ଦିନକ ପରେ ରାଜଧାନୀକୁ ୭୧ବର୍ଷ ପୂରିବ : କମିସନରେଟ୍‌ ପୁଲିସର ନୂଆ ସମ୍ଭାବନା

ଭୁବନେଶ୍ବର : ଦିନକ ପରେ ଅର୍ଥାତ୍‌ ଆସନ୍ତା ୧୩ ତାରିଖରେ ରାଜଧାନୀ ଭୁବନେଶ୍ବରକୁ ୭୧ବର୍ଷ ପୂରିବ। ଏହି ୭୧ବର୍ଷ ମଧୢରେ ଭୁବନେଶ୍ବର ପରିସୀମା ପରିବ୍ୟାପ୍ତ ହେବା ସହ ଜନସ˚ଖ୍ୟା ମଧୢ ହୁ ହୁ ହୋଇ ବଢ଼ି ଚାଲିଛି। ସହରରେ ଅପରାଧ ଓ ଆଇନଶୃଙ୍ଖଳାଠାରୁ ଆରମ୍ଭ କରି ଟ୍ରାଫିକ୍‌ ସମସ୍ୟା ମଧୢ ଦେଶର ଅନ୍ୟ ମେଟ୍ରୋ ସହର ଭଳି ମୁଣ୍ତ ଟେକିଲାଣି। ଏସବୁ ଭିତରେ ଥାନା ସ˚ଖ୍ୟା ବୃଦ୍ଧି ପାଇ ୨୩ରେ ପହଞ୍ଚିଛି। ଆହୁରି ଅନେକ ଥାନାର ଭିତ୍ତିପ୍ରସ୍ତର ପଡ଼ିଛି। ରାଜଧାନୀକୁ ୭୧ବର୍ଷ ପୂରିବା ପରେ କ’ଣ ସବୁ ରହିଛି କମିସନରେଟ ପୁଲିସର ଯୋଜନା। ଏ ନେଇ ଆମ ଭେଟିଥିଲୁ ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କୁ। ସେ କମିସନରେଟ ପୁଲିସର ଆଗାମୀ ଯୋଜନା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଆସନ୍ତୁ ଜାଣିବା ରାଜଧାନୀ ପାଇଁ କମିସନରେଟ ପୁଲିସର କ’ଣ ସବୁ ରହିଛି ନୂଆ ନୂଆ ଯୋଜନା।

୨୦୦୮ ମସିହାରେ ଖୋର୍ଧା ପୁଲିସ ଜିଲ୍ଲାଠାରୁ ଭୁବନେଶ୍ବର ପୁଲିସକୁ ସ˚ପୂର୍ଣ ଅଲଗା କରି ଦିଆଯାଇଥିଲା। କଟକ ଓ ଭୁବନେଶ୍ବର ପୁଲିସକୁ ମିଶାଇ ଆରମ୍ଭ ହୋଇଥିଲା କମିସନରେଟ୍‌ ପୁଲିସ ସେବା। ସେତେବେଳେ ଭୁବନେଶ୍ବର ଜନସଂଖ୍ୟା ପାଖାପାଖି ୯ଲକ୍ଷ ଥିଲା। ଏବେ କିନ୍ତୁ ଜନସଂଖ୍ୟା ବଢ଼ି ୧୬ ଲକ୍ଷରେ ପହଞ୍ଚିଲାଣି। ସେହି ଅନୁପାତରେ ଅପରାଧ ମଧ୍ୟ ବଢ଼ି ଚାଲିଛି। ଏଭଳି ପରିସ୍ଥିତିରେ ଭୁବନେଶ୍ବରକୁ ଦୁଇ ଭାଗ କରି ଦିଆଯିବ। ଏଥିପାଇଁ ଆଉ ଜଣେ ଡିସିପି ମଧ୍ୟ ନିଯୁକ୍ତି ପାଇବେ। ଏ ସଂକ୍ରାନ୍ତରେ ଏକ ଚିଠି ଗୃହ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ଭୁବନେଶ୍ବର ସହରାଞ୍ଚଳ ପୁଲିସକୁ ଦୁଇଟି ଜୋନ୍‌ରେ ବିଭକ୍ତ କରାଯିବ। ଜଣେ ଡିସିପିଙ୍କ ଅଧୀନରେ ମଞ୍ଚେଶ୍ବର, ଲକ୍ଷ୍ମୀସାଗର, ସହିଦନଗର, ଖାରବେଳନଗର, କ୍ୟାପିଟାଲ, ମହିଳା, ବଡ଼ଗଡ଼, ଧଉଳି, ଶ୍ରୀ ଲିଙ୍ଗରାଜ ପ୍ରମୁଖ ଥାନା ରହିବ। ଅନ୍ୟ ଜଣେ ଡିସିପିଙ୍କ ଅଧୀନରେ ଜଟଣୀ, ତମାଣ୍ତୋ, ଖଣ୍ତଗିରି, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି, ଚନ୍ଦକା, ନନ୍ଦନକାନନ ଆଦି ଥାନା ରହିବ।

ନିଯୁକ୍ତ ହେବେ କଣ୍ଟ୍ରୋଲ ରୁମ୍‌ ଡିସିପି

ସେହିପରି ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଦୈନିକ ୪ ହଜାର ଫୋନ୍‌ କଲ୍‌ ଆସୁଛି। ଖବର ପାଇ ପିସିଆର ଭ୍ୟାନ୍‌ ଘଟଣାସ୍ଥଳକୁ ଯାଉଛି। ପିସିଆର ଭ୍ୟାନ୍‌ ଖରାପ ହେବା ଏବ˚ କର୍ମଚାରୀ ଅଭାବ ଯୋଗୁଁ ଏଥିରେ ସମସ୍ୟା ସୃଷ୍ଟି ହେଉଛି। ତେଣୁ ପୁଲିସ କଣ୍ଟ୍ରୋଲ ରୁମ୍‌ରେ କର୍ମଚାରୀଙ୍କ ସ˚ଖ୍ୟା ବୃଦ୍ଧି କରିବାକୁ ଯୋଜନା ହୋଇଛି। ସେହିପରି ପିସିଆର ଭ୍ୟାନ୍‌ କର୍ମଚାରୀ ମଧୢ ବୃଦ୍ଧି କରାଯିବ। ଅଧିକ ସ˚ଖ୍ୟକ ହୋମଗାର୍ଡ ନିଯୁକ୍ତି ପାଇବେ। ବଡ଼ କଥା ହେଉଛି, ପିସିଆର ଭ୍ୟାନ୍ ଓ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଏକ ସ୍ବତନ୍ତ୍ର ଜିଲ୍ଲା ପୁଲିସ ଭଳି ମାନ୍ୟତା ଦିଆଯିବ। ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଦାୟିତ୍ବରେ ଜଣେ ଡିସିପି ରୢାଙ୍କର ଅଧିକାରୀ ରହିବେ। ତାଙ୍କ ଅଧୀନରେ ୩ଜଣ ଇନ୍ସପେକ୍ଟର, ୧୫ଜଣ ଏସ୍‌ଆଇ ଓ ଏଏସ୍‌ଆଇ ରହିବେ। ଦାୟିତ୍ବରେ ରହିବାକୁ ଥିବା ଡିସିପି ସମସ୍ତ ଘଟଣାର ପ୍ରତ୍ୟକ୍ଷ ଅନୁଧୢାନ କରିବେ।

ବ୍ରାଉନ୍‌ସୁଗାର ବେପାରୀଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ସହରରେ ବଢ଼ୁଥିବା ଅପରାଧ ପାଇଁ ବ୍ରାଉନ୍‌ସୁଗାର ଭଳି ନିଶା ହିଁ ଦାୟୀ। ରାଜଧାନୀରୁ ବ୍ରାଉନସୁଗାର କାରବାର ରୋକିବା ଦିଗରେ କମିସନରେଟ ପୁଲିସ ଜୋରଦାର ଉଦ୍ୟମ ଚଳାଇଛି। ଏଥିପାଇଁ କମିସନରଟ ପୁଲିସ ସ୍ପେସାଲ ଡ୍ରାଇଭ ମଧ୍ୟ ଆରମ୍ଭ କରିଛି। ଗତ ଏକ ସପ୍ତାହ ମଧ୍ୟରେ କମିସନରେଟ ପୁଲିସ ୪୧ଗ୍ରାମର ବ୍ରାଉନସୁଗାର ଜବତ କରି ସାରିଲାଣି। ଆଗାମୀ ଦିନରେ ଏଭଳି ଚଢ଼ଉ ଆହୁରି ଅଧିକ ହେବ ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ଭରତପୁର ଓ ହଂସପାଳରେ ହେବ ନୂଆ ଥାନା
ଖୁବ୍‌ ଶୀଘ୍ର ହଂସପାଳ ଓ ଭରତପୁରରେ ଆଉ ଦୁଇଟି ଥାନା ପ୍ରତିଷ୍ଠା ହେବ। ଖଣ୍ତଗିରି ଥାନା ସୀମା ଅତ୍ୟନ୍ତ ବଡ଼ ହୋଇଥିବାରୁ ଭରତପୁର ଅଞ୍ଚଳରେ ଆଉ ଏକ ଥାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ସରକାର ଏହାକୁ ମଧ୍ୟ ଗ୍ରହଣ କରିସାରିଛନ୍ତି। ୨୦୨୦ ସୁଦ୍ଧା ଭରତପୁର ଥାନା ଉଦ୍‌ଘାଟନ କରାଯିବ। ସେହିପରି ହଂସପାଳରେ ଆଉ ଏକ ଥାନା ପ୍ରତିଷ୍ଠା କରାଯିବାକୁ ଯୋଜନା ହୋଇଛି। ବାଲିଅନ୍ତା, ସହିଦନଗର, ବଡ଼ଗଡ଼, ମଞ୍ଚେଶ୍ବର, ଲକ୍ଷ୍ମୀସାଗର ଆଦି ଥାନା ଅଧୀନରେ ଆସୁଥିବା ଉପକଣ୍ଠ ଏହି ଥାନା ଅଧୀନରେ ଆସିବ।

ପ୍ରତିଷ୍ଠା ହେବ ସାଇବର ପୁଲିସ ଷ୍ଟେସନ୍‌
ଦିନକୁ ଦିନ ରାଜଧାନୀରେ ସାଇବର ଅପରାଧ ବଢ଼ି ଚାଲିଛି। ଏ ନେଇ ଅଭିଯୋଗକାରୀମାନଙ୍କୁ କଟକ ଯିବାକୁ ପଡ଼ୁଛି। ତେଣୁ ଭୁବନେଶ୍ବରରେ ଏକ ସାଇବର ଥାନା ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

ଲାଗିବ ୭ଶହ ସିସି କ୍ୟାମେରା
ସମଗ୍ର ସହର ରହିବ କମିସନେରଟ ପୁଲିସର ନଜରରେ। ଏବେ ୫୦ଟି ଛକରେ ସିସି କ୍ୟାମେରା ଲାଗିଥିବା ବେଳେ ତାକୁ ପୁଲିସ କଣ୍ଟ୍ରୋଲ ରୁମ୍‌ ସହ ସ˚ଯୋଗ କରାଯାଇଛି। ଖୁବଶୀଘ୍ର ଆଉ ୫ଶହରୁ ୭ଶହ ସିସି କ୍ୟାମେରା ସହରର ଅନ୍ୟ ପ୍ରମୁଖ ଛକରେ ଲାଗିବାକୁ ଯୋଜନା ହୋଇଛି।

ବଢ଼ିବ ପିସିଆର ସ˚ଖ୍ୟା
ଦିନକୁ ଦିନ ରାଜଧାନୀ ପରିସୀମା ପରିବ୍ୟାପ୍ତ ହେବା ସହ ଜନସ˚ଖ୍ୟା ମଧୢ ହୁହୁ ହୋଇ ବଢ଼ି ଚାଲିଛି। ଏହାକୁ ଦେଖିଲେ ସହରରେ ପାଟ୍ରୋଲି˚ ପାଇଁ ଥିବା ପିସିଆର ଭ୍ୟାନ୍‌ର ଅଭାବ ପରିଲକ୍ଷିତ ହେଉଛି। ଅଧିକା˚ଶ ପିସିଆର ଭ୍ୟାନ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। କର୍ମଚାରୀଙ୍କ ଅଭାବ ମଧୢ ପରିଲକ୍ଷିତ ହେଉଛି। ଏଭଳି ପରିସ୍ଥିତିରେ ପିସିଆର ଓ ମଡର୍ନ କଣ୍ଟ୍ରୋଲ ବ୍ୟବସ୍ଥାକୁ ସୁଦୁଢ଼ କରିବାକୁ ଯୋଜନା ହୋଇଛି। ଯୋଜନା ମୁତାବକ, ସହରରେ ପିସିଆର ସ˚ଖ୍ୟା ଓ କର୍ମଚାରୀ ବୃଦ୍ଧି କରାଯିବା ସହ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଅତ୍ୟାଧୁନିକ କରାଯିବ। ଏନେଇ ଏକ ଯୋଜନା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି କମିସନରେଟ ପୁଲିସ। ବର୍ତମାନ ରାଜଧାନୀରେ ୩୩ଟି ପିସିଆର ଭ୍ୟାନ୍‌ ପାଟ୍ରୋଲି˚ କରୁଛି। ଥାନା ସ˚ଖ୍ୟା ୨୩। ରାଜଧାନୀରେ ଉପକଣ୍ଠରେ ପିସିଆର ଭ୍ୟାନ୍‌ ଅବସ୍ଥା ମଧୢ ତଦ୍ରୂପ। ୩୩ଟି ପିସିଆର ମଧୢରୁ ଏକାଧିକ ପିସିଆର ଭ୍ୟାନର ଅବସ୍ଥା ଖରାପ। ଏଭଳି ପରିସ୍ଥିତିରେ କେବଳ ଭୁବନେଶ୍ବରେ ୬୦ଟି ପିସିଆର ଭ୍ୟାନ୍‌ର ଆବଶ୍ୟକତା ହେଉଛି। ତେଣୁ ୬୦ଟି ପିସିଆର ଭ୍ୟାନ୍‌ ମଞ୍ଜୁର କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧିତ ଖବର