ମହାଶିବରାତ୍ରି ପାଇଁ ପ୍ରସ୍ତୁତ କମିସନରେଟ୍ ପୁଲିସ, ଭିଡ଼ ଜଗିବେ ୪୦ ପ୍ଲାଟୁନ୍‌ ଫୋର୍ସ

୩୨ ସିସିଟିଭି, ମନ୍ଦିର ବାହାରେ ରହିବ କଣ୍ଟ୍ରୋଲ୍‌ ରୁମ୍‌

ପୁରୁଣା ଭୁବନେଶ୍ୱର,୬/୩(ଇମିସ): ଚଳିତ ମାସ ୧୧ତାରିଖ ଗୁରୁବାରରେ ପଡ଼ୁଥିବା ମହାଶିବରାତ୍ରି ପାଇଁ କମିସନରେଟ୍‌ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ଏକାମ୍ର ସୌନ୍ଦର୍ଯ୍ୟୀକରଣ ଯୋଜନା ପାଇଁ ଏଥର ଜାଗର ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଅଧିକ ହେବ। ‌ତେଣୁ କମିସନରେଟ୍ ପୁଲିସ ପକ୍ଷରୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ୪୦ ପ୍ଲାଟୁନ୍‌ ପୁଲିସ ବଳ ନିୟୋଜିତ ହେବେ। ମନ୍ଦିର ବାହାରେ ପୁଲିସ କଣ୍ଟ୍ରୋଲ୍ ରୁମ୍‌ ରହିବ ଓ ପୂରା ଅଞ୍ଚଳରେ ୩୨ଟି ସିସିଟିଭି ଲାଗିବ ବୋଲି ସୂଚନା ମିଳିଛି। ଦିନତମାମ୍‌ ଜଗି ରଖି କୋଭିଡ୍‌ କଟକଣା ଭିତରେ ଶ୍ରଦ୍ଧାଳୁଙ୍କୁ ଠାକୁର ଦର୍ଶନ କରାଇବାକୁ ପୁଲିସ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବ ବୋଲି ସୂଚନା ମିଳିଛି।

ଆଜି ପୂର୍ବାହ୍ନରେ କୋରାପୁଟ ଭବନରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନିଷ୍ପତ୍ତି ଅନୁସାରେ କୋଭିଡ୍‌ କଟକଣାରେ ଶ୍ରଦ୍ଧାଳୁମାନେ ମନ୍ଦିରରେ ପ୍ରବେଶ କରିବେ। ସବୁ ସେବାୟତ, ମନ୍ଦିର କର୍ମଚାରୀ, ପୁଲିସ ଓ ଶ୍ରଦ୍ଧାଳୁମାନେ ମାସ୍କ ବ୍ୟବହାର କରିବା ସହିତ ହାତ ସାନିଟାଇଜ୍‌ କରିବେ। ସବୁ ଭକ୍ତ ଓ ସେବାୟତଙ୍କ ର୍ଥମାଲ ଟେଷ୍ଟ କରାଯିବ। ସନ୍ଦେହ ଉପୁଜିଲେ ଆଣ୍ଟିଜେନ୍‌ ଟେଷ୍ଟ୍‌ କରାଯିବ। ଭକ୍ତମାନେ ଧାଡ଼ି ବାନ୍ଧି ମନ୍ଦିରକୁ ପ୍ରବେଶ କଲା ବେଳେ ୬ଫୁଟ୍‌ ସାମାଜିକ ଦୂରତା ରକ୍ଷା କରିବେ। ବିଗତ ବର୍ଷମାନଙ୍କରେ ଏହି ଭିଡ଼ ନିୟନ୍ତ୍ରଣର ଅଭିଜ୍ଞତା ରଖିଥିବା ପୁଲିସ ଅଧିକାରୀମାନେ ଉପସ୍ଥିତ ରହିବେ। ବଡ଼ କଥା ହେଉଛି ଚଳିତ ବର୍ଷ କରୋନା କଟକଣା ଯୋଗୁଁ ମହାଦୀପ ଉଠିବା ପରେ ଆଉ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରେ ପ୍ରବେଶ କରିପାରିବେ ନାହିଁ। ଏମିତିକି ଯେଉଁମାନେ ମନ୍ଦିର ପରିସରରେ ଥିବେ, ସେମାନେ ଗର୍ଭଗୃହକୁ(ଆଡ଼କାଠ ପର୍ଯ୍ୟନ୍ତ) ଯାଇପାରିବେ ନାହିଁ। ଶ୍ରଦ୍ଧାଳୁମାନେ ମନ୍ଦିର ଭିତରେ ବା ବାହାରେ କରୋନା କଟକଣା ମାନି ବସି ଦୀପ ଜାଳିବେ। ମନ୍ଦିର ସମ୍ମୁଖ ବାମ ପାର୍ଶ୍ବରେ କଣ୍ଟେନର୍‌ ରଖାଯାଇଛି। ସେଠାରେ ପୁଲିସ ‌ନିୟନ୍ତ୍ରଣ କକ୍ଷ ରହିବ। ସେହିପରି ଅନ୍ୟ ଏକ କଣ୍ଟେନର୍‌ରେ ସୂଚନା କେନ୍ଦ୍ର ରହିବ।

ମନ୍ଦିର ବାହାରେ ଟ୍ରାଫିକ୍ ଓ ଆଇନ ଶୃଙ୍ଖଳା ରକ୍ଷା କରାଯିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ଗାଡି ମଟର ରଖିବା ପାଇଁ ବିଭିନ୍ନ ସ୍ଥାନ ଚିହ୍ନଟ କରାଯାଇଛି। ବଢ଼େଇବାଙ୍କ ଛକ, ଗ୍ୟା‌ରେଜ୍‌ ଛକ, ସୁଭଦ୍ରା ମହାତାବ ହାଇସ୍କୁଲ, ମାଉସୀମା ଛକ, କେଦାରଗୌରୀ ଛକ, ଖରାଖିଆ ବୈଦ୍ୟନାଥ ଛକ, ନୂଆ ଲିଙ୍ଗରାଜ ମାର୍କେଟଠାରୁ ରାସ୍ତା ସିଲ୍‌ କରାଯିବ। ଚଳିତ ବର୍ଷ ବିଏମ୍‌ ହାଇସ୍କୁଲ ପଡ଼ିଆ, ସୁଭଦ୍ରା ମହତାବ ହାଇସ୍କୁଲ, ଗୋସାଗରେଶ୍ବର ସ୍କୁଲ, କେଦାରଗୌରୀରୁ ବିନ୍ଦୁସାଗର ରାସ୍ତା, ନୂଆ ଲିଙ୍ଗରାଜ ମାର୍କେଟ୍‌ ପରିସରରେ ପାର୍କିଂ କରାଯିବ। ସେହିପରି ହାଟ ନିକଟରେ ସେବାୟତଙ୍କ ଗାଡ଼ି ପାର୍କିଂ କରାଯିବ। ମନ୍ଦିର ତିନି ପାର୍ଶ୍ବ ଦ୍ବାର ମୁହଁରେ ଆମ୍ବୁଲାନ୍ସ ଓ ଷ୍ଟେଚର୍‌ ରଖାଯିବ। କେଉଁ ପାର୍କିଂ ସ୍ଥାନକୁ ଯିବା ପାଇଁ କେଉଁ ବାଟ ଦେଇ ଲୋକମାନେ ସୁବିଧାରେ ଯାଇ ପାରିବେ, ସେନେଇ ପୁଲିସ ପୂର୍ବରୁ ମାର୍ଗଦର୍ଶିକା ଜରିଆରେ ଲୋକଙ୍କୁ ଅବଗତ କରାଇବେ।

ଏଥର ୪ ସିଫ୍‌ଟରେ ୪୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ଆଡିସ୍‌ନାଲ ସିପି, ଏସିପି, ବରିଷ୍ଠ ଅଫିସର ଡ୍ୟୁଟି କରିବେ। ଯାତ୍ରା ଭିଡ଼ରେ ଲୁଟେରା ଓ ଅସାମାଜିକ ତତ୍ତ୍ବଙ୍କ ଉପରେ ନଜର ରଖିବା ପାଇଁ ମନ୍ଦିର ଭିତରେ ଓ ବାହାରେ ୩୨ଟି ସିସିଟିଭି କ୍ୟାମେରା ଲାଗି। ସେହିଭଳି ସାଦାପୋଷାକରେ ଉଭୟ ପୁରୁଷ ଓ ମହିଳା ପୁଲିସ ଭିଡ଼ ଭିତରେ ବୁଲିବେ। ପୂର୍ବଦିନ ସନ୍ଧ୍ୟାରୁ ମନ୍ଦିର ବାହାରୁ ଓ ଭିତରେ ଭିଡ଼କୁ ନିୟନ୍ତ୍ରଣ କରାଯିବ। ମନ୍ଦିର ଚାରିପଟେ ଓ ସଂଯୋଗ ରାସ୍ତାରେ ଅଧିକ ଲାଇଟ୍‌ ଲଗାଯିବ ବୋଲି ଆଲୋଚନାରେ କୁହାଯାଇଛି। ଲୋକମାନେ ପୁଲିସକୁ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି। ଭିଡ଼ ଭିତରକୁ ସୁନା ଗହଣା ପିନ୍ଧି ନ ଆସିବାକୁ ବି‌ଶେଷ ଅନୁରୋଧ କରାଯାଇଛି। ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ସୁରେଶ କୁମାର ରାଉତରାୟ, କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର, ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ଦାଶ, ଏସିପି ବିଷ୍ଣୁ ଚରଣ ପାତ୍ର, ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ଓ ବହୁ ବରିଷ୍ଠ ପୁଲିସ୍ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର