କମିସନରେଟ୍‌ ପୁଲିସରେ କର୍ମଚାରୀ ଅଭାବ : ୭୩୫ ଲୋକଙ୍କ ପାଇଁ ଜଣେ ପୁଲିସ

ଦ୍ବୈତନଗରୀରେ ୨୧୮ ପଦ ଖାଲି, ରାଜଧାନୀରେ ୬୬, କଟକରେ ୨୯ ଇନ୍ସପେକ୍ଟର୍‌ ନାହାନ୍ତି

ଭୁବନେଶ୍ୱର : ରାଜ୍ୟର ସବୁଠୁ ଟାଣୁଆ ପୁଲିସ୍‌ ବ୍ୟବସ୍ଥା (କମିସନରେଟ୍‌ ପୁଲିସ୍‌) ଅଧୀନ କଟକ-ଭୁବନେଶ୍ୱରରେ କ୍ରମାଗତ ଭାବେ ଅପରାଧ ବଢ଼ି ଚାଲିଛି। ଚୋରି, ଛିନ୍‌ତାଇ, ରାହାଜାନୀ ଭଳି ଘଟଣା ନିତିଦିନିଆ ହୋଇଯାଇଥିବା ବେଳେ ଦୁଷ୍କର୍ମ, ଅପହରଣ, ହତ୍ୟା ଉଦ୍ୟମ, ହତ୍ୟା ଭଳି ସଂଗିନ୍‌ ଅପରାଧ ଦ୍ବୈତନଗରୀବାସୀଙ୍କୁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ନିକଟ ଅତୀତ ଉପରେ ନଜର ପକାଇଲେ, ମାତ୍ର ମାସକ ଭିତରେ ଦୁଇ ଦୁଇଟି ଲୋମଟାଙ୍କୁରା ହତ୍ୟାକାଣ୍ଡ ରାଜଧାନୀବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି। ସୁନ୍ଦରପଦା ଅମରେଶ ନାୟକ ହତ୍ୟାକାଣ୍ଡ ଓ ବାହାଦଲପୁର ପପୁ ଜେନା ହତ୍ୟା ମାମଲା‌ରେ ସଂପୃକ୍ତ ଅଭିଯୁକ୍ତମାନେ ଏବେ ବି ଫେରାର୍‌ ଅଛନ୍ତି। ଖାଲି ଏହି ଦୁଇଟି ହତ୍ୟା ମାମଲା ନୁହେଁ, ଅତୀତରେ ହୋଇଥିବା ଅନେକ ସମ୍ବେଦନଶୀଳ ମାମଲାରେ ମଧ୍ୟ ପୁଲିସକୁ ସଫଳତା ମିଳି ପାରିନାହିଁ। ଏପରି କିଛି ଘଟଣା ମଧ୍ୟ ଅଛି, ଯାହାର ରହସ୍ୟ ଖୋଲିବାରେ ପୁଲିସ ସଂପୂର୍ଣ୍ଣ ବିଫଳ ହୋଇଛି। ଏହାକୁ ନେଇ କମିସନରେଟ୍‌ ପୁଲିସର ପାରିବାପଣିଆ ପ୍ରତି ସବୁବେଳେ ପ୍ରଶ୍ନ ଉଠିଆସିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଗଣମାଧ୍ୟମ, ଏପରିକି ବିଧାନସଭା ମଧ୍ୟ ପୁଲିସର ଅପାରଗତାକୁ ନେଇ କମ୍ପିଛି। କିନ୍ତୁ କମିସନରେଟ୍‌ ପୁଲିସରେ ଯେ ମାନବସମ୍ବଳର ଅଭାବ ରହିଛି, ସେନେଇ କାହାରି ନିଘା ନାହିଁ।

ଏକ ତଥ୍ୟ ଅନୁଯାୟୀ, କମିସନରେଟ୍‌ ପୁଲିସ୍‌ରେ ଏବେ ପାଖାପାଖି ୨୧୮ପଦ ଖାଲି ପଡ଼ିଛି। ଅତିରିକ୍ତ ପୁଲିସ କମିସନର୍‌, ଡିସିପି ଓ ଏସିପି ଭଳି ଉପରିସ୍ଥ ଅଧିକାରୀଙ୍କ କ୍ଷେତ୍ରରେ ମାନବସମ୍ବଳ ପାଖାପାଖି ଠିକ୍‌ଠାକ୍‌ ରହିଥିବା ବେଳେ ତଦନ୍ତକାରୀ ଅଧିକାରୀଙ୍କ କ୍ଷେତ୍ର‌ରେ ଏହା ଉଦ୍‌ବେଗଜନକ ରହିଛି। ଗତ ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ବରରେ ୬୬ଟି ସବ୍‌-ଇନ୍ସପେକ୍ଟର୍‌ ପଦ ଖାଲି ପଡ଼ିଥିବା ବେଳେ କଟକରେ ୨୯ ଓ ମୁଖ୍ୟାଳୟରେ ୭ଟି ଖାଲି ପଡ଼ିଛି। ସେହିପରି ଭୁବନେଶ୍ବରରେ ୨୭ ସହକାରୀ ସବ୍‌-ଇନ୍ସପେକ୍ଟର୍‌ ପଦ ଖାଲି ପଡ଼ିଥିବା ବେଳେ କଟକରେ ୭ ଓ ମୁଖ୍ୟାଳୟରେ ୧୦ଟି ଖାଲି ପଡ଼ିଛି। ବିଭିନ୍ନ ଥାନାରେ ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ଏମାନେ ହିଁ ଦାୟିତ୍ବ ନିଅନ୍ତି। କିନ୍ତୁ ଏତେ ସଂଖ୍ୟାରେ ପଦ ଖାଲି ଥିବାରୁ ବହୁ ମାମଲା ତଦନ୍ତ ଅଭାବରୁ ଦୀର୍ଘ ଦିନ ହେଲା ଗଡ଼ୁଛି। ସେହିପରି ମାମଲା ସଂଖ୍ୟା ବଢ଼ୁଥିବାରୁ କାର୍ଯ୍ୟରତ ଅଧିକାରୀମାନଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ହାବିଲଦାର ପଦ ଉପରେ ନଜର ପକାଇଲେ, ଭୁବନେଶ୍ବରରେ ୧୮, କଟକରେ ୬ଟି ପଦ ଖାଲି ପଡ଼ିଛି। ସେହିପରି ଭୁବନେଶ୍ବରରେ ୧୬ ଓ କଟକରେ ୩୨ ଓ ମୁଖ୍ୟାଳୟରେ ୬ଟି କନେଷ୍ଟବଳ ପଦ ଖାଲି ପଡ଼ିଛି। ବିଭିନ୍ନ ବାଟାଲିୟନ ଓ ଟିଟିଆଇ ପ୍ରଭୃତିକୁ ବିଚାରକୁ ନେଲେ ୯୬ ଏସ୍‌ଆଇ, ୪୪ ଏଏସ୍‌ଆଇ, ୨୪ ହାବିଲଦାର ଓ ୫୪ କନେଷ୍ଟବଳ; ଏଭଳି ମୋଟ ୨୧୮ ପଦ ଖାଲି ପଡ଼ିଛି।

ଅପରପକ୍ଷେ ଏକ ପରିସଂଖ୍ୟାନ ଅନୁଯାୟୀ, ଜାତୀୟସ୍ତରରେ ୫୫୪ ଲୋକଙ୍କ ପିଛା ଜଣେ ପୁଲିସ କର୍ମଚାରୀ ଥିବା ବେଳେ ଓଡ଼ିଶାରେ ଏହି ହାର ୬୪୦ ରହିଛି। ଅର୍ଥାତ୍‌ ୬୪୦ ଲୋକଙ୍କ ପାଇଁ ଜଣେ ପୁଲିସ। ତେବେ କମିସନରେଟ୍‌ ପୁଲିସ୍‌ ବ୍ୟବସ୍ଥା ଉପରେ ନଜର ପକାଇଲେ, ଏହି ପରିସଂଖ୍ୟାନ ଅଧିକ ଉଦ୍‌ବେଗଜନକ। ଏଠାରେ ୭୩୫ ଲୋକଙ୍କ ପିଛା ଜଣେ ପୁଲିସ କର୍ମଚାରୀ ରହିଛନ୍ତି। ଉଭୟ ସହରର‌ ଜନସଂଖ୍ୟା ପାଖାପାଖି ୨୮ଲକ୍ଷ। କିନ୍ତୁ କମିସନରେଟ୍‌ ପୁଲିସ ଅଧୀନରେ ପାଖାପାଖି ୩ ହଜାର ୮ଶହ କର୍ମଚାରୀ ଅଛନ୍ତି। ଏହି ହିସାବରେ ୭୩୫ଜଣ ଲୋକଙ୍କ ପାଇଁ ଜଣେ ପୁଲିସ। ତେବେ ଦ୍ବୈତନଗରୀରେ କ୍ରମାଗତ ଭାବେ ଜନସଂଖ୍ୟା ବଢ଼ୁଥିବାରୁ ପୁଲିସ ଉପରେ ମଧ୍ୟ ଅନୁରୂପ ଭାବେ ଚାପ ବଢ଼ିବାରେ ଲାଗିଛି।

ଏ ସଂପର୍କ‌ରେ ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ତୁଳନାତ୍ମକ ଭାବରେ କମିସନରେଟ୍‌ ପୁଲିସ ଅଧୀନରେ ଅପରାଧ ସଂଖ୍ୟା କମ୍‌ ରହିଛି। ଉପଲବ୍ଧ କର୍ମଚାରୀଙ୍କୁ ନେଇ ଅପରାଧ ନିୟନ୍ତ୍ରଣ ଯଥାସମ୍ଭବ ଉଦ୍ୟମ କରାଯାଉଛି।

ଅପରାଧରେ ଓଡ଼ିଶା ୧୮ନମ୍ବର: ଲକ୍ଷେ ଜନସଂଖ୍ୟା ଅନୁପାତରେ ଦିଲ୍ଲୀରେ ଅପରାଧ ସଂଖ୍ୟା ୧୨୦୦ ରହିଥିବା ବେଳେ କେରଳରେ ୯ଶହରୁ ଊର୍ଦ୍ଧ୍ବ ରହିଛି। ଏହି ତାଲିକାରେ ଓଡ଼ିଶାରେ ଲକ୍ଷେ ଜନସଂଖ୍ୟାରେ ୨୫୦ ଅପରାଧ ରେକର୍ଡ କରାଯାଇଛି। କମିସନରେଟ୍‌ ପୁଲିସ ଅଧୀନରେ ଏହାର ସଂଖ୍ୟା ନଗଣ୍ୟ ରହିଛି। କେବଳ ଥାନାରେ ପଞ୍ଜୀକୃତ ଅପରାଧକୁ ନେଇ ଏହି ପରିସଂଖ୍ୟାନ ଆସିଥିବା ବେଳେ ଅପରାଧ ଘଟିବା ସଂଖ୍ୟା ଏହାଠାରୁ ଅଧିକ ରହିଛି।

ସମ୍ବନ୍ଧିତ ଖବର