ବିର୍ସାମୁଣ୍ଡା ବସ୍ତିରେ ପୁଲିସ କମିସନର

ଭୁବନେଶ୍ବର : କମିସନରେଟ୍‌ ପୁଲିସର ‘ବସ୍ତିକୁ ଚାଲ’ ଅଭିଯାନ କାର୍ଯ୍ୟକ୍ରମ ଅବସରରେ ବୁଧବାର ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସହିଦନଗର ଥାନା ବିର୍ସାମୁଣ୍ଡା ବସ୍ତିକୁ ଯାଇଥିଲେ। ବସ୍ତିବାସିନ୍ଦାମାନଙ୍କ ସହ ସିପି ସିଧାସଳଖ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ବସ୍ତିବାସିନ୍ଦାମାନେ ସହରର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ବେଳେ କିଛି ଅସାମାଜିକ ତତ୍ତ୍ବଙ୍କ ପାଇଁ ବସ୍ତି ଜୀବନ ଦୁର୍ବିସହ ହୋଇପଡ଼ିଛି ବୋଲି ସେ ବୁଝାଇଥିଲେ। ବିଶେଷକରି ବସ୍ତିକୁ ନିଶାମୁକ୍ତ କରିପାରିଲେ ସେମାନଙ୍କ ଚଳଣି ସୁଖମୟ ହେବ ବୋଲି ସେ କହିଥିଲେ। ତେଣୁ ବସ୍ତିବାସିନ୍ଦାମାନେ ପୁଲିସକୁ ସହଯୋଗ କଲେ ବସ୍ତିସବୁ ଅପରାଧୀମୁକ୍ତ ହେବା ସହ ନିଶାମୁକ୍ତ ହୋଇପାରିବ ବୋଲି ସେ କହିଥିଲେ। ତେଣୁ ନିର୍ଭୟରେ ମୁରବିମାନେ ପୁଲିସକୁ ସହଯୋଗ କରନ୍ତୁ ଓ ପୁଲିସ ସେମାନଙ୍କୁ ସବୁ ପ୍ରକାର ସୁରକ୍ଷା ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ ସେମାନଙ୍କୁ ବୁଝାଇଥିଲେ। ଏମିତିକି ପୁଲିସ କାର୍ଯ୍ୟକଳାପରେ ସେମାନେ ଅସନ୍ତୁଷ୍ଟ ହେଲେ, ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ବା ସିଧାସଳଖ ତାଙ୍କୁ ଜଣାଇବାକୁ ସେ କହିଥିଲେ।

ଏହି ଅବସରରେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ, ଏସିପି ସଞ୍ଜୀବ ଶତପଥୀ, ଆଇଆଇସି ହିମାଂଶୁ ଶେଖର ସ୍ବାଇଁଙ୍କ ସମେତ ଥାନାର ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀମାନେ ଉପସ୍ଥିତ ଥିଲେ। ବସ୍ତିବାସିନ୍ଦାମାନେ ମଧ୍ୟ ବିଭିନ୍ନ ସମସ୍ୟା ଉପରେ ସିପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧିତ ଖବର