କମିସନରେଟ୍‌ ପୁଲିସର ସିୟୁଜି ଫାର୍ସ

ପୁଲିସ କମିସନର ଫୋନ୍ ଉଠାଉଛନ୍ତି, ଥାନାଧିକାରୀ ଉଠାଉ ନାହାନ୍ତି

ଭୁବନେଶ୍ବର: ଥାନାଧିକାରୀ ବଦଳିଲେ ମଧ୍ୟ ବଦଳିବ ନାହିଁ ମୋବାଇଲ୍ ଫୋନ୍ ନମ୍ବର। ଫଳରେ ଥାନାଧିକାରୀଙ୍କୁ ସ୍ଥାନୀୟ ଲୋକ ସୁବିଧା ଅସୁବିଧା ସମୟରେ ଯୋଗାଯୋଗ କରି ପାରିବେ। ଏପରିକି କୌଣସି ସ୍ଥାନରେ କିଛି ବି ଅଘଟଣ ଘଟିଲେ ବା ସନ୍ଦେହ ହେଲେ ଏ ସମ୍ପର୍କରେ ତୁରନ୍ତ ସେମାନେ ଇନ୍ସପେକ୍ଟରଙ୍କୁ ଖବର ଦେଇ ପାରିବେ। ଫଳରେ ଅପରାଧୀମାନଙ୍କ ସମ୍ପର୍କରେ ଇନ୍ସପେକ୍ଟରମାନେ ଖବର ପାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏଭଳି ଏକ ଲକ୍ଷ୍ୟ ରଖି ମେ’ ୫ ତାରିଖ ୨୦୧୫ରେ କମିସନରେଟ ପୁଲିସ ପ୍ରଥମ ଥର ଲାଗି ସିୟୁଜି ମୋବାଇଲ୍‌ ଫୋନ୍‌ ବ୍ୟବସ୍ଥା ଲାଗୁ କରିଥିଲା। କିନ୍ତୁ ଯେଉଁ ଲକ୍ଷ୍ୟ ନେଇ ଏହି ବ୍ୟବସ୍ଥା ପ୍ରଚଳନ ହୋଇଥିଲା, ତାହା ଏଯାଏ ପୂରଣ ହୋଇ ନାହିଁ। ଅଧାରୁ ଅଧିକ ପୁଲିସ ଅଧିକାରୀ ଏବେ କମିସନରେଟ୍‌ ପୁଲିସ ପକ୍ଷରୁ ପ୍ରଦାନ କରାଯାଇଥିବା ଫୋନ୍‌ ନମ୍ବରରେ ଫୋନ୍‌ ଉଠାଉନାହାନ୍ତି। ଏପରିକି ଅଧାରୁ ଅଧିକ ଇନ୍ସପେକ୍ଟର ସେହି ମୋବାଇଲ୍‌ ନମ୍ବର ଫୋନ୍‌କୁ ଠିକ୍‌ ଭାବେ ବ୍ୟବହାର କରୁନାହାନ୍ତି। ଫଳରେ ଏହି ସିୟୁଜି (କ୍ଲୋଜଡ୍‌ ୟୁଜର ଗ୍ରୁପ୍‌) ବ୍ୟବସ୍ଥା ଫାର୍ସରେ ପରିଣତ ହୋଇଛି। ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ସିୟୁଜି ଫୋନ୍ ଉଠାଉଥିବାବେଳେ ଇନ୍ସପେକ୍ଟରମାନେ ଏହି ଫୋନ୍‌ ବ୍ୟବହାର କରୁ ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ପୂର୍ବରୁ ପୁଲିସ କମିସନରଙ୍କଠାରୁ ଆରମ୍ଭ କରି ଡିସିପି, ଏସିପି ଓ ଇନ୍ସପେକ୍ଟରମାନେ ନିଜର ବ୍ୟକ୍ତିଗତ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଥିଲେ। କିନ୍ତୁ ସେମାନଙ୍କର ବଦଳି କିମ୍ବା ପଦୋନ୍ନତି ପରେ ଫୋନ୍‌ ନମ୍ବର ବଦଳି ଯାଉଥିଲା। ଏହି କାରଣରୁ ସାଧାରଣ ଲୋକ ଅନେକ ସମସ୍ୟାରେ ପଡ଼ୁଥିଲେ। ଏହା ଛଡ଼ା ଯେଉଁମାନେ ପୁଲିସ ଅଧିକାରୀମାନଙ୍କୁ ଗୁପ୍ତ ଖବର ଦେଉଥିଲେ, ସେମାନେ ମଧୢ ସମସ୍ୟାରେ ପଡ଼ୁଥିଲେ। ଥାନା ଅଧିକାରୀମାନଙ୍କୁ ସୋର୍ସ ସୃଷ୍ଟି କରିବାରେ ବିଳମ୍ବ ହେଉଥିଲା। ତେବେ ସିୟୁଜି ବ୍ୟବସ୍ଥାରେ ଏହି ସମସ୍ୟା ରହିବ ନାହିଁ ବୋଲି ଯୋଜନାର ଉଦ୍‌ଘାଟନୀ ସମୟରେ କୁହାଯାଇଥିଲା।

ମାସକ ପରେ ବ୍ୟବସ୍ଥା ଆରମ୍ଭକୁ ୫ ବର୍ଷ ପୂରିବ। ଇତି ମଧୢରେ ଯୋଜନା ଆରମ୍ଭ କରିଥିବ ତତ୍କାଳୀନ ପୁଲିସ କମିସନର ରାଜେନ୍ଦ୍ର ପ୍ରସାଦ ଶର୍ମା, ତତ୍କାଳୀନ ଡିସିପି ସତ୍ୟବ୍ରତ ଭୋଇଙ୍କର ପଦୋନ୍ନତି ଘଟି ସାରିଛି। ବଦଳି ଯାଇଛନ୍ତି ଅନେକ ଥାନାର ଇନ୍ସପେକ୍ଟର। ଗତ କିଛି ଦିନ ସାଧାରଣ ନିର୍ବାଚନ ପାଇଁ କମିସନରେଟ ପୁଲିସରେ ବଡ଼ ଧରଣର ଅଦଳ ବଦଳ ହୋଇଛି। ଏସଆଇଙ୍କଠାରୁ ଆରମ୍ଭ କରି ଇନ୍ସପେକ୍ଟର, ଏସିପି ଓ ଏଡିସିପି ରୢାଙ୍କର ଅଧିକାରୀଙ୍କ ବଦଳି ହୋଇଛି। ଉଭୟ କମିସନରେଟ ପୁଲିସର ଭୁବନେଶ୍ବର ଓ କଟକରେ ନୂଆ ଅଧିକାରୀ ଯୋଗ ଦେଇଛନ୍ତି। ସେମାନଙ୍କୁ ଯୋଗାଯୋଗ କରିବାକୁ ସିୟୁଜି ମୋବାଇଲ ହିଁ ମାଧ୍ୟମ। ଏଭଳି ସମୟରେ ଏହି ସିୟୁଜି ବ୍ୟବସ୍ଥା କେମିତି ଚାଲିଛି, ବରିଷ୍ଠ ପୁଲିସ ଅଧିକାରୀମାନେ ଫୋନ୍‌ ଉଠାଉଛନ୍ତି କିମ୍ବା ନାହିଁ ତାହା ଜାଣିବା ଲାଗି ‘ସମ୍ବାଦ’ ପକ୍ଷରୁ ସେହି ସିୟୁଜି ନମ୍ବରରେ ଯୋଗାଯୋଗ କରାଯାଇଥିଲା। କିନ୍ତୁ ଉତ୍ତର ଥିଲା ଭିନ୍ନ। କାହାର ମୋବାଇଲ ଫୋନ୍‌ ସୁଇଚଅଫ୍‌ ଥିଲା ତ ଆଉ କାହାର ନଟ୍‌ ରିଚବେଲ୍‌, ଏରର ଇନ୍‌ କନକେସନ୍‌, ଉପଲବ୍ଧ ନେହିଁ ହେ- ଭଳି ଉତ୍ତର ମିଳୁ ଥିଲା। ଏପରିକି କିଛି ମୋବାଇଲ୍‌ ଫୋନ୍‌କୁ ବାରମ୍ବାର ଫୋନ୍‌ କରିଥିଲେ ମଧୢ ରିଙ୍ଗ୍‌ ହୋଇ ହୋଇ କଟି ଯାଉଥିଲା। କିନ୍ତୁ କେହି ଫୋନ୍‌ ଉଠାଉ ନ ଥିଲେ। ସଂଧ୍ୟାରେ ଦୁଇ ଜଣ ଇନ୍ସପେକ୍ଟର ଫୋନ୍ ଉଠାଇ୍‌ଥିଲେ, କହିଥିଲେ ସେମାନେ ଏକ ବୈଠକରେ ଅଛନ୍ତି। ଜଣେ ଏସିପିଙ୍କ ମୋବାଇଲ୍‌ ଫୋନ୍‌ ବନ୍ଦ। ୨୩ ଥାନାଅଧିକାରୀଙ୍କ ମଧୢରୁ ହାତ ଗଣତି ଥାନାର ଥାନାଧିକାରୀ ଫୋନ୍‌ ଉଠାଇଥିଲେ। ଏ ସମ୍ପର୍କରେ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି, ଏଭଳି ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା। ଏବେ କମିସନରେଟ ପୁଲିସରେ ଯୋଗ ଦେଇଥିବା ନୂଆ ଅଧିକାରୀମାନେ ସିୟୁଜି ଫୋନ ବ୍ୟବହାର କରୁଛନ୍ତି। ଯଦି ସେମାନେ ଧରୁ ନ ଥିବେ ଡିସିଓ ନିଶ୍ଚିତ ଭାବେ ଫୋନ୍ ଉଠାଛନ୍ତି। ମୁଁ ନିଜେ ବିଭିନ୍ନ ସମୟରେ ମୋ ସିୟୁଜିରୁ ଫୋନ୍ କରି କଥା ହେଉଛି। ଏପିରିକି ବିଳମ୍ବିତ ରାତିରେ ମଧ୍ୟ ଇନ୍ସପେକ୍ଟରମାନେ ସିୟୁଜି ଫୋନ ଉଠାଉଛନ୍ତି। ତେବେ ଖୁବ ଶୀଘ୍ର ସାଧାରଣ ଲୋକ ଜାଣିବା ପାଇଁ ଥାନା ସମ୍ମୁଖରେ ଏକ ହୋର୍ଡିଂ ଲାଗିବ। ଯେଉଁଥିରେ ଜୋନାଲ ଏସିପି ଓ ଏସିପିଙ୍କ ଅଧୀନରେ ଯାଉଥିବା ଇନ୍ସପେକ୍ଟରମାନଙ୍କର ମଧ୍ୟ ମୋବାଇଲ ନମ୍ବର ରହିବ।

ସମ୍ବନ୍ଧିତ ଖବର