ଭୁବନେଶ୍ବର : କମିସନରେଟ୍ ପୁଲିସକୁ ପୂରିଛି ୧୧ ବର୍ଷ। ୧୯୯୮ ମସିହାରେ ଏଥିପାଇଁ ଚିଠା ପ୍ରସ୍ତୁତ ହୋଇଥିବା ବେଳେ ୨୦୦୮ ନୂଆବର୍ଷ ଦିନ କାର୍ଯ୍ୟକ୍ଷମ ହୋଇଥିଲା। ୧୧ ବର୍ଷ ଧରି ଟ୍ବିନ୍ ସିଟିର ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ଦିଗରେ କମିସନରେଟ୍ ପୁଲିସ ଉଦ୍ୟମ ଅବ୍ୟାହତ ରଖିଛି। କେତେକାଂଶରେ ସଫଳ ହୋଇଥିବା ବେଳେ କେତେକ କ୍ଷେତ୍ରରେ ଅପରାଧୀ ପୁଲିସକୁ ଚକ୍ମା ଦେଇଛନ୍ତି। ପ୍ରଥମ ପୁଲିସ କମିସନର ବିନୟ ବେହେରାଙ୍କଠାରୁ ଆରମ୍ଭ କରି ବର୍ତ୍ତମାନର ସୁଧାଂଶୁ ଷଡ଼ଙ୍ଗୀଙ୍କ ପର୍ଯ୍ୟନ୍ତ ସମସ୍ତେ ସବୁ ଦିଗରେ ସଫଳ ହେବାକୁ ଉଦ୍ୟମ କରିଛନ୍ତି। ଏହି ସମୟ ମଧ୍ୟରେ ଅନେକ ଯୋଜନା ହୋଇଛି। ହେଲେ କୌଣସି ଯୋଜନା ଉଲ୍ଲେଖନୀୟ ସଫଳତା ପାଇ ନାହିଁ। ମହିଳାଙ୍କ ସୁରକ୍ଷା ପାଇଁ ପରିକଳ୍ପନା କରାଯାଇଥିବା ‘ନିର୍ଭୟା’ ଯୋଜନା ସଫଳ ହୋଇ ନ ଥିବା ବେଳେ ଆସନ୍ତାକାଲିଠାରୁ ‘ଏସ୍ପିଓ’(ସ୍ବତନ୍ତ୍ର ପୁଲିସ ଅଫିସର) କାର୍ଯ୍ୟକ୍ଷମ ହେବାକୁ ଯାଉଛି। ମହିଳାଙ୍କ ସୁରକ୍ଷା ନିମନ୍ତେ ୩ଶହ ଯୁବତୀ ନିଯୁକ୍ତି(ଅବୈତନିକ) ପାଇବା ସହ ଶପଥ ନେବାକୁ ଯାଉଥିବା କମିସନରେଟ୍ ପୁଲିସ ସୂଚନା ଦେଇଛି।
ଅନ୍ୟପଟେ ‘ୱି କେୟାର, ୱି ଡେୟାର’ ସ୍ଲୋଗାନ୍ ନେଇ ଆରମ୍ଭ ହୋଇଥିବା କମିସନରେଟ୍ ପୁଲିସର ସ୍ଲୋଗାନ୍ ବଦଳିଛି। ଏହା ଏବେ ‘ଆମ ପୁଲିସ, ଆମ ସୁରକ୍ଷା’ ହୋଇଛି। ନିର୍ଭୟା ଯୋଜନାରେ ମହିଳା ଶିକ୍ଷାନୁଷ୍ଠାନ, ସପିଂ ମଲ୍, ବସ୍ ଷ୍ଟପ୍ ଓ ଧାର୍ମିକ ଅନୁଷ୍ଠାନ ନିକଟରେ ପାଖାପାଖି ୨ହଜାର ସିସିଟିଭି କ୍ୟାମେରା ଖଞ୍ଜାଯାଇ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖାଯିବା ସ୍ଥିର କରାଯାଇ ଥିଲା। ଏଥିପାଇଁ ଜାଗା ଚିହ୍ନଟ ମଧ୍ୟ ହୋଇଥିଲା। ସେହିଭଳି ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ସମର୍ପିତ ପିସିଆର ଭ୍ୟାନ୍ ‘ଶକ୍ତି’ କାର୍ଯ୍ୟକ୍ଷମ ହେବାକୁ ଯୋଜନା ଥିଲା। ଏଥିରେ ୫୦ ପ୍ରତିଶତ ମହିଳା ପୁଲିସ ରହିବାକୁ ବ୍ୟବସ୍ଥା ଥିଲା। ମହିଳାମାନେ କୌଣସି ବିପଦର ସମ୍ମୁଖୀନ ହେଲେ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଏହି ପିସିଆର ୨୪ ଘଣ୍ଟା ପ୍ରସ୍ତୁତ ରହିବାକୁ ସ୍ଥିର କରାଯାଇଥିଲା। ମହିଳାଙ୍କ ପାଇଁ ଏକ ସମର୍ପିତ ସାଇବର ଥାନା ପ୍ରତିଷ୍ଠା ପାଇଁ ଯୋଜନା ମଧ୍ୟ ଥିଲା। ଆହୁତ(ମାନବ ଚାଲାଣ ନିରୋଧ ୟୁନିଟ୍), ମହିଳା ଥାନା ଓ ମାଧ୍ୟମ କାଉନ୍ସେଲିଂ କେନ୍ଦ୍ର ଭଳି ମହିଳା ସମସ୍ୟା ସମ୍ବନ୍ଧୀୟ ୟୁନିଟକୁ ଏକାଠି କରି ଗୋଟିଏ ଛାତ ତଳେ ରଖିବା ପାଇଁ ପରିକଳ୍ପନା କରାଯାଇଥିଲା। କିନ୍ତୁ ଏସବୁ କେବଳ ଯୋଜନାରେ ଅଟକିଛି। ଏବେ ୩ଶହ ଯୁବତୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ମହିଳାଙ୍କ ସୁରକ୍ଷା ପାଇଁ ଏସ୍ପିଓ ଭାବରେ ନିଯୁକ୍ତି ଦିଆଯାଇଛି। ଆସନ୍ତାକାଲି ଏମାନେ ବିଧିବଦ୍ଧ ଭାବରେ ଦାୟିତ୍ବ ଗ୍ରହଣ କରିବେ। ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ସାଧାରଣ ଜନତାଙ୍କ ସୁରକ୍ଷା ଓ ଅପରାଧ ନିୟନ୍ତ୍ରଣ ପାଇଁ କମିସନରେଟ୍ ପୁଲିସ ନିରନ୍ତର ପ୍ରୟାସ ଜାରି ରଖିଛି। ଆଗକୁ ଆମ ପାଇଁ ଯେଉଁ ସମସ୍ୟା ରହିଛି ତାହା ହେଉଛି ଟ୍ରାଫିକ୍ ଓ ଆଇନ ଶୃଙ୍ଖଳା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/commissionerate-police.jpg)