ଭୁବନେଶ୍ୱର : ପୁଲିସକୁ ଦେଖି ଲୋକ ମାସ୍କ ପିନ୍ଧୁଛନ୍ତି। ଜରିମାନା ଭୟରେ ଆଇନ ମାନୁଛନ୍ତି। କେହି ଜଗିବାକୁ ନ ରହିଲେ ଚୁଲିକୁ ଯାଉଛି କଟକଣା। ଏଥର ଆଉ ନୁହେଁ। ଆକ୍ସନ ମୁଡ୍କୁ ଆସିଛି କମିସନରେଟ୍ ପୁଲିସ। ଟିକିଏ ଓଲମ୍ ବିଲମ୍ ହେଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା। ଆଜି ଭୁବନେଶ୍ବର କୋଣ ଅନୁକୋଣରେ କମିସନରେଟ୍ ପୁଲିସର ସ୍ବତନ୍ତ୍ର କୋଭିଡ୍ ସ୍କ୍ବାଡ୍ ଜୋରଦାର ଚଢ଼ଉ କରିଛନ୍ତି। କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ୩ଟି ଜୋନ୍ର ଦାୟିତ୍ବରେ ଥିବା ଡିସିପି(ସିକ୍ୟୁରିଟି)ନିର୍ମଳ ଶତପଥୀ, ଟ୍ରାଫିକ୍ ଡିସିପି ସୌମ୍ୟା ମିଶ୍ର ଓ ଡିସିପି(ଆର୍ମଡ୍) ବିଜୟ କୁମାର ସାହୁଙ୍କ ତତ୍ବାବଧାନରେ ସମ୍ପୃକ୍ତ ଥାନା ଇନ୍ସ୍ପେକ୍ଟରମାନେ ଚଢ଼ଉ କରିଛନ୍ତି। ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରାଯିବା ସହ ମୋଟା ଅଙ୍କର ଜରିମାନା ଆଦାୟ ହୋଇଛି। ତା’ ସହିତ ଏକ ସ୍ବତନ୍ତ୍ର ଟିମ୍ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ୍ ଜରିଆରେ ସଚେତନ କରାଇଛି।
ରାତି ୧୦ଟା ସୁଦ୍ଧା କଟକ ଓ ଭୁବନେଶ୍ବରରୁ ମାସ୍କ ପିନ୍ଧି ନଥିବା ୬୬୦, ସାମାଜିକ ଦୂରତା ଉଲ୍ଲଂଘନ ୩୩୮୩, ମୋଟର ଯାନ ଆଇନ ଉଲ୍ଲଂଘନରେ ୧୧୪୫ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଥିବା ବେଳେ ୨୧ଟି ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରାଯାଇଥିଲା।
ଏ ନେଇ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, କମିସନରେଟ୍ ପୁଲିସରେ ୯ଜଣ ଇନ୍ସ୍ପେକ୍ଟର, ୬ଜଣ ଏସିପିଙ୍କ ମଧ୍ୟରୁ ୩ଜଣ ଓ ୧ହଜାରରୁ ଊର୍ଦ୍ଧ୍ବ ପୁଲିସ କର୍ମଚାରୀ କୋଭିଡ୍ ସଂକ୍ରମିତ ଅଛନ୍ତି। ୪ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଏ ସବୁ ସତ୍ବେ କାର୍ଯ୍ୟରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ମନୋବଳ ଦୃଢ଼ ରହିଛି। କୋଭିଡ୍ କଟକଣାକୁ କଡ଼ାକଡ଼ି କରିବା ପାଇଁ କମିସନରେଟ୍ ପୁଲିସ ଆପ୍ରାଣ ଉଦ୍ୟମ କରୁଛି। ମାସ୍କ ନ ପିନ୍ଧିଥିବା ଲୋକକୁ ବାହାରେ ବୁଲିବାକୁ ଦିଆଯିବ ନାହିଁ। କୋଭିଡ୍ ନିୟମ ନ ମାନିଲେ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାକୁ ଦିଆଯିବ ନାହିଁ। ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି ହେବ। ଡଜିଙ୍କ ପ୍ରତିଶ୍ରୁତି କ୍ରମେ ଆସିବାକୁ ଥିବା ଅତିରିକ୍ତ ଅଧିକାରୀଙ୍କ ଜରିଆରେ ସ୍ବତନ୍ତ୍ର ସ୍କ୍ବାଡ୍ ଗଳିକନ୍ଦି ବୁଲିବେ। ଥାନାସ୍ତରରେ ସମ୍ବେଦନଶୀଳ ଜାଗା ଚିହ୍ନଟ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ବିଭିନ୍ନ ସ୍ଥାନରେ ଅଚାନକ୍ ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ପୁଲିସ ଯେତେ କାର୍ଯ୍ୟାନୁଷ୍ଠାନ ନେବା ସହ ସତର୍କ ରହିଲେ ବି ଲୋକଙ୍କର ସହଯୋଗ ଲୋଡ଼ା। ପୂର୍ବରୁ ରାଜଧାନୀବାସୀ ପୁଲିସକୁ ସହଯୋଗ କରିଛନ୍ତି। ଆମେ ଆଶା କରୁଛୁ ଏଥର ମଧ୍ୟ ଏହି କୋଭିଡ୍ ନିୟମ ପାଳନରେ ଆଶାନୁରୂପ ସହଯୋଗ କରିବେ।
ସୂଚନାଯୋଗ୍ୟ, କୋଭିଡ୍ କଟକଣା ବାବଦରେ ଏପ୍ରିଲରୁ ସେପ୍ଟେମ୍ବର ମାସ ଅର୍ଥାତ୍ ୫ ମାସ ମଧ୍ୟରେ ଟ୍ବିନ୍ ସିଟିର କମିସନରେଟ୍ ପୁଲିସ ଅଞ୍ଚଳରୁ ୨ କୋଟି ୪୨ ଲକ୍ଷ ୮୦ ହଜାର ୧୮୫ ଟଙ୍କା ଜରିମାନା ଆଦାୟ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/patia.jpeg.jpg)