କମିସନରେଟ୍‌ରେ ପାରିବାରିକ ହି˚ସା ବଢ଼ୁଛି : ନିଜ ଘରେ ନିର୍ଯାତିତା ୧୫୦ ମହିଳା

କଟକ: କମିସନରେଟ୍‌ ପୁଲିସ ଅଞ୍ଚଳରେ ଘର ଭିତରେ ମହିଳା ଅଧିକ ଅସୁରକ୍ଷିତ। ଗୋଟିଏ ବର୍ଷ ଭିତରେ କେବଳ ପାରିବାରିକ ହି˚ସାରେ ଫସିଛନ୍ତି ୧୫୦ମହିଳା। ମହିଳାମାନେ ଅନ୍ୟ ଅପରାଧ ତୁଳନାରେ ସର୍ବାଧିକ ପାରିବାରିକ ହି˚ସାର ଶିକାର ହୋଇଛନ୍ତି। କଟକ ବଡ଼ ମେଡିକାଲ୍‌ରେ ଖୋଲିଥିବା ‘ସଖୀ-ଓ୍ୱାନ୍‌ ଷ୍ଟପ୍‌ ସେଣ୍ଟର’ ପକ୍ଷରୁ ପ୍ରଥମଥର ପ୍ରକାଶ ପାଇଥିବା ବାର୍ଷିକ ରିପୋର୍ଟ ଏହା ସ୍ପଷ୍ଟ ସୂଚାଇ ଦେଇଛି। ରିପୋର୍ଟ ଏକଥା ବି କହୁଛି ଯେ ମହିଳା ଘର ବାହାର ଅପେକ୍ଷା ଘର ଭିତରେ ହିଁ ଅଧିକ ଅସୁରକ୍ଷିତ ମନେ କରୁଛନ୍ତି। ବୟସ କଥା ଯଦି ଦେଖାଯାଏ, ୧୮ରୁ ୩୫ ବର୍ଷର ମହିଳା ଏହି ପାରିବାରିକ ହି˚ସାରେ ସର୍ବାଧିକ ଶିକାର ହୋଇଛନ୍ତି। କଟକ ମହିଳା ଥାନା ମାଧ୍ୟମରେ ସର୍ବାଧିକ ୭୮ଜଣ ପୀଡ଼ିତା ସେଣ୍ଟରକୁ ଚିକିତ୍ସା ଏବ˚ ଆଇନଗତ ସହାୟତା ପାଇଁ ଯାଇଛନ୍ତି। ତେବେ ଆଜି ବିଶ୍ବ ମହିଳା ଦିବସ ଅବସରରେ ପାରିବାରିକ ହି˚ସାଜନିତ ଏଭଳି ଅଭିଯୋଗର ସ˚ଖ୍ୟା ସହର ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ମହିଳା ହି˚ସା ରୋକିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟରେ ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ କଟକ ବଡ଼ ମେଡିକାଲ୍‌ରେ ‘ସଖୀ-ଵାନ୍‌ ଷ୍ଟପ୍‌ ସେଣ୍ଟର’ ଖୋଲାଯାଇଥିଲା। ବଡ଼ ମେଡିକାଲ୍‌ରେ ଏହି ସେଣ୍ଟର ୨୦୧୯, ମାର୍ଚ୍ଚ ୮ ତାରିଖରେ ଖୋଲା ଯାଇଥିଲା। ୨୪ ଘଣ୍ଟା କାର୍ଯ୍ୟ କରୁଥିବା ଏହି ସେଣ୍ଟର୍‌ରେ ଯେକୌଣସି ପ୍ରକାର ହି˚ସାର ଶିକାର ହେଉଥିବା ପୀଡ଼ିତା ମହିଳାଙ୍କୁ ଡାକ୍ତରୀ ଚିକିତ୍ସା, ଆଇନଗତ ସହାୟତା, ମନସ୍ତାତ୍ତ୍ବିକ ଓ ସାମାଜିକ ପରାମର୍ଶ, ପୁଲିସ ସହାୟତା, ସ୍ବଚ୍ଛ ରହଣୀ ସହିତ ପୀଡ଼ିତାଙ୍କ ଅଭିଯୋଗର ଶୁଣାଣି ପାଇଁ ଭିଡିଓ କନ୍‌ଫରେନସିଂର ବ୍ୟବସ୍ଥା କରାଯାଇଛି। ତେବେ କେନ୍ଦ୍ରକୁ ଆଜି ଠିକ୍‌ ଏକ ବର୍ଷ ପୂରିଥିବା ବେଳେ ମୋଟ ୧୭୬ଟି ମହିଳା ହି˚ସାଜନିତ ଅଭିଯୋଗ ପଞ୍ଜୀକୃତ କରାଯାଇଛି। ୨୦୧୯ ମାର୍ଚ୍ଚରେ ୫ଟି, ଏପ୍ରିଲ୍‌ରେ ୯ଟି, ମେ’ରେ ୧୫ଟି, ଜୁନ୍‌ରେ ୧୫ ଟି, ଜୁଲାଇରେ ୧୫ଟି, ଅଗଷ୍ଟରେ ୧୬ଟି, ସେପ୍ଟେମ୍ବରରେ ୧୩ଟି, ଅକ୍ଟୋବରରେ ୨୧ଟି, ନଭେମ୍ବରରେ ୧୬ଟି, ଡିସେମ୍ବରରେ ୧୮ଟି, ଜାନୁଆରିରେ ୧୮ଟି, ଫେବ୍ରୁଆରିରେ ୧୫ଟି ଅଭିଯୋଗ ପଞ୍ଜୀକରଣ କରାଯାଇଛି। ଅଭିଯୋଗ ହୋଇଥିବା ମୋଟ ମାମଲାରୁ ୭୨ଟି ମାମଲାର ସମାଧାନ ଏହି କେନ୍ଦ୍ରରେ କରାଯାଇଛି। ପଞ୍ଜୀକରଣ ହୋଇଥିବା ମୋଟ ମାମଲା ମଧ୍ୟରୁ ୧୫୦ଟି କେବଳ ପାରିବାରିକ ହି˚ସା ମାମଲା ଥିବା ବେଳେ ୬ଟି ଦୁଷ୍କର୍ମ, ୬ଟି ଯୌନ ନିର୍ଯାତନା, ସାଇବର‌୍‌ ଅପରାଧ ଓ ଅପହରଣ ଗୋଟିଏ ଏବ˚ ଅନ୍ୟାନ୍ୟ ୧୨ଟି ଅଭିଯୋଗ ପଞ୍ଜୀକରଣ କରାଯାଇଛି। ମୋଟ ପଞ୍ଜୀକରଣ ଅଭିଯୋଗ ମଧ୍ୟରୁ ୧୭ଜଣଙ୍କୁ ଆଇନଗତ ସହାୟତା, ୩୬ଜଣଙ୍କୁ ଡାକ୍ତରୀ ଚିକିତ୍ସା ସମ୍ବନ୍ଧୀୟ ସୁବିଧା, ୫ ଜଣଙ୍କୁ ସୁଧାର ଗୃହରେ ଥଇଥାନ, ୧୩ ଜଣଙ୍କୁ ପୁଲିସ ସହାୟତା, ୧୭୬ ଜଣଙ୍କୁ ମନସ୍ତାତ୍ତ୍ବିକ ଓ ସାମାଜିକ ପରାମର୍ଶ, ୪ ଜଣଙ୍କୁ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଛି। ମୋଟ ପଞ୍ଜୀକରଣ ହୋଇଥିବା ମାମଲା ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସରେ ୧୨ଜଣ ପୀଡ଼ିତା ଥିବା ବେଳେ ୧୮ରୁ ୩୫ବର୍ଷ ମଧ୍ୟରେ ୧୨୬ଜଣ, ୩୫ରୁ ୬୦ ବର୍ଷରେ ୩୪ ଜଣ, ୬୦ ବର୍ଷରୁ ଅଧିକ ୪ ଜଣ ଅଛନ୍ତି। ମୋଟ ପଞ୍ଜୀକରଣ ହୋଇଥିବା ମାମଲା ମଧ୍ୟରୁ କଟକ କମିସନରେଟ୍‌ ପୁଲିସର ମହିଳା ଥାନା ମାଧ୍ୟମରେ ସର୍ବାଧିକ ୭୮ଜଣ ପୀଡ଼ିତା ଆସିଛନ୍ତି। ସେହିପରି ମଙ୍ଗଳାବାଗ ଥାନାରୁ ୩ ଜଣ, ଲାଲବାଗ ଥାନାରୁ ଜଣେ, ସାଲେପୁର ଥାନାରୁ ଜଣେ, ଆର‌୍‌ପିଏଫ୍‌ ଥାନାରୁ ଜଣେ, ସିଡବ୍ଲୁସିରୁ ୪ ଜଣେ ମହିଳା ଏହି କେନ୍ଦ୍ରକୁ ସହାୟତା ପାଇଁ ଆସିଥିବା ସୂଚନା ମିଳିଛି। ଗୋଟିଏ ପଟେ ମହିଳା ସୁରକ୍ଷା କଥା କୁହାଯାଉଥିବା ବେଳେ ଏ ପ୍ରକାର ଧାରା ଜାରି ରହିଲେ, ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର