କମିସନରେଟ୍‌ ପୁଲିସର ଅପରାଧ ସମୀକ୍ଷା: ବିନା ଚାର୍ଜସିଟ୍‌ରେ ୧୫ ହଜାର ମାମଲା

ଅପରାଧ ସଂଖ୍ୟା କମିଛି, ବଢ଼ିଛି ରାହାଜାନୀ, କମିଛି ଦେହ ବେପାର

ଭୁବନେଶ୍ବର: ଗତବର୍ଷ ତୁଳନାରେ ଚଳିତବର୍ଷ କମିସନରେଟ୍‌ ପୁଲିସ ଅଧୀନସ୍ଥ ଅଞ୍ଚଳରେ ଅପରାଧର ପରିମାଣ କମିଛି। ଗତବର୍ଷ ସମସ୍ତ ଥାନାର ମୋଟ ମାମଲା ସଂଖ୍ୟା ୮ ହଜାର ୨୨୯ ହୋଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୬ ହଜାର ୯୨୨ରେ ରହିଛି। ଅଧା ବର୍ଷ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ରେ ବିତି ଯାଇଥିବାରୁ ଚଳିତ ବର୍ଷ ଅପରାଧ ପରିମାଣ କମ୍‌ ହୋଇଥିବା କୁହାଯାଉଛି। କିନ୍ତୁ ଲକ୍‌ଡାଉନ୍‌ରେ ବଢ଼ିଛି ରାହାଜାନି। ଗତବର୍ଷ ବିଭିନ୍ନ ଥାନାରେ ୨୬୬ଟି ରାହାଜାନି ମାମଲା ରୁଜୁ ହୋଇଥିବା ବେଳେ ଚଳିତ ବର୍ଷ (ସେପ୍ଟେମ୍ବର ୩୦ ସୁଦ୍ଧା) ୩୩୦ଟି ମାମଲା ରୁଜୁ ହୋଇଛି। ବଡ଼ କଥା ହେଉଛି, ବର୍ତ୍ତମାନ ସୁଦ୍ଧା ସବୁ ଥାନାରେ ଚାର୍ଜସିଟ୍‌ ହୋଇ ପାରିନଥିବା ମାମଲା ସଂଖ୍ୟା ୧୫ ହଜାରରୁ ଅଧିକ। ତେଣୁ ବହୁ ମାମଲା ବର୍ଷ ବର୍ଷ ଧରି ଗଡ଼ୁଛି। ଏଗୁଡ଼ିକର ତୁରନ୍ତ ଚାର୍ଜସିଟ୍‌ ଦାଖଲ କରିବା ପାଇଁ ସମସ୍ତ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଆଜି କମିସନରେଟ୍‌ ପୁଲିସ୍‌ର ବାର୍ଷିକ ଅପରାଧ ସମୀକ୍ଷା ଉପରେ ସୂଚନା ଦେବା ଅବସରରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି।

କମିଛି ଦେହ ‌ବେପାର
ରାଜଧାନୀରେ କମିଛି ଦେହ ବେପାର। ସାରାବର୍ଷର ଅପରାଧ ସମୀକ୍ଷାରୁ ଏହି ବିଚିତ୍ର କଥା ପଦାକୁ ଆସିଛି। ତେଣୁ ଭୁବନେଶ୍ବରେ ଦେହଜୀବୀ ନାହାନ୍ତି ବୋଲି ସୂଚନା ଦେଇଛନ୍ତି ଡିସିପି। ଇମୋରାଲ ଟ୍ରାଫିକିଂ ପ୍ରିଭେନ୍‌ସନ ଆକ୍ଟ୍‌ ବଳରେ ଗୋଟିଏ ହେଲେ ଏତଲା ହୋଇ ନାହିଁ କିମ୍ବା ଜଣେ ହେଲେ ଗିରଫ ହୋଇ ନାହାନ୍ତି କିମ୍ବା ଜଣେ ହେଲେ ଦେହଜୀବୀ ଉଦ୍ଧାର ହୋଇ ନଥିବାରୁ ସେ ଏଭଳି ସୂଚନା ଦେଇଛନ୍ତି। ୨୦୧୯ ମସିହାରେ ରାଜଧାନୀରେ ଦେହ କାରବାରକୁ ନେଇ ୫ଟି ମାମଲା ରୁଜୁ ହୋଇଥିବା ବେଳେ ୧୦ଜଣଙ୍କୁ ଗିରଫ କରାଯାଇଥିଲା ଓ ୧୨ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିଲା। ୨୦୧୮ରେ ୯ଟି ମାମଲାରେ ୩୯ଜଣ ଗିରଫ ହୋଇଥିଲେ ଓ ୩୩ ଦେହଜୀବୀ ଉଦ୍ଧାର ହୋଇଥିଲେ। କିନ୍ତୁ ୨୦୨୦ ମସିହାରେ ଏହି ସଂଖ୍ୟା ଶୂନରେ ପହଞ୍ଚିଛି। କେବଳ ଗତ ଜାନୁଆରି ମାସରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଲିଙ୍ଗରାଜ ଥାନା ଅଞ୍ଚଳରେ ସେକ୍ସ ରାକେଟ ଠାବ କରିବା ସହ ୬ବାଲାଂଦେଶୀ ଯୁବତୀଙ୍କୁ ଉଦ୍ଧାର କରିଥିଲା। ପରେ ଏସ୍‌‌ଟିଏଫ୍‌ ଆଉ ୧୭ଦେହଜୀବୀଙ୍କୁ ଉଦ୍ଧାର କରିଥିଲା। ଏଣୁ ଆଜିର ସମୀକ୍ଷାରୁ କମିସନରେଟ୍‌ ପୁଲିସ୍‌ ଭୁବନେଶ୍ବରରେ ଦେହଜୀବୀ କେମିତି ପାଉନି ବୋଲି ପ୍ରଶ୍ନ ଉଠିଛି।

ଦୁଷ୍କର୍ମ କମିଛି
ଗତବର୍ଷ ରାଜଧାନୀରେ ୧୪୯ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। କିନ୍ତୁ ଚଳିତ ବର୍ଷ (ସେପ୍ଟେମ୍ବର ୩୦ ଯାଏ) ୧୦୬ଟି ମାମଲା ରୁଜୁ ହୋଇଛି। ତେଣୁ ରାଜଧାନୀରେ ଦୁଷ୍କର୍ମ ହ୍ରାସ ପାଇଛି ବୋଲି ସମୀକ୍ଷାରୁ ଜଣାପଡ଼ିଛି। ତେବେ ଲକ୍‌ଡାଉନ୍‌ ସମୟରେ ଚନ୍ଦ୍ରଶେଖରପୁର ନାବାଳିକା ଗଣଦୁଷ୍କର୍ମ ମାମଲା ପୁଲିସ ପାଇଁ ମୁଣ୍ଡବିନ୍ଧା ବଢ଼ାଇଥିଲା। ଏକ ଗଣମାଧ୍ୟମ କର୍ମଚାରୀମାନେ ପ୍ରଲୋଭିତ କରି ନାବାଳିକାକୁ ଦୁଷ୍କର୍ମ କରିଥିଲେ। ବିଳମ୍ବରେ ହେଲେ ବି ଏହି ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି।

ବଢ଼ିଛି ହତ୍ୟା ମାମଲା
ଗତବର୍ଷ ୩୯ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଚଳିତ ବର୍ଷ ୪୦ ହତ୍ୟା ମାମଲା ରୁଜୁ ହୋଇଛି। ଆର୍ମସ୍‌ ଆକ୍ଟ ବଳରେ ଚଳିତ ବର୍ଷ ୯ଟି ମାମଲା ରୁଜୁ ହୋଇଥିବା ବେଳେ ୯ ବନ୍ଧୁକ, ୧୭ ଗୁଳି ଜବତ ହେବା ସହ ୨୧ ଜଣଙ୍କୁ ଗିରଫ କରାଯାଇଛି। ଲକ୍‌ଡାଉନ୍‌ରେ ଏଭଳି ବନ୍ଧୁକ କାରବାର ବଢ଼ିଛି ବୋଲି କୁହାଯାଉଛି।

ଚର୍ଚ୍ଚାରେ ଚୋରି
କରୋନା କଟକଣା ସମୟରେ ଚୋର ମାତିଥିଲେ। ଦିନରେ ରେକି କରି ରାତିରେ ଲୁଟୁଥିଲେ। ଚଳିତବର୍ଷ ୧୬୮୪ଟି ଚୋରି ମାମଲା ରୁଜୁ ହୋଇଛି। ଗତବର୍ଷ ଏହି ସଂଖ୍ୟା ୧୯୦୫ ରହିଥିଲା। କରୋନା କଟକଣା ଯୋଗୁଁ ଚୋରି ମାମଲା ଯଥେଷ୍ଟ କମିବା ଆଶା କରାଯାଉଥିଲେ ହେଁ ମାମଲା ସଂଖ୍ୟା ୧୬୮୪ରେ ପହଞ୍ଚି ଥିବାରୁ ଏହା ଏକ ଉଦ୍‌ବେଗଜନକ ପ୍ରସଙ୍ଗ ବୋଲି କୁହାଯାଉଛି। ନୂଆପଲ୍ଲୀ ଥାନା ଅଞ୍ଚଳରେ ଚୋରି କରିବାକୁ ଯାଇ ଜଣେ ବୃଦ୍ଧାଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ।

ଆତ୍ମହତ୍ୟା ଉଦ୍‌ବେଗଜନକ
ଲକ୍‌ଡାଉନ୍‌ କଟକଣାରେ ଫସି ଯାଇଥିବା ଲୋକମାନେ ମାନସିକ ଯନ୍ତ୍ରଣାର ଶିକାର ହୋଇଥିଲେ। ଏଥିରୁ ଆତ୍ମହତ୍ୟା ପ୍ରବଣତା ବଢ଼ିଥିଲା। ଗତବର୍ଷ ୨୨୦ ଆତ୍ମହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ୩୦ ଯାଏ ୨୨୯ ମାମଲା ରୁଜୁ ହୋଇଛି। ଡିସେମ୍ବର ମାସର ହିସାବକୁ ନେଲେ ଏହି ସଂଖ୍ୟା ୨୪୦ରେ ପହଞ୍ଚିବ। ୨୦୧୭ ମସିହାରେ ଏହି ସଂଖ୍ୟା ୨୩୧ ଥିବା ବେଳେ ୨୦୧୮ ମସିହାରେ ୨୨୪ ରହିଛି। ଅର୍ଥାତ୍‌ ଚଳିତବର୍ଷ ଏହି ସଂଖ୍ୟା(୨୪୦)ବିଗତ ତିନିବର୍ଷର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି। ଜୀବିକା ପ୍ରଭାବିତ ହେବାରୁ ଅଧିକାଂଶ ଏଭଳି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି।

୧୬ଜଣଙ୍କ ବିରୋଧରେ ଏନ୍‌ଏସ୍‌ଏ
ଚଳିତ ବର୍ଷ ସର୍ବାଧିକ ୧୬ଜଣ ଅପରାଧୀଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ (ଏନ୍‌ଏସ୍‌ଏ) ଲଗାଇଛି କମିସନରେଟ୍‌ ପୁଲିସ। ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ବିଗତ ୭ବର୍ଷ ମଧ୍ୟରେ ଏହା ସର୍ବକାଳୀନ ରେକର୍ଡ। ୨୦୧୬ ଓ ୨୦୧୭ ମସିହାରେ ଜଣେ ଲେଖାଏଁ ଅପରାଧୀଙ୍କ ବିରୋଧରେ ଏନ୍‌ଏସ୍‌ଏ ଲାଗିଥିବା ବେଳେ ଚଳିତ ବର୍ଷର ଏହି ସଂଖ୍ୟା(୧୬) ପୁଲିସର ଅପରାଧୀଙ୍କ ପ୍ରତି କଠୋରତା ଦର୍ଶାଉଛି। ସେହିଭଳି ୧୭୦ ଜଣ ଅଭ୍ୟାସଗତ ଅପରାଧୀ ବା ଦାଗୀଙ୍କ ବିରୋଧରେ ଦଫା ୧୧୦ରେ ମାମଲା ରୁଜୁ ହୋଇଛି। ଗତବର୍ଷ ୧୧୩ ଜଣଙ୍କ ବିରୋଧରେ ଦଫା ୧୧୦ ବଳରେ ମାମଲା ରୁଜୁ ହୋଇଥିଲା।

ସାଇବର ଅପରାଧୀ
ଲକ୍‌ଡାଉନ୍‌ରେ ସାଇବର୍‌ ଅପରାଧୀ ମାତିଥିଲେ। ଲୋକଙ୍କ ସରଳତାର ସୁଯୋଗ ନେଇ ବା ସାହାଯ୍ୟ କରିବା ଆଳରେ ଆକାଉଣ୍ଟ ଖାଲି କରି ଦେଉଥିଲେ। ଏଭଳି ୫ ଶହରୁ ଊର୍ଦ୍ଧ୍ବ ମାମଲା ପଡ଼ି ରହିଛି। ଏହି ମାମଲାଗୁଡ଼ିକ କେବଳ ଇନ୍‌ସ୍‌ପେକ୍ଟରସ୍ତରର ଅଧିକାରୀ ତଦନ୍ତ କରିବାକୁ ଥିବାରୁ ଏବେ ସମସ୍ୟା ହୋଇଛି। ଇନ୍‌ସ୍‌ପେକ୍ଟରଙ୍କ ଅନେକ ଦାୟିତ୍ବ ଥିବାରୁ ସାଇବର୍‌ ଅପରାଧୀ ଧରାପଡ଼ୁନାହାନ୍ତି କିମ୍ବା ଅପରାଧର ଶିକାର ବ୍ୟକ୍ତି ନ୍ୟାୟ ପାଇ ପାରୁ ନାହାନ୍ତି।

ସମ୍ବନ୍ଧିତ ଖବର