ଏମିତି ଦକ୍ଷ ଆମ କମିସନରେଟ ପୁଲିସ! ଅମରେଶ ନାୟକ ହତ୍ୟାକାଣ୍ଡରୁ ଦୀପାଳି ପ୍ରିୟଦର୍ଶନୀ ମାମଲା ପର୍ଯ୍ୟନ୍ତ ସବୁଥିରେ ଫେଲ୍

ଭୁବନେଶ୍ବର : ଏମିତି ଦକ୍ଷ ଆମ କମିସନରେଟ ପୁଲିସ ଅଫିସର। ଗୋଟିଏ ହତ୍ୟାକାଣ୍ଡ, ୪ଟି ସନ୍ଦେହଜନକ ଆତ୍ମହତ୍ୟା, ଏହି ଭଳି ଭାବେ ଗତ ମାସରେ ୫ଟି ଘଟଣା ଘଟି ଯାଇଛି। କିନ୍ତୁ ଗୋଟିଏ ହେଲେ ବି ଘଟଣାର ରହସ୍ୟ ଉନ୍ମୋଚନ କରିବାକୁ ସକ୍ଷମ ହୋଇ ପାରିନାହିଁ କମିସନରେଟ ପୁଲିସ। ଯାହାକୁ ନେଇ କମିସନରେଟ ପୁଲିସ ଉପରେ ରାଜଧାନୀବାସୀଙ୍କ ଆସ୍ଥା ତୁଟିବା ସହିତ ଅସନ୍ତୋଷ ପ୍ରକାଶ ପାଇଛି।

କମିସନରେଟ ପୁଲିସ ହେଉଛି ରାଜ୍ୟର ସବୁଠାରୁ ଦକ୍ଷ ପୁଲିସ। କମିସନରେଟ ପୁଲିସକୁ ରାଜ୍ୟର ଅନ୍ୟ ଜିଲ୍ଲା ପୁଲିସମାନେ ମଡେଲ ଭାବେ ଚିନ୍ତା କରିଥାନ୍ତି। କେବଳ ଯେ ମଡେଲ ପୁଲିସ ତାହା ନୁହେଁ, ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳରେ ପରିପୂର୍ଣ୍ଣ କମିସନରେଟେ ପୁଲିସ। ଦକ୍ଷ ଓ ଅଭିଜ୍ଞ ଅଫିସରଙ୍କର ମଧ୍ୟ ଅଭାବ ନାହିଁ। କିନ୍ତୁ ଗତ ଅକ୍ଟୋବର ମାସରେ ରାଜଧାନୀରେ ଘଟିଥିବା କେତେକ ଘଟଣା ପୁଲିସ କାର୍ଯ୍ୟଦକ୍ଷତା ଉପରେ ଉଠାଇଛି ପ୍ରଶ୍ନ। ସେ ଏୟାରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା-କପିଳପ୍ରସାଦ ବିଡିଏ କଲୋନି ଅମରେଶ ନାୟକ ହତ୍ୟାକାଣ୍ଡ ହେଉ ବା ଧଉଳି ଥାନା ଅଧୀନ ଇନ୍ଦିରା କଲୋନି ମହିଳା‌ ଆଇନଜୀବୀ ଦୀପାଳି ପ୍ରିୟଦର୍ଶନୀ ଜେନା ମୃତ୍ୟୁ ମାମଲା, ସବୁ ଥିରେ ଏହି ରହସ୍ୟମୟ ଘଟଣା ଉପରୁ ପରଦା ଉଠାଇବାକୁ ସମ୍ପର୍କୀୟମାନେ ଦାବି କରିଛନ୍ତି। ଘଟଣା କ’ଣ କାହିଁକି ଅମରେଶଙ୍କୁ ହତ୍ୟା କରାଗଲା, ଦୀପାଳି କାହିଁକି ଆତ୍ମହତ୍ୟା କଲେ ତାହା ଜାଣିବାକୁ ରାଜଧାନୀବାସୀ ମଧ୍ୟ ବ୍ୟଗ୍ର। କେବଳ ଏହି ଦୁଇଟି ଘଟଣା କାହିଁକି ଗତ ମାସରେ ଏଭଳି ୩ଟି ସନ୍ଦେହପୂର୍ଣ୍ଣ ଘଟଣା ଘଟିଥିଲା, ପରିବାର ଲୋକ ହତ୍ୟା ବୋଲି ଅଭିଯୋଗ କରିଥିଲେ। ଯାହା ଏବେ ବି ରହସ୍ୟମୟ ହୋଇ ରହିଛି।

ଅକ୍ଟୋବର ୧୩: ସହିଦନଗର ଥାନା ଭିଏସଏସ ମହାବୀର ବସ୍ତିରେ ପ୍ରେମିକା ଘର ଆଗରୁ ବିଜେଡି ଛାତ୍ର ନେତା ଅବକାଶ ପାଇକରାୟଙ୍କ ମୃତଦେହ ମିଳିଥିଲା। ଅବକାଶଙ୍କ ବାପା ଏନେଇ ପ୍ରେମିକା ଓ ତାଙ୍କ ପରିବାର ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ କରିଥିଲେ ପୁଅକୁ ବିଷ ଦେଇ ହତ୍ୟା କରାଯାଇଛି। କିନ୍ତୁ ଏଯାଏ ଅବକାଶଙ୍କ ମୃତ୍ୟୁ ଉପରୁ ରହସ୍ୟ ଉଠାଇ ପାରିଲାନି ପୁଲିସ।

ଅକ୍ଟୋବର ୨୦: ଧଉଳି ଥାନା ଅନ୍ତର୍ଗତ ସାମନ୍ତରାପୁର ଇନ୍ଦିରା କଲୋନିରୁ ମିଳିଥିଲା ମହିଳା ଆଇନଜୀବୀ ଦୀପାଳିଙ୍କ ଝୁଲନ୍ତା ମୃତଦେହ। ଆତ୍ମହତ୍ୟା କରିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ପୁରୁଷ ବନ୍ଧୁ ବିକ୍ରମ ମିଶ୍ରଙ୍କ ପତ୍ତା ନ ମଳିବା ଘଟଣାକୁ ଏବେ ରହସ୍ୟମୟ କରି ରଖିଛି। ଯେଉଁ କାରଣରୁ ପୁଲିସ ତଦନ୍ତ ବିକ୍ରମଙ୍କ ପାଖରେ ହିଁ ଅଟକି ଯାଇଛି। ବିକ୍ରମ ଗିରଫ ହେଲେ ଘଟଣାର ପର୍ଦାଫାସ ହେବ। ପୁରୁଷ ବନ୍ଧୁ ବିକ୍ରମ ମିଶ୍ରଙ୍କୁ ଖୋଜିବାରେ ବିଫଳ ମାରିଛି ପୋଲିସ।

ଅକ୍ଟୋବର ୨୧: ଜଟଣୀ ଥାନା ଅଧୀନ ଆଇଆଇଟି କ୍ୟାମ୍ପସରୁ ମିଳିଥିଲା ଚିରାଗ ପ୍ରବୀଣ ଜୈନ ନାମକ ଛାତ୍ରଙ୍କ ମୃତଦେହ। ଛାତ ଉପରୁ ପଡ଼ି ତାଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଥିଲା। ହେଲେ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ କେହି ଠେଲି ହତ୍ୟା କରିଥିଲେ ତାର ମିଳିଲାନି ସୁରାକ। ଯଦି ଏହା ଆତ୍ମହତ୍ୟା, ଏହା ପଛର କାରଣ କ’ଣ ଏଯାଏ ସ୍ପଷ୍ଟ ହୋଇନାହିଁ।

ଅକ୍ଟୋବର ୨୪: ଖଣ୍ଡଗିରି ଥାନା ଏମ୍‌ସ ହସ୍ପିଟାଲ କ୍ଲାସ ରୁମରୁ ସିକ୍ୟୁରିଟି ଗାର୍ଡ ସନ୍ତୋଷ ନାୟକଙ୍କ ଝୁଲନ୍ତା ମୃତଦେହକୁ ଜବତ କରିଥିଲା ପୁଲିସ। ଘଟଣାର କିଛି ଦିନ ପୂର୍ବରୁ ସନ୍ତୋଷଙ୍କ ଚାକିରି ଓ ଦରମାକୁ କେନ୍ଦ୍ର କରି ପାଟିତୁଣ୍ଡ ହୋଇଥିଲା। ସେ ଛୁଟିରେ ମଧ୍ୟ ଥିଲେ। କିନ୍ତୁ ଘଟଣା ଦିନ ସେ ହସ୍ପିଟାଲ ଆସି ଆତ୍ମହତ୍ୟା କରିଥିଲେ। ଏହି ମୃତ୍ୟୁ ପଛର ରହସ୍ୟ ଏବେ ବି ଅସ୍ପଷ୍ଟ।

ଅକ୍ଟୋବର ୨୭: ଏୟାର ଫିଲ୍‌ଡ ଥାନା ଏକାମ୍ର କଲେଜ ନିକଟରେ ଅମରେଶ ନାୟକକୁ ହତ୍ୟା କଲେ ଦୁର୍ବୁତ୍ତ। ଅଭିଯୁକ୍ତମାନଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦିଆଗଲା। କିନ୍ତୁ ଘଟଣାକୁ ୯ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ପାଟି ଚୁପ। ସେପଟେ ଅଭିଯୁକ୍ତମାନଙ୍କର ରାଜନୈତିକ ସମ୍ପର୍କ ଥିବାରୁ ପୁଲିସ ସେମାନଙ୍କୁ ଗିରଫ କରିବାକୁ ପଛଘୁଞ୍ଚା ଦେଉଥିବା ଅଭିଯୋଗ କରିଛନ୍ତି ମୃତ ଅମରେଶ ନାୟକଙ୍କ ସାଙ୍ଗସାଥୀ।

ସମ୍ବନ୍ଧିତ ଖବର