ଏନ୍‌ଏଚ୍‌ଏଆଇ ଓ ଆରଟିଓ ସହ କମିସନରେଟ୍‌ ପୁଲିସର ବୈଠକ, ରାଜପଥରେ ୧୬ ବ୍ଲାକ୍‌ସ୍ପଟ୍‌

ଭୁବନେଶ୍ୱର: ରାଜପଥରେ ଦୁର୍ଘଟଣାକୁ ନେଇ ଚିନ୍ତା ବଢ଼ିଛି। ରାଜପଥର ଫ୍ଲାଏଓଭରରେ ହେଲ୍‌ମେଟ୍‌କୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଆଜି ଆର୍‌ଟିଓ ଓ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ)ଙ୍କ ସହ ପୁଲିସ କମିସନର ଆଲୋଚନା କରିଛନ୍ତି। ପୁଲିସ କମିସନର୍‌ଙ୍କ ସମ୍ମେଳନ କକ୍ଷରେ କମିସନର୍‌ ସତ୍ୟଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କଟକ-ଭୁବନେଶ୍ବର ଜାତୀୟ ରାଜପଥରେ ୧୬ଟି ବ୍ଲାକ୍‌ ସ୍ପଟ୍‌ ରହିଥିବା ବେଳେ ଭୁବନେଶ୍ବର କମିସନରେଟ୍‌ ପୁଲିସ ଅଧୀନରେ ୧୨ ଓ କଟକ ପୁଲିସ କମିସନରେଟ୍‌ ଅଧୀନରେ ୪ଟି ବ୍ଲାକ୍‌ସ୍ପଟ୍‌ ରହିଛି। ଏହାକୁ ଆନୁଷ୍ଠାନିକ ଭାବରେ ଏନ୍‌ଏଚ୍‌ଏଆଇ ଘୋଷଣା କରିବା ସହ ବିଜ୍ଞପ୍ତି ପ୍ରକାଶ କରିବ। ତା’ ସହିତ ପଳାସୁଣୀ ଓ ତମାଣ୍ଡୋ ଠାରେ ରାସ୍ତା ଡିଜାଇନ୍‌ରେ ତ୍ରୁଟି ରହିଛି। ଯେଉଁଥିପାଇଁ ଦୁର୍ଘଟଣା ବଢ଼ି ବଢ଼ି ଚାଲିଥିବା ଜଣାପଡ଼ିଛି। ଏହାକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ହେବା ପରେ ରାସ୍ତାର ତ୍ରୁଟି ସୁଧାରିବାକୁ ଏନ୍‌ଏଚ୍‌ଏଆଇ ପ୍ରତିଶ୍ରୁତି ଦେଇଛି। ଏନ୍‌ଏଚ୍‌ଏଆଇ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ କରିସାରିବା ପରେ ଏହି ରାସ୍ତାରେ ଇଣ୍ଟରସେପ୍ଟର ଜରିଆରେ ନିୟମିତ ଗାଡ଼ିର ଗତି ଯାଞ୍ଚ କରାଯାଇ ଜରିମାନା ଆଦାୟ କରାଯିବ। ରୋଡ୍‌ ସେଫ୍ଟି ସୋସାଇଟି ପକ୍ଷରୁ ରାଜପଥରେ ଅଟୋମେଟିକ୍‌ ସ୍ପିଡ୍‌ ରାଡାର ଖଞ୍ଜାଯିବା ସହ ବିଭିନ୍ନ ପ୍ରକାରର ସଚେତନଧର୍ମୀ ସାଇନ୍‌ଏଜ୍‌ ଲଗାଯିବାକୁ ନିଷ୍ପତ୍ତି ହୋଇଛି। ତା’ ଛଡ଼ା ଅନେକ ଜାଗାରେ ମେଡିଆନ୍‌ ଖୋଲା ଥିବାରୁ ଦୁର୍ଘଟଣା ଘଟୁଛି। ଏଣୁ ଉପଯୁକ୍ତ ବିକଳ୍ପ ବ୍ୟବସ୍ଥା କରି ଏହି ମେଡିଆନ୍‌ ବନ୍ଦ କରିବାକୁ ଯୋଜନା ହୋଇଛି। ଅନ୍ୟମାନଙ୍କ ମଧ୍ୟରେ, ଏନ୍‌ଏଚ୍‌ଏଆଇ ପିଡି ଦେବପ୍ରସାଦ ସାହୁ, ଆରଟିଓ-୧ ପ୍ରଦୀପ ମହାନ୍ତି, ଆରଟିଓ-୨ ସଞ୍ଜୟ ବେହେରା, ଆରଟିଓ କଟକ ଦିପ୍ତୀରଞ୍ଜନ ପାତ୍ର, ଅତିରିକ୍ତ ପୁଲିସ କମିସନର ସଞ୍ଜୟ ସିଂହ, ଡିସିପି ଅନୁପ ସାହୁ, ମୁଖ୍ୟାଳୟ ଡିସିପି ପଦ୍ମିନୀ ସାହୁ, କଟକ ଅତିରିକ୍ତ ଡିସିପି ଏଲ୍‌ଡି ମହାପାତ୍ର, ଟ୍ରାଫିକ୍‌ ଡିସିପି ବିଜୟ ସାହୁ, କଟକ ଟ୍ରାଫିକ୍‌ ଏସିପି ଯତୀନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଅପରପକ୍ଷରେ ବିଭିନ୍ନ କଟକଣା ସତ୍ତ୍ବେ ରାଜପଥରେ କ୍ରମାଗତ ଭାବରେ ଦୁର୍ଘଟଣା ବଢ଼ି ବଢ଼ି ଚାଲିଛି। ଯାହା ଏବେ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ତେବେ କେବଳ ପୁଲିସ ନୁହେଁ, କିଛି ଦିନ ହେବ ଜିଲ୍ଲା ପ୍ରଶାସନର ମଧ୍ୟ ମୁଣ୍ଡ ବିନ୍ଧିଛି। ସେଥିପାଇଁ ଲଗାତାର ରାଜପଥରେ ଥିବା ଫ୍ଲାଏ ଓଭର ଉପରେ ହେଲ୍‌ମେଟ୍‌ ଯାଞ୍ଚ ଚାଲିଛି। ଫାଇନ୍‌ ଆଦାୟ ହେଉଛି। କିନ୍ତୁ ଏହା ସମାଧାନର ବାଟ ନୁହେଁ ବୋଲି ସ୍ପଷ୍ଟ ହୋଇଛି। ସେଥିପାଇଁ କିଛି ସ୍ଥାୟୀ ସମାଧାନ ବାହାର କରିବା ପାଇଁ ତିନି ବିଭାଗ ଏକାଠି ହୋଇଛନ୍ତି। ପୂର୍ବରୁ ପୁଲିସ ୫ଟି ବ୍ଲାକ୍‌ସ୍ପଟ୍‌ ଚିହ୍ନଟ କରିଥିବା ବେଳେ ଏବେ ୧୨ ବୋଲି କହିଛନ୍ତି। ଅନ୍ୟପଟେ ଆର୍‌ଟିଓ-୨ ସଞ୍ଜୟ ବେହେରା କହିଛନ୍ତି,‘ନଖରାରୁ ପିତାପଲ୍ଲୀ ପର୍ଯ୍ୟନ୍ତ ଯେତେ ଛକ ଅଛି ସବୁ ବ୍ଲାକସ୍ପଟ୍‌।’ ଏଣେ ଜିଲ୍ଲପାଳ ହେଲ୍‌ମେଟ୍‌ ବାଧ୍ୟତାମୂଳକ ଦୁର୍ଘଟଣା କମାଇବାର ସମାଧାନ ବୋଲି କହିଛନ୍ତି। ଏଣୁ ଏହି ବ୍ଲାକସ୍ପଟ୍‌କୁ ନେଇ କେହି ଚିନ୍ତିତ ନଥିବା ଅନୁମେୟ ହେଉଛି।

ସମ୍ବନ୍ଧିତ ଖବର