥା ବାଣ ବିକ୍ରି କରିପାରିବେ ନାହିଁ। ନିର୍ଦିଷ୍ଟ ସମୟ ଓ ସ୍ଥାନରେ ବାଣ ବିକ୍ରି ପାଇଁ ସ୍ଥିର କରାଯାଇଛି। ଏଥିପାଇଁ ପେସୋ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପ୍ରଦୂଷଣ ନିୟନ୍ତ୍ରଣ କମିଟିକୁ ତଦାରଖ ପାଇଁ ଦାୟିତ୍ବ ଦିଆଯାଇଛି। ଦୀପାବଳି ପୂର୍ବରୁ ଏବଂ ପରେ ସଂସ୍ଥାଗୁଡ଼ିକୁ ଯାଞ୍ଚ କରି ରିପୋର୍ଟ ଦେବେ। ଯଦି କୌଣସି ସଂସ୍ଥା କିମ୍ବା ବ୍ୟକ୍ତି ନିୟମକୁ ଉଲଂଘନ କରିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର